Unknown

 

 

 

 

 

 

 

ଶରତ୍-ଚୟନିକା

ମୂଳ ରଚନା

ଶରତ୍‍ଚନ୍ଦ୍ର

 

ଅନୁବାଦ

ଶ୍ରୀ ଯମେଶ୍ଵର ତ୍ରିପାଠୀ

 

 

 

 

 

 

 

 

 

 

 

 

ମଝିଆଣୀ ନାନୀ

(ମେଜ୍ ଦିଦି)

 

କୃଷ୍ଣର ମାଆ ଅନେକ ଦୁଃଖ, କଷ୍ଟରେ ତାକୁ ଚଉଦ ବରଷର କରି ସଂସାରରୁ ବିଦାୟନେଇ ଚାଲିଗଲା ପରେ ଗାଆଁରେ କାହା ନିକଟରେ ଠିଆ ହେବାପାଇଁ କୃଷ୍ଣର ଆଉ ଆଶ୍ରୟ ନ ଥିଲା । ତା'ର ସାବତ ଭଉଣୀ କାଦମ୍ବିନୀର ଅବସ୍ଥା ଭଲ । ସମସ୍ତେ କହିଲେ–କୃଷ୍ଣ, ତୁ ତୋର ବଡ଼ ଭଉଣୀ ଘରକୁ ଯାଇ ରହ । ସେ ତ ବଡ଼ଲୋକ । ସେହିଠାରେ ତୁ ଭଲରେ ରହି ପାରିବୁ ।

 

ମାଆ ମରିଯିବା ଦୁଃଖରେ କାନ୍ଦିକାଟି କୃଷ୍ଣକୁ ଜ୍ୱର ହୋଇ ଯାଇଥିଲା । ଶେଷରେ ଭଲ ହୋଇ ଭିକ୍ଷା କରି ମାଆର ଶ୍ରାଦ୍ଧ କାମ ସାରିଲା । ତା ପରେ ଲଣ୍ଡା ମୁଣ୍ଡରେ ଗୋଟିଏ ଛୋଟ ପୁଟୁଳିକୁ ସମ୍ବଳ କରି ନାନୀର ରାଜହାଟ ଘରେ ଆସି ପହଞ୍ଚିଲା । ନାନୀ ତାହାକୁ ଆଗରୁ ଚିହ୍ନି ନଥିଲା । ପରିଚୟ ପାଇବାକ୍ଷଣି ଏବଂ ଆସିବା କାରଣ ଶୁଣି ରାଗରେ ଏକବାରେ ଅଗ୍ନିମୂର୍ତ୍ତି ହୋଇ ଉଠିଲା । ସେ ନିଜର ପିଲାପିଲି ଧରି ଘରସଂସାର ଚଳାଇଥିଲା । ଅକସ୍ମାତ୍ ଏ କି ଉତ୍ପାତ ଆସି ପହଞ୍ଚିଲା ?

 

ଗାଆଁର ଯେଉଁ ବୁଢ଼ାଟି କୃଷ୍ଣକୁ ବାଟ ଦେଖାଇ ସଙ୍ଗରେ ଘେନିକରି ଆସିଥିଲା ତାହାକୁ କାଦମ୍ବିନୀ ଦୁଇଚାରିପଦ କଡାକଡାକଥା ଶୁଣାଇଦେଇ କହିଲା–ମୋର ବଡ଼ ନିଜର ଲୋକକୁ ଅନ୍ନଧ୍ୱଂସ କରିବାକୁ ଏକା ସଙ୍ଗରେଧରି ନେଇଆସଛି । ନିଜର ସାବତ ମାଆକୁ ଉଦ୍ଦେଶ୍ୟ କରି କହିଲା ଜୀଅନ୍ତାରେ ତ ଦିନେ ଖୋଜ ଖବର ରଖିଲା ନାହିଁ । ଏବେ ମଲାପରେ ପୁଅକୁ ପଠାଇଛି ମୋତେ ସଙ୍ଖୁଳିବା ପାଇଁ । କମ୍ କି ମାଆ ମୋର ? ଯାଅ; ତୁମେ ପରପିଲାକୁ ଫେରାଇ ନିଅ, ମୁଁ ଏସବୁ ଜଞ୍ଜାଳ ତୁଲାଇ ପାରିବି ନାହିଁ ।

 

ବୁଢ଼ା ଜାତିରେ ଭଣ୍ଡାରୀ । କୃଷ୍ଣର ମାଆକୁ ଭକ୍ତି କରେ । ମାଆ ବୋଲି ଡାକେ । ସେଥିପାଇଁ ଏତେ କଟୁ ବାକ୍ୟରେ ସେ ବିଚଳିତ ନ ହୋଇ କାକୁତୀମିନତୀ କରି କହିଲା–ତୁମର ଏ ହେଉଛି ଲକ୍ଷ୍ମୀର ଭଣ୍ଡାର । କେତେ ଦାସଦାସୀ ଅତିଥି ଅଭ୍ୟାଗତ, ଏ ଘରେ ପତ୍ର ପକାଇ ମନୁଷ୍ୟ ହୋଇଯାଉଛନ୍ତି । ଏ ବିଚାରା ଟୋକାଟା ଦିନକୁ ଦୁଇମୁଠା ଖାଇ ବାହାରେ ପଡ଼ିରହିଲେ ତୁମକୁ ଆଦୌ ଜଣା ପଡ଼ିବ ନାହିଁ । ବଡ଼ ଶାନ୍ତ, ସୁବୋଧ ପିଲାଟିଏ । ନାନୀ ! ଭାଇ ବୋଲି ଯଦି ଭାବିକରି ନ ନେବ ନନିଅ, କିନ୍ତୁ ଅନାଥ ବ୍ରାହ୍ମଣ ପିଲା ବୋଲି ଘର କୋଣରେ ଟିକିଏ ଆଶ୍ରୟ ଦେଲେ ବି ଚଳିବ ନାନୀ ।

 

ଏଭଳି ସ୍ତୁତିରେ ପୋଲିସ ଦାରୋଗାର ମନ ତରଳି ଯାଏ । ଆଉ କାଦମ୍ବିନୀ ତ ସମାନ୍ୟଜଣେ ନାରୀ ମାତ୍ର । ପ୍ରକୃତରେ ସେ ସେତେବେଳେ ଚୁପ୍ ରହିଲା । ବୁଢ଼ା କୃଷ୍ଣକୁ ଆଢ଼ୁଆଳକୁ ଡାକିନେଇ ଦୁଇ ଚାରିଟା ଉପଦେଶ ଦେଇ ଆଖି ପୋଛି ପୋଛି ବିଦାୟ ନେଇ ଚାଲିଗଲା ।

 

କୃଷ୍ଣ ଆଶ୍ରୟ ପାଇଲା ।

 

କାଦମ୍ବିନୀର ସ୍ୱାମୀ ନବୀନ ମୁଖାର୍ଜ୍ଜୀଙ୍କର ଧାନ ଚାଉଳର ବ୍ୟବସାୟ ଥିଲା । ସେ ବାରଟା ସମୟକୁ ଘରକୁ ଫେରି କୃଷ୍ଣ ପ୍ରତି ବକ୍ର କଟାକ୍ଷ ହାଣି ପ୍ରଶ୍ନ କଲେ–ଏଇଟି କିଏ ?

 

କାଦମ୍ବିନୀ ମୁହଁ ଭାରି କରି ଜବାବ ଦେଲା–ତୁମର ମଧୁର ସଂପର୍କ ଯେ ! ନିଅ, ଖୁଆଅ; ପିନ୍ଧାଅ; ମଣିଷ କର । ପରକାଳ ପାଇଁ ପୁଣ୍ୟ ଅର୍ଜନ କର ।

 

ନବୀନ ବିମାତା ଶାଶୁଙ୍କର ମୃତ୍ୟୁ ଖବର ପାଇ ସାରିଥିଲେ । ତେଣୁ ଘଟଣାଟା ଶୀଘ୍ର ବୁଝି ପାରିଲେ । କହିଲେ–ଆଚ୍ଛା ! ବେଶ ସୁନ୍ଦର ଗୋଲଗାଲ ଚେହେରାଟିତ.....

 

ସ୍ତ୍ରୀ କହିଲେ–ବେଶ୍ ଗୋଲଗାଲ ହେବ ନାହିଁ କାହିଁକି । ବାପ ମୋର ବିଷୟ ସଂପତ୍ତି ଯାହା କିଛି ରଖି ଯାଇଥିଲେ ସେ ସମସ୍ତ ତ ମାଆ ଏହାରି ଗର୍ଭରେ ପୂରାଇଛି । ମୁଁ ତ ତହିଁରୁ ଗୋଟିଏ କଣା କଉଡ଼ି ସୁଦ୍ଧା ପାଇନାହିଁ ।

 

କହିବା ବାହୁଲ୍ୟ ମାତ୍ର ଯେ ଏଇ ବିଷୟ ସଂପତ୍ତି ଖଣ୍ଡିଏ ମାଟିର ଘର ଏବଂ ତାହା ସହିତ ଗୋଟିଏ କାନ୍ଧିଆ ଗଛ । ଘରଟିରେ ବିଧବା ମୁଣ୍ଡ ଗୁଞ୍ଜି ରହିଥିଲେ । ଏବଂ ଲେମ୍ବୁ (କାନ୍ଧିଆ)ଗୁଡ଼ିକ ବିକ୍ରି କରି ପୁଅର ଇସ୍କୁଲର ଦରମା ଯୋଗାଇ ଆସୁଥିଲେ ।

 

ନବୀନ କ୍ରୋଧକୁ ଦମନ କରି କହିଲେ–ଖୁବ୍ ଭଲ ।

 

କାଦମ୍ବିନୀ କହିଲେ–ଭଲ ନୁହେଁ ଆଉ କ’ଣ ? ବିଶିଷ୍ଟ ବଂଧୁ କିନା ! ତାକୁ ସେହିଭଳି ରଖିବାକୁ ହେବତ । ଏହାକୁ ଆମର ପଞ୍ଚୁଗୋପାଳ ଭଳି ସକାଳ ବେଳା ଓ ସଂଧ୍ୟାବେଳା ଦୁଇଓଳି ଯୋଗାଇ ପାରିଲେ ଯାଇ ରକ୍ଷା ଅଛି ! ନଚେତ୍ ଅଖ୍ୟାତି ଦେଶସାରା ବ୍ୟାପୀ ଯିବ କହି ପାଖ ପଡ଼ିଶା ଦୋତାଲା ଘରର ଗୋଟାଏ ଖୋଲା ଝରକା ପ୍ରତି ରୋଷକଷାୟିତ ଲୋଚନର ଅଗ୍ନି ଦୃଷ୍ଟି ନିକ୍ଷେପ କରିଲେ । ଏଇ ଘରଟା ତାହାର ମଝିଆଣୀ ଯାଆ ହେମାଙ୍ଗିନୀର ।

 

କୃଷ୍ଣ ବାରଣ୍ଡାର ଗୋଟାଏ କଣରେ ମୁଣ୍ଡ ତଳକୁ କରି ବସି ଲଜ୍ୟାରେ ମରିଯାଉଥିଲା । କାଦମ୍ବିନୀ ଭଣ୍ଡାର ଘର ଭିତରେ ପଶି ଗୋଟିଏ ନଡ଼ିଆ ଷଢ଼େଇରେ କିଛି ତେଲଆଣି ତାହା ହାତରେ ଧରାଇ ଦେଇ କହିଲେ–ଆଉ ଏ ମିଛ କାନ୍ଦଣା କାନ୍ଦି ଲାଭ ନାହିଁ, ଯାଅ, ପୋଖରୀରେ ବୁଡ଼ି ପଡ଼ି ଆସ । ଏହାପରେ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଚିତ୍‍କାର କରି କହିଲେ, ତୁମେ ଗାଧୋଇବାକୁ ଯିବା ସମୟରେ ବାବୁଙ୍କୁ ଡାକିନେବେ । ନଚେତ୍ ବୁଡ଼ି ମଲେ ସାରା ଘରର ସମସ୍ତଙ୍କ ହାତରେ ଦଉଡ଼ି ବଂଧା ହେବ ।

 

ନବୀନ କିଛି ସମୟପରେ କୃଷ୍ଣକୁ ସଙ୍ଗରେ ଧରି ଗାଧେଇ ଗଲେ ।

 

ଗାଧୋଇ ଆସିବା ପରେ କୃଷ୍ଣ ଭାତ ଖାଇ ବସିଥିଲା । ସେ ସ୍ଵଭାବତଃ ଭାତ ଅପେକ୍ଷାକୃତ ବେଶୀ ଖାଏ । ତାହାପରେ କାଲି ଓପର ଓଳିଠାରୁ ଖିଆ ହୋଇନାହିଁ, ତଥାପି ଆଜିସକାଳୁ ପୁଣି ଏତେ ବାଟ ଚାଲିଚାଲି ଆସିବାକୁ ହେଇଛି । ନିଃଶେଷ ବେଳମଧ୍ୟ ବହୁତ ହୋଇଗଲାଣି ଏହି ସବୁ କାରଣରୁ ପାତ୍ରରେ ବଢ଼ାଯାଇଥିବା ଭାତକୁ କରି ସାରିଲେ ସୁଦ୍ଧା ତାହାର କ୍ଷୁଧା ନଥିଲା । ନବୀନ ଅଦୂରରେ ଖାଇ ବସିଥିଲେ । ସ୍ତ୍ରୀଙ୍କୁ ଲକ୍ଷ କରି କହିଲେ– କୃଷ୍ଣକୁ ଆଉ ଦିଟା ଭାତ ଦିଅ....

 

–ଦେଉଛି, କହି କାଦମ୍ବିନୀ ଉଠିଯାଇ ପରିପୂର୍ଣ୍ଣ ଗୋଟିଏ ଥାଳୀ ଭାତ ଆଣି ସବୁତକ ତାହାରି ପତ୍ରରେ ଅଜାଡ଼ି ଦେଇ ଉଚ୍ଚ ସ୍ୱରରେ ହସି ହସି କହିଲେ–ତେବେ ହୋଇଛି । ଏଇଭଳି ଖୋରାକ ପ୍ରତିଦିନ ଯୋଗାଇବାକୁ ହେଲେ ଆମର ଭଣ୍ଡାର ଯେ ଖାଲି ହୋଇଯିବ । ଏବେଳା ଯାଇ ଦୋକାନରୁ ଦୁଇ ମହଣ ମୋଟା ଚାଉଳ ପଠାଇ ଦିଅ । ନଚେତ୍ ଦିଆଲିଆ ହେବାକୁ ବେଶୀଦିନ ବିଳମ୍ବ ହେଉ ନାହିଁ । ଏକଥା ଆଗରୁ ତୁମକୁ କହି ରଖୁଛି ।

 

ମର୍ମ୍ମାନ୍ତିକ ଲଜ୍ଜ୍ୟାରେ କୃଷ୍ଣର ମୁହଁଟି ଆହୁରି ତଳକୁ ନଇଁ ପଡ଼ିଲା । ସେ ଗୋଟିଏ ମାଆର ଏକମାତ୍ର ପୁଅ । ଦୁଃଖିନୀ ଜନନୀ ନିକଟରେ ସରୁ ଚାଉଳ ଖାଇବାକୁ ଆଉଥିଲା କି ନା ତାହା ଯଦିଓ ଜାଣି ନାହିଁ, କିନ୍ତୁ ପେଟ ଭରି ଖାଇବା ଅପରାଧରେ କୌଣସି ଦିନ ତାକୁ ଯେ ମୁଣ୍ଡ ତଳକୁ କରିବାକୁ ହୋଇନଥିଲା । ଏକଥା ସେ ଭଲ କରି ଜାଣେ । ତାର ମନେ ପଡ଼ିଲା ଯେତେ ଖୁଆଇଲେ ସୁଦ୍ଧା ତାର ମାଆର ମନ କିପରି ତୃପ୍ତ ହୁଏ ନାହିଁ । ମନେ ପଡ଼ିଲା–ଏଇ ସେଦିନ ଗୁଡ଼ି ଆଉ ଲଟାଇ କିଣିବା ପାଇଁ ଆଉ ଦୁଇ ମୁଠା ଅଧିକା ଭାତ ବେଶୀ ଖାଇ ସେ ମାଆଠାରୁ କିପରି ପଇସା ଆଦାୟ କରି ନେଇଥିଲା ।

 

ତାହାର ଦୁଇ ଆଖିକଣରୁ ବଡ଼ ବଡ଼ ଲୁହଟୋପା ନିଃଶବ୍ଦରେ ଝରି ଭାତ ଥାଳି ଉପରେ ପଡ଼ିବାକୁ ଲାଗିଲା । ସେ ସେହି ଭାତକୁ ମୁଣ୍ଡ ପୋତି ଗିଳିବାକୁ ଲାଗିଲା । ବାମ ହାତଟା ଟେକି ଆଖିରୁ ଲୁହ ପୋଛିବା ପାଇଁ ସାହାସ ମଧ୍ୟ କରି ପାରିଲା ନାହିଁ । କାଳେ ନାନୀ ଦେଖି ପକାଇବ ! ଅଳ୍ପସମୟ ତଳେ ମିଛ କାନ୍ଦଣା ଅପରାଧରେ ଗାଳି ଖାଇବାକୁ ହୋଇଛି । ସେହି ଧମକ ତାର ଏତେବଡ଼ ମାତୃଶୋକର ବେଳକୁ ମଧ୍ୟ ଚାପି ରଖିଲା....

 

(୨)

 

ପୈତୃକ ଘରଟା ଦୁଇ ଭାଇ ଭାଗ କରି ନେଇଥିଲେ ।

 

ପାଖର ଦିତାଲା କୋଠାଟା ମଝିଆଭାଈ ବିପିନର । ସାନଭାଈର ଅନେକ ଦିନରୁ ମୃତ୍ୟୁ ହୋଇଥିଲା । ବିପିନର ଧାନ ଚାଉଳ କାରବାର । ତାହାର ଅବସ୍ଥା ଭଲ କିନ୍ତୁ ବଡ଼ ଭାଇ ନବୀନ ପରି ନୁହେଁ । ତଥାପି ତାର ଘରଟା ଦୋତାଲା । ମଝିଆଣି ବୋହୂ ହେମାଙ୍ଗିନୀ ସହରରଝିଅ । ସେ ଦାସ ଦାସ ଦାସୀ ରଖି, ଲୋକମାନଙ୍କୁ ଖୁଆଇ ପିଆଇ ଜାକଜମକରେ ରହିବାକୁ ଭଲ ପାଏ । ପଇସା ସଞ୍ଚି ଗରୀବ ହୋଇ ଭାଣ କରି ଚଳିବାକୁ ଭଲ ପାଏ ନାହିଁ ବୋଲି ଦୁଇବର୍ଷ ତଳେ ଦୁଇଯାଆ କଜିଆକାରି ଭିନ୍ନେ ହୋଇଛନ୍ତି । ସେହିଦିନଠାରୁ ପ୍ରକାଶ୍ୟରେ ଅନେକବାର କଳିକଜିଆ ଲାଗିଛନ୍ତି । ଅନେକଥର ମିଳାମିଶା ହୋଇ ଥିଲେସୁଦ୍ଧା ଦିନକ ପାଇଁ ମନୋମାଳିନ ଘୁଞ୍ଚି ନାହିଁ । କାରଣ ସେଇଟା ବଡ଼ଯାଆ କାଦମ୍ବିନୀର ଦୋଷ । ସେ ବଡ଼ ଏକଜିଦିଆ ଲୋକ ସେ ଠିକ୍ ବୁଝିଛନ୍ତି ଯେ ହାଣ୍ଡି ଥରେ ଭାଙ୍ଗିଗଲେ ଆଉ ଯୋଡ଼ି ହୁଏ ନାହିଁ । କିନ୍ତୁ ମଝିଆଣୀ ବୋହୁ ସେପରି ନୁହେଁ । କଜିଆଟା ଯଦିଓ ସେ ପ୍ରଥମେ ଆରମ୍ଭ କରିବ ସେ କିନ୍ତୁ ମିଳାମିଶା କରିବାପାଇଁ, କଥା କହିବା ପାଇଁ ଖାଇବାପାଇଁ ସେ ମନେ ମନେ ଛଟପଟହୋଇ ଦିନକରେ ଆସି ପାଖରେ ବସିପଡ଼େ, ହାତ ଗୋଡ଼ ଧରି, କାନ୍ଦିକାଟି, ନିଜର ସବୁ ଦୋଷବୋଲି ମାନିନେଇ ଜବରଦସ୍ତି ହାତ ଧରି ନିଜ ଘରକୁ ଟାଣି ଭାବ କରିବସେ । ଏହିପରି ଭାବରେ ଦୁଇ ଯାଆଙ୍କର ଅନେକ ଦିନ ବିତିଲାଣି । ଆଜି ବେଳ ତିନିଟା କି ସାଢ଼େ ତିନିଟା ସମୟରେ ହେମାଙ୍ଗିନୀ ଏପାଖ ଘରକୁ ଆସିଲା । କୂଅ ନିକଟରେ ସିମେଣ୍ଟ ପଲସ୍ତରା କରା ଚାନ୍ଦିନୀ ଉପରେ ଖରାରେ ବସି କୃଷ୍ଣ ସାବୁନ ଦେଇ କେତେ ଖଣ୍ଡ ଲୁଗା ପଟା କାଚୁଥିଲା । କାଦାମିନୀ ଅଳ୍ପ ଦୂରରେ ଠିଆହୋଇ, କମ୍ ସାବୁନ ଓ ଅଧିକ ଶାରୀରିକ ବଳ ଦ୍ୱାରା କିପରି ଲୁଗାପାରିଷ୍କାର କରିହେବ ସେହି କୌଶଳଟା ଶିଖାଇ ଦେଉଥିଲେ । ମଝିଆଣୀ ଯାଆକୁ ଦେଖିବା ମାତ୍ରେହିଁ କହି ଉଠିଲେ–ଏ ମାଆ ! ଏ ଟୋକା କି ମଇଳା ଲୁଗାଗୁଡ଼ାକ ସାଙ୍ଗରେ ନେଇ ଆସିଛି ।

 

କଥାଟା ଅବଶ୍ୟ ସତ୍ୟ, କୃଷ୍ଣର ସେହି ନାଲିଧାଡ଼ିଆ ଧୋତି ଓ ଚଦର ପିନ୍ଧି କେହିକେବେ ବନ୍ଧୁ ଘରକୁ ଯାଏ ନାହିଁ । ସେହି ଦୁଇଟାକୁ ପରିଷ୍କାର କରିବାର ଆବଶ୍ୟକତା ଥିଲା ସତ, କିନ୍ତୁ ଧୋବା ଅଭାବରୁ ବେଶୀ ଆବଶ୍ୟକ ହୋଇଥିଲା ପୁଅ ପଞ୍ଚୁଗୋପାଳର ଦୁଇ ଖଣ୍ଡ ଏବଂ ତାର ବାପାଙ୍କର ଦୁଇ ଖଣ୍ଡ ଲୁଗା ସଫା କରିବା । କୃଷ୍ଣ ଅପାତତଃ ସେହିଆ ହିଁ କରୁଥିଲା, ହେମାଙ୍ଗିନୀ ଚାହିଁଦେଇ ଜାଣି ପାରିଲେ ଲୁଗା ଗୁଡ଼ିକ କାହାର । କିନ୍ତୁ ସେ ବିଷୟ କିଛି ନଉଠାଇ ସେ ପଚାରିଲେ–ନାନୀ ଏ ପିଲାଟି କିଏମ ? ଏହା ପୂର୍ବରୁ ନିଜଘରେ କାନ ପାତି ସେ ସବୁ ଶୁଣି ପାରିଥିଲା । ବଡ଼ ଯାଆ ଇତଃସ୍ତତ ହେଉଥିବାର ଦେଖି ସେ ପୁଣି କହିଲେ ଖାସା ପିଲାଟିଏ ତ ! ମୁହଁର ଚେହେରା ତୁମ ସଙ୍ଗେ ଅବିକଳ ମିଶି ଯାଉଛି । କ’ଣ ତୁମ ବାପ ଘରର କେହି ହେବ କି ?

 

କାଦମ୍ବିନୀ ବିରକ୍ତ ହୋଇ ଜବାବ ଦେଲା–ହଁ, ମୋର ସାବତ ଭାଈ । ଆରେ ହେ କୃଷ୍ଣ ! ତୋର ମଝିଆଣୀ ନାନୀଙ୍କୁ ନମସ୍କାର କରତ । ଆରେ ବାପ କି ଅସଭ୍ୟ ପିଲା । ଗୁରୁଜନଙ୍କୁ ଦେଖିଲେ ଯେ, ଗୋଟାଏ ମୁଣ୍ଡିଆ ମାରିବାକୁ ହୁଏ ସେତକ କ’ଣ ତୋର ମାଆ ଶିଖାଇ ଦେଇ ମରିନାହିଁ ?

 

କୃଷ୍ଣ ଥତ ମତ ହୋଇ ଉଠି ଆସି କାଦମ୍ବିନୀର ପାଦତଳେ ନମସ୍କାର କରିବା କ୍ଷଣି ସେ ଧମକାଇ କରି କହି ଉଠିଲା–କି ? ମରଣ ହେଉ ନାହିଁ ତତେ । ତୁ କ’ଣ ଥେଣ୍ଟକାଲାଙ୍କ ? ତୋତେ ପ୍ରଣାମ କାହାକୁ କରିବା ପାଇଁ କହିଲି; ଆଉ ତୁ କରୁଛୁ କାହାକୁ ?

 

ପ୍ରକୃତରେ ଆସିବା ସମୟଠାରୁ କ୍ରମାଗତ ତିରସ୍କାର ଓ ଅପମାନ ଆଘାତରେ କୃଷ୍ଣର ମୁଣ୍ଡ ବେ–ଠିକ୍ ହୋଇ ଯାଇଥିଲା । କଥାର ଆୱାଜରେ ବ୍ୟସ୍ତ ଓ ହତବୁଦ୍ଧି ହୋଇ ହେମାଙ୍ଗିନୀଙ୍କ ନିକଟକୁ ଆସି ପାଦତଳେ ମୁଣ୍ଡ ନୂଆଇଁବା କ୍ଷଣି ସେ ହାତରେ ତାହାକୁ ଧରିପକାଇ, ଚିବୁକ ସ୍ପର୍ଶ କରି କହି ଉଠିଲେ–ଥାଉ, ବାବା, ହେଲା, ହେଲା । ଦୀର୍ଘାୟୁ ହୁଅ ଭାଈ ।

 

କୃଷ୍ଣ ମୂକଭଳି ହେମାଙ୍ଗିନୀଙ୍କର ମୁହଁକୁ ଚାହିଁ ରହିଲା । ଏ ଦେଶରେ ଏପରି କଅଁଳ ଭାଷାରେ କେହି ଯେ କଥା କହିପାରେ, ଏହା ତାର ବିଶ୍ୱାସ ହେଲା ନାହିଁ ।

 

କୃଷ୍ଣର ସେହି କୁଣ୍ଠିତ, ଭୀତ, ଅସହାୟ ମୁହଁଟି ଆଡ଼େ ଚାହିଁବାକ୍ଷଣି ହେମାଙ୍ଗିନୀର ଛାତି ଭିତରଟା ଦୁଃଖରେ କାନ୍ଦି ଉଠିଲା । ନିଜକୁ ଆଉ ସଂଭାଳି ନପାରି ହଠାତ୍ ସେହି ହତଭାଗ୍ୟ, ଅନାଥ ବାଳକକୁ ଛାତି ଉପରକୁ ଟାଣି ନେଇ, ତାହାର ପରିଶ୍ରାନ୍ତ ଝାଳ ସର ସର ମୁହଁକୁ ନିଜର ପଣତ କାନିରେ ପୋଛି ଦେଇ, ଯାଆକୁ କହିଲେ– ଏହା ହାତରେ କ’ଣ ଲୁଗା କାଚି ହେବ ? ତୁମେ ଗୋଟାଏ ଚାକରକୁ ଡାକି ଦେଲ ନାହିଁ କାହିଁକି ?

 

କାଦମ୍ବିନୀ ହଠାତ୍ ଅବାକ ହୋଇ ଉଠି ଉତ୍ତର ଦେଇ ପାରିଲେ ନାହିଁ । କିନ୍ତୁ କ୍ଷଣକ ଭିତରେ ନିଜକୁ ସଂଭାଳି ନେଇ ରାଗି ଉଠି କହିଲେ, ମୁଁ ତ ତୋଭଳି ବଡ଼ ଲୋକ ନୁହେଁ ମଝିଆଣୀ, ଯେ; ମୋ ଘରେ ଦଶ କୋଡ଼ିଏଟା ଚାକର ଚାକରାଣୀ ରଖି ପାରିବି ? ଆମର ଯେ.....

 

କଥାଟା ଶେଷ ହେବା ପୂର୍ବରୁ ହେମାଙ୍ଗିନୀ ନିଜର ଘରକୁ ମୁହଁ ବୁଲାଇ ଝିଅକୁ ଡାକି କହିଲେ–ଆ ଲୋ ଉମା, ଶିବୁକୁ ଟିକିଏ ଏ ଘରକୁ ପଠାଇ ଦେ ତ ମାଆ, ଦଦେଇଙ୍କର ଏବଂ ପଞ୍ଚୁର ମଇଳା ଲୁଗାଗୁଡ଼ାକ ପୋଖରୀରେ ନେଇ କାଚି ସଫାକରି ଆଣି ଶୁଖାଇ ଦେଇଯିବ । ବଡ଼ ଯାଆଙ୍କଆଡ଼କୁ ବୁଲି ପଡ଼ି କହିଲା–ଏ ବେଳା କୃଷ୍ଣ ଆଉ ପଞ୍ଚୁ ଆମ ଘରେ କହିବେ ନାନୀ, ସେ ଇସ୍କୁଲରୁ ଆସିବା କ୍ଷଣି ତାକୁ ପଠାଇ ଦେବ । ମୁଁ ଏହାକୁ ସାଙ୍ଗରେ ନେଇ ଯାଉଛି କୃଷ୍ଣକୁ କହିଲା–ତାଙ୍କ, ଭଳି ମୁଁ ମଧ୍ୟ ତୋର ଗୋଟିଏ ଭଉଣୀ, ଆସ, ମୋ ସଙ୍ଗରେ ଆ; କହି ତାର ଗୋଟିଏ ହାତ ଧରି ଟାଣି ଟାଣି ନିଜଘରକୁ ନେଇଗଲେ ।

 

କାଦମ୍ବିନୀ ବାଧା ଦେଲେ ନାହିଁ । ଅଥଚ ହେମାଙ୍ଗିନୀ ପ୍ରଦତ୍ତ ଏତେ ବଡ଼ ଅପମାନକୁ ନୀରବରେ ହଜମ କଲେ । ତାହାର କାରଣ ଯେଉଁବ୍ୟକ୍ତି ଅପମାନ ଦେଇଛି, ସେ ଏବେଳର ଖାଇବାଟା ମଧ୍ୟ ବଞ୍ଚାଇ ଦେଇ ପାରିଛି । କାଦମ୍ବିନୀ ପଇସା ବ୍ୟତୀତ ସଂସାରରେ ଆଉ କିଛି ବଡ଼ ବୋଲି ମନେ କରୁ ନ ଥିଲା । ସେଥିପାଇଁ ଗାଈ ଦୁହିଁ ଦୁଧ ଖାଇବାକୁ ହେଲେ ନାତ ସହିବାକୁ ସେ ପ୍ରସ୍ତୁତ ଥାଏ ।

 

(୩)

 

ସଂଧ୍ୟାବେଳେ କାଦମ୍ବିନୀ ପଚାରିଲେ–କ’ଣ ଖାଇକରି ଆସିଲୁ କିରେ କୃଷ୍ଣ ?

 

କୃଷ୍ଣ ଲଜ୍ଜାରେ ମୁହଁ ତଳକୁ କରି କହିଲା–ଲୁଚି ।

 

କ’ଣ ଲଗାଇ ଖାଇଲୁ ?

 

କୃଷ୍ଣ ସେହିପରି ଭାବରେ କହିଲା–ରୋହିମାଛ ମୁଣ୍ଡର ତରକାରୀ, ସନ୍ଦେଶ ରସଗୋ....

 

–ଇସ୍ ! ଆଚ୍ଛା କହିଲୁ, ମଝିଆଣୀ ନାନୀ ରୋହି ମାଛ ମୁଣ୍ଡଟା କାହା ପତ୍ରରେ ଦେଲା-?

 

ହଠାତ୍ ଏହି ପ୍ରଶ୍ନର କୃଷ୍ଣର ମୁହଁଟି ପାଣ୍ଡୁର ହୋଇଗଲା । ଉଞ୍ଚେଇଥିବା ବେତ ଆଗରେ ବନ୍ଧାହୋଇଥିବା ପଶୁର ପ୍ରାଣଟା ଯେପରି ଭାବରେ କମ୍ପି ଉଠୁଥାଏ, କୃଷ୍ଣର ଛାତି ଭିତରଟା ସେହିପରି ହେବାକୁ ଲାଗିଲା । ବିଳମ୍ବ ହେବାର ଦେଖି କାଦମ୍ବିନୀ କହିଲେ–ତୋର ପତ୍ରରେ ବୋଧହୁଏ ?

 

ଗୁରୁତର ଅପରାଧୀ ଭଳି କୃଷ୍ଣ ମୁଣ୍ଡ ତଳକୁ କରି ରହିଲା ।

 

ନିକଟରେ ନବୀନ ତମାଖୁ ଖାଉଥିଲେ । କାଦମ୍ବିନୀ ଡାକି କରି କହିଲେ–ଶୁଣିଲତ ?

 

ନବୀନ ସଂକ୍ଷେପରେ ‘ହୁଁ’ ବୋଲି କହି ହୁକାରେ ଟାଣ ଦେଲେ ।

 

କାଦମ୍ବିନୀ ବ୍ୟସ୍ତ ହୋଇ କହିବାକୁ ଲାଗିଲେ; ଖୁଡ଼ୀ ହେଉଛି ନିଜର ଲୋକ । ତାର ବ୍ୟବହାରଟା ଦେଖିଲତ । ପଞ୍ଚୁ ଗୋପାଳ ଅମର ରୋହି ମାଛର ମୁଣ୍ଡ କହିଲେ ପାଗଳ, ଏ କଥା କ’ଣ ସେ ସକାଶେ ନାହିଁ ? ତେବେ କେଉଁ ଅକଲରେ ତାର ପତ୍ରରେ ନ ଦେଇ ବେଣାବଣରେ ମୁକ୍ତା କୁଢ଼ାଇ ଦେଲା ? ହଁ କ’ଣ କହୁଥିଲିଟି–ଆରେ କୃଷ୍ଣ ରସଗୋଲା ଆଉ ସନ୍ଦେଶ ପେଟଭରି ଖାଇଲୁତ ? କାରଣ ସାତ ଜନ୍ମରେ ଏସବୁ ତୁ ତ ଆଖିରେ ଦେଖି ନ ଥିବୁ । ତାପରେ ସ୍ୱାମୀଙ୍କଆଡ଼କୁ ଚାହିଁ କହିଲେ, ଯେଉଁମାନେ ଭାତ ଦୁଇଟି ପାଇଲେ ବଞ୍ଚିଯାନ୍ତି, ସେମାନଙ୍କ ପେଟରେ ଲୁଚି–ସନ୍ଦେଶ କ’ଣ ହେବ ? କିନ୍ତୁ ମୁଁ ତୁମକୁ କହି ରଖୁଛି ମଝିଆଣି ବୋହୂ ଯଦି କୃଷ୍ଣ ମୁଣ୍ଡକୁ ବିଗାଡ଼ି ନ ଦେଇଛି, ତାହାହେଲେ ମୋ ନାମରେ କୁକୁର ପାଳିବ ।

 

ନବୀନ ନୀରବ ହୋଇ ବସିରହିଲେ । କାରଣ ନିଜ ସ୍ତ୍ରୀଙ୍କର ଉପସ୍ଥିତିରେ ଯେ ସାନବୋହୂ, କୃଷ୍ଣକୁ ବିଗାଡ଼ି ଦେଇ ପାରିବେ ଏହିଭଳି ଦୁର୍ଘଟଣାକୁ ସେ ବିଶ୍ୱାସ କରି ପାରିଲେ ନାହିଁ, କିନ୍ତୁ ତାଙ୍କ ସ୍ତ୍ରୀଙ୍କର ସ୍ୱାମୀ ଉପରେ ବିଶ୍ୱାସ ନ ଥିଲା । ବରଂ ଷୋଳଅଣା ଭୟ ଥିଲା ଯେ, ସାଦାସିଧା ଭଲଲୋକ ବୋଲି ଯେ କେହି ତାହାକୁ ଠକି ଦେଇପାରେ । ସେଥିପାଇଁ ଛୋଟଭାଈ କୃଷ୍ଣର ମାନସିକ ଉନ୍ନତି ଅବନତିର ପ୍ରତି ପ୍ରଥମରୁ ପ୍ରଖର ଦୃଷ୍ଟି ରଖିଲେ ।

 

ରାତି ପାହିବା କ୍ଷଣି ଦୁଇଟା ଚାକରରୁ ଗୋଟାକୁ ବିଦାୟ କରି ଦିଆଗଲା । କୃଷ୍ଣ ନବୀନଙ୍କର ଧାନ ଚାଉଳ ଗୋଦାମରେ କାମ କରିବାକୁ ଲାଗିଲା । ସେଠାରେ ସେ ଧାନ ଓଜନ କରେ । ବିକ୍ରୟ କରେ । ଚାରି ପାଞ୍ଚ କୋଶ ବାଟ ପାଦରେ ଚାଲି ଚାଲି ନମୁନା ସଂଗ୍ରହ କରି ଆଣେ । ଦ୍ୱିପହରରେ ନବୀନ ଭାତ ଖାଇବାକୁ ଆସିଲେ ସେ ଦୋକାନ ଜଗି ବସିରହେ । ଦିନ ଦୁଇଟା ପରେ ସେ ଖାଇ ବିଶ୍ରାମକରି ଗୋଦାମକୁ ଫେରିଲା ପରେ କୃଷ୍ଣ ଦିନ ତିନିଟାକୁ ଖାଇବାକୁ ଘରକୁ ଆସେ । ଦିନକର କୃଷ୍ଣ ପୋଖରୀରୁ ଗାଧୋଇ ଆସି ଦେଖିଲା, ନାନୀ ଶୋଇ ପଡ଼ିଛି । ସେତେବେଳେ ତାକୁ ଏପରି ଭୋକ ହେଉଥିଲା ଯେ ସେ ବାଘ ମୁହଁରୁ ମଧ୍ୟ ଆହାର ଟାଣି ଆଣିପାରିବ, ତଥାପି କିନ୍ତୁ ଶୋଇପଡ଼ିଥିଲା ନାନୀକୁ ଡାକିବାକୁ ତାର ସାହସ କୁଳାଇଲା ନାହିଁ ।

 

ରୋଷଘର ବାରଣ୍ଡାରେ ଚୁପ୍‍ଟି ହୋଇ ନାନୀର ନିଦଭାଙ୍ଗିବା ସମୟକୁ ଅପେକ୍ଷା କରି ବସି ରହିଥିବା ସମୟରେ ହଠାତ୍ ଡାକ ଶୁଣିପାରିଲା–କୃଷ୍ଣ ?

 

ସେ ଡାକ ଏତେ କୋମଳ ଯାହା ସେ କେବେ ଶୁଣି ନ ଥିଲା । ମୁହଁ ଟେକି ଦେଖିଲ, ମଝିଆଣି ନାନୀ ତାର ଦୋତାଲା ଘରର ଝରକା ରେଲିଂ ଧରି ଠିଆହୋଇ ରହିଛନ୍ତି । କୃଷ୍ଣ ଥରକ ପାଇଁ ଚାହିଁ ଦେଇ ମୁହଁ ବୁଲାଇ ନେଲା । କିଛି କ୍ଷଣ ପରେ ହେମାଙ୍ଗିନୀ ଓହ୍ଲାଇ ଆସି ଆଗରେ ଠିଆ ହୋଇ ପଚାରିଲେ, କେତେଦିନ ହେବ ତୋତେ ଦେଖୁ ନାହିଁ ତ । ଏଠାରେ ଚୁପ୍ କରି ବସି ରହିଛୁ କାହିଁକି ?

 

ଏକରେ ଭୋକ ହେଲେ ସହଜରେ ତ ଆଖିରେ ଲୁହ ଆସେ । ସେଥିରେ ପୁଣି ଏପରି ସ୍ନେହାଦ୍ର କଣ୍ଠସ୍ୱର । ତାର ଦୁଇ ଆଖି ଛଳ ଛଳ ହୋଇ ଉଠିଲା । ସେ ମୁଣ୍ଡ ତଳକୁ କରି ବସି ରହିଲା । କିନ୍ତୁ ଉତ୍ତର ଦେଇ ପାରିଲା ନାହିଁ ।

 

ମଝିଆଣି ଖୁଡ଼ିକୁ ସବୁ ପୁଅ ଝିଅ ମାନେ ଭଲ ପାଆନ୍ତି । ତାହାର ଗଳାର ସ୍ୱର ଶୁଣି କାଦମ୍ବିନୀର ଛୋଟ ଝିଅ ଘରୁ ବାହାରକୁ ଦଉଡ଼ି ଆସି ପାଟି କରି କହିଲା–କୃଷ୍ଣମାମୁଁ, ରୋଷାଇ ଘରେ ତୁମ ପାଇଁ ଭାତ ଘୋଡ଼ିଆ ହୋଇ ରହିଛି । ଖାଇବ ଯାଅ, ମାଆ ଖାଇ ପିଇ ଶୋଇ ପଡ଼ିଛି-

 

ହେମାଙ୍ଗିନୀ ଅବାକ୍ ହୋଇ କହିଲେ, କୃଷ୍ଣ ବର୍ତ୍ତମାନ ସୁଦ୍ଧା ଖାଇନାହିଁ ? ତୋର ମାଆ ଖାଇକରି ଶୋଇ ପଡ଼ିଲା କିପରି ଆରେ କୃଷ୍ଣ, ଆଜି ଏତେ ଡେରି ହେଲା କାହିଁକି ?

 

କୃଷ୍ଣ ମୁଣ୍ଡ ତଳକୁ କରି ବସି ରହିଲା । ଟୁନି ତାହା ପକ୍ଷରୁ ଜବାବ ଦେଇ କହିଲା–କୃଷ୍ଣମାମୁଁ ତ ସବୁଦିନ ଖାଇଲା ବେଳକୁ ଏତିକି ବେଳ ହୁଏ । ବାପା ଖାଇ, ପିଇ, ଶୋଇ ସାରି ଦୋକାନକୁ ଫେରିଗଲା ପରେ ସିନା ସେ ଖାଇବାକୁ ଆସିବେ ।

 

ହେମାଙ୍ଗିନୀ ବୁଝିପାରିଲେ ଯେ କୃଷ୍ଣକୁ ଦୋକାନ କାମରେ ଲଗା ଯାଇଛି । ତାହାକୁ ବସାଇ ଖାଇବାକୁ ଦେବା, ଅବଶ୍ୟ ଏଭଳି ଆଶା ସେ କରି ନ ଥିଲେ କିନ୍ତୁ ଥରକ ପାଇଁ ଏତେ ସମୟକୁ ଚାହିଁ, ଏବଂ ଥରକ ପାଇଁ ଏହି କ୍ଷୁଧା ଓ ତୁଷ୍ଣାରେ କାତର ଏହି ବାଳକଟିର ମୁହଁକୁ ଚାହିଁ, ତାଙ୍କର ଆଖିରୁ ଲୁହ ଟପି ଟପି ହୋଇ ଖସି ପଡ଼ିଲା । ପଣତକାନିରେ ଆଖିର ଲୁହକୁ ପୋଛି ପୋଛି ସେ ଘରକୁ ଫେରିଗଲେ । ଦୁଇ ତିନି ମିନିଟ ପରେ ଗୋଟିଏ ଗିନାରେ ଦୁଧ ଘେନି ରୋଷଘରେ ପହଞ୍ଚି ଶିହରି ଉଠିଲେ ।

 

କୃଷ୍ଣ ଖାଇ ବସିଥିଲା । ଗୋଟିଏ ପିତଳ ଥାଳିରେ ଥଣ୍ଡା ଶୁଖିଲା ଡାଲି ମିଶା ଭାତ ମୁଠାଏ, ଗୋଟିଏ କଡ଼ରେ ସାମାନ୍ୟ ଟିକିଏ ଡାଲି ଠିକ୍ ତରକାରୀ ପରି । ଦୁଧ ଟିକକ ପାଇବାକ୍ଷଣି ତାହାର ମଳିନ ମୁହଁଟି ହସରେ ପୁରି ଉଠିଲା ।

 

ହେମାଙ୍ଗିନୀ ଦ୍ୱାର ବାହାରେ ଆସି ଠିଆହୋଇ ରହିଲେ ।

 

କୃଷ୍ଣ ଖାଇସାରି ପୋଖରୀକୁ ଆଞ୍ଚୋଇବାକୁ ଚାଲିଗଲା । ହେମାଙ୍ଗିନୀ ମୁହଁ ବଢ଼ାଇ ଦେଖିଲେ ଥାଳୀରେ ଗୋଟିଏ ହେଲେ ଭାତ ନାହିଁ । ଭୋକ ଦାଉରେ ସେ ସବୁ ନିଃଶେଷକରି ଦେଇଛି ।

 

ହେମାଙ୍ଗିନୀର ପୁଅ ଲଳିତ ମଧ୍ୟ ସେହି ବୟସର । ନିଜର ଅନୁପସ୍ଥିତିରେ ତାଙ୍କ ପୁଅର ଯଦି ଏପରି ଅବସ୍ଥା ହୁଏ, ତାହା କଳ୍ପନା କରିବା କ୍ଷଣି କୋହରେ ତାଙ୍କ କଣ୍ଠ ରୁଦ୍ଧ ହୋଇ ଆସିଲା । ସେ ସେହି ଉଦ୍‍ଗତ କୋହକୁ ଚାପି ଚାପି ନିଜ ଘରକୁ ଚାଲିଗଲେ ।

 

(୪)

 

ସର୍ଦ୍ଦିଦୋଷରୁ ହେମାଙ୍ଗିନୀଙ୍କୁ ମଝିରେ ଜ୍ୱର ହୁଏ । ଦିନେ ଦୁଇଦିନ ଜ୍ୱର ରହିବା ପରେ ଆପେ ଆପେ ଛାଡ଼ିଯାଏ । କେତେଦିନ ପରେ ଏହିପରି ଜ୍ୱର ଜ୍ୱର ଲାଗିବାରୁ ସେ ସଂଧ୍ୟାପରେ ବିଛଣାରେ ପଡ଼ି ରହିଥିଲେ । ଘରେ କେହି ନ ଥିଲେ । ହଠାତ୍ ମନେ ହେଲା କିଏ ଯେପରି କବାଟ ଆଢ଼ୁଆଳରେ ଅତି ସନ୍ତର୍ପଣରେ ଉଙ୍କି ମାରି ଦେଖୁଛି; ସେ ଡାକି କରି କହିଲେ–କିଏ ଲଳିତ କିରେ-?

 

କେହି ଉତ୍ତର ଦେଲେ ନାହିଁ, ପୁଣିଥରେ ଡାକିଲେ ।

 

ଆଢ଼ୁଆଳରୁ ଉତ୍ତର ଆସିଲା–ମୁଁ

 

କିଏ ତୁ ? ଘର ଭିତରଳୁ ଆସି, ବସ ।

 

କୃଷ୍ଣ ଅତି, ସଙ୍କୋଚରେ ଘର ଭିତରକୁ ଆସି କାନ୍ଥରେ ଘଷି ହୋଇ ଠିଆ ହୋଇରହିଲା-

 

ହେମାଙ୍ଗିନୀ ଉଠିପଡ଼ି ଅତି, ସ୍ନେହରେ ପାଖକୁ ଡାକି ଆଣି କହିଲେ–କ’ଣ କିରେ ?

 

କୃଷ୍ଣ ଆହୁରି ଟିକିଏ ପାଖକୁ ଲାଗି ଆସି ମଇଳା ଲୁଗା କୁଞ୍ଚ ତଳୁ ଦୁଇଟି ପାଚିଲା ପିଜୁଳି ବାହାର କରି କହିଲା–ଜରୁଆ ପାଟିକୁ ଭଲ ଲାଗେ ।

 

ହେମାଙ୍ଗିନୀ ଅତି ଶ୍ରଦ୍ଧାରେ ହାତ ବଢ଼ାଇ ପିଜୁଳି ଦୁଇଟି ନେଇ ପ୍ରଶ୍ନ କଲେ–କେଉଁଠାରୁ ପାଇଲୁ କିରେ ? ମୁଁ କାଲିଠାରୁ କେତେ ଲୋକଙ୍କୁ କେତେ ଖୋସାମତ କରିଥିଲି, ଅଥଚ କେହି ଆଣି ଦେଇ ପାରିଲେ ନାହିଁ, କହି କୃଷ୍ଣର ହାତଧରି ପାଖରେ ବସାଇ ଦେଲେ । କୃଷ୍ଣ ଲଜ୍ଜାରେ ଆରକ୍ତ ମୁହଁକୁ ତଳକୁ ପୋତି ବସି ରହିଲା । ଯଦିଓ ଏଇଟା ପିଜୁଳି ଖାଇବାର ସମୟ ନୁହେଁ ଏବଂ ହେମାଙ୍ଗିନୀ ମଧ୍ୟ ଖାଇବାପାଇଁ ବ୍ୟାକୁଳ ନୁହଁନ୍ତି, ତଥାପି ଏ ଦୁଇଟି ସଂଗ୍ରହ କରି ଆଣିବା ପାଇଁ ସାରା ଦ୍ୱିପହରର ଖରା କୃଷ୍ଣ ମଥା ଉପରେ ଚାଲିଯାଇଛି ।

 

ହେମାଙ୍ଗିନୀ ପଚାରିଲେ–ହଇରେ କିଏ ତୋତେ ଖବର ଦେଲା ମୋତେ ଜ୍ୱର ହୋଇଛି ବୋଲି ?

 

କୃଷ୍ଣ ଉତ୍ତର ଦେଲା ନାହିଁ ।

 

କିଏ କହିଲା, ମୁଁ ପିଜୁଳି, ଖାଇବାକୁ ମନ କରିଛି ବୋଲି ?

 

କୃଷ୍ଣ ମଧ୍ୟ ଉତ୍ତର ଦେଲା ନାହିଁ । ସେ ସେଇଯେଉଁ ମୁହଁ ତଳକୁ ପୋତିଲା ଯେ ଆଉ ଉପରକୁ ଉଠାଇ ପାରିଲା ନାହିଁ । ପିଲାଟି ଯେ ଅତିଶୟ ଲାଜକୁଳା ଏବଂ ଭୟାଳୁ, ହେମାଙ୍ଗିନୀ ପୂର୍ବରୁ ଏହା ଜାଣି ପାରିଥିଲେ । ସେଇଥିପାଇଁ ସେତେବେଳେ ତାହା ମୁଣ୍ଡରେ ହାତ ବୁଲାଇ ପିଠି ଆଉଁସି ଆଦର କରି ‘ଭାଇ’ ବୋଲି ସଂବୋଧନ କରି, ଆହୁରି କେତେ କ’ଣ କୌଶଳ କରି ତାହାର ଭୟ ଭାଙ୍ଗି ଅନେକ କଥା ଜାଣି ପାରିଥିଲେ । ବହୁ ଅନୁସଂଧାନ କରି ପିଜୁଳି ସଂଗ୍ରହ କରିବାର କଥାରୁ ଆରମ୍ଭ କରି, ତାର ଗାଆଁ କଥା, ମାଆଙ୍କ କଥା, ଖାଇବା ପିଇବା କଥା, ଏଠାରେ ତାକୁ ଦୋକାନରେ କେଉଁ କେଉଁ କାମ କରିବାକୁ ପଡ଼ୁଛି ସେସବୁ କଥା, ଗୋଟି ଗୋଟିକରି ସମସ୍ତ ବିବରଣୀ ଶୁଣିନେଇ ଆଖିରୁ ଲୁହ ପୋଛି କହିଲେ–ତୋର ମଝିଆଣୀ ନାନୀକୁ କେତେବେଳେ କେଉଁ କଥା ଆଉ ଲୁଚାଇବୁ ନାହିଁରେ, କୃଷ୍ଣ । ଯେତେବେଳେ ଯାହା ଦରକାର ହେବ ଚୁପଚାପ ଆସି ମାଗିନେବୁ । କ’ଣ ରାଜିତ ?

 

କୃଷ୍ଣ ଆନନ୍ଦରେ ମୁଣ୍ଡ ଟୁଙ୍ଗାରି କହିଲା–ହଁ ।

 

ପ୍ରକୃତ ସ୍ନେହ ଯେ କ’ଣ, ତାହା ଦୁଃଖିନୀ ମାଆ ନିକଟରୁ କୃଷ୍ଣ ଶଖିଥିଲା । ଏହି ମଝିଆଣୀ ନାନୀଠାରୁ ସେହି ସ୍ନେହ ପାଇ ପାରିବାରୁ କୃଷ୍ଣର ଋଦ୍ଧ ମାତୃଶୋକ ଆଜି ବିଚଳିତ ହୋଇ ଝରି ପଡ଼ିଲା । ଉଠିବାବେଳେ ମଝିଆଣି ନାନୀର ପାଦଧୂଳି ମୁଣ୍ଡରେ ଲଗାଇ ସେ ମହାଆନନ୍ଦରେ ବିଦାୟ ନେଇଗଲା ।

 

କିନ୍ତୁ ତା ନାନୀର ଆକ୍ରୋଶ ତାହା ପ୍ରତି ପ୍ରତିଦିନ ବଢ଼ିବାକୁ ଲାଗିଲା । କାରଣ ସେ ସାବତମାଆର ପୁଅ । ସେ ପୁଣି ନିରୁପାୟ । ଅଖ୍ୟାତି ଭୟରେ ତାହାକୁ ତଡ଼ି ଦେଇ ହେଉନାହିଁ । ସୁତରାଂ ଯେତେବେଳେ ରଖିବାକୁ ପଡ଼ୁଛି ସେତେବେଳେ ଯେତେଦିନ ରହିବ ସେତେଦିନ ତାକୁ ଖଟାଇବାଟା ଠିକ୍ ହେବ ।

 

କୃଷ୍ଣ ଘରକୁ ଫେରିଆସିବା କ୍ଷଣି ନାନୀ ଧରି ପକାଇ ପଚାରିଲା–କିରେ ସାରା ଦି’ ପହରଟା ଦୋକାନରୁ ପଳାଇ ଆସି କେଉଁଠାରେ ଥିଲୁ ।

 

କୃଷ୍ଣ ଚୁପ୍ କରି ଠିଆ ହୋଇ ରହିଲା ।

 

କାଦମ୍ବିନୀ ଭୟାନକ ଭାବରେ ରାଗି ଯାଇ କହିଲେ–କହ, ଶୀଘ୍ର କହ । କୃଷ୍ଣ ତଥାପି ନୀରବ ରହିଲା ।

 

ଚୁପ୍ ରହିଲେ ଯେଉଁମାନଙ୍କର ରାଗ କମିଯାଏ କାଦମ୍ବିନୀ ସେ ଶ୍ରେଣୀର ନୁହଁନ୍ତି । ଅତଏବ କଥା କହିବା ପାଇଁ ଯେତେ ଜିଗର କରିବାକୁ ଲାଗିଲେ, କଥା ନ କହିବାରୁ ତାଙ୍କର କ୍ରୋଧ ସେତିକି ବଢ଼ିଚାଲିଲା । ଅତଏବ ପଞ୍ଚୁ ଗୋପାଳକୁ ଡାକି କୃଷ୍ଣର ଦୁଇକାନକୁ ବାରମ୍ବାର ମୋଡ଼ାଇବାକୁ ଲାଗିଲେ । ପରିଶେଷରେ ରାତିରେ ତାହା ପାଇଁ ଆଉ ହାଣ୍ଡିରେ ଚାଉଳ ପକାଇଲେ ନାହିଁ ।

 

ଆଘାତ ଯେତେବଡ଼ ଗୁରୁତର ହେଉନା କାହିଁକି, ତାହା ପ୍ରତିହତ ହୋଇ ନପାରିଲେ ବାଧେ ନାହିଁ । ପର୍ବତ ଶିଖରରୁ ଫିଙ୍ଗି ଦେଲେ ହାତ ଗୋଡ଼ ଭାଙ୍ଗେ ନାହିଁ, କିନ୍ତୁ ଭାଙ୍ଗେ ଠିକ୍ ସେତିକିବେଳେ, ଯେତେବେଳେ କଠିନ ଭୂଇଁ ସେ ବେଗକୁ ପ୍ରତିରୋଧ କରେ । ଠିକ୍ ସେଇଆହିଁ ହେଇଥିଲା କୃଷ୍ଣର । ମାଆର ମୃତ୍ୟୁ ଯେତେବେଳେ ପାଦତଳେ ଥିବା ନିର୍ଭର ଆଶ୍ରୟସ୍ଥଳ ଭୂମିଟିକୁ ସଂପୂର୍ଣ୍ଣ ଭାବରେ ବିଲୁପ୍ତ କରିଦେଲା, ସେହିସମୟରୁ ବାହାରର କୌଣସି ଆଘାତ ତାହାକୁ ଧୂଳିସାତ୍‍ କରିଦେଇ ପାରିନଥିଲା । ସେ ଦୁଃଖିନୀ ମାଆର ପୁଅ ସତ, କିନ୍ତୁ କଦାପି ଦୁଃଖ ପାଇ ନଥିଲା । ଲାଞ୍ଛନା, ଗଞ୍ଜଣା ସହିତ ତାର ପୂର୍ବରୁ ପରିଚୟ ନଥିଲା । ତଥାପି ଏଠାକୁ ଆସିବା ଦିନଠାରୁ କାଦମ୍ବିନୀ ଦେଉଥିବା ଦୁଃଖକଷ୍ଟକୁ ସେ ଯେ ଅନାୟସରେ ସହ୍ୟ କରିପାରୁଥିଲା, ତାହା କେବଳ ତାର ପାଦତଳର ଅବଲମ୍ବନ ନ ଥିଲା ବୋଲି, କିନ୍ତୁ ଆଜି ଆଉ ପାରିଲା ନାହିଁ । ଆଜି ସେ ହେମାଙ୍ଗିନୀଙ୍କର ମାତୃସ୍ନେହର ସୁକଠିନ ଭିତ୍ତିଭୂମି ଉପରେ ଠିଆହୋଇ ପାରିଛି । ସେଥିପାଇଁ ଆଜିକାର ଏହି ଅତ୍ୟାଚାର, ଅପମାନ ତାହାକୁ ବ୍ୟାକୁଳ କରିପକାଇଲା । ମାତାପୁତ୍ର ଏହି ନିରପରାଧ ଶିଶୁଙ୍କୁ ଶାସନ କରି ଲାଞ୍ଛନା, ଅପମାନ ଓ ଦଣ୍ଡଦେଇ ଯେତେବେଳେ ଚାଲିଗଲେ, ସେତେବେଳେ ଅନ୍ଧକାର ଭୂଇଁ ଉପରେ ଶୋଇରହେ ଅନେକ ଦିନ ପରେ ଆଜି ପୁଣି ମାଆକୁ ମନେ ପକାଇ ଏବଂ ମଝିଆଣୀ ନାନୀର ନାମଧରି ଫୁଲି ଫୁଲି କାନ୍ଦିବାକୁ ଲାଗିଲା କୃଷ୍ଣ ।

 

(୫)

 

ପରଦିନ ସକାଳେ କୃଷ୍ଣ ହଠାତ୍ ପାଦ ଚିପି ଚିପି ଘରଭିତରେ ପ୍ରବେଶ ହେମାଙ୍ଗିନୀର ପାଦତଳେ ବିଛଣାର ଗୋଟିଏ ପାଖରେ ବସିପଡ଼ିଲା । ହେମାଙ୍ଗିନୀ ପାଦ ଦୁଇଟିକୁ ସାମାନ୍ୟ ଘୁଞ୍ଚେଇ ନେଇ କହିଲେ–ଦୋକାନକୁ ଯାଇ ନାହୁଁ କୃଷ୍ଣ ?

 

ବର୍ତ୍ତମାନ ଯିବି ।

 

ବିଳମ୍ବ କରିବାକୁ ନାହିଁରେ ଭାଇ । ବର୍ତ୍ତମାନ ଯାଅ, ନଚେତ ପୁଣି ଗାଳି ଗୁଳା ଆରମ୍ଭ କରିଦେବେ ।

 

–କୃଷ୍ଣର ମୁହଁ ସଂପୂର୍ଣ୍ଣ ଆରକ୍ତ ଏବଂ ପାଣ୍ଡୁର ହୋଇଗଲା ।

 

ଯାଉଛି, କହି କୃଷ୍ଣ ଉଠି ଠିଆ ହେଲା । ଏଥର କ’ଣ କହିବାକୁ ଇଚ୍ଛାକରି ଇତସ୍ତତଃ ହୋଇ ପୁଣି ଚୁପ୍ ହୋଇଗଲା ।

 

ହେମାଙ୍ଗିନୀ ଯେପରି ତାର ମନର କଥା ବୁଝି ପାରିଲେ । କହିଲେ, କ’ଣ ମୋତେ କିଛି କହିବୁ କିରେ ?

 

କୃଷ୍ଣ ତଳକୁ ମୁହଁ କରି କହିଲା–କାଲି ଠାରୁ କିଛି ଖାଇନାହିଁ, ନାନୀ ।

 

କାଲିଠାରୁ ଖାଇନାହୁଁ ! ତୁ ଏ କ’ଣ କହୁଛୁ କୃଷ୍ଣ ! କିଛିକ୍ଷଣ ପର୍ଯ୍ୟନ୍ତ ହେମାଙ୍ଗିନୀ ସ୍ଥିରହୋଇ ବସିରହିଲେ । ତାହାପରେ ତାଙ୍କର ଦୁଇ ଆଖି ଲୁହରେ ପୂର୍ଣ୍ଣ ହୋଇ ଉଠିଲା । ସେହି ଲୁହ ଝର ଝର ହୋଇ ବହିବାକୁ ଲାଗିଲା । ତାର ହାତ ଧରି ପାଖକୁ ଟାଣିନେଇ ଗୋଟି ଗୋଟି କରି ସବୁ କଥା ପଚାରି ବୁଝି ସାରି କହିଲେ–କାଲି ରାତିରେ କାହିଁକି ଆସିଲୁ ନାହିଁ ?

 

କୃଷ୍ଣ ନୀରବ ହୋଇ ରହିଲା ।

 

ହେମାଙ୍ଗିନୀ ପଣତ କାନିରେ ଲୁହ ପୋଛି ସାରି କହିଲେ–ତତେ ମୋ ରାଣ ରହିଲା ଭାଇ, ଆଜିଠାରୁ ତୁ ମୋତେ ତୋର ସେହି ମୃତା ମାଆ ବୋଲି ଯେପରି ମନେକରୁ ।

 

ଯଥା ସମୟରେ ସମସ୍ତ କଥା କାଦମ୍ବିନୀଙ୍କ କାନରେ ପହଞ୍ଚିଲା । ସେ ନିଜ ଘରେ ଥାଇ ମଝିଆଣୀ ବୋହୂକୁ ଡାକ ପକାଇ କହିଲେ–ମୋ ଭାଇକୁ ମୁଁ ଖାଇବାକୁ ଦେଇ ପାରୁ ନାହିଁ ବୋଲି ତୁ ଉପରେ ପଡ଼ି ଏତେ କଥା କହିବାକୁ ଗଲୁ ନା ?

 

କଥାର ଢଙ୍ଗ ଯେପରି ହେମାଙ୍ଗିନୀର ଦେହରେ ନିଆଁ ଚେଙ୍ଖି ଦେଲା । କିନ୍ତୁ ସେ ନିଜର ପ୍ରତିକ୍ରିୟା ଗୋପନ କରି କହିଲା–ଯଦି ଉପରେ ପଡ଼ି କହିଥାଏ ତେବେ ସେଥିରେ ଦୋଷ କ’ଣ ?

 

କାଦମ୍ବିନୀ ପ୍ରଶ୍ନକରିଲେ–ତୋର ପୁଅଟିକୁ ଡାକି ଆଣି ମୁଁ ଯଦି ଏପରି କହେ ତେବେ ତୋ ମନଟି କିପରି ହେବ କହିଲୁ ? ତୁ ଯଦି ଏପରି ତାକୁ ପ୍ରଶ୍ରୟ ଦେବୁ ତେବେ ମୁଁ ତାକୁ କିପରି ଶାସନ କରିବି ?

 

ହେମାଙ୍ଗିନୀ ଆଉ ସହ୍ୟକରି ପାରିଲେ ନାହିଁ । କହିଲେ, ନାନୀ, ପନ୍ଦର ଷୋଳ ବରଷ ତୁମ ସହିତ ଚଳିଛି । ତୁମକୁ ମୁଁ ଚିହ୍ନି ନାହିଁ ? ଖାଇବାକୁ ନଦେଇ ନିଜ ପୁଅକୁ ଶାସନ କର । ତାପରେ ପର ପିଲାକୁ ଦେଖ । ସେତେବେଳେ ଆଉ ଉପରେ ପଡ଼ି କଥା କହିବାକୁ ଯିବି ନାହିଁ ।

 

କାଦମ୍ବିନୀ ଆଶ୍ଚର୍ଯ୍ୟ ହୋଇ କହିଲେ–ମୋର ପଞ୍ଚୁ ଗୋପାଳ ସହିତ ସେ କ’ଣ ସମାନ-? ଏହାପରେ ମଝିଆଣୀ ବୋହୂ ତୁ ଆଉ କ’ଣ ଯେ କହି ନପାରିବୁ ମୁଁ ତାହାହିଁ ଭାବୁଛି-

 

ମଝିଆଣୀ ବୋହୂ ଉତ୍ତର ଦେଲେ–କିଏ ଦେବତା ଆଉ କିଏ ମାଙ୍କଡ଼ ସେ କଥା ମୁଁ ଭଲକରି ଜାଣେ । କିନ୍ତୁ ଆଉ ମୁଁ କିଛି କହିବି ନାହିଁ ନାନୀ, ଆଉ ନାନୀ କହିବତ ତେବେ ଏତିକି କହିବି ଯେ ତୁମ ଭଳି ବେସରମୀ, ନିଷ୍ଠୁରା ସ୍ତ୍ରୀ ଲୋକ ବୋଧହୁଏ ସଂସାରରେ ନାହାଁନ୍ତି । କହି ସେ ପ୍ରତ୍ୟୁତ୍ତରକୁ ଅପେକ୍ଷା ନକରି ଧଡ଼୍‍କରି ଝରକା ବନ୍ଦ କରିଦେଲା ।

 

ସେହିଦିନ ସଂଧ୍ୟାବେଳେ ଅର୍ଥାତ୍ ଗୃହସ୍ୱାମୀ ଘରକୁ ଫେରିବା ସମୟରେ ବଡ଼ବୋହୂ ନିଜର ରୋଷଘର ବାରଣ୍ଡାରେ ଠିଆ ହୋଇ ଦାସୀକୁ ଦେଖାଇ ଦେଖାଇ ତର୍ଜ୍ଜନ ଗର୍ଜ୍ଜନ ଆରମ୍ଭ କରିଦେଇ କହିଲେ–ଯିଏ ରାତିଦିନ କରୁଛନ୍ତି ସେଇ କେବଳ ଏହାର ପ୍ରତିକାର କରିପାରିବେ । ମାଆ ଠାରୁ ଦେଖୁଛି ମାଉସୀର ଦରଦ ବେଶୀ । ମୋ ଭାଇର ମନ କଥା ମୁଁ ବୁଝିପାରୁନାହିଁ ଅଥଚ ପରଲୋକ ବୁଝିପାରୁଛନ୍ତି । କଦାପି ଭଲ ହେବନାହିଁ । ଭାଇ ଭଉଣୀ ଭିତରେ କଜିଆ ଲଗାଇଦେଇ ଠିଆହୋଇ ମଜ୍ଜା ଦେଖିଲେ ଧର୍ମ୍ମ ସହିବ ନାହିଁ । ସେଇଥିପାଇଁ କହି ଦେଉଛି......କହି କହି ସେ ରୋଷାଇଘର ଭିତରେ ପଶିଗଲେ ।

 

ଉଭୟ ଯାଆଙ୍କ ଭିତରେ ଏହି ଧରଣରେ ଗାଳି ଗୁଲଜ, ଅଭି ସଂପାତ, ଅଭିଶାପ ଅନେକ ଥର ଅନେକ ପ୍ରକାରରେ ହୋଇ ଯାଇଛି । କିନ୍ତୁ ଆଜିର କଜିଆଟା ଅନ୍ୟ ଦିନଠାରୁ ଟିକିଏ ବେଶୀ । ଅନେକ ସମୟରେ ହେମାଙ୍ଗିନୀ ଶୁଣି, ଶୁଣେ ନାହିଁ । ବୁଝି ମଧ୍ୟ ମନରେ ଧରି ରଖେ ନାହିଁ । ଆଜି କିନ୍ତୁ ତାର ଦେହଟା ଖରାପ ଥିଲା । ସେଥିପାଇଁ ଉଠି ଆସି ଝରକା ପାଖରେ ଠିଆ ହୋଇ କହିଲେ–ଏହା ଭିତରେ ଚୁପ ହୋଇଗଲ କାହିଁକି ନାନୀ ? ଭଗବାନ ହୁଏତ ଶୁଣି ପାରି ନାହାଁନ୍ତି । ଆଉ କିଛିକ୍ଷଣ ଧରି ମୋର ସର୍ବନାଶ କାମନା କର । ଦେଢ଼ଶୁର ଘରକୁ ଆସନ୍ତୁ । ସେ ମଧ୍ୟ ଶୁଣନ୍ତୁ । ଇଏ ମଧ୍ୟ ଘରକୁ ଆସି ଶୁଣନ୍ତୁ । ଏତିକିରେ ଧଇଁସଇଁ ହୋଇ ପଡ଼ିଲେ ଚଳିବ କିପରି-?

 

କାଦମ୍ବିନୀ ବାରଣ୍ଡା ଉପରକୁ ଦଉଡ଼ି ଆସି ଖିଙ୍କାରୀ କରି କହି ଉଠିଲେ ମୁଁ କ’ଣ କେଉଁ ସତ୍ୟାନାଷୀର ନାମ ମୁହଁରେ ଧରିଛି ?

 

ହେମାଙ୍ଗିନୀ ସ୍ଥିର ଭାବରେ ଜବାବଦେଲେ–ମୁହଁରେ ଧରିବ କାହିଁକି ନାନୀ ? ମୁହଁରେ ଧରିବା ଲୋକ ତୁମେ ନୁହେଁ । କିନ୍ତୁ ତୁମେ କ’ଣ ଭାବିଛ ତୁମେ ଏକା ସିଆଣୀ ଆଉ ପୃଥିବୀ ସାରା ସମସ୍ତେ ବୋକା ? ଦେଖାଇ ଶିଖାଇ କାହାକୁ କହୁଛ ତାହା କେହି ବୁଝି ପାରୁନାହାଁନ୍ତି ?

 

କାଦମ୍ବିନୀ ଏଥର ନିଜ ମୂର୍ତ୍ତି ଧରିଲେ । ମୁହଁ ମୋଡ଼ି ହାତଗୋଡ଼ ହଲାଇ କହିଲେ–ବୁଝନ୍ତୁ । ଯିଏ ଦୋଷ କରିଥିବା ତାହା ଦେହରେ ଲାଗିବ । ଏକଥା ତୁ ବୁଝିପାରୁଛୁ ଆଉ ମୁଁ ପାରୁନାହିଁ ? କୃଷ୍ଣ ଯେତେବେଳେ ଆସିଲା, ସାତ ଚାପୁଡ଼ା କହିଲେ ପାଟି ଫିଟୁ ନ ଥିଲା, ଯାହା କହୁଥିଲି, ମୁହଁବୁଜି ସବୁ କରୁଥିଲା । ଆଜି ଦ୍ୱିପହର ବେଳେ କାହା ସାହସ ପାଇଁ ସେ କି ଜବାବ ଦେଇଗଲା, ପାରୁ ଯଦି ପ୍ରସନ୍ନ ମାଆକୁ ପଚାରିବୁଝ । କହି ଦାସୀଆଡ଼କୁ ଅଙ୍ଗୁଳି ଦେଖାଇ ଦେଲେ-

 

ପ୍ରସନ୍ନ ମାଆ କହିଲା–ସେ କଥା ସତ, ମଝିଆଣୀ ବୋହୁ ମାଆ, ଆଜି ସେ ଭାତ ଫୋପାଡ଼ି ଦେଇ ଉଠିଯିବାରୁ ମାଆ କହିଲେ, ଯଦି ନ ଗିଳିବୁ ତେବେ ଏ ଗଣ୍ଡି ଯମ ଦୁଆରକୁ ଯିବ-। ସେଥିରେ ପୁଣି ଏତେ ତେଜ କେଉଁଥିପାଇଁ ? ସେ କ’ଣ କହିଲା ଜାଣ ? ସେ କହିଲା–ମୋର ମଝିଆଣୀ ନାନୀ ଥିଲେ ମୁଁ କାହାକୁ ଖାତିର କରେ ନାହିଁ ।

 

କାଦମ୍ବିନୀ ଦର୍ପର ସହିତ କହିଲା–କ’ଣ ଶୁଭିଲା ତ ? କାହା ସାହସରେ ଏତେ ତେଜ ଶୁଣେ ? ଆଜି ମୁଁ ଖାଲି କରି କହି ଦେଉଛି ମଝିଆଣୀ ବୋହୁ ତାକୁ ତୁ ଶହେବାର ଡାକ ନାହିଁ କିମ୍ବା ଆମ ଭାଇ ଭଉଣୀଙ୍କ ଭିତର କଥାରେ ପାଟି ଫିଟାଅନାହିଁ ।

 

ହେମାଙ୍ଗିନୀ କଥା କହିଲେ ନାହିଁ । ଝରକା ନିକଟରୁ ଚୁପ ହୋଇ ଫେରି ଆସିଲେ ।

 

ପୁଣି ମୁଣ୍ଡ ବିନ୍ଧି ଜ୍ୱର ଆରମ୍ଭ ହେବାର ଜାଣିପାରି ଅସମୟରେ ନିର୍ଜୀବ ପରି ଶେଷରେ ଆସି ଶୋଇ ପଡ଼ିଲେ । ଏହି ସମୟରେ ତାଙ୍କର ସ୍ୱାମୀ ଘରଭିତରକୁ ପଶି ଆସି, ତାଙ୍କର ଅବସ୍ଥାକୁ ଲକ୍ଷ୍ୟ ନ କରି ରାଗରେ ଗର୍ଜିଉଠି କହିଲେ–ଭାଉଜଙ୍କର ଭାଇ ବିଷୟରେ ଏକି କାଣ୍ଡ ଆଜି ଭିଆଇ ବସିଛ ? ଯେଉଁଠାରେ ଯେତେ ହତଭାଗା ଲକ୍ଷ୍ମୀଛଡ଼ା ଅଛନ୍ତି ଦେଖିଲେ ଅଣ୍ଟାଭିଡ଼ି ସେମାନଙ୍କ ପାଇଁ ବାହାରିପଡ଼ିବ । ପ୍ରତିଦିନ ମୋର ଏହି ସବୁହଙ୍ଗାମା ସହ୍ୟ ହୁଏ ନାହିଁ । ଆଜି ଭାଉଜ ମୋତେ ଆଚ୍ଛା କରି ହକକଥା ଦଶ ପଦ ଶୁଣାଇ ଦେଲେ ।

 

ହେମାଙ୍ଗିନୀ ଶାନ୍ତ କଣ୍ଠରେ କହିଲେ–ଭାଉଜ ତୁମକୁ ହକ୍ କେବେ ନ କହନ୍ତି ଯେ ଆଜ କଥା କରି କହିଲେ ।

 

ବିପିନ କହିଲେ–ଆଜି କିନ୍ତୁ ସେ ଠିକ୍ କଥା କହିଅଛନ୍ତି । ତୁମର ସ୍ଵଭାବ ଜାଣେ ତ । ସେଦିନ ଘରର ଗଉଡ଼ ଟୋକାଟାକୁ ନେଇ ଏହିଭଳି କଜିଆ କରିଲ । ମୋତି କମାର ଭଣଜାର ଏପରି ବଗିଚା ଖଣ୍ଡକ ତୁମରିପାଇଁ ହାତ ମୁଠାରୁ ଖସି ଗଲା । ଓଲଟି ଶହେ, ଦେଢ଼ଶଟଙ୍କା ମୋର ଥାନାରେ ପଶିଲା । ତୁମେ କ’ଣ ନିଜର ଭଲ ମନ୍ଦ କଥା ବି ଜାଣିପାର ନାହିଁ ? କେବେ ତୁମର ଏ ସ୍ଵଭାବ ଯିବ କେଜାଣି ?

 

ହେମାଙ୍ଗିନୀ ଏଥର ଉଠିବସି ସ୍ୱାମୀଙ୍କର ମୁହଁକୁ ଚାହିଁ ରହି କହିଲେ–ମଲେ ମୋର ସ୍ଵଭାବ ବଦଳିବ କିନ୍ତୁ ତା ଆଗରୁ ନୁହେଁ । ମୋ କୋଳରେ ପୁଅଝିଅ ଅଛନ୍ତି । ମୁଣ୍ଡ ଉପରେ ଭଗବାନ ଅଛନ୍ତି । ଏହାଠାରୁ ଅଧିକା ମୁଁ ଗୁରୁଜନଙ୍କ ନାଆଁରେ ନାଲିଶ କରିବାକୁ ଚାହେଁ ନାହିଁ । ତୁମେ ଯାଅ । କହି ଦେହର ଚଦରଟା ଟାଣି ନେଇ ଘୋଡ଼ି ହୋଇ କଡ଼ ଲେଉଟାଇ ଶୋଇ ପଡ଼ିଲେ-

 

ବିପିନ ପ୍ରକାଶ୍ୟରେ ଆଉ ଯୁକ୍ତିତର୍କ କରିବାକୁ ସାହସ କରି ପାରିଲେ ନାହିଁ । କିନ୍ତୁ ମନେ ମନେ ସ୍ତ୍ରୀ ଉପରେ ଏବଂ ଏହି ଗଳଗ୍ରହ ହତଭାଗାଟା ଉପରେ ଆଜି ମର୍ମ୍ମାନ୍ତିକ ରାଗିଗଲେ ।

 

(୬)

 

ପରଦିନ ସକାଳେ ଝରକା ଖୋଲିବା ମାତ୍ରେ ହେମାଙ୍ଗିନୀ କାନରେ ବଡ଼ ଯାଆ କଣ୍ଠର ତୀକ୍ଷ୍ମ ଝଙ୍କାର ପ୍ରବେଶ କରିଲା । ସେ ସ୍ୱାମୀଙ୍କୁ ସମ୍ବୋଧନ କରି କହୁଛନ୍ତି–ଟୋକାଟା କାଲିଠାରୁ ପଳାଇ ଗଲା । ଥରକ ପାଇଁ ତାର ଖୋଜଖବର ନେଲ ନାହିଁ ?

 

ସ୍ୱାମୀ ଜବାବ ଦେଲେ–ସେ ଚୁଲିକୁ ଯାଉ । ତାକୁ ଖୋଜି କିଛି ଲାଭ ହେବ ?

 

ସ୍ତ୍ରୀ କଣ୍ଠସ୍ୱରକୁ ଗାଆଁ ସାରା ସମସ୍ତେ ଶୁଣିପାରିଲା ଭଳି ଉଚ୍ଚ କରି କହିଲେ–ତାହାହେଲେ ସେ ନିଜ ଗ୍ରାମରେ ଯାଇ ବାସ କରୁ । ଏ ଗାଆଁରେ ଆମମାନଙ୍କର ତ କମ୍ ଶତ୍ରୁ ନାହାନ୍ତି । କେଉଁଠି ମରି ହଜି ଗଲେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଘର ସାରା ସମସ୍ତଙ୍କୁ ଜେଲଖାନାରେ ଭର୍ତ୍ତିହେବାକୁ ପଡ଼ିବ । ମୁଁ ଏତିକିବେଳୁ ସେଇଥିପାଇଁ ତୁମକୁ କହି ରଖୁଛି ।

 

ହେମାଙ୍ଗିନୀ ସମସ୍ତ ବୁଝି ପାରିଲେ ଏବଂ ସଙ୍ଗେ ସଙ୍ଗେ ଝରକାଟା ବନ୍ଦ କରି ଦେଇ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି ଅନ୍ୟତ୍ର ଚାଲିଗଲେ ।

 

ଦି’ପହରବେଳେ ରୋଷଘରେ ବସି କେତେ ଖଣ୍ଡି ରୁଟି ଖାଉଥିଲେ, ଏହି ସମୟରେ ହଠାତ୍ କୃଷ୍ଣ ଆସି ପହଞ୍ଚିଲା । ମୁଣ୍ଡର କେଶ ନୁଖୁରା । ମୁହଁ ଶୁଖିଲା ।

 

କୁଆଡ଼େ ପଳାଇ ଯାଇଥିଲୁ କିରେ କୃଷ୍ଣ ?

 

ପଳାଇ ଯାଇ ନାହିଁତ । କାଲି ସଂଧ୍ୟାପରେ ଦୋକାନରେ ଶୋଇ ପଡ଼ିଥିଲି । ନିଦ ଭାଙ୍ଗିବା କ୍ଷଣି ଦେଖିଲି ରାତି ଅଧ ହେଲାଣି, ଭାରୀ ଭୋକ ହେଉଛି ନାନୀ ।

 

ସେ ଗାଁରେ ଖାଇବୁ ଯା କହି ହେମାଙ୍ଗିନୀ ନିଜର ଖାଇବା ପ୍ରତି ମନଦେଲେ ।

 

କେତେକ ମିନିଟ ଚୁପଚାପ୍ ହୋଇ ଠିଆହୋଇ ରହିବା ପରେ କୃଷ୍ଣ ଚାଲି ଯାଉଥିଲା, ହଠାତ୍ ହେମାଙ୍ଗିନୀଙ୍କର ଡାକରା ପାଇ ଫେରି ଆସିଲା । ହେମାଙ୍ଗିନୀ ତାକୁ ପାଖରେ ବସାଇଲେ ଏବଂ ସେହିଠାରେ ଯାଗା କରି ପୂଜାରୀକୁ ଭାତ ଆଣିବା ପାଇଁ କହିଲେ ।

 

କୃଷ୍ଣର ଖାଇବା ପ୍ରାୟ ଅଧା ହୋଇ ଯାଇଥିଲା, ଏହି ସମୟରେ ଉମା ବାହାର ବଗିଚାରୁ ଧାଇଁ ଆସି ଇଙ୍ଗିତ କରି ଜଣାଇ ଦେଲା ଯେ–ବାବା, ଆସୁଛନ୍ତି ।

 

ଝିଅର ଏପରିଭାବ ଦେଖି ମାଆ ଆଶ୍ଚର୍ଯ୍ୟ ହୋଇ କହିଲେ ଏଥିରେ ତୋର ଏପରି ଧାଇଁଆସି କହିବାର କ’ଣ ଅଛି ?

 

ଉମା ଆସି କୃଷ୍ଣ ପଛରେ ଠିଆ ହୋଇଥିଲା । ଉତ୍ତର ଦେବାକୁ ଯାଇ ତାହା ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଚୁପ୍ ଚାପ କହିଲା–ଖାଉଛନ୍ତି ଯେ !

 

କୃଷ୍ଣ କୌତୂହଳୀ ହୋଇ ମୁହଁ ଫେରାଇ ଚାହିଁଲା । ଉମାର ଉତ୍‍କଣ୍ଠିତ ଦୃଷ୍ଟି, ଶଙ୍କିତ ମୁହଁର ଇଙ୍ଗିତ ତାହା ଆଖିରୁ ବାଦ୍ ଗଲା ନାହିଁ । କ୍ଷଣକ ଭିତରେ ତାର ମୁହଁ ଶୁଖି କଳା ପଡ଼ିଗଲା । କି ପ୍ରକାର ଭୟ ଯେ ତାର ମନରେ ଜନ୍ମିଲା, ସେହିକଥା କେବଳ ସେହି ଜାଣେ । ମଝିଆଣୀନାନୀ, ଭାଇ ଆସୁଛନ୍ତି କହି ସେ ଭାତ ଥାଳୀ ପାଖରୁ ଉଠିଯାଇ ରୋଷଘର ବାରଣ୍ଡାର ଖୁଣ୍ଟ ଆଢ଼ୁଆଳରେ ଲୁଚି ପଡ଼ିଲା । ତାହାକୁ ଦେଖି ଉମା ମଧ୍ୟ ଅନ୍ୟ ଆଡ଼କୁ ପଳାଇ ଗଲା । ହଠାତ୍ ଘରର ମୁରବୀ ଆସି ପହଞ୍ଚିଗଲେ ଚୋରମାନେ ଯେପରି ଆଚରଣ କରନ୍ତି, ସେହିପରି ବ୍ୟବହାର ଏ ଦୁହେଁ କରିବସିଲେ ।

 

ପ୍ରଥମେ ହେମାଙ୍ଗିନୀ ହତବୁଦ୍ଧି ହୋଇ ଏ ପାଖକୁ ଥରେ ତ ସେପାଖକୁ ଥରେ ଚାହିଁବାକୁ ଲାଗିଲେ । ତାହାପରେ କ୍ଲାନ୍ତ ହେଲାପରି କାନ୍ଥକୁ ଆଉଜି ବସିପଡ଼ିଲେ । ଲଜ୍ଜା ଓ ଅପମାନ ଯେପରି ତାଙ୍କ ଛାତିରେ ଛୁଞ୍ଚିହୋଇ ଫୋଡ଼ି ଲାଗିଲେ । ପରକ୍ଷଣରେ ବିପିନ ଆସି ଉପସ୍ଥିତ ହେଲେ । ଆଗରୁ ସ୍ତ୍ରୀକୁ ଏପରି ଭାବରେ ବସି ଥିବାର ଦେଖି ଉଦ୍‍ବିଗ୍ନ ହୋଇ ପଚାରିଲେ–ଏ କ’ଣ ଖାଇବାକୁ ଧରି ଏପରି ଭାବରେ ବସି ରହିଛ ଯେ ?

 

ହେମାଙ୍ଗିନୀ ଉତ୍ତର ଦେଲେ ନାହିଁ । ବିପିନ ଅଧିକ ଉତ୍‍କଣ୍ଠିତ ହୋଇ ପ୍ରଶ୍ନ କଲେ–କ’ଣ ଜ୍ୱର ହେଲା କି ? ଅଖିଆ ଭାତଥାଳି ଉପରେ ଆଖି ପଡ଼ିବାମାତ୍ରେ କହିଲେ –ଏଠାରେ ଏତେ ଭାତ ଛାଡ଼ି କିଏ ଉଠିଗଲା ? ଲଳିତ ବୋଧହୁଏ ?

 

ହେମାଙ୍ଗିନୀ ବସିପଡ଼ି କହିଲେ–ନା, ସେ ନୁହେଁ । ସେ ଘର କୃଷ୍ଣ ଖାଉଥିଲା । ତୁମ ଭୟରେ ଆଢ଼ୁଆଳରେ ଲୁଚି ବସିଛି ।

 

କାହିଁକି ?

 

ହେମାଙ୍ଗିନୀ କହିଲେ–ତାର କାରଣ ତୁମେ ଭଲକରି ଜାଣ । କେବଳ ସେ ଏକା ନୁହେଁ-। ତୁମେ ଆସୁଛ ବୋଲି ଖବର ଦେଇ ଉମା ମଧ୍ୟ ଦୌଡ଼ି ପଲାଇଛି ।

 

ବିପିନ ମନେ ମନେ ବୁଝିପାରିଲେ ଯେ ସ୍ତ୍ରୀଙ୍କର କଥାବାର୍ତ୍ତା ବଙ୍କାବାଟଧରି ଆଗେଇ ଚାଲିଛି । ସେଥିପାଇଁ ସିଧା ବାଟକୁ ଆଣିବା ପାଇଁ ବୋଧହୁଏ ହସି ଦେଇ କହିଲେ–ଓ, ଝିଅଟା ଅବା କେଉଁ ଦୁଃଖ ପାଇଁ ପଳାଇଗଲା ?

 

ହେମାଙ୍ଗିନୀ କହିଲେ–କେଜାଣି ? ବୋଧହୁଏ ମାଆର ଅପମାନ ଆଖିରେ ଦେଖିବା ଭୟରେ ପଳାଇ ଯାଇଥିବ । ପରକ୍ଷଣରେ ଗୋଟାଏ ଦୀର୍ଘନିଃଶ୍ୱାସ ଟାଣି କହିଲେ–କୃଷ୍ଣ, ପରପୁଅ-। ସେ’ତ ଲୁଚିବାର କଥା ଲୁଚିବ । କିନ୍ତୁ ପେଟର ଝିଅଟା ମଧ୍ୟ ବିଶ୍ୱାସ କରି ପାରିଲା ନାହିଁ ଯେ, ତାର ମାଆର କାହାକୁ ଡାକି ମୁଠାଏ ଖାଇବାକୁ ଦେବାର ଅଧିକାର ଅଛି ବୋଲି ।

 

ଏଥର ବିପିନ ଜାଣିପାରିଲେ ଯେ ଘଟଣାଟା ପ୍ରକୃତରେ ଖରାପ ହୋଇ ଉଠିଛି । କାଳେ ପରିସ୍ଥିତି ଆହୁରି ଖରାପ ହୋଇପାରେ ସେଇଥିପାଇଁ ପରିବେଶକୁ ହାଲକା କରିବା ପାଇଁ ହସି ଦେଇ ଆଖି ନଚାଇ କହିଲେ–ପ୍ରକୃତରେ ତୁମର କୌଣସି ଅଧିକାର ନାହିଁ, ଭିକାରୀ ଦୁଆରକୁ ଆସିଲେ ମୁଠାଏ ଭିକ ମଧ୍ୟ ଦେବା ପର୍ଯ୍ୟନ୍ତ । ସେ ଯାହାହେଉ, କାଲିଠାରୁ ଆଉ ମୁଣ୍ଡ ବ୍ୟଥା ନାହିଁ ତ ? ମୁଁ ଭାବୁଥିଲି ସହରରୁ କେଦାର ବାବୁ ଡାକ୍ତରଙ୍କୁ ଡାକି ପଠାଇବି, ନଚେତ ଥରକ ପାଇଁ କଲିକତାକୁ....

 

ଅସୁସ୍ଥତା ଏବଂ ଚିକତ୍ସାର ପରାମର୍ଶଟା ଏହିଠାରେ ହିଁ ଅଟକି ଗଲା । ହେମାଙ୍ଗିନୀ ପଚାରିଲେ–ଉମା ସମ୍ମୁଖରେ ତୁମେ କ’ଣ କୃଷ୍ଣକୁ କିଛି କହିଥିଲ କି ?

 

ବିପିନ ଯେପରି ଆକାଶରୁ ପଡ଼ିଲା ଭଳି କହିଲେ–ମୁଁ । କାହିଁ ନାହିଁତ ! ପୁଣି ସତେ ଯେପରି ମନେ ପଡ଼ିଗଲା ପରି କହିଲେ–ଓହୋ ! ହଁ–ହଁ । ସେଦିନ କହିଲା ପରି ମୋର ମନେ ପଡ଼ୁଛି–ଭାଉଜ ରାଗ କରୁଛନ୍ତି । ଭାଇ ବିରକ୍ତ ହେଉଛନ୍ତି । ଉମା ବୋଧହୁଏ ସେଠାରେ ଠିଆ ହୋଇଥିଲା କି କ’ଣ–

 

ମୁଁ ସେହିକଥା ଅନୁମାନ ହିଁ କରୁଥିଲି କହି କଥାଟାକୁ ହେମାଙ୍ଗିନୀ ଚାପି ଦେଲେ । ବିପିନ ଘର ଭିତରକୁ ପଶିଯିବା କ୍ଷଣି ସେ କୃଷ୍ଣକୁ ଡାକି କହିଲେ–କୃଷ୍ଣ, ଏଇ ଚାରିଟା ପଇସା ନେଇ ଦୋକାନରୁ କିଛି ମୁଢ଼ି ଚୂଡ଼ା କିଣି ଆଣି ଖାଇବୁ ଯା । ଭୋକହେଲେ ଆଉ ମୋ ପାଖକୁ ଆସିବୁ ନାହିଁ । ତୋର ମଝିଆଣୀ ନାନୀର ଏପରି ଜୋର ନାହିଁ ଯେ, ବାହାରର କାହାକୁ ହାତ ଟେକି ମୁଠାଏ ଖାଇବାକୁ ଦେଇ ପାରିବ ।

 

କୃଷ୍ଣ ନୀରବରେ ଚୁପ୍ ଚାପ୍ ହୋଇ ଚାଲିଗଲା ।

 

ଘର ଭିତରେ ଠିଆ ହୋଇ ବିପିନ ତା, ଆଡ଼କୁ ଚାହିଁ ରାଗରେ ଦାନ୍ତ କଡ଼୍‍ ମଡ଼୍‍ କରୁଥିଲେ ।

 

(୭)

 

ପାଞ୍ଚ ଛଅଦିନ ପରେ ଦିନେ ଓପର ଓଳି ବିପିନ ଘର ଭିତରେ ପ୍ରବେଶ କରି କହିଲେ–ତୁମେ ଏ ସବୁ କ’ଣ କରୁଛ ? କୃଷ୍ଣ ତୁମର କିଏ ? ଗୋଟାଏ ପର ପିଲା ପାଇଁ ଆପଣା ଆପଣା ଭିତରେ କଜିଆ ଆରମ୍ଭ କରି ଦେଇଛ କାହିଁକି ? ଆଜି ଦେଖିଲି ଭାଇ ମଧ୍ୟ ଭୀଷଣ ରାଗି ଯାଇଛନ୍ତି ।

 

ଅଳ୍ପ ସମୟ ପୂର୍ବରୁ ନିଜ ଘରେ ବସି ବଡ଼ ବୋହୂ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଏବଂ ମଝିଆଣୀ ଯାଆଙ୍କୁ ଲକ୍ଷ୍ୟକରି ବଡ଼ ପାଟିରେ ଯେଉଁସବୁ ଅପଭାଷାର ଶର ନିକ୍ଷେପ କରି ଚାଲିଥିଲେ, ଦେଖାଗଲା ସେଥିରୁ ଗୋଟିଏ ହେଲେ ନିଷ୍ଫଳ ହୋଇନାହିଁ । ପ୍ରତ୍ୟେକଟି ଆସି ହେମାଙ୍ଗିନୀ ଦେହରେ ବିଦ୍ଧ ହେଲାବେଳେ ପ୍ରତ୍ୟେକଟି ମୁହଁରେ ଯେଉଁ ପରିମାଣ ବିଷ ନେଇ ଆସିଥିଲେ, ତାହାର ଜ୍ୱାଳାରେ ସେ କମ୍ ଜଳୁ ନ ଥିଲେ । କିନ୍ତୁ ମଝିରେ କେବଳ ଦେଢ଼ଶୁର ଠିଆ ହୋଇଥିବାରୁ ହେମାଙ୍ଗିନୀ କେବଳ ସହ୍ୟ କରିବା ବ୍ୟତୀତ ପ୍ରତିରୋଧ କରିବାର ଶକ୍ତି ପାଇ ପାରୁନଥିଲେ ।

 

ଆଗ କାଳରେ ଯେପରି ଯୁବକମାନେ ଆଗରେ ଗୋରୁ ରଖି ରାଜପୁତ ସେନାବାହିନୀ ଉପରେ ବାଣ ବର୍ଷଣ କରୁଥିଲେ, ଯୁଦ୍ଧରେ ଜୟଲାଭ କରୁଥିଲେ, ଆଜି ବଡ଼ ଯାଆ ସେପରି ମଝିଆଣୀ ଯାଆକୁ ଜବତ୍ କରି ଦେଇ ପାରିଥିଲେ ।

 

ସ୍ୱାମୀଙ୍କର ଏଇ କେତେପଦ କଥାରେ ହେମାଙ୍ଗିନୀ ଦପ୍ କରି ଜଳି ଉଠିଲେ । କହିଲେ–କ’ଣ କହୁଛ ? ସେ ମଧ୍ୟ ରାଗିଛନ୍ତି ? ଏ’ତ ବଡ଼ ଆଶ୍ଚର୍ଯ୍ୟ କଥା, ଶୁଣିଲେ ହଠାତ୍ ବିଶ୍ୱାସ କରି ହୁଏ ନାହିଁ । ବର୍ତ୍ତମାନ ତେବେ କ’ଣ କଲେ ତାଙ୍କର କ୍ରୋଧ ଶାନ୍ତ ହେବ କହିଲ ?

 

ବିପିନ ମନେମନେ ରାଗି ଉଠୁଥିଲେ । କିନ୍ତୁ ବାହାରେ ପ୍ରକାଶ କରିବା ତାଙ୍କର ସ୍ଵଭାବ ନୁହେଁ । ସେଇଥିପାଇଁ ମନର ଭାବନାକୁ ଗୋପନ କରି ସହଜ ଭାବରେ କହିଲେ–ହଜାରେ ହେଲେ ସୁଦ୍ଧା ଗୁରୁଜନଙ୍କୁ ଏପରି ଭାବରେ....

 

କଥାଟା ଶେଷହେବା ପୂର୍ବରୁ ହେମାଙ୍ଗିନୀ କହିଲେ–ହଁ ହେ, ସବୁ ଜାଣେ । ମୁଁ ପିଲା ହୋଇନାହିଁ ଯେ ଗୁରୁଜନଙ୍କୁ କିପରି ମାନ ମର୍ଯ୍ୟାଦା ଦିଆଯାଏ ସତେ ଅବା ଜାଣି ନାହିଁ । କିନ୍ତୁ ପିଲାଟାକୁ ମୁଁ ଆଦର କରେ ବୋଲି ଦିନରାତି ସେମାନେ ଦେଖାଇ ଶିଖାଇ ମୋତେ କହିଥାନ୍ତି । ସେମାନଙ୍କ କଣ୍ଠସ୍ୱର ତୁମକୁ କିଛି କଅଁଳ ଶୁଣାଗଲା ? କାରଣ ହଠାତ୍ ଦେଢ଼ଶୁରଙ୍କୁ ବ୍ୟଙ୍ଗ କରି କହି ପକାଇ ସେ ମଧ୍ୟ ମନେ ମନେ ବଡ଼ ଅପ୍ରତିଭ ହୋଇ ଉଠିଥିଲେ । କିନ୍ତୁ ତାଙ୍କ ନିଜର ଶରୀର ଜ୍ଜାଳାଟା ବି କମ୍ ନ ଥିଲା । ସେଇଥିପାଇଁ ରାଗ ସମ୍ଭାଳି ପାରିଲେ ନାହିଁ ।

 

ବିପିନ ଗୋପନରେ ବଡ଼ ଭାଉଜଙ୍କ ପକ୍ଷ ସମର୍ଥନ କରୁଥିଲେ । କାରଣ ଏହି ପର ପିଲା ପାଇଁ ବଡ଼ ଭାଉଜଙ୍କ ସଙ୍ଗେ କଳି କଜିଆ କରିବାକୁ ସେ ଆଦୌ ପସନ୍ଦ କରୁ ନଥିଲେ । ସ୍ତ୍ରୀର ଏହି ଲଜ୍ଜାଟିକକୁ ଲକ୍ଷ୍ୟ କରି ସାହସ ପାଇ ସେ ଜୋର ଦେଇ କହିଲେ–ଏଥିରେ ଆଘାତ ପାଇବାର କିଛି ନାହିଁ । କାରଣ ସେମାନେ ତାଙ୍କ ପିଲାକୁ ଶାସନ କରୁଛନ୍ତି । କାମ ଶିଖାଉଛନ୍ତି । ସେଥିରେ ତୁମକୁ ଅବା ଆଘାତ ଦେଲେ କେତେବେଳେ ? ତା ଛଡ଼ା ସେମାନେ ଯାହା କଲେ ମଧ୍ୟ ଗୁରୁଜନ ଯେ....

 

ହେମାଙ୍ଗିନୀ ସ୍ୱାମୀଙ୍କ ମୁହଁକୁ ଚାହିଁ ଦେଇ ପ୍ରଥମେ ସାମାନ୍ୟ ବିସ୍ମିତ ହୋଇ ଉଠିଲେ । କାରଣ ଏହି ପାଞ୍ଚ ଛଅ ବର୍ଷର ଘରକରଣା ଭିତରେ ସ୍ୱାମୀଙ୍କ ଭଳି ବଡ଼ ଭ୍ରାତୃଭକ୍ତି ଆଉ କାହାକୁ ସେ ଏଥିପୂର୍ବରୁ ଦେଖି ନାହାନ୍ତି । କିନ୍ତୁ ପରମୁହୂର୍ତ୍ତରେ ତାଙ୍କର ସର୍ବାଙ୍ଗ କ୍ରୋଧରେ ଜଳି ଉଠିଲା । କହିଲେ–ସେମାନେ ଯେପରି ଗୁରୁଜନ, ମୁଁ ମଧ୍ୟ ସେହିପରି ମାଆ । ଗୁରୁଜନମାନେ ନିଜର ସମ୍ମାନ ଶେଷ କରି ବସିଲେ ମୁଁ ଅବା କିପରି ସେମାନଙ୍କୁ ଭକ୍ତି କରି ବସିବି ?

 

ବିପିନ କ’ଣ ଗୋଟାଏ ଉତ୍ତର ଦେବାକୁ ଯାଉଥିଲେ, କିନ୍ତୁ ଅଟକି ଗଲେ । ଦ୍ୱାର ବଂଧ ନିକଟରେ କୁଣ୍ଠିତ କଣ୍ଠରୁ ଡାକ ଶୁଣାଗଲା–ମଝିଆଣୀ ନାନୀ ।

 

ସ୍ୱାମୀ–ସ୍ତ୍ରୀ ଭିତରେ ଚାରି ଆଖିର ମିଳନ ହେଲା । ସ୍ୱାମୀ ସାମାନ୍ୟ ହସିଦେଲେ; କିନ୍ତୁ ସେଥିରେ ପ୍ରୀତି ଉଛୁଳି ପଡ଼ିଲା ନାହିଁ । ସ୍ତ୍ରୀ ଓଠକୁ କାମୁଡ଼ି ଦ୍ୱାର ନିକଟକୁ ଆସି କୃଷ୍ଣ ମୁହଁକୁ ଚାହିଁବା କ୍ଷଣି, ସେ ଆନନ୍ଦରେ ଅଧୀର ହୋଇ ପ୍ରଥମ ଯାହା ମୁହଁରେ ଆସିଲା, ତାହା କହିବାକୁ ଯାଇ ପଚାରିଲା–କିପରି ଅଛ ମଝିଆଣି ନାନୀ ?

 

ହେମାଙ୍ଗିନୀ କ୍ଷଣକପାଇଁ କଥା କହି ପାରିଲେ ନାହିଁ । ଯାହା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏଇ ମାତ୍ର ଝଗଡ଼ା ହୋଇ ଗଲା, ହଠାତ୍ ତାହାକୁ ଆଗରେ ଦେଖି ବିବାଦର ସମସ୍ତ ବିରକ୍ତିଟା ତାହାରି ମୁଣ୍ଡରେ ଛିଣ୍ଡିଲା । ହେମାଙ୍ଗିନୀ ଅନୁଚ୍ଚ କଠୋର କଣ୍ଠରେ କହିଲେ–ଏଠାରେ କାହିଁକି ? କାହିଁକି ତୁ ପ୍ରତିଦିନ ଏଠାକୁ ଆସୁଛୁ କହିଲୁ ?

 

କୃଷ୍ଣର ଛାତି ଭିତରଟା ଧାକୁ କରି ଉଠିଲା । ଏହି କଠୋର କଣ୍ଠସ୍ୱରଟା ସତରେ ଏପରି କଠୋର ଶୁଣାଗଲା ଯେ, କାରଣ ଏହାର ଯାହା ହେଉନା କାହିଁକି ଜିନିଷଟା ଯେ ସ୍ନେହର ପରିହାସ ନୁହେଁ ବୁଝିନେବାକୁ ଏହି ହତଭାଗ୍ୟ ବାଳକ ପକ୍ଷରେ ବିଳମ୍ବ ହେଲା ନାହିଁ ।

 

ଭୟରେ, ବିସ୍ମୟରେ, ଲଜ୍ଜାରେ, ତାହାର ମୁହଁଟି କଳା ପଡ଼ିଗଲା କହିଲା–ତୁମକୁ ଦେଖିବାକୁ ଆସିଥିଲି ।

 

ବିପିନ ହସିଦେଇ କହିଲେ–ତୁମକୁ ଦେଖିବାକୁ ଆସିଛି । ଏହି ହସ ଯେପରି ହେମାଙ୍ଗିନୀଙ୍କୁ ଅପମାନିତ କଲା । ସେ ଆହତା ନାଗୁଣୀ ଭଳି ସ୍ୱାମୀଙ୍କର ମୁହଁକୁ ଥରକ ପାଇଁ ଚାହିଁ ଦେଇ, ଆଖି ଫେରାଇ ନେଇ କହିଲେ–ଆଉ ଏଠାକୁ ତୁ ଆସିବୁ ନାହିଁ, ଯା ।

 

–ଆଚ୍ଛା କହି କୃଷ୍ଣ ତାହା ମୁହଁକୁ ବିଷଣ୍‍ଣ ହସଦ୍ୱାରା ଢାଙ୍କିବାକୁ ଯାଇ, ତାହାର ସାରା ମୁହଁକୁ ଆହୁରି ବିଶ୍ରୀ, ବିକୃତ, କରି ମୁହଁ ତଳକୁ ପୋତି ନୀରବରେ ଚାଲିଗଲା ।

 

ସେହି ବିକୃତିର କଳା ଛାୟା ହେମାଙ୍ଗିନୀ ନିଜ ଛାତି ଉପରକୁ ନେଇ ସ୍ୱାମୀଙ୍କଆଡ଼କୁ ଆଉ ଥରକ ପାଇଁ ଚାହିଁ ଦେଇ ଶୀଘ୍ର ସେ ଘର ଛାଡ଼ି ଚାଲିଗଲେ ।

 

(୮)

 

ପାଞ୍ଚ ଛଅଦିନ ହେବ, ହେମାଙ୍ଗିନୀଙ୍କର ଜ୍ୱର ଛାଡ଼ୁ ନାହିଁ । କାଲି ଡାକ୍ତର ଆସି କହି ଯାଇଥିଲେ, ଛାତିରେ କଫ ଜମିଅଛି । ସଂଧ୍ୟାଦୀପ ଏଇ ମାତ୍ର ଲାଗିଅଛି । ଲଳିତ ଭଲ ଜାମା ପିନ୍ଧି ଘର ଭିତରେ ପ୍ରବେଶ କରି କହିଲା–ମାଆ, ଦତ୍ତ ଘର ଦୁଆରେ କଣ୍ଢେଇ ନାଚ ହେବ, ଦେଖିବାକୁ ଯିବି ?

 

ମା ସାମାନ୍ୟ ଟିକିଏ ହସି ଦେଇ କହିଲେ, ହଲରେ ଲଳିତ, ତୋର ମାଆଆଡ଼କୁ ପାଞ୍ଚ ଛଅଦିନ ହେବ ଜରରେ ଏଇ ଘରେ ପଡ଼ିଛି, କିନ୍ତୁ ତୁ ତ ଥରକ ପାଇଁ ଆସି ପାଖରେ ବସିଲୁ ନାହିଁ-?

 

ଲଳିତ ଲାଜେଇ ଯାଇ ମୁଣ୍ଡ ନିକଟରେ ଆସି ବସିଲା । ମାଆ ଅତି ସ୍ନେହରେ ପୁଅ ପିଠିରେ ହାତ ବୁଲାଇ ନେଇ କହିଲେ ଏହି ଜ୍ୱର ଯଦି ଭଲ ନ ହୁଅ, ଯଦି ମରିଯାଏ, ତୁ ତେବେ କ’ଣ କରିବୁ ? ଖୁବ କାନ୍ଦିବୁ–ନା ?

 

ଯାଃ, ଭଲ ହୋଇଯିବୁ । କହି ଲଳିତ ମାଆ ଛାତିରେ ହାତଟି ରଖିଲା ମାଆ ପୁଅର ହାତଟି ମୁଠେଇ ଧରି ଚୁପ କରି ପଡ଼ି ରହିଲେ । ଜ୍ୱରର ପ୍ରକୋପରେ ଏହି ସ୍ପର୍ଶ ଖୁବ ଆନନ୍ଦ ଦେଲା । ସେ ଇଚ୍ଛା କରୁଥିଲେ ଏପରି ବହୁ ସମୟ କିପରି କଟିଯାଉ । କିନ୍ତୁ ଟିକକ ପରେ ଲଳିତ ଯିବା ପାଇଁ ଖୁଜୁବୁଜୁ ହେଲା । କଣ୍ଢେଇ ନାଚ ହୁଏତ ଏହା ଭିତରେ ଆରମ୍ଭ ହୋଇ ଯାଇଥିବ ମନେକରି ଭିତରେ ଭିତରେ ତାର ମନ ଅଥୟ ହୋଇ ଉଠୁଥିଲା ।

 

ପୁଅ ମନର ଅବସ୍ଥା ବୁଝିପାରି ମାଆ ମନେମନେ ହସି କହିଲେ, ଆଚ୍ଛା ଯାଆ, ଦେଖି ଆସ । କିନ୍ତୁ ବେଶୀ ରାତି କରିବୁ ନାହିଁ ।

 

ନାହିଁ ମାଆ, ଏହିକ୍ଷଣି ଫେରି ଆସିବି କହି ଲଳିତ ଘରୁ ଛୁଟି ଚାଲିଗଲା । କିନ୍ତୁ ଦୁଇ ମିନିଟ ପରେ ଫେରି ଆସି କହିଲା–ମାଆ ଗୋଟାଏ କଥା କହିବି ?

 

ମାଆ ହସହସ ମୁହଁରେ କହିଲେ କ’ଣ ଗୋଟାଏ ଟଙ୍କା ଦରକାର ତ ? ଏ ଡବାରେ ଅଛି ନେ । କିନ୍ତୁ ଦେଖ ଯେପରି ଗୋଟିଏ ଟଙ୍କାରୁ ଅଧିକ ନ ନେଉ ।

 

ନାହିଁ ମାଆ, ଟଙ୍କା ମୋର ଦରକାର ନାହିଁ । କହ ତୁ ଶୁଣିବୁତ ?

 

ମାଆ ବିସ୍ମୟ ପ୍ରକାଶ କରି କହିଲେ–ଟଙ୍କା ଚାହୁଁ ନାହୁଁ ? ତେବେ କି କଥା କହିବୁରେ ?

 

ଲଳିତ ଆଉ ଟିକିଏ ପାଖକୁ ଆସି ଚୁପିଚୁପି କରି କହିଲା–କୃଷ୍ଣ ମାମୁଁଙ୍କୁ ଥରକ ପାଇଁ ଆସିବାକୁ ଅନୁମତି ଦେବୁ ? ସେ ଘର ଭିତରକୁ ଆସିବ ନାହିଁ । କେବଳ ଦ୍ୱାରବନ୍ଧ ବାହାରେ ଠିଆ ହୋଇ ତୋତେ ଚାହିଁ ଦେଇ ଚାଲି ଯିବ । କାଲିମଧ୍ୟ ବାହାରେ ଆସି ବସିଥିଲା । ଆଜି ମଧ୍ୟ ବାହାରେ ଆସି ବସିଛି ।

 

ହେମାଙ୍ଗିନୀ ବ୍ୟସ୍ତହୋଇ କହି ଉଠିଲେ, ଲଳିତ ତୁ ଯାଆ, ବର୍ତ୍ତମାନ ତାକୁ ଡାକି ଆଣ । ଆହା–ଏହା । କେତେବେଳୁ ଆସି ବସିଛି ଅଥଚ ତୁମେମାନେ ମୋତେ କେହି ଟିକିଏ ହେଲେ କହୁନ ।

 

–ଭୟରେ ଆସିବାକୁ ସାହସ କରିପାରୁ ନାହିଁ, କହି ଲଳିତ ଚାଲିଗଲା । କେତେ ମିନିଟ ପରେ କୃଷ୍ଣ ଘର ଭିତରେ ପ୍ରବେଶ କରି କାନ୍ଥକୁ ଆଉଜି ତଳକୁ ମୁହଁପୋତି ଠିଆହୋଇ ରହିଲା ।

 

ହେମାଙ୍ଗିନୀ ଡାକି କହିଲେ–ଆ, ବାବା, ପାଖକୁ ଆ ।

 

କୃଷ୍ଣ ସେହିପରି ଭାବରେ ନୀରରେ ଠିଆହୋଇ ରହିଲା, ହେମାଙ୍ଗିନୀ ନିଜେ ଉଠିଆସି ହାତଧରି ତାକୁ ବିଛଣା ଉପରକୁ ଡାକିନେଲେ । ପିଠିରେ ତାର ହାତ ବୁଲାଇ କହିଲେ–ହଇରେ କୃଷ୍ଣ, ମୁଁ ଗାଳି ଦେଇଥିଲି ବୋଲି ତୁ ତୋର ମଝିଆଣୀ ନାନୀକୁ ଭୁଲିଗଲୁ ବୋଧହୁଏ ?

 

କୃଷ୍ଣ ହଠାତ ଫୁଲି ଫୁଲି କାନ୍ଦି ଉଠିଲା । ହେମାଙ୍ଗିନୀ ଆଶ୍ଚର୍ଯ୍ୟ ହୋଇ ଉଠିଲେ, କାରଣ କେହି କେବେ ତାହାକୁ କାନ୍ଦିବାର ଦେଖି ନାହାଁନ୍ତି । ଅନେକ ଦୁଃଖ, ଯାତନା, କଷ୍ଟ ଦେଲେ ମଧ୍ୟ ସେ ନୀରବ ରହି ସିନା କିନ୍ତୁ କାହା ଆଗରେ କାନ୍ଦେ ନାହିଁ । ତାହାର ଏହି ସ୍ୱଭାବଟି ହେମାଙ୍ଗିନୀ ଜାଣିଥିଲେ ବୋଲି ବଡ଼ ଆଶ୍ଚର୍ଯ୍ୟ ହୋଇ କହିଲେ–ଛିଃ, କାନ୍ଦୁଛୁ କାହିଁକି ? ପୁଅ ପିଲା କ’ଣ କାନ୍ଦନ୍ତି ?

 

ପ୍ରତ୍ୟୁତ୍ତର ଦେବା ପାଇଁ କୃଷ୍ଣ, ତାର ଲୁଗାର କୁଞ୍ଚ କାନିରେ ଆଖିର ଲୁହକୁ ପୋଛୁ ପୋଛୁ କହିଲା–ଡାକ୍ତର କହିଲେ ଯେ ଛାତି ଭିତରେ କଫ ଜମିଛି ?

 

ହେମାଙ୍ଗିନୀ କହିଲେ–ଏଇଥିପାଇଁ ଏତେ କାନ୍ଦ ? ଛିଃ ଛି –କହୁ କହୁ ତାଙ୍କ ନିଜ ଆଖିରୁ ଟପ୍ ଟପ୍ ହୋଇ ଦୁଇ ବୁଂଦା ଲୁହ ଖସି ପଡ଼ିଲା । ବାମ ହାତରେ ଲୁହକୁ ପୋଛି ଦେଇ ଆରହାତ ତା'ର ମଥା ଉପରେରଖି କୌତୁକ କରି କହିଲେ–କଫ ଜମିଛି । ଜମିଲେ କ’ଣ ଅବା ହେବ ? ଯଦି ମରିଯାଏ ତେବେ ତୁ ଓ ଲଳିତ କାନ୍ଧରେ ନେଇ ଗଙ୍ଗାରେ ଫିଙ୍ଗି ଦେଇ ଆସିବ । କ’ଣ ଏତିକି କରିପାରିବୁ ନାହିଁ ?

 

–କ’ଣ କହୁଥିଲିକି, ମଝିଆଣୀ ବୋହୂ କିପରି ଅଛୁ କିଲୋ ? କହି କହି ବଡ଼ଯାଆ ଆସି ଦ୍ୱାରବନ୍ଧ ଉପରେ ଠିଆ ହୋଇଗଲେ । କ୍ଷଣକାଳ କୃଷ୍ଣମୁହଁକୁ ତୀକ୍ଷ୍ଣଦୃଷ୍ଟିରେ ଚାହିଁ ରହି କହିଲେ–ଦେଖୁଛି କ’ଣ ଏ ମଧ୍ୟ ଏଠାରେ ଆସି ହାଜର । ଆଉ ପୁଣି ଏ କ’ଣ ? ମଝିଆଣୀ ବୋହୂ ପାଖରେ କାନ୍ଦି ସୁଆଗ କାଢ଼ୁଛି ଏ ଟୋକା କେତେ ଫନ୍ଦି ଜାଣେ କିଲୋ ?

 

କ୍ଲାନ୍ତିବଶତଃ ହେମାଙ୍ଗିନୀ ଏଇ ମାତ୍ର ତକିଆରେ ଆଉଜି ପଡ଼ି ଚିତ୍ ହୋଇ ପଡ଼ିଥିଲେ, ସଙ୍ଗେ ସଙ୍ଗେ ବିଜୁଳୀ ବେଗରେ ବସିପଡ଼ି କହିଲେ–ନାନୀ, ମୋତେ ଛଅ ସାତଦିନ ହେବ ଜ୍ୱର । ତୁମ ପାଦତଳେ ପଡ଼ୁଛି ତୁମେ ଆଜିକ ପାଇଁ ଚାଲିଯାଅ ।

 

କାଦମ୍ବିନୀ ପ୍ରଥମେ ଥତମତ ହୋଇଗଲେ । କିନ୍ତୁ ପରକ୍ଷଣରେ ନିଜକୁ ସଂଭାଳି ନେଇ କହିଲେ–ତୁମକୁ କହିନି ମଝିଆଣୀ ବୋହୁ, ମୋ ନିଜ ଭାଇକୁ ଶାସନ କରୁଛି । ତୁମେ ଏପରି ମାରିଲାପରି କଥା କହୁଛ କାହିଁକି ?

 

ହେମାଙ୍ଗିନୀ କହିଲେ–ଶାସନ ତ ଦିନରାତି ଚାଲିଛି । ଘରକୁ ଗଲେ ଶାସନ କରିବ । ଏଠାରେ ମୋ ଆଗରେ ଶାସନ କରିବାର ଦରକାର ନାହିଁ । ମୁଁ ମଧ୍ୟ କରାଇ ଦେବି ନାହିଁ ।

 

କ’ଣ, ତୁ କ’ଣ ମୋତେ ଘରୁ ତଡ଼ି ଦେବୁ ନା କ’ଣ ?

 

ହେମାଙ୍ଗିନୀ ହାତ ଯୋଡ଼ି କହିଲେ–ମୋର ଦେହ ବଡ଼ ଅସୁସ୍ଥ ନାନୀ, ତୁମ ଦୁଇପାଦ ତଳେ ପଡ଼ୁଛି, ହୁଏତ ଚୁପ ହୁଅ, ନଚେତ୍ ଚାଲିଯାଅ ।

 

କାଦମ୍ବିନୀ କହିଲେ–ନିଜ ଭାଇକୁ ଶାସନ କରିପାରିବି ନାହିଁ ?

 

ହେମାଙ୍ଗିନୀ ଜବାବ ଦେଲେ–ଘରକୁ ଗଲେ ଶାସନ କରିବ ।

 

ଆଜି ଭଲକରି ଅବଶ୍ୟ ଶାସନ କରାହେବ । ମୋ ନାମରେ ଲଗେଇ ଜୁଟେଇ କହିବାର ମଜ୍ଜା ଆଜି ଟୋକାର ବାହାର କରିବି । ମିଛୁଆ କେଉଁଠିକାର । କହିଲି ଗୋରୁଙ୍କ ପାଇଁ ଦଉଡ଼ି ନାହିଁ ଦୁଇ ପୁଳା ଝୋଟବଳି ଦେ । କ’ଣ ନା ନାନୀ ତୋର ପାଦତଳେ ପଡ଼ୁଛି ଟିକିଏ କଣ୍ଢେଇ ନାଚ ଦେଖି ଆସେ । ଏଇଠାରେ ତାହାହେଲେ କଣ୍ଢେଇ ନାଚ ହେଉଛିରେ ! କହି କାଦମ୍ବିନୀ ଦୁମ୍ ଦୁମ୍ ହୋଇ ପାଦ କଚାଡ଼ି ଚାଲିଗଲେ ।

 

ହେମାଙ୍ଗିନୀ କିଛିସମୟ କାଠଭଳି ବସି ରହି ପୁଣି ଶୋଇ ପଡ଼ି କହିଲେ–ତୁ କାହିଁକି କଣ୍ଢେଇ ନାଚ ଦେଖି ଗଲୁ ନାହିଁ କୃଷ୍ଣ ? ଯାଇଥିଲେ ତ ଏସବୁ ହୋଇ ନ ଥାନ୍ତା । ତତେ ଆସିବାକୁ ଯେତେବେଳେ ସେମାନେ ଛାଡ଼ୁନାହାନ୍ତି ସେତେବେଳେ ମୋ ପାଖକୁ ଆଉ ଆସ ନାହିଁ ।

 

କୃଷ୍ଣ ଆଉ ପଦେ କଥା ନ କହି ଆସ୍ତେ ଆସ୍ତେ ଚାଲିଗଲା । ହଠାତ୍‍ ପୁଣି ଫେରି ଆସି କହିଲା–ଆମ ଗାଆଁର ବିଶାଳାକ୍ଷୀ ଠାକୁର ବଡ଼ ପ୍ରତ୍ୟକ୍ଷ ଦେବତା ନାନୀ, ପୂଜା ଦେଲେ ଅସୁଖ ଛାଡ଼ି ପଳାଏ । ଦିଅନା ନାନୀ.......

 

ଏଇମାତ୍ର ନିରର୍ଥକ ଝଗଡ଼ା ହୋଇ ଯିବା ଫଳରେ ହେମାଙ୍ଗିନୀଙ୍କର ମନଟା ଭାରୀ ବିଗିଡ଼ି ଯାଇଥିଲା । ଝଗଡ଼ା ଝାଣ୍ଟିତ ହୁଏ । ସେଇଥିପାଇଁ ନୁହେଁ । କିନ୍ତୁ ଏପରି ଗୋଟାଏ ଆଶ୍ରୟ ପାଇ ଏହି ହତଭାଗାଟାର ଦୁର୍ଦ୍ଦଶା ଯେ କ’ଣ ହେବ, ଅସଲରେ ସେହି କଥାଟା ମନ ଭିତରେ ଓଲଟ ପାଲଟ ହୋଇ ତାର ମନ ଭିତରଟା କ୍ଷୋଭ ଓ ନିରୂପାୟ ଆକ୍ରୋଶରେ ଜଳି ଉଠୁଥିଲା । କୃଷ୍ଣ ଫେରି ଆସିବାରୁ ହେମାଙ୍ଗିନୀ ଉଠି ବସିଲେ ଏବଂ ପାଖରେ ବସାଇ ଦେହରେ ହାତ ବୁଲାଇ କାନ୍ଦି ଉଠିଲେ । ଆଖି ପୋଛି କହିଲେ ମୁଁ ଭଲ ହେଲାପରେ ଲୁଚାଇ କରି ତୋ ହାତରେ ପୂଜା ପଠାଇ ଦେବି । ଏକା ଯାଇ ପାରିବୁ ତ ?

 

କୃଷ୍ଣ ଉତ୍ସାହରେ ଦୁଇ ଆଖି ବଡ଼ ବଡ଼ କରି କହିଲା–ଏକା ମୁଁ ଯାଇ ପାରିବି । ତୁ ଆଜି ମୋତେ ଗୋଟାଏ ଟଙ୍କା ଦେଇ ପଠାଇ ଦେ, ନା ନାନୀ, ମୁଁ କାଲି ସକାଳୁ ପୂଜାକରି ପ୍ରସାଦ ଆଣି ତୋତେ ଦେଇ ଯିବି । ସେ ଭୋଗ ଖାଇଲାକ୍ଷଣି ତୋର ରୋଗ ଭଲ ହୋଇଯିବ । ଦେ, ନା ନାନୀ ମୋତେ ଆଜି ମୁଁ ଚାଲିଯିବି, କୃଷ୍ଣ ଅଳି କଲା ।

 

ହେମାଙ୍ଗିନୀ ଦେଖିଲେ ତା'ର ଆଉ ତର ସହୁନାହିଁ । କହିଲେ–କିନ୍ତୁ କାଲି ଫେରି ଆସିଲା ପରେ ତୋତେ ଏମାନେ ଯେ ଭାରୀ ମାରିବେ । ମାର ଧର କଥା ଶୁଣି କୃଷ୍ଣ ପ୍ରଥମେ ଟିକିଏ ଦବି ଗଲା, କିନ୍ତୁ ପରକ୍ଷଣରେ ପ୍ରଫୁଲ୍ଲିତ ହୋଇ କହି ଉଠିଲା–ମାରନ୍ତୁ । କିନ୍ତୁ ତୋର ରୋଗ ତ ଭଲ ହୋଇଯିବ ।

 

ପୁଣି ହେମାଙ୍ଗିନୀଙ୍କର ଆଖିରୁ ଲୁହ ଝରି ପଡ଼ିଲା । କହିଲେ–କୃଷ୍ଣ, ମୁଁ ତୋର କେହି ନୁହେଁ, ତଥାପି ମୋ ପାଇଁ ତୋର ଏତେ ମୁଣ୍ଡ ବ୍ୟଥା କାହିଁକି କିରେ ?

 

ଏ ପ୍ରଶ୍ନର ଉତ୍ତର କୃଷ୍ଣ କେଉଁଠାରୁ ଅବା ପାଇବ ? ସେ କିପରି ବୁଝାଇ ପାରିବ ଯେ ତାହାର ପୀଡ଼ିତ ଆର୍ତ୍ତ ହୃଦୟ ଦିନରାତି କାନ୍ଦି କାନ୍ଦି ତାର ମାଆକୁ ଖୋଜି ବୁଲୁଛି । କିଛିକ୍ଷଣ ପାଇଁ ନାନୀର ମୁହଁକୁ ଚାହିଁ ଚାହିଁ ରହି କହିଲା–ତୋର ରୋଗ ଯେ ଭଲ ହେଉନାହିଁ ନାନୀ, ଛାତିରେ କଫ ଜମିଛି ଯେ....

 

ହେମାଙ୍ଗିନୀ ଆଉ ଟିକିଏ ହସି ଦେଇ କହିଲେ–ମୋ ଛାତିରେ କଫ ଜମିଥିଲେ ତୋର ସେଥିରେ କ’ଣ ଅଛି ? ତୋର ଏତେ ଭାବନା କାହିଁକି ?

 

କୃଷ୍ଣ ଆଶ୍ଚର୍ଯ୍ୟ ହୋଇ କହିଲା–ଭାବନା ହେବନାହିଁ ନାନୀ ! ଛାତିରେ କଫ ଜମିବାଟା ଯେ ବଡ଼ ଖରାପ । ଅସୁସ୍ଥତା ଯଦି ବଢ଼ିଯାଏ ତାହାହେଲେ......

 

ତାହାହେଲେ ତୋତେ ଡାକି ପଠାଇବି । କିନ୍ତୁ ଆଉ ଡାକି ନପଠାଇଲେ ଆସିବୁ ନାହିଁ, ଭାଇ ।

 

କାହିଁକି ନାନୀ ?

 

ହେମାଙ୍ଗିନୀ ଦୃଢ଼ ଭାବରେ ମୁଣ୍ଡ ହଲାଇ କହିଲେ–ନା; ତୋତେ ମୁଁ ଆଉ ଏଠାକୁ ଆସିବାକୁ ଦେବି ନାହିଁ । ଡାକି ନ ପଠାଇଲେ ଯଦି ଆସିବୁ ତେବେ ତୋ ଉପରେ ଭାରି ରାଗିବି ।

 

କୃଷ୍ଣ ନାନୀର ମୁହଁକୁ ଚାହିଁ ଭୟରେ ପ୍ରଶ୍ନ କରିବାକୁ ଲାଗିଲା–ତାହା ହେଲେ କହ, କାଲି ସକାଳେ କେତେବେଳେ ଡାକି ପଠାଇବୁ ?

 

କାଲି ସକାଳେ କ’ଣ ତୋର ଆସିବା ଦରକାର ?

 

କୃଷ୍ଣ ଅପ୍ରତିଭ ହୋଇ କହିଲା–ଆଚ୍ଛା ସକାଳେ ନହେଲେ ଦିପହର ବେଳେ ଆସିବି ।

 

କ’ଣ କହୁଛୁ ନାନୀ ? ତାର ଆଖିରେ ଓ ମୁହଁରେ ଗୋଟାଏ ଏପରି ବ୍ୟାକୁଳ ଏବଂ ଅନୁନୟ ଭଙ୍ଗୀ ଫୁଟି ଦେଖାଗଲା, ଯେଉଁଥିରେ ହେମାଙ୍ଗିନୀ ମନେ ମନେ ବଡ଼ ବ୍ୟଥା ପାଇଲେ । କିନ୍ତୁ ଆଉ ଯେ ତାଙ୍କର କଠିନ ନ ହେଲେ କି ଚଳେ । ସମସ୍ତେ ମିଳିମିଶି ଯେ ଏହି ନିରୀହ ଏକାନ୍ତ ଅସହାୟ ବାଳକଟି ଉପରେ ନିର୍ଯ୍ୟାତନା ଆରମ୍ଭ କରି ଦେଇଛନ୍ତି, ତାହାକୁ ଆଉ କୌଣସି ମତେ ବଢ଼ାଇ ଦିଆ ଯାଇ ନ ପାରେ । ସେ ହୁଏତ ସହ୍ୟ କରିପାରେ । ମଝିଆଣୀ ନାନୀ ପାଖକୁ ଯିବା ଆସିବା କରୁଥିବା ପାଇଁ, ଦଣ୍ଡ ଯେତେ ଗୁରୁତର ହେଉ ନା କାହିଁକି ସେ ସହ୍ୟ କରିବାକୁ ପଛାଇବ ନାହିଁ । କିନ୍ତୁ ଏହା ବୋଲି ସେ ନିଜେ କିପରି ତାହା ସହ୍ୟ କରି ପାରିବେ ?

 

ହେମାଙ୍ଗିନୀଙ୍କର ଆଖିରୁ ଲୁହ ଗଡ଼ିବାକୁ ଲାଗିଲା । ତଥାପି ସେ ମୁହଁ ବୁଲାଇନେଇ ଋକ୍ଷ ସ୍ୱରରେ କହିଲେ–ବିରକ୍ତ କରନା କୃଷ୍ଣ । ତୁ, ଏଠାରୁ ଯାଆ । ଡାକି ପଠାଇଲେ ଆସିବୁ ନଚେତ୍ ଯେତେବେଳେ, ସେତେବେଳେ ଆସି ମୋତେ ବିରକ୍ତ କରିବୁ ନାହିଁ ।

 

ନା, ବିରକ୍ତ କରୁନାହିଁତ । ଭୀତ ଲଜ୍ଜିତ ମୁହଁଖଣ୍ଡିକ ସିଧାକରି କୃଷ୍ଣ ଶୀଘ୍ର ଉଠି ଚାଲିଗଲା ।

 

ଏଥର କିନ୍ତୁ ହେମାଙ୍ଗିନୀଙ୍କର ଦୁଇ ଆଖିରୁ ପ୍ରସବଣପରି ଲୁହ ବୋହିବାକୁ ଲାଗିଲା । ସେ ସ୍ପଷ୍ଟକରି ଦେଖି ପାରିଲେ, ଏହି ନିରୁପାୟ, ଅନାଥ ବାଳକଟି ମାଆକୁ ହରାଇ ତାହାଙ୍କୁ ମାଆ ବୋଲି ଆଶ୍ରା କରି ବସିଛି । ତାଙ୍କର ପଣତ କାନି ତଳେ ମଥା ଗୁଞ୍ଜିବା ପାଇଁ ସେ କିପରି ଭାବରେ ଆକୁଳ ବିକଳ ହୋଇ ଘୂରି ନ ବୁଲୁଛି ?

 

ହେମାଙ୍ଗିନୀ ଆଖି ପୋଛି ମନେ ମନେ କହିଲେ, କୃଷ୍ଣ, ତୁ ମୁହଁଟାକୁ ଏପରି କରି ଚାଲିଗଲୁ ଭାଇ, କିନ୍ତୁ ତୋର ନାନୀ ଯେ ତୋ ଠାରୁ ଆହୁରି ନିରୁପାୟ । ତୋତେ ଜୋର କରି ସେ ଛାତିକୁ ଟାଣିଆଣିବାର କ୍ଷମତା ତୋ ମଝିଆଣି ନାନୀର ନାହିଁ ।

 

(୯)

 

ଉମା ଆସି କହିଲା–ମାଆ କାଲି କୃଷ୍ଣ ମାମୁଁ ତାଗିଦା କରିବାକୁ ନ ଯାଇ ତୁମ ପାଖକୁ ଆସିଥିଲା ବୋଲି ଦେଠେଇ ଏପରି ମାଡ଼ ମାରିଲେ ଯେ, ନାକ ଦେଇ......

 

ହେମାଙ୍ଗିନୀ ଧମକାଇ କରି କହି ଉଠିଲେ–ଆଚ୍ଛା ହୋଇଛି ଯାଃ–ତୁ ଏଠାରୁ ପଳା ।

 

ଅକସ୍ମାତ୍ ଧମକାଣ ଦେଖି ଉମା ଚମକି ଉଠିଲା । ଆଉ କୌଣସି କଥା ନ କହି ଧୀରେ ଧୀରେ ଚାଲି ଯାଉଥିଲା । ମାଆ ଡାକି କହିଲେ–ଶୁଣ ଉମା, କ’ଣ ନାକ ଦେଇ ଖୁବ ରକ୍ତ ବାହାରି ଥିଲା ?

 

ଉମା ଫେରିପଡ଼ି ଠିଆହେଇ କହିଲା–ନା ବେଶୀ ନୁହେଁ । ଅଳ୍ପ ।

 

ଆଚ୍ଛା, ତୁ ଯାଆ ।

 

ଉମା କବାଟ ନିକଟକୁ ଆସି ପାଟିକରି କରି କହିଲା–ମାଆ, ହେଇଟି କୃଷ୍ଣ ମାମୁଁ ଏଠାରେ ଠିଆ ହୋଇଛି ।

 

କୃଷ୍ଣ ଶୁଣି ପାରିଲା । ବୋଧହୁଏ ଏହାକୁ ଅଭ୍ୟର୍ଥନା ମନେ କରି ମୁହଁ ବଢ଼ାଇ ଲଜ୍ଜାରେ ହସି ପକାଇ କହିଲା–କିମିତି ଅଛୁ ନାନୀ ?

 

କ୍ଷୋଭ, ଦୁଃଖ ଓ ଅଭିମାନରେ ହେମାଙ୍ଗିନୀ ପାଗଳିନୀ ପରି ଚିତ୍କାର କରି କହି ଉଠିଲେ, କାହିଁକି ଆସିଛୁ ଏଠାକୁ ? ଯା, କହୁଛି, ଶୀଘ୍ର ଚାଲିଯା । ଦୂର ହଅ କହୁଛି......

 

କୃଷ୍ଣ ବୋକାଙ୍କ ଭଳି ବଲ ବଲ ହୋଇ ଚାହିଁ ରହିଲା ।

 

ହେମାଙ୍ଗିନୀ ଅଧିକତର ତୀବ୍ର କଣ୍ଠରେ କହିଲେ–ତଥାପି ଠିଆ ହୋଇ ରହିଛୁ 'ହତଭାଗା' ଏପର୍ଯ୍ୟନ୍ତ ଗଲୁ ନାହିଁ......

 

କୃଷ୍ଣ ମୁହଁ ତଳକୁ କରି କେବଳ 'ଯାଉଛି' କହି ଚାଲିଗଲା । ସେ ଚାଲିଯିବାପରେ ହେମାଙ୍ଗିନୀ ନିର୍ଜୀବ ପରି ବିଛଣାରେ ପଡ଼ି ରହି ଅସ୍ପଷ୍ଟ କ୍ରୁଦ୍ଧ ସ୍ୱରରେ କହିବାକୁ ଲାଗିଲେ–ଶହେଥର ହତଭାଗାକୁ କହି ସାରିଲାଣି ମୋ ପାଖକୁ ଆସ ନାହିଁ, ତଥାପି ଆସି ଡାକପକାଇଛି–ନାନୀ । ଶୀଘ୍ର କହି ଦେ ତ ଉମା, ଏହାକୁ ଆଉ ଘର ଭିତରକୁ କେହି ଯେପରି ନ ଛାଡ଼ନ୍ତି ।

 

ଉମା ଉତ୍ତର ଦେଲା ନାହିଁ । ଧୀରେ ଧୀରେ ବାହାରକୁ ଚାଲିଗଲା ।

 

ରାତ୍ରିରେ ହେମାଙ୍ଗିନୀ ସ୍ୱାମୀଙ୍କୁ ଡାକି ଆଣି କାନ୍ଦ କାନ୍ଦ ସ୍ୱରରେ କହିଲେ କୌଣସି ଦିନ ତୁମକୁ କେବେ କିଛି ମାଗିନାହିଁ । ଆଜି ଏହି ଅସୁସ୍ଥତା ଭିତରେ ଗୋଟାଏ ଭିକ୍ଷା ମାଗୁଛି–ଦେବ ?

 

ବିପିନ ସନ୍ଦିଗ୍‍ଧ କଣ୍ଠରେ ପ୍ରଶ୍ନ କରିଲେ–କ’ଣ ଚାହୁଁଛ ?

 

ହେମାଙ୍ଗିନୀ କହିଲେ–କୃଷ୍ଣକୁ ମୋତେ ଦିଅ । ଏ ବିଚରା ବଡ଼ ଦୁଃଖୀ । ମାଆ ବାପ ତାର ନାହିଁ, ତାକୁ ସେମାନେ ମାରି ପକାଇବେ । ତାହା ମୁଁ ଆଖିରେ ଆଉ ଦେଖି ପାରିବି ନାହିଁ ।

 

ବିପିନ ଅଳ୍ପ ହସିଦେଇ କହିଲେ–ତାହା ହେଲେ ଆଖିବୁଜି ରହିଲେ ତ ଚଳିବ ।

 

ସ୍ୱାମୀଙ୍କର ଏହି ନିଷ୍ଠୁର ବିଦ୍ରୁପ ଯେପରି ହେମାଙ୍ଗିନୀଙ୍କ ଛାତିରେ ଶୁଳପରି ଗଳିଗଲା । ଅନ୍ୟ କୌଣସି ଅବସ୍ଥାରେ ସେ ହୁଏତ ଏହା ସହ୍ୟ କରି ପାରି ନଥାନ୍ତେ । ଆଜି କିନ୍ତୁ ଦୁଃଖରେ ତାଙ୍କର ପ୍ରାଣ ଛାଡ଼ି ଗଲା ପରି ଲାଗୁଥିଲା, ସେଥିପାଇଁ ସହ୍ୟକରି ହାତ ଯୋଡ଼ି କହିଉଠିଲେ, ତୁମ ରାଣ ପକାଇ କହୁଛି, ମୁଁ ତାକୁ ପେଟରପିଲା ଭଳି ଭଲ ପାଇ ବସିଛି । ମୋତେ ତାକୁ ଦିଅ । ତାକୁ ମଣିଷକରି, ଖୁଆଇ, ପିଆଇ ତାହାପରେ ତୁମର ଯାହାଇଚ୍ଛା ତାହା କର । ସେ ବଡ଼ ହେଲାପରେ ତାକୁ ମୁଁ ପଦେହେଲେ କଥା କହିବି ନାହିଁ ।

 

ବିପିନ ସାମାନ୍ୟ ନରମହୋଇ କହିଲେ, ସେ କ’ଣ ଆମ ଅମାରର ଧାନ ଚାଉଳ ଯେ ତାହାକୁ ଆଣି ତୁମକୁ ଦେଇଦେବି ? ପରର ଭାଇ, ପର ଘରକୁ ଆସିଛି । ତୁମେ ଅବା ମଝିରେ ପହଞ୍ଚି ଏତେ ଦରଦ କିଆଁ ଦେଖାଉଛ ?

 

ହେମାଙ୍ଗିନୀ କାନ୍ଦିଉଠିଲେ । କିଛିକ୍ଷଣ ପରେ ଆଖି ପୋଛି କହିଲେ, ତୁମେ ଇଚ୍ଛାକଲେ ଦେଢ଼ଶୁରଙ୍କୁ କହି, ବଡ଼ଯାଆଙ୍କୁ କହି, ସ୍ଵଚ୍ଛନ୍ଦରେ ଆଣି ପାରିବ । ତୁମ ପାଦତଳେ ପଡ଼ୁଛି ତାକୁ ଆଣି ମୋତେ ଦିଅ ।

 

ବିପିନ କହିଲେ–ଆଚ୍ଛା ତାହା ଯଦି ହୁଏ, ଆମେ ଅବା କେତେ ବଡ଼ ଲୋକ ଯେ ତାକୁ ସବୁଦିନ ପାଇଁ ପ୍ରତିପାଳନ କରିପାରିବା ?

 

ହେମାଙ୍ଗିନୀ କହିଲେ–ପୂର୍ବେ ମୋର ସାମାନ୍ୟ କଥାଟିଏ ମଧ୍ୟ ତୁମେ ଏଡ଼ାଇଦେଲେ ପାରୁ ନଥିଲ । ଏବେ କି ଅପରାଧ କରି ବସିଛି ଯେ, ଯେତେବେଳେ ଏପରି ଭାବରେ କାକୁତି ମିନତି କରୁଛି ଏବଂ ସତରେ ଯେତେବେଳେ ମୋ ପ୍ରାଣ ଚାଲିଗଲା ପରି ଲାଗୁଛି ତଥାପି ଏ ସାମାନ୍ୟ କଥାଟା ରକ୍ଷା କରିବାକୁ ଇଚ୍ଛା କରୁ ନାହିଁ ? ସେ ଅଭାଗା କହୁଛି ତୁମେ ସମସ୍ତେ ମିଳିମିଶି ତାକୁ ମାରିପକାଇବ । ମୁଁ ତାକୁ ମୋ ପାଖକୁ ଆସିବାକୁ କହିବି, ଦେଖିବି, ସେମାନେ କ’ଣ କରିବେ-?

 

ବିପିନ ଏଥର ରାଗିଯାଇ କହିଲେ–ମୁଁ ତାକୁ ଖାଇବାକୁ ଦେଇପାରିବି ନାହିଁ ।

 

ହେମାଙ୍ଗିନୀ କହିଲେ–ମୁଁ ପାରିବି, ମୁଁ କ’ଣ ଏଘରେ କେହି ନୁହେଁ ? ଯେ ନିଜର ପୁଅଟାକୁ ମଧ୍ୟ ଖାଇବାକୁ ଦେଇ ପାରିବି ନାହିଁ ? ମୁଁ କାଲି ତାକୁ ଆଣି ମୋ ପାଖରେ ରଖିବି, ନାନୀ (ବଡ଼ଯାଆ) ଯଦି ଯୋର କରନ୍ତି ତେବେ କାଲି ତାକୁ ମୁଁ ଥାନା ଦାରୋଗାଙ୍କୁ ପାଖକୁ ପଠାଇ ଦେବି ।

 

ସ୍ତ୍ରୀଙ୍କର କଥା ଶୁଣି ବିପିନ କ୍ରୋଧ ଓ ଅଭିମାନରେ କ୍ଷଣକାଳ ଅବାକ୍ ହୋଇ ଚାହିଁ ରହି କହିଲେ, ଆଚ୍ଛା, ସେ କଥା ଦେଖିବା କହି ବାହାରକୁ ଚାଲିଗଲେ ।

 

ପରଦିନ ସକାଳେ ବର୍ଷା ଆରମ୍ଭ ହୋଇ ଯାଇଥିଲା । ହେମାଙ୍ଗିନୀ ଝରକାଟା ଖୋଲିଦେଇ ଆକାଶ ଆଡ଼କୁ ଚାହିଁ ରହିଥିଲେ, ହଠାତ୍ ପଞ୍ଚୁଗୋପାଳର ଉଚ୍ଚସ୍ୱର କାନକୁ ଶୁଣାଗଲା ।

 

ସେ ଚିତ୍କାର କରି କହୁଥିଲା–ମାଆ, ତୋର ଗୁଣଧର ଭାଇ ବର୍ଷାରେ ତିନ୍ତି ତିନ୍ତି ଆସି ପହଞ୍ଚିଲାଣି ।

 

ମୁଁ ଯାଉଛି କହି କାଦମ୍ବିନୀ ହୁଙ୍କାର ଦେଇ ଘର ଭିତରୁ ମୁଣ୍ଡ ଉପରେ ଗୋଟାଏ ଗାମୁଛା ପକାଇ ବାହାରି ପଡ଼ିଲେ ।

 

ହେମାଙ୍ଗିନୀଙ୍କର ଛାତି ଭିତରଟା ଭୟରେ କମ୍ପି ଉଠିଲା । ଲଳିତକୁ ଡାକି କହିଲେ–ଯାଆତ ବାବା ସେ ଘରକୁ । ତୋର କୃଷ୍ଣ ମାମୁଁ କେଉଁଠାରୁ ଆସିଲା ଦେଖି ଆସତ ।

 

ଲଳିତ ସଙ୍ଗେ ସଙ୍ଗେ ଛୁଟି ଚାଲିଗଲା ଏବଂ ସଙ୍ଗେ ସଙ୍ଗେ ଫେରି ଆସି କହିଲା–ପଞ୍ଚୁଭାଇ ତାକୁ ଆଣ୍ଠୁଆ ଗୋପାଳ କରି ତା'ର ମୁଣ୍ଡରେ ଦୁଇଟା ଇଟା ଥୋଇ ବସାଇ ରଖିଛି ।

 

ହେମାଙ୍ଗିନୀ ଶୁଖିଲା ମୁହଁରେ ପଚାରିଲେ–ତାର ଦୋଷ ?

 

ଲଳିତ କହିଲା–ତାକୁ କାଲି ଦ୍ୱିପହରରେ ଗଉଡ଼ମାନଙ୍କୁ ପାଖକୁ ତାଗିଦା କରିବା ପାଇଁ ପଠା ଯାଇଥିଲା । ତିନିଟଙ୍କା ଆଦାୟ କରି ପଳାଇଥିଲା । ସବୁ ପଇସା ଖର୍ଚ୍ଚ କରି ସାରି ଏଇମାତ୍ର ଆସି ପହଞ୍ଚୁଛି ?

 

ହେମାଙ୍ଗିନୀ ବିଶ୍ୱାସ କରିପାରିଲେ ନାହିଁ । କହିଲେ–କିଏ କହିଲା ସେ ଟଙ୍କା ଆଦାୟ କରିଥିଲା ବୋଲି ?

 

ଲକ୍ଷ୍ମଣ ଗଉଡ଼ ନିଜେ ଆସି କହି ଗଲା, କହି ଲଳିତ ପଢ଼ିବାକୁ ଚାଲିଗଲା ।

 

ଦୁଇତିନି ଘଣ୍ଟା ପାଇଁ ଆଉ କୌଣସି ପ୍ରକାର ଗଣ୍ଡଗୋଳ ଶୁଣାଗଲା ନାହିଁ । ଦଶଟା ବେଳକୁ ପୂଜାରୀ ଆସି କେତେ ଖଣ୍ଡ ରୁଟି ଦେଇ ଯାଇଥିଲା । ହେମାଙ୍ଗିନୀ ଖାଇବସିବାକୁ ଯାଉଥିଲେ ଏହି ସମୟରେ ତାଙ୍କ ଘର ବାହାରେ କୁରୁକ୍ଷେତ୍ର କାଣ୍ଡ ଘଟି ବସିଲା । ବଡ଼ ଯାଆଙ୍କ ପଛେ ପଛେ ପଞ୍ଚୁଗୋପାଳ କୃଷ୍ଣର କଣ ଧରି ଘିଡ଼ି ଘିଡ଼ି କରି ଟାଣି ଆଣୁଛି, ସଙ୍ଗରେ ଦେଢ଼ଶୁର ମଧ୍ୟ ଅଛନ୍ତି । ମଝିଆ ଭାଇ (ବିପିନ) ଆସିବା ପାଇଁ ଲୋକ ମଧ୍ୟ ଦୋକାନକୁ ପଠା ଯାଇଛି ।

 

ହେମାଙ୍ଗିନୀ ମୁଣ୍ଡରେ ଓଢ଼ଣା ଦେଇ ଘରର ଗୋଟିଏ ପାଖକୁ ଆଡ଼େଇ ଯିବା ବେଳେ ଦେଢ଼ଶୁର ବଡ଼ କଟୁ ଭାଷାରେ କହିଲେ–ତୁମ ପାଇଁ ଆମେତ ଆଉ ଏ ଘରେ ରହି ପାରିବୁ ନାହିଁ ବୋହୂ । ବିପିନକୁ କହ, ଆମକୁ ଏ ଘରର ଦାମ୍ ଦେଇଦେଉ, ଆମେମାନେ ହେଲେ ଆଉ ଅନ୍ୟ କେଉଁଠାକୁ ଉଠିଯିବୁ ।

 

ହେମାଙ୍ଗିନୀ ବିସ୍ମୟରେ ହତବୁଦ୍ଧି ହୋଇ ନୀରବରେ ଠିଆ ହୋଇ ରହିଲେ ।

 

ସେତେବେଳେ ବଡ଼ବୋହୂ ଯୁଦ୍ଧ ପରିଚାଳନାର ଭାର ନିଜ ହାତକୁ ନେଇ ଦ୍ଵାରର ଠିକ୍ ଆଗରେ ଆସି ହାତ ଗୋଡ଼ ହଲାଇ କହିଲେ–ମଝିଆଣୀ ବୋହୁ ମୁଁ ତୋର ବଡ଼ ଯାଆ, ତୁ ମୋତେ କୁକୁର–ବିଲୁଆ ବୋଲି ମନେ କରିପାରୁ ଅବା ଯାହା ଭାବୁଛୁ ତାହା ମନେ କରିପାରୁ କିନ୍ତୁ ହଜାର ଥର କହୁଛି ମିଛ ଲୋକ ଦେଖାଣିଆ ସ୍ନେହ ଦେଖାଇ ମୋର ଭାଇର ସର୍ବନାଶ କରନାହିଁ । ଏଥର ହେଲା ତ ? ଆଲୋ, ଦୁଇଦିନ ପାଇଁ ସୋହାଗ ଦେଖାଇବା ସହଜ କିନ୍ତୁ ଚିର କାଳପାଇଁ ତୁତ ଭାର ନେବୁ ନାହିଁ । ସେ ସବୁ ଦାୟିତ୍ୱ ମୋର ।

 

ଏହା ଯେ କଟୁକ୍ତି ଏବଂ ଆକ୍ରମଣ, ତାହାହିଁ ହେମାଙ୍ଗିନୀ ବୁଝିପାରିଲେ । ତଥାପି କଅଁଳ କଣ୍ଠରେ ପ୍ରଶ୍ନ କଲେ କ’ଣ ହେଲା କି ?

 

କାଦମ୍ବିନୀ ଆହୁରି ବେଶୀ ହାତ ଗୋଡ଼ ହଲାଇ କହିଲେ, ବେଶ୍ ହୋଇଛି । ଖୁବ୍ ଚମତ୍କାର ହୋଇଛି । ତୋରି ଶିକ୍ଷା ଫଳରେ ଆଦାୟ କରିଥିବା ଟଙ୍କାକୁ ଚୋରି କରିଛି । ଆଉ ଦୁଇଦିନ ପାଖରେ ବସାଇ ଆଉ କିଛି କୁପରାମର୍ଶ ଦେ । ତାହାହେଲେ ସିନ୍ଦୁକ ଭାଙ୍ଗି ବା ଏବଂ ସିନ୍ଧି ଗାତ ଖୋଳିବା ଶିଖିବ ।

 

ଏକରେ ହେମାଙ୍ଗିନୀ ପୀଡ଼ିତ, ତାହା ଉପରେ ଏଇ କଦର୍ଯ୍ୟ ବିଦ୍ରୁପ ଓ ଅଭିଯୋଗରେ ସେ ଜ୍ଞାନ ହରାଇ ବସିଲେ । ଏହାପୂର୍ବରୁ କୌଣସିଦିନ କୌଣସି କାରଣରୁ ସେ ଦେଢ଼ଶୁରଙ୍କ ଆଗରେ କଥା କହି ନ ଥିଲେ । କିନ୍ତୁ ଆଜି ରହି ପାରିଲେ ନାହିଁ । ଧୀର କଣ୍ଠରେ କହିଲେ–ମୁଁ କ’ଣ ତାକୁ ଚୋରି, ଡକାଇତି କରିବାକୁ ଶିକ୍ଷା ଦେଇଛି, ନାନୀ ?

 

କାଦମ୍ବିନୀ ସହଜ ଭାବରେ କହିଲେ–କିପରି ଜାଣିବି ଯେ ତୁ କଣ ଶିଖାଉଛୁ ଆଉ ନ ଶିଖାଉଛୁ ? ଏ ସ୍ଵଭାବ ତ ତାହାର ଆଗରୁ ନ ଥିଲା । ବର୍ତ୍ତମାନ ଅବା ହେଲା କିପରି ? ଏତେ ଲୁଚା ଛପା କଥାବାର୍ତ୍ତା କାହିଁକି ଯେ ? ତୋର ଏତେ ଆଦର ସିନିହ କାହିଁକି ବଳି ପଡ଼ିଲା ? କେତେଦିନର ପୁଞ୍ଜିଭୂତ ଆବଦ୍ଧ ବିଦ୍ୱେଷ ଯେପରି ଆଜି ବାହାରି ଆସିବାକୁ ବାଟ ପାଇ ପାରିଛି । ତେଣୁ ଭାବିଲେ ଯେତେ ପାରନ୍ତି ସେତେ କହି ଦେଲେ ସେ ଆଶ୍ୱସ୍ତ ହେବେ ।

 

କ୍ଷଣକାଳ ପାଇଁ ହେମାଙ୍ଗିନୀ ହତଜ୍ଞାନ ପରି ସ୍ତମ୍ଭିତ ହୋଇ ରହିଲେ । ଏପରି ନିଷ୍ଠୁର ଆଘାତ, ଏତେ ବଡ଼ ନିର୍ଲ୍ଲଜ ଅପମାନ, ମନୁଷ୍ୟ ମନୁଷ୍ୟକୁ ଯେ ଦେଇପାରେ, ଏହା ସେପରି ସେ ଚିନ୍ତା କରି ପାରିଲେ ନାହିଁ । କିନ୍ତୁ ପରକ୍ଷଣରେ ସେ ଆହତ ସିଂହୀ ଭଳି କ୍ରୋଧରେ ବାହାରକୁ ଚାଲି ଆସିଲେ । ଦେଢ଼ଶୁରଙ୍କୁ ଆଗରେ ଦେଖି ମୁଣ୍ଡ ଉପରେ ଓଢ଼ଣା ଆଉଟିକିଏ ଟାଣି ନେଲେ ସିନା; କିନ୍ତୁ ରାଗ ସମ୍ଭାଳି ପାରିଲେ ନାହିଁ । ବଡ଼ ଯାଆଙ୍କୁ ସଂବୋଧନ କରି ମୃଦୁ ଅଥଚ କଠୋର ସ୍ୱରରେ କହିଲେ–ତୁମେ ଏତେ ବଡ଼ ଅଲାଜୁକୀ ଯେ ଏ ଟୋକାଟାକୁ ନିଜର ଭାଇ ବୋଲି ପରିଚୟ ଦେଇପାରୁଛ ?

 

ମଣିଷ ପଶୁଟାଏ ପୋଷିଲେ ତାକୁ ମଧ୍ୟ ପେଟ ପୂରାଇ ଖାଇବାକୁ ଦିଏ । କିନ୍ତୁ ଏଇ ହତଭାଗାଟା ଦ୍ୱାରା ଯେତେପ୍ରକାରର ଛୋଟ କାମ ତୁମେ କରାଇ ନେଇ ଶୁଦ୍ଧା ଆଜି ପର୍ଯ୍ୟନ୍ତ କେବେ ଭଲା ପେଟପୂରାଇ ଖାଇବାକୁ ଦେଇଛ ? ମୁଁ ନ ଥିଲେ ଏତେଦିନ ଏ ପିଲାଟା ନ ଖାଇ ହୁଏତ ମରିଯାଆନ୍ତାଣି । ସେ ପେଟର ଜ୍ୱାଳାରେ ମୋ ପାଖକୁ ଧାଇଁ ଆସେ ସିନା, କିନ୍ତୁ ସ୍ନେହ ସୋହାଗ ପାଇଁ ଆସେ ନାହିଁ ।

 

ବଡ଼ଯାଆ କହିଲେ–ଆମେ ତାକୁ ଖାଇବାକୁ ଦେଉ ନାହୁଁ, ଖଟାଇ ଖଟାଇ ମାରୁଛୁ, ଆଉ ତୁ ଖାଇବାକୁ ଦେଇ ବଞ୍ଚାଇ ରଖିଛୁ ?

 

ହେମାଙ୍ଗିନୀ ଜବାବ ଦେବାକୁ କହିଲେ–ହଁ, ଠିକ୍ ସେଇଆ । ଆଜି ସୁଦ୍ଧା କେଉଁଦିନ ତୁମେ ତାକୁ ଦୁଇଓଳା ପେଟପୂରାଇ ଖାଇବାକୁ ଦେଇନାହିଁ । କେବଳ ମାରଧର କରିଛ । ଆଉ ଯେତେ ପାରିଛ ସେତେ ଖଟାଇଛ । ତୁମରି ଭୟରେ ମୁଁ ତାକୁ ହଜାର ଥର ଆସିବାକୁ ମନା କରିଥିବି । କିନ୍ତୁ ସେ ଭୋକ ସମ୍ଭାଳି ପାରେ ନାହିଁ । ସେଥିପାଇଁ ଦୁଇଟା ଖାଇବାଲାଗି ମୋ ପାଖକୁ ପଳାଇ ଆସେ । ପେଟ ପୂରିଗଲେ ଚାଲିଯାଏ । କିନ୍ତୁ ଚୋରୀ, ଡକାୟତି କରିବା ପାଇଁ ପରାମର୍ଶ ନେବାକୁ କେବେ ଆସେନାହିଁ । କିନ୍ତୁ ତୁମେ ଏତେବଡ଼ ହିଂସୁକ ଯେ ତାକୁ ଆଖିରେ ଦେଖିପାରନାହିଁ ।

 

ଏଥର ଦେଢ଼ଶୁର ଜବାବ ଦେଲେ । କୃଷ୍ଣକୁ ଆଗକୁ ଟାଣି ଆଣି ତାହାର କୁଞ୍ଚକାନି ଖୋଲି ଗୋଟିଏ କଦଳୀ ପତ୍ରର ଠେଲା ବାହାର କରି ରାଗରେ କହି ଉଠିଲେ–ଆମେମାନେ ପରା ହିଂସୁକ ? କାହିଁକି ଯେ ଆମେମାନେ ଦୁଇ ଆଖିରେ ଏହାକୁ ଦେଖି ପାରୁ ନାହୁଁ, ତାହା ତୁମେ ନିଜେ ଆଜି ଆଖିରେ ଦେଖି ନିଅ ମଝିଆଣୀ ବୋହୂମାଆ । ତୁମରି ଶିକ୍ଷା ଫଳରେ ସେ ତ ଆମରି ଟଙ୍କା ଚୋରି କରି ତୁମ ଆରୋଗ୍ୟ ପାଇଁ କୌଣସି ଠାକୁରଙ୍କ ପାଖରେ ପୂଜାଦେଇ ପ୍ରସାଦ ଘେନିକରି ଆସିଛି–ଏଇ ନିଅ, କହି ସେ ଗୋଟାଏ ଦୁଇଟା ସନ୍ଦେଶ ଓ ଫୁଲ ବେଲପତ୍ରି ଠୋଲା ଭିତରୁ ବାହାର କରି ଦେଖାଇଲେ ।

 

କାଦମ୍ବିନୀଙ୍କର ଆଖି ତାଳୁରେ ଖୋସି ହୋଇଗଲା । ସେ ଆଶ୍ଚର୍ଯ୍ୟ ହୋଇ କହି ଉଠିଲେ–ଓ ମାଆ ! କେତେ ସୟତାନ, ଧଡ଼ିବାଜ ପିଲା ହୋ । ଆଚ୍ଛା ମଝିଆଣୀବୋହୂ ଏଥର ତୁ କହ, କେଉଁ ମତଲବ ନେଇ ସେ ଚୋରି କରି ବସିଛି ? ଏହା କ’ଣ ମୋର ଆରୋଗ୍ୟ ପାଇଁ ?

 

ହେମାଙ୍ଗିନୀ କ୍ରୋଧରେ ଜ୍ଞାନ ହରାଇ ବସିଲେ । ଏକରେ ତାଙ୍କର ଅସୁସ୍ଥ ଶରୀର, ତାହା ସହିତ ଏସବୁ ମିଥ୍ୟା ଅଭିଯୋଗ । ସେ ଧାଇଁ ଯାଇ କୃଷ୍ଣର ଦୁଇ ଗାଲରେ ଦୁଇ ଚାପୁଡ଼ା ଆଚ୍ଛା କରି କଷି ଦେଇ କହିଲେ–ବଦମାସ, ଚୋର, ମୁଁ ତୋତେ ଚୋରୀ କରିବାକୁ ଶିକ୍ଷା ଦେଇଥିଲି-? କେତେଦିନ ତୋତେ ଆମ ଘରକୁ ଆସିବାକୁ ମନା କରିନାହିଁ ? ମୋର କିପରି ମନେ ହେଉଛି ଚୋରି କରିବା ମତଲବରେ ଯେତେବେଳେ ଇଚ୍ଛା ସେତେବେଳେ ତୁ ଉଙ୍କି ମାରି ଚାହୁଁ ଥିଲୁ-?

 

ଇତିମଧ୍ୟରେ ଘରର ସମସ୍ତେ ଆସି ପହଞ୍ଚିଯାଇଥିଲେ । ଶିବୁ କହିଲା–ମୁଁ ନିଜ ଆଖିରେ ଦେଖିଛି ମାଆ, ପଅରଦିନ ରାତିରେ ଏ ତୁମ ଘର ଆଗରେ ଅନ୍ଧାରରେ ଠିଆ ହୋଇଥିଲା । ମୋତେ ଦେଖି ଦୌଡ଼ି ପଳାଇଲା । ମୁଁ ନଆସିଥିଲେ ସେ ନିଶ୍ଚୟ ତୁମ ଘର ଭିତରେ ପଶି ଚୋରି କରିଥାନ୍ତା ।

 

ପଞ୍ଚୁ ଗୋପାଳ କହିଲା–ଜାଣ, ଖୁଡ଼ୀଙ୍କର ଅସୁସ୍ଥ ଶରୀର । ସଂଧ୍ୟା ହେଲେ ସେ ଶୋଇ ପଡ଼ନ୍ତି–ଏ କ’ଣ କମ୍ ଚାଲାକ୍ କି ?

 

ମଝିଆଣୀ ବୋହୂର କୃଷ୍ଣ ପ୍ରତି ଆଜିକାର ବ୍ୟବହାରରେ କାଦମ୍ବିନୀ ଯେପରି ପ୍ରସନ୍ନ ହୋଇ ଉଠିଲେ, ଏହି ଷୋଳ ବର୍ଷ ମଧ୍ୟରେ କୌଣସି ଦିନ ଏପରି ହୋଇ ନ ଥିଲେ । ଅତ୍ୟନ୍ତ ଖୁସି ହୋଇ କହିଲେ–ଓଲେଇ ବିରାଡ଼ି । ମୁଁ କିପରି ଜାଣିବି ଯେ ତୁ ଏହାକୁ ଘରକୁ ଯିବା ପାଇଁ ମନା କରିଛୁ ବୋଲି ? କହି ବୁଲେ କ’ଣ ନା ମଝିଆଣୀ ନାନୀ ମୋତେ ମାଆ ଠାରୁ ଆହୁରି ଭଲ ପାଏ ।

 

ଠୋଲାଟା ଟାଣି ଆଣି ଭୋଗ ସହିତ ସେଇଟାକୁ ଫିଙ୍ଗିଦେଇ କହିଲେ–ଟଙ୍କା ତିନିଟା ଚୋରି କରି କେଉଁଠାରୁ ଦୁଇଟା ଫୁଲ ବେଲପତ୍ର ଧରିଆସିଛି.......

 

ଦେଢ଼ଶୁର କୃଷ୍ଣକୁ ଘରକୁ ଫେରାଇ ନେଇ ଶାସ୍ତି ଦେବାକୁ ଆରମ୍ଭ କଲେ । ଓହୋ ! ସେ କି ନିର୍ଦ୍ଦୟ ପ୍ରହାର ! କୃଷ୍ଣ କଥା କହୁ ନଥାଏ କି କାନ୍ଦୁ ନ ଥାଏ । ଏ ପାଖରେ ମାରିଲେ ସେ ପାଖକୁ ମୁହଁ ବୁଲାଇ ନେଉଥାଏ । ସେପାଖକୁ ମାରିଲେ ଏପାଖକୁ ମୁହଁ ଫେରାଇ ନେଉଥାଏ । ବୋଝେଇ ଶଗଡ଼କୁ ଟାଣି ଟାଣି ନେଉ ନେଉ କାଦୁଅରେ ପଡ଼ିଲେ ଗୋରୁ ଯେପରି ମାଡ଼ ଖାଏ, ସେହିପରି କୃଷ୍ଣ ନୀରବରେ ମାଡ଼ ଖାଉଥାଏ । ଏପରିକି କାଦମ୍ବିନୀ ମଧ୍ୟ ସ୍ୱୀକାର କଲେ ଯେ, ମାଡ଼ ଖାଇବା ମଧ୍ୟ ସେ ଶିଖିଛି । କିନ୍ତୁ ଭଗବାନ ଜାଣନ୍ତି ଏଠାକୁ ଆସିବା ଆଗରୁ ତାହା ଦେହରେ କେହି ଟିପ ଛୁଆଇଁ ନ ଥିଲେ ।

 

ହେମାଙ୍ଗିନୀ ନିଜ ଘର ଭିତରେ ଝରକା ବନ୍ଦ କରି କାଠ ମୂର୍ତ୍ତି ଭଳି ବସି ରହିଥିଲେ । ଉମା ମାଡ଼ଖାଇବା ଦେଖି ଫେରି ଆସି କହିଲା–ଦେଠେଇ କହୁଛନ୍ତି କୃଷ୍ଣ ମାମୁଁ ବଡ଼ ହେଲେ ଡକାୟତ ହେବ । ତାଙ୍କ ଗାଆଁରେ କେଉଁ ଠାକୁର ଅଛନ୍ତି.....

 

ଉମା !

 

ମାଆଙ୍କର ଅଶ୍ରୁ ବିଜଡ଼ିତ କଣ୍ଠସ୍ୱର ଶୁଣି ଉମା ଚମକି ଉଠିଲା । ପାଖକୁ ଆସି ଭୟରେ ପଚାରିଲା–କ’ଣ ମା ?

 

ବର୍ତ୍ତମାନ କ’ଣ ତାକୁ ସମସ୍ତେ ମିଶି ମାରୁଛନ୍ତି ! କହି ସେ ବିଛଣା ଉପରେ ଚିତହୋଇ ଅଡ଼ି କାନ୍ଦିବାକୁ ଲାଗିଲେ ।

 

ମାଆଙ୍କର କାନ୍ଦ ଦେଖି ଉମା ମଧ୍ୟ କାନ୍ଦି ଉଠିଲା । ତାପରେ ପାଖରେ ବସି ପଣତରେ ମାଆ ଆଖିର ଲୁହ ପୋଛି ଦେଉ ଦେଉ କହିଲା–ପ୍ରସନ୍ନମାଆ କୃଷ୍ଣ ମାମୁଁଙ୍କୁ ବାହାରକୁ ଟାଣି ନେଇଛି ।

 

ହେମାଙ୍ଗିନୀ ଆଉ କଥା କହିଲେ ନାହିଁ । ସେହିଠାରେ ସେହିପରି ଭାବରେ ପଡ଼ି ରହିଲେ । ବେଳ ଦୁଇ ତିନିଟା ବେଳକୁ ଭୟଙ୍କର କମ୍ପ ହୋଇ ଜର ଆସିଲା । ଆଜି ଅନେକ ଦିନ ପରେ ପଥି ଖାଇବାକୁ ବସିଥିଲେ–ସେ ଖାଇବା ମଧ୍ୟ ସେହିପରି ପଡ଼ିରହି ଶୁଖିବାକୁ ଲାଗିଲା ।

 

ସଂଧ୍ୟାପରେ ବିପିନ ସେ ଘରେ ଭାଉଜଙ୍କ ନିକଟରୁ ସବୁ କଥା ଜାଣି ପାରି ରାଗି କରି ସ୍ତ୍ରୀ ଶୋଇଥିବା ଘରେ ପ୍ରବେଶ କରିବା କ୍ଷଣି ଉମା କହିଲା–ମାଆ ଜ୍ୱରରେ ଅଚେତନ ହୋଇ ପଡ଼ିଛି ।

 

ବିପିନ ଚମକି ଉଠିଲେ । କହିଲେ–ସେ କ’ଣ ? ଅଜାକୁ ତିନି ଚାରିଦିନ ହେବ ଜର ନ ଥିଲା ଯେ !

 

ବିପିନ ମନେ ମନେ ସ୍ତ୍ରୀଙ୍କୁ ଅତିଶୟ ଭଲ ପାଆନ୍ତି । କେତେ ଭଲପାଆନ୍ତି ତାହା ଚାରି ପାଞ୍ଚବର୍ଷ ପୂର୍ବେ ଭାଇ ଠାରୁ ଭିନ୍ନେ ହେବା ସମୟରେ ଜଣା ପଡ଼ିଥିଲା । ବ୍ୟାକୁଳ ହୋଇ ସେ ଘର ଭିତରକୁ ଯାଇ ଦେଖିଲେ–ସେତେବେଳ ପର୍ଯ୍ୟନ୍ତ ସେ ସେହିପରି ମାଟି ଉପରେ ପଡ଼ିଛି । ବ୍ୟସ୍ତ ହୋଇ ଶେଯ ଉପରକୁ ଉଠାଇ ନେବାପାଇଁ ଦେହରେ ହାତ ଦେବାକ୍ଷଣି ହେମାଙ୍ଗିନୀ ଆଖି ଖୋଲି, ମୁହୂର୍ତ୍ତକ ପାଇଁ ସ୍ୱାମୀଙ୍କର ମୁହଁକୁ ଚାହିଁ ରହି ହଠାତ୍‍ ଦୁଇ ଗୋଡ଼ ଧରି କାନ୍ଦି ଉଠି କହିଲେ–କୃଷ୍ଣକୁ ଆଶ୍ରୟ ଦିଅ । ନଚେତ ଏ ଜ୍ୱର ମୋର ଆଦୌ ଛାଡ଼ିବ ନାହିଁ, ମାଆ ଦୁର୍ଗା କୌଣସି ମତେ ମୋତେ କ୍ଷମା କରିବେ ନାହିଁ ।

 

ବିପିନ ପାଦ ଛଡ଼ାଇ ନେଇ, ପାଖରେ ବସି ସ୍ତ୍ରୀର ମଥା ଉପରେ ହାତ ବୁଲାଇ ସାନ୍ତ୍ୱନା ଦେବାକୁ ଲାଗିଲେ ।

 

ହେମାଙ୍ଗିନୀ କହିଲେ–ଦେବ ?

 

ବିପିନ ନିଜର ସକାଳ ଚକ୍ଷୁକୁ ହାତରେ ପୋଛି ନେଇ କହିଲେ–ତୁମେ ଯାହା ଚାହୁଁଛ ତାହା ନିଶ୍ଚୟ ପୂର୍ଣ୍ଣ ହେବ । ତୁମେ ସୁସ୍ଥ ହୁଅ ।

 

ହେମାଙ୍ଗିନୀ ଆଉ କିଛି କହିଲେ ନାହିଁ । ବିଛଣା ଉପରକୁ ଉଠି ଯାଇ ଶୋଇ ପଡ଼ିଲେ ।

 

ଜ୍ୱର ସେହିଦିନ ରାତ୍ରିରେ ହିଁ ଛାଡ଼ିଗଲା । ପରଦିନ ସକାଳୁ ବିପିନ ଏକଥା ଦେଖିପାରି ଅତ୍ୟନ୍ତ ଆନନ୍ଦିତ ହୋଇ ଉଠିଲେ । ହାତ ମୁହଁଧୋଇ, ଜଳଖିଆ କରି ଦୋକାନକୁ ବାହାରୁଥିଲେ, କିନ୍ତୁ ଏହି ସମୟରେ ହେମାଙ୍ଗିନୀ ଆସି କହିଲେ–ମାଡ଼ ଖାଇ କୃଷ୍ଣକୁ ଭାରୀ ଜ୍ୱର । ତାକୁ ମୁଁ ମୋ ପାଖକୁ ନେଇ ଆସୁଛି ।

 

ବିପିନ ମନେ ମନେ ଅତ୍ୟନ୍ତ ବିରକ୍ତ ହୋଇ କହିଲେ–ତାକୁ ଏ ଘରକୁ ଆଣିବା ଦରକାର କଣ ? ଯେଉଁଠାରେ ଅଛି ସେହିଠାରେ ଥାଉ ।

 

ହେମାଙ୍ଗିନୀ ମୁହୂର୍ତ୍ତକ ପାଇଁ ସ୍ତମ୍ଭିତ ହୋଇ କହିଲେ–କାଲି ତୁମେ ଯେ କଥା ଦେଲ ତାକୁ ଆଶ୍ରୟ ଦେବ ବୋଲି ?

 

ବିପିନ ଅବଜ୍ଞା ଭାବରେ ମୁଣ୍ଡ ହଲାଇ କହିଲେ–ହଁ, ସେ କିଏ ଯେ ତାକୁ ଆଣି ଘରେ ପୋଷିବାକୁ ହେବ ! ତୁମେ ମଧ୍ୟ କିପରି ଯେ...

 

ଗତକାଲି ରାତିରେ ସ୍ତ୍ରୀଙ୍କୁ ଅତ୍ୟନ୍ତ ଅସୁସ୍ଥ ଦେଖି ଯାହା ସ୍ୱୀକାର କରିଥିଲେ ଆଜି ସକାଳେ ସୁସ୍ଥଦେଖି ସେହି କଥାକୁ ତୁଚ୍ଛ କରି ଦେଲେ । ହାତରେ ଛତାଟା ଧରି ସେ କହିଲେ– ଏଭଳି ପାଗଳାମୀ କର ନାହିଁ । ଭାଇ ଜାଣିଲେ ଭୀଷଣ ରାଗିଯିବେ ।

 

ହେମାଙ୍ଗିନୀ ଶାନ୍ତ ଅଥଚ ଦୃଢ଼ କଣ୍ଠରେ କହିଲେ–ଭାଇ ରାଗିଗଲେ କ’ଣ ତାକୁ ଖୁନ୍‍ କରି ପକାଇବେ ନା ମୁଁ ନେଇ ଆସିଲେ ତାହାକୁ ସଂସାରରେ କେହି ଅଟକାଇ ରଖିପାରିବେ ? ମୋର ଦୁଇଟି ସନ୍ତାନ ଥିଲେ । କାଲିଠାରୁ ତିନୋଟି ହୋଇଛନ୍ତି । ମୁଁ କୃଷ୍ଣର ମାଆ ।

 

ଆଚ୍ଛା, ସେ କଥା ଦେଖା ଅଛି, କହି ବିପିନ ଚାଲିଯିବାକୁ ଉଦ୍ୟତ ହେବାକ୍ଷଣି, ହେମାଙ୍ଗିନୀ ଆଗରେ ଆସି ଠିଆ ହୋଇ ପ୍ରଶ୍ନ କଲେ–ଏ ଘରକୁ ତାକୁ ଆଣିବ ନାହିଁ ?

 

ଛାଡ଼, ଛାଡ଼ । କ’ଣ ଏପରି ପାଗଳାମୀ କରୁଛ, କହି ବିପିନ ଆଖି ରଙ୍ଗକରି ଚାଲିଗଲେ-

 

ହେମାଙ୍ଗିନୀ ଡାକିଲେ–ଆରେ ଶିବୁ ଗୋଟାଏ ବଳଦଗାଡ଼ି ଆଣ, ମୁଁ ବର୍ତ୍ତମାନ ମୋ ବାପ ଘରକୁ ଯିବି.....

 

ବିପିନ ଶୁଣିପାରି ମନେ ମନେ ହସି ଦେଇ କହିଲେ–ଇସ୍ ! ଭୟ ଦେଖା ହେଉଛି !

 

ତା ପରେ ଦୋକାନକୁ ଚାଲିଗଲେ ।

 

(୧୦)

 

କୃଷ୍ଣ ଚଣ୍ଡୀ ମଣ୍ଡପୁର ଗୋଟିଏ କଣରେ ଛିଣ୍ଡା ମନ୍ଦୁରା ଉପରେ ଜ୍ୱରରେ ଏବଂ ଦେହର ବ୍ୟଥାନେଇ ଅଚେତ ହୋଇ ପଡ଼ିଥିଲା । ହେମାଙ୍ଗିନୀ ଡାକିଲେ–କୃଷ୍ଣ !

 

କୃଷ୍ଣ ଯେପରି ପ୍ରସ୍ତୁତ ହୋଇ ରହିଥିଲା । ଏଥର ଚଟ୍ କରି ଉଠି ପଡ଼ି କହିଲା–ମଝିଆଣୀ ନାନୀ ! ପରକ୍ଷଣରେ ସଲ୍ଲଜ ହସ ତାର ମୁହଁ ସାରା ଫୁଟି ଉଠିଲା । ସତେ ଯେପରି ତାର କୌଣସି ଅସୁଖ, ବିସୁଖ ହୋଇ ନ ଥିଲା । ଏହିପରି ଭାବରେ ମହା ଉତ୍ସାହରେ ଉଠି ପଡ଼ି ଠିଆ ହୋଇ ଲୋଚା ହୋଇଥିବା ଛିଣ୍ଡା ମନ୍ଦୁରାକୁ ଝାଡ଼ି ଦେଇ କହିଲା–ବସ, ବସ ।

 

ହେମାଙ୍ଗିନୀ ତାର ହାତ ଧରି ଛାତି ଉପରକୁ ଟାଣି–ନେଇ କହିଲେ–ଆଉ ବସିବାକୁ ଆସିନାହିଁ ଭାଇ । ଆସ ମୋ ସଙ୍ଗରେ । ତୋତେ ମୋ ବାପଘରେ କେଇ, ଆଜି ଛାଡ଼ି ଦେଇ ଆସିବାକୁ ହେବ ଯେ....

 

–ଚାଲ, କହି କୃଷ୍ଣ ତାର ଭଙ୍ଗା ବାଡ଼ିଟା କାଖରେ ଜାକିଲା ଏବଂ ଛିଣ୍ଡା ଗାମୁଛାଟା କାନ୍ଧରେ ପକାଇ ବାହାରି ପଡ଼ିଲା ।

 

ଘର ଆଗରେ ବଳଦ ଗାଡ଼ି ଠିଆ ହୋଇଥିଲା । ହେମାଙ୍ଗିନୀ କୃଷ୍ଣକୁ ସଙ୍ଗରେ ନେଇ ବସି ପଡ଼ିଲେ । ଗାଡ଼ି ଯେତେବେଳେ ଗାଆଁ ପାରି ହୋଇ ଯିବାକୁ ବସିଛି, ସେତେବେଳେ ପଛରୁ ଡାକ ଶୁଣି ଶଗଡ଼ିଆ ଗାଡ଼ି ଅଟାକାଇଲା । ଝାଳ ଗମ୍ ଗମ୍ ଦେହରେ ବିପିନ ଆସି ପହଞ୍ଚି ଭୟ ମିଶ୍ରିତ କଣ୍ଠରେ ପ୍ରଶ୍ନ କଲେ–କୁଆଡ଼େ ଯାଉଛୁ ?

 

ହେମାଙ୍ଗିନୀ କୃଷ୍ଣକୁ ଦେଖାଇ କହିଲେ–ଏହାରି ଗ୍ରାମକୁ ।

 

କେବେ ଫେରିବ ?

 

ହେମାଙ୍ଗିନୀ ଗମ୍ଭୀର ହୋଇ ଦୃଢ଼ କଣ୍ଠରେ କହିଲେ–ଭଗବାନ ଯେତେବେଳେ ଫେରାଇବେ ସେତେବେଳେ ଫେରିବି ।

 

ତାର ମାନେ ?

 

ହେମାଙ୍ଗିନୀ ପୁନରାୟ କୃଷ୍ଣକୁ ଦେଖାଇ କହିଲେ–କେଉଁଠାରେ ଯଦି କେତେବେଳେ ଏହାକୁ ଆଶ୍ରୟ ମିଳେ, ତେବେ ଏକାକୀ ଫେରି ଆସିବି । ନ ହେଲେ ଏହାକୁ ଧରି ରହିବାକୁ ହିଁ ହେବ ।

 

ବିପିନର ମନେ ପଡ଼ିଲା, ସେଦିନ ସ୍ତ୍ରୀର ଏହିପରି ମୁହଁର ଭଙ୍ଗୀ ସେ ଦେଖି ପାରିଥିଲେ ଏବଂ ଏହିପରି କଣ୍ଠସ୍ୱର ଶୁଣି ପାରିଥିଲେ ଯେଉଁଦିନ ମତି କମାର ଅସହାୟା ଭଉଣୀଟିର ବଗିଚାଟିକୁ ରକ୍ଷା କରିବା ପାଇଁ ସେ ଏକାକୀ ସମସ୍ତ ଲୋକଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ । ମନେ ପଡ଼ିଲା ଏ ମଝିଆଣୀ ବୋହୂ ସେ ନୁହେଁ, ଯାହାକୁ ନାଲି ଆଖି ଦେଖାଇ ଶାସନ କରାଯାଇପାରିବ ।

 

ବିପିନ ନମ୍ର ସ୍ୱରରେ କହିଲେ–ମୋତେ କ୍ଷମା କର । ଘରକୁ ଫେରି ଚାଲ ।

 

ହେମାଙ୍ଗିନୀ ହାତଯୋଡ଼ି କରି କହିଲେ–ତୁମେ ବରଂ ମୋତେ କ୍ଷମା କର ଯେହେତୁ କାମ ସଂପୂର୍ଣ୍ଣ ନକରି କୌଣସି ମତେ ମୁଁ ଘରକୁ ଫେରି ପାରିବି ନାହିଁ ।

 

ବିପିନ ମୁହୂର୍ତ୍ତକ ପାଇଁ ସ୍ତ୍ରୀର ଶାନ୍ତ ମୁହଁ ଆଡ଼କୁ ନୀରବରେ ଚାହିଁ ରହିଲେ । ତା ପରେ ହଠାତ୍‍ ଆଗକୁ ଝୁଙ୍କି ପଡ଼ି କୃଷ୍ଣର ଡାହାଣ ହାତଟା ଧରି ପକାଇ କହିଲେ–କୃଷ୍ଣ ତୋର ନାନୀକୁ ତୁ ଘରକୁ ଫେରାଇ କରି ନେଇ ଆସ । ଶପଥ କରୁଛି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ ଦୁଇ ଭାଇ ଭଉଣୀଙ୍କୁ କେହି ଅଲଗା କରି ପାରିବେ ନାହିଁ । ଆ ଭାଇ, ତୋର ମଝିଆଣୀ ନାନୀକୁ ନେଇ ଘରକୁ ଫେରି ଆସ ।

Image

 

 

 

 

 

 

 

 

 

 

 

 

 

ଅଂଧାରେ ଆଲୋକ

 

ସେ ଅନେକ ଦିନର ଘଟଣା । ସତ୍ୟେନ୍ଦ୍ର ଚୌଧୁରୀ ଜମିଦାରଙ୍କର ପୁଅ । ବି. ଏ. ପାଶ ଘରକୁ ଯାଇଥିଲା । ତା'ର ମାଆ କହିଲେ–ଝିଅଟି ବଡ଼ ଲକ୍ଷ୍ମୀବନ୍ତ ବାପା ! କଥା ଶୁଣ । ଥରକ ପାଇଁ ଦେଖି ଆସ ।

 

ସତ୍ୟେନ୍ଦ୍ର ମୁଣ୍ଡ ହଲାଇ କହିଲା–ନା, ମାଆ ! ବର୍ତ୍ତମାନ ମୁଁ କୌଣସିମତେ ପାରିବି ନାହିଁ-। ତାହାହେଲେ ଆଉ ପାସ୍ କରିପାରିବିନାହିଁ ।

 

ପାରିବୁ ନାହିଁ କାହିଁକି ? ବୋହୂ ରହିବ ମୋ ପାଖରେ, ତୁ ଲେଖାପଢ଼ା କରିବୁ କଲିକତାରେ; ପାସ୍ କରିବା ପାଇଁ ତୋର ଏଥିରେ କ’ଣ ବାଧା ଉପୁଜିବ ମୁଁ ତ ଭାବି ପାରୁ ନାହିଁ ସବୁ ।

 

ନା, ମାଆ ସେ ସୁବିଧା ହେବ ନାହିଁ, ମୋର ମଧ୍ୟ ବର୍ତ୍ତମାନ ସମୟ ନାହିଁ, ଇତ୍ୟାଦି କହି କହି ସତ୍ୟ ଚାଲିଯାଉଥିଲା ।

 

ମାଆ କହିଲେ–ଯାଆ ନାହିଁ । ଠିଆ ହୁଅ । ଆହୁରି ମଧ୍ୟ କଥା ଅଛି । ଟିକିଏ ଅଟକି ଯାଇ କହିଲେ–ମୁଁ କଥା ଦେଇଛି ବାବା ! ମୋର ମାନ, ସମ୍ମାନ କ’ଣ ରଖିବୁ ନାହିଁ ?

 

ସତ୍ୟ ଫେରି ଠିଆ ହୋଇ ଅସନ୍ତୁଷ୍ଟ ହୋଇ କହିଲା–ମୋତେ ନ ପଚାରି ତୁମେ କଥା ଦେଉଥିଲ କାହିଁକି ?

 

ପୁଅର କଥା ଶୁଣି ମାଆ ମନରେ ଅତ୍ୟନ୍ତ କଷ୍ଟ ଅନୁଭବ କଲେ । କହିଲେ–ସେ ଦୋଷ ମୋର ହୋଇଛି । କିନ୍ତୁ ତୋତେ ତ ମାଆର ସମ୍ମାନ ରକ୍ଷା କରିବାକୁ ହେବ । ତାହାବ୍ୟତୀତ ବିଧବା ମାଆର ସେ ଝିଅଟି ବଡ଼ ଦୁଃଖୀ, କଥା ଶୁଣ ସତ୍ୟ, ରାଜି ହୋଇ ଯାଆ ।

 

ଆଚ୍ଛା, ପରେ କହିବି କହି ସତ୍ୟେନ୍ଦ୍ର ଚାଲିଗଲା ।

 

ମାଆ ଅନେକକ୍ଷଣ ଧରି ନୀରବରେ ଠିଆ ହୋଇ ରହିଲେ । ସେ ହେଉଛି ତାଙ୍କର ଏକମାତ୍ର ସନ୍ତାନ । ସାତ ଆଠ ବର୍ଷ ହେବ ସ୍ୱାମୀଙ୍କର କାଳ ହୋଇ ଯାଇଛି । ସେହିଦିନଠାରୁ ନିଜେ ବିଧବା ହେଲେ ସୁଦ୍ଧା ନାଏବ, ଗୁମାସ୍ତାଙ୍କର ସାହାଯ୍ୟରେ ଜମିଦାରୀ ଶାସନ କରି ଆସିଛନ୍ତି-। ପୁଅ କଲିକତାରେ ରହି କଲେଜରେ ପାଠ ପଢ଼େ । ବିଷୟ ସଂପତ୍ତିର ଖବର ସେ ରଖେ ନାହିଁ-। ମାଆ ମନେ ମନେ ଭାବି ଭାବି ଠିକ୍ କରିଥିଲେ, ପୁଅ ଓକିଲାତି ପାଶ୍ କରିଲେ, ତାହାଙ୍କର ବିବାହ ଦେବେ ଏବଂ ପୁଅ ବୋହୂଙ୍କ ହାତରେ ଜମିଦାରୀ ଏବଂ ସଂସାରର ସମସ୍ତ ଭାର ଅର୍ପଣ କରି ନିଶ୍ଚିନ୍ତ ହେବେ । ଏହା ଆଗରୁ ସେ ପୁଅକୁ ସଂସାରୀ କରି ତାହାର ଉଚ୍ଚଶିକ୍ଷାର ଅନ୍ତରାୟ ହୋଇବେ ନାହିଁ । କିନ୍ତୁ ଘଟଣା ଯେ ଅନ୍ୟରୂପ ଧରିଲା ।

 

ସ୍ୱାମୀଙ୍କ ମୃତ୍ୟୁ ପରେ ଏ ଘରେ ଏତେଦିନ ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ ହୋଇ ନାହିଁ-। ସେଦିନ କ’ଣ ଗୋଟାଏ ବ୍ରତ ଉପଲକ୍ଷେ ଗ୍ରାମର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା, ମୃତ ଅତୁଲ ମୁଖାର୍ଜିଙ୍କର ଦରିଦ୍ର ବିଧବା ଏଗାର ବର୍ଷର ଝିଅକୁ ସାଙ୍ଗରେ ଧରି ନିମନ୍ତ୍ରଣ ରକ୍ଷା କରିଥିଲେ । କେବଳ ଯେ ଝିଅଟି ନିଖୁଣ ସୁନ୍ଦରୀ ତାହା ନୁହେଁ, ଏତେ ଅଳ୍ପ ବୟସରେ ଝିଅଟି ଯେ ଅଶେଷ ଗୁଣବତୀ ତାହା ମଧ୍ୟ ସେ ଦୁଇ ଚାରିପଦ କଥାବାର୍ତ୍ତାରୁ ବୁଝି ପାରିଥିଲେ ।

 

ମାଆ ମନେ ମନେ କହିଲେ, ଆଚ୍ଛା, ଆଗ ତୋତେ ଝିଅ ଦେଖାଏ, ତାପରେ କିପରି ପସନ୍ଦ ନ କରିବୁ ଦେଖାଯିବ ।

 

ତା ପରଦିନ ଅପରାହ୍ନବେଳେ ଖାଇବା ପାଇଁ ମାଆଙ୍କ ଘରେ ପଶି ସତ୍ୟ ସ୍ତବ୍ଧ ଭାବରେ ଠିଆହୋଇ ରହିଲା । ତାହାର ଖାଇବା ସ୍ଥାନରେ ଠିକ୍ ଆଗରେ ଆସନ ପାତି ବୈକୁଣ୍ଠର ଲକ୍ଷ୍ମୀ ଠାକୁରାଣୀଟିକୁ କିଏ ହୀରା ମୁକ୍ତାରେ ସଜାଇ ବସାଇ ରଖିଛି ।

 

ମାଆ ଘର ଭିତରକୁ ପଶି ଆସି କହିଲେ–ଖାଇ ବସ ।

 

ସତ୍ୟର ଚମକ ଭାଙ୍ଗିଲା । ସେ ଥତମତ ହୋଇ କହିଲା–ଏଠାରେ କାହିଁକି ? ଆଉ କେଉଁଠାରେ ମୋତେ ଖାଇବାକୁ ଦେ ।

 

ମାଆ ମୃଦୁ ହସି କହିଲେ–ତୁ ତ ଆଉ ସତରେ ବାହା ହେବାକୁ ଯାଉନାହୁଁ । ଏଇ ଛୋଟ ଝିଅଟା ଆଗରେ ତୋର ଲାଜ କରିବାର କ’ଣ ଅଛି ।

 

ମୁଁ କାହାକୁ ଦେଖିଲେ ଲାଜ କରେ ନାହିଁ କହି ସତ୍ୟ ଆଗରେ ପଡ଼ିଥିବା ଆସନରେ ବସି ପଡ଼ିଲା । ମାଆ ଚାଲିଗଲେ । ଦୁଇମିନିଟ ଭିତରେ ସେ କୌଣସି ମତେ ନାକ କାନରେ ଗୁଞ୍ଜି ଖାଇଲା ପରି ଖାଇ ଉଠିଗଲା ।

 

ବାହାର ଘରେ ପହଞ୍ଚି ଦେଖିଲା ଯେ ଏ ଭିତରେ ବଂଧୁମାନେ ଆସି ଯୁଟି ଯାଇଛନ୍ତି ଏବଂ ପଶାପାଲି ଖୋଲା ହୋଇ ପଡ଼ିସାରିଛି । ସେ ପ୍ରଥମ ଦୃଢ଼ ଆପତ୍ତି ଜଣାଇ କହିଲା–ମୁଁ କୌଣସିମତେ ବସି ପାରିବି ନାହିଁ । ମୋର ମୁଣ୍ଡ ଭୀଷଣ ବ୍ୟଥା ହେଉଛି, କହି ଘରର ଗୋଟିଏ କଣକୁ ଘୁଞ୍ଚିଯାଇ ତକିଆରେ ମୁହଁ ଗୁଞ୍ଜି ଶୋଇ ପଡ଼ିଲା । ବନ୍ଧୁମାନେ ମନେ ମନେ ଆଶ୍ଚର୍ଯ୍ୟ ହୋଇ ଉଠିଲେ । ସଙ୍ଗୀ ଅଭାବରୁ ପଶା ପାଲିରୁ ଜଣକର ଗୋଟି ରଖି ଦେଇ ଖେଳି ବସିଲେ । ସଂଧ୍ୟା ପର୍ଯ୍ୟନ୍ତ ଅନେକ ପାଟିତୁଣ୍ଡ ହେଲା; କିନ୍ତୁ ସତ୍ୟ ଥରକ ପାଇଁ ଆଖିଖୋଲି ଆଦୌ ଚାହିଁଲା ନାହିଁ କିମ୍ବା ଥରକ ପାଇଁ ପଚାରିଲା ନାହିଁ, କିଏ ଜିତିଲା ଏବଂ କିଏ ହାରିଲା ? ଆଜି ଏ ସବୁ ତାକୁ ଆଦୌ ଭଲ ଲାଗୁ ନ ଥାଏ ।

 

ବଂଧୁମାନେ ଚାଲିଯିବା ପରେ ସେ ସିଧା ନିଜ ଘର ଭିତରକୁ ପଶି ଯାଉଥିଲା ବେଳେ, ଭଣ୍ଡାର ଘର ବାରଣ୍ଡାରେ ଥାଇ ମାଆ ପଚାରିଲେ–ଏତେବେଳେ ଶୋଇବାକୁ କ’ଣ ଯାଉଛୁ ?

 

ଶୋଇବାକୁ ନୁହେଁ, ପଢ଼ିବାକୁ ଯାଉଛି । ଏମ. ଏ. ପାଠ କିଛି ସହଜ ନୁହେଁତ ! ସମୟ ନଷ୍ଟ କଲେ ଚଳିବ କିପରି ? କହି ସେ ଗୂଢ଼ ଇଙ୍ଗିତ ଦେଇ ଦୁମ ଦୁମ ଶବ୍ଦକରି ଉପରକୁ ଉଠିଗଲା-

 

ଅଧଘଣ୍ଟା ବିତିଯାଇଛି, ସେ ଗୋଟିଏ ପୃଷ୍ଠା ସୁଦ୍ଧା ପଢ଼ିନାହିଁ । ଟେବୁଲ ଉପରେ ବହି ଖୋଲା ହୋଇ ପଡ଼ିଛି । ଚୌକିରେ ଆଉଜି ପଡ଼ି ଉପରକୁ ମୁହଁ କରି କଡ଼ିକାଠକୁ ଏକ ଧ୍ୟାନରେ ଚାହିଁ ରହିଥିଲା । ହଠାତ୍‍ ତାର ଧ୍ୟାନ ଭାଙ୍ଗିଗଲା । ସେ କାନ ପାତି ଶୁଣିଲା–ଝୁମ୍, ଆଉ କିଛିକ୍ଷଣପରେ ଝୁମ୍ ଝୁମ୍ । ସତ୍ୟ ସିଧା ଉଠି ବସି ଦେଖିଲା, ସେହି ଆପାଦମସ୍ତକ ଗହଣା ପିନ୍ଧା ଲକ୍ଷ୍ମୀଠାକୁରାଣୀ ପରି ଝିଅଟି ଧୀରେ ଧୀରେ ନିକଟକୁ ଆସି ଠିଆ ହେଲା । ସତ୍ୟ ଏକ ଦୃଷ୍ଟିରେ ଚାହିଁରହିଲା ।

 

ଝିଅଟି ମୃଦୁ କଣ୍ଠରେ କହିଲା, ମାଆ ଆପଣଙ୍କ ମତ ଜାଣିବାକୁ ଚାହୁଁଛନ୍ତି ?

 

ସତ୍ୟ ମୁହୂର୍ତ୍ତକ ପାଇଁ ନୀରବ ରହି ପଚାରିଲା–କାହାର ମାଆ ?

 

ଝିଅଟି କହିଲା–ମୋର ମାଆ ।

 

ସତ୍ୟ ହଠାତ୍ ପ୍ରତ୍ୟୁତ୍ତର ଖୋଜି ପାଇଲା ନାହିଁ । କ୍ଷଣକ ପରେ କହିଲା, ମୋ ମାଆକୁ ପଚାରିଲେ, ଜାଣି ପାରିବେ ।

 

ଝିଅଟି ଚାଲିଯାଉଥିଲା, ସତ୍ୟ ହଠାତ୍ ପଚାରି ପକାଇଲା–ତୁମର ନାମ କଣ ?

 

ମୋର ନାମ ରାଧାରାଣୀ, କହି ସେ ଚାଲିଗଲା ।

 

(୨)

 

ରାଧାରାଣୀକୁ ନିହାତି ନିଷ୍ଠୁର ଭାବରେ ପ୍ରତ୍ୟାଖ୍ୟାନ କରି ସତ୍ୟ ଏମ୍. ଏ. ପାସ୍ କରିବା ପାଇଁ କଲିକତା ଚାଲିଆସିଛି । ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଗୁଡ଼ିକ ନ ଦେଲା ପର୍ଯ୍ୟନ୍ତ ତ କୌଣସିମତେ ନୁହେଁ । ଖୁବ୍ ସମ୍ଭବ ପରେମଧ୍ୟ ନୁହେଁ । ସେ ବିବାହ କରିବ ନାହିଁ, କାରଣ ସଂସାର କରି ସାରିଲେ ମନୁଷ୍ୟର ଆତ୍ମସଂଭ୍ରମ ନଷ୍ଟ ହୋଇଯାଏ ଇତ୍ୟାଦି ଇତ୍ୟାଦି । ତଥାପି ରହି ରହି କେତେବେଳେ ତାର ମନଟା କିମିତି କିମିତି ହୋଇ ଉଠେ । କୌଣସିଠାରେ କେଉଁ ନାରୀ ମୂର୍ତ୍ତି ଦେଖିଲାମାତ୍ରେ ଆଉ ଗୋଟିଏ ଛୋଟ ନାରୀ ମୁହଁ ତାହାରି ପାଖରେ ଜାଗିଉଠି, ତାହାକୁ ଆବୃତ୍ତ କରି ଏକାକୀ ବିଷାଦ କରେ । ତେଣୁ ସତ୍ୟ କୌଣସି ମତେ ସେହି ଲକ୍ଷ୍ମୀ ଠାକୁରାଣୀଟିକୁ ଭୁଲି ପାରୁ ନ ଥିଲା । ସଦା ସର୍ବଦା ସେ ନାରୀମାନଙ୍କ ପ୍ରତି ଉଦାସୀନ । ଅକସ୍ମାତ୍‍ ତାର ଏପରି କ’ଣ ହେଲାଯେ ବାଟ ଘାଟରେ କେଉଁଠାରେ ବିଶେଷ ବୟସର କୌଣସି ଝିଅକୁ ଦେଖିନେଲେ ତାହାକୁ ଭଲକରି ଦେଖିବାକୁ ଇଚ୍ଛାକରେ । ହଜାରେ ଚେଷ୍ଟାକରି ସୁଦ୍ଧା ଯେପରି ସେ କୌଣସି ମତେ ଆଖି ଫେରାଇ ଆଣି ପାରେ ନାହିଁ । ଦେଖୁ ଦେଖୁ ହୁଏତ ହଠାତ୍ ଲଜ୍ଜାରେ ବାରମ୍ବାର ତା'ର ଦେହ ଶିର ଶିର କରି ଉଠେ, ସେ ତତକ୍ଷଣାତ୍ ଯେକୌଣସି ବାଟଧରି ଜଲଦି ବାହାରିଥାଏ ।

 

ସତ୍ୟ ପହଁରିକରି ଗାଧୋଇବାକୁ ଭଲପାଏ । ତାହା ବସାଠାରୁ ଗଙ୍ଗାନଦୀ ବହୁତ ଦୂର ନୁହେଁ, ପ୍ରାୟ ସେ ଜଗନ୍ନାଥ ଘାଟରେ ଗାଧୋଇବାକୁ ଯାଉଥାଏ ।

 

ଆଜି ପୂର୍ଣ୍ଣିମା, ଘାଟରେ ସାମାନ୍ୟ ଭିଡ଼ ହୋଇଥିଲା । ଗଙ୍ଗାକୁ ଆସିଲେ ସେ ଯେଉଁ ଉତ୍କଳୀୟ ବ୍ରାହ୍ମଣ ନିକଟରେ ଲୁଗାପଟା ଜିମାରଖି ଗାଧୋଇବାକୁ ଯାଏ, ସେହି ବ୍ରାହ୍ମଣଙ୍କ ଉଦ୍ଦେଶ୍ୟରେ ଆସି ଗୋଟିଏ ସ୍ଥାନରେ ବାଧା ପାଇ ସ୍ଥିର ହୋଇ ଠିଆ ହୋଇ ଦେଖିଲା ଚାରିପାଞ୍ଚ ଜଣ ଲୋକ ଗୋଟିଏ ଦିଗରେ ଏକ ଲକ୍ଷରେ ଚାହିଁ ରହିଛନ୍ତି । ସତ୍ୟ ସେମାନଙ୍କର ଦୃଷ୍ଟି ଅନୁସରଣ କରି ଯାହା ଦେଖିବାକୁ ପାଇଲା, ସେଥିରେ ସେ ସ୍ତବ୍ଧ ହୋଇ ଠିଆ ହୋଇ ରହିଲା ।

 

ତାହାର ମନେହେଲା ଯେପରି ଏକ ସଙ୍ଗରେ ଏତେ ରୂପ ସେ ଆଉ କେଉଁଠାରେ କୌଣସି ନାରୀ ନିକଟରେ ପୂର୍ବରୁ ଦେଖିନାହିଁ । ଝିଅଟିର ବୟସ ଅଠର, ଉଣିଶିରୁ ବେଶୀ ନୁହେଁ । ସାଦାସିଧା କଳାଧଡ଼ିଆ ଶାଢ଼ୀଟି ପିନ୍ଧିଛି । ଦେହରେ ଅଳଙ୍କାର ଆଦୌ ନାହିଁ । ତାର ପରିଚିତ ପଣ୍ଡା ନିକଟରେ ନଇଁ ପଡ଼ି କପାଳରେ ଚନ୍ଦନର ଟିପା ପିନ୍ଧୁଛି ।

 

ସତ୍ୟ ନିକଟରେ ଆସି ଠିଆହେଲା । ପଣ୍ଡା ସତ୍ୟଠାରୁ ଯଥେଷ୍ଟ ପାଉଣା ପାଏ । ସେଇଥିପାଇଁ ରୂପସୀର ଚାନ୍ଦ ମୁହଁଟିକୁ ଖାତିର ନକରି ହାତରେ ଧରିବା ଛତାକୁ ଫିଙ୍ଗିଦେଇ ଲୁଗାପଟା ପାଇଁ ହାତ ବଢ଼ାଇ ଦେଲା ।

 

ଦୁଇଜଣଙ୍କର ଚାରିଚକ୍ଷୁର ମିଳନ ହେଲା । ସତ୍ୟ ଶୀଘ୍ର ପଣ୍ଡାଙ୍କ ହାତକୁ ଲୁଗାପଟାଦେଇ ଗାଧୋଇବା ପାଇଁ ଗଙ୍ଗା ଜଳରେ ପ୍ରବେଶ କଲା । ଆଜି ଆଉ ସେ ପହଁରି ପାରିଲା ନାହିଁ । କୌଣସି ପ୍ରକାରେ ସେ ଗାଧୁଆ ସାରି ଯେତେବେଳେ ତୁଠ ଉପରକୁ ଉଠି ଆସିଲା, ସେତେବେଳକୁ ସେ ରୂପସୀଟି ଚାଲିଯାଉଥିଲା ।

 

ସାରାଦିନ ସାରାରାତି ସତ୍ୟର 'ଗଙ୍ଗା ଗଙ୍ଗା' କରିଗଲା ଏବଂ ପରଦିନ ଭଲ କରି ସକାଳ ନହେଉଣୁ ମାଆ ଗଙ୍ଗା ଏପରି ଆକର୍ଷଣ କଲେ ଯେ ବିଳମ୍ବ ନକରି ଆଲଣାରୁ ଖଣ୍ଡିଆ ଲୁଗା ଟାଣିନେଇ ଗଙ୍ଗାକୁ ଗାଧୋଇ ଯିବାପାଇଁ ତାକୁ ତର ସହିଲା ନାହିଁ ।

 

ଘାଟରେ ଆସି ପହଞ୍ଚି ଦେଖିଲା, ଅପରିଚିତା ରୁପସୀ ଏଇମାତ୍ର ସ୍ନାନ ସାରି ତୁଠ ଉପରକୁ ଉଠୁଛି, ସତ୍ୟ ମଧ୍ୟ ନିଜେ ଯେତେବେଳେ ସ୍ନାନ ସାରି ପଣ୍ଡାଙ୍କ ନିକଟକୁ ଆସିଲା, ସେତେବେଳେ ପୂର୍ବଦିନ ପରି ସେହି ତରୁଣୀଟି ନିଜର ଲଲାଟ ଚିତ୍ରିତ କରାଇବା ପାଇଁ ବସିପଡ଼ିଥାଏ । ଆଜିମଧ୍ୟ ଚାରିଚକ୍ଷୁର ମିଳନ ହେଲା, ଆଜିମଧ୍ୟ ତାର ସର୍ବାଙ୍ଗରେ ବିଦ୍ୟୁତର ଶିହରଣ ଖେଳିଗଲା । ସେ କୌଣସିମତେ ଲୁଗାବଦଳାଇ ତରତର ହୋଇ ବାହାରି ପଡ଼ିଲା ।

 

(୩)

 

ରମଣୀ ପ୍ରତିଦିନ ବଡ଼ିସକାଳୁ ଗଙ୍ଗାସ୍ନାନ କରିବାକୁ ଆସେ, ସତ୍ୟ ତାହା ବୁଝିପାରିଥିଲା-। ଏତେଦିନ ଧରି ଯେ ଉଭୟଙ୍କର ସାକ୍ଷାତ ଘଟିନଥିଲା, ତାହାର ଏକମାତ୍ର କାରଣ, ସତ୍ୟ ବିଳମ୍ବରେ ଗାଧୋଇବାକୁ ଆସୁଥିଲା ।

 

ଜାହ୍ନବୀ ତଟରେ ଉପର୍ଯ୍ୟୁପରି ଅଜାକୁ ସାତଦିନ ଧରି ଉଭୟଙ୍କର ଚାରିଚକ୍ଷୁର ମିଳନ ସିନା ହୋଇ ଆସୁଛି, କିନ୍ତୁ ମୁହଁର କଥା ହୋଇନାହିଁ । ବୋଧହୁଏ ତାର ପ୍ରୟୋଜନ ନଥିଲା । ଯେଉଁଠାରେ ଚାହାଁଣୀରେ କଥାବାର୍ତ୍ତା ହୁଏ, ସେଠାରେ ମୁହଁ ମୂକ ହୋଇ ରହିବାକୁ ବାଧ୍ୟ ହୋଇଥାଏ । ଏହି ଅପରିଚିତା ରୂପସୀ ଯିଏ, ହୁଅନ୍ତୁ ସିଏ ଯେ ଆଖିରେ କଥା କହି ଶିଖିଛନ୍ତି ଏବଂ ସେ ମଧ୍ୟ ସେହି ବିଦ୍ୟାରେ ପାରଦର୍ଶି, ସତ୍ୟର ଅନ୍ତର୍ଯ୍ୟାମୀ ସେହି କଥାକୁ ନିଭୃତ ଅନ୍ତର ଭିତରେ ଅନୁଭବ କରି ପାରିଥିଲେ ।

 

ସେଦିନ ସ୍ନାନ ସାରି ସେ ଯେତେବେଳେ ଅନ୍ୟମନସ୍କ ହୋଇ ବସାକୁ ଫେରିଆସୁଥିଲା, ହଠାତ୍ ସେ ଶୁଣି ପାରିଲା "ଟିକିଏ ଶୁଣନ୍ତୁ" । ମୁହଁ ଟେକି ସେ ଦେଖିଲା ରେଳନାଇନ ସେପାରରେ ସେହି ରମଣୀ ଠିଆହୋଇ ରହିଛନ୍ତି, ତାହାର ବାମ କାଖରେ ଜଳ ପୂର୍ଣ୍ଣ କ୍ଷୁଦ୍ର ପିତ୍ତଳର ମାଠିଆ ଏବଂ ଦକ୍ଷିଣ ହାତରେ ଓଦାଲୁଗା । ମଥା ହଲାଇ ସେ ଇଙ୍ଗିତ ଦ୍ୱାରା ଆହ୍ୱାନ ଜଣାଇଲେ । ସତ୍ୟ ଏପାଖକୁ ସେପାଖକୁ ଚାହିଁ ପାଖରେ ଯାଇ ଠିଆହେଲା । ସେ ଉତ୍ସୁକ ଦୃଷ୍ଟିରେ ଚାହିଁ ରହି କୋମଳ କଣ୍ଠରେ କହିଲେ–ଆମ ଚାକରାଣୀ ଆଜି ଆସିନାହିଁ । ଦୟାକରି ମୋତେ ଟିକିଏ ବଳେଇ ଦେଇ ଆସିଲେ ଉପକୃତ ହୁଅନ୍ତି ।

 

ଅନ୍ୟଦିନ ସେ ଦାସୀଙ୍କୁ ସଙ୍ଗରେ ଧରି ଆସନ୍ତି; କିନ୍ତୁ ଆଜି ସେ ଏକାକିନୀ, ସତ୍ୟ ମନରେ ଦ୍ଵିଧା ଜାଗିଉଠିଲା । କାର୍ଯ୍ୟଟା ଯେ ଭଲହେବ ନାହିଁ ମନରେ ଚିନ୍ତା କଲେ ସୁଦ୍ଧା ସେ କିନ୍ତୁ ନା' ବୋଲି କହି ପାରିଲା ନାହିଁ । ରମଣୀ ତାହାର ମନର ଭାବ ଅନୁମାନ କରି ଟିକିଏ ହସିଦେଲେ-। ଏହିଭଳି ହସ, ଯେଉଁମାନେ ହସି ଜାଣନ୍ତି, ସେମାନଙ୍କ ନିକଟରେ ସଂସାରର କୌଣସି ଜିନିଷ ଅଗ୍ରାହ୍ୟ ହୋଇ ରହେ ନାହିଁ । ସତ୍ୟ ତତକ୍ଷଣାତ୍ ଚାଲନ୍ତୁ କହି ତାଙ୍କର ଅନୁସରଣ କଲା-। ଦୁଇଚାରିପାଦ ଅଗ୍ରସର ହେବାପରେ ରମଣୀ ଜଣକ ପୁଣି କଥା କହିଲେ–ଚାକରାଣୀ ଦେହ ଭଲ ନାହିଁ । ସେ ଆସିପାରିଲା ନାହିଁ । କିନ୍ତୁ ମୁଁ ଗଙ୍ଗାସ୍ନାନ ନକରି ରହି ପାରେ ନାହିଁ, ଦେଖୁଛି ଆପଣଙ୍କର ମଧ୍ୟ ଏହି ବଦ୍ଅଭ୍ୟାସ ଅଛି ।

 

ସତ୍ୟ ଆସ୍ତେ ଆସ୍ତେ କହିଲା–ଆଜ୍ଞା ହଁ, ମୁଁ ପ୍ରାୟ ସବୁଦିନ ଗଙ୍ଗାସ୍ନାନ କରିଥାଏ ।

 

: ଏଠାରେ ଆପଣ ରହନ୍ତି କେଉଁଠି ?

 

: ଚୋରବାଗାନରେ ମୋର ବସା ।

 

: ଆମ ଘର ଯୋଡ଼ାଶଙ୍ଖ ନିକଟରେ । ଆପଣ ମୋତେ ପଥୁରିଘାଟ ମୋଡ଼ ପର୍ଯ୍ୟନ୍ତ ବାଟେଇ ଦେଲେ ତେଣିକି ବଡ଼ରାସ୍ତା ପାଇଯିବି ।

 

: ତାହା ହେବ ।

 

ବହୁକ୍ଷଣଧରି କୌଣସି କଥାବାର୍ତ୍ତା ହେଲାନାହିଁ । ଚିତପୁର ରାସ୍ତାରେ ଆସି, ରମଣୀ ଫେରି ଠିଆହୋଇ ଆହୁରି ସେଇପରି ହସି ହସି କହିଲେ–ନିକଟରେ ଆମର ଘର, ଏଥର ଯାଇପାରିବି, ନମସ୍କାର ।

 

–ନମସ୍କାର, କହି ସତ୍ୟ ଶୀଘ୍ର ଫେରିଆସିଲା । ସେ ଦିନସାରା ତା ମନରେ ଯେ କିପ୍ରକାର ଭାବନା ଖେଳିବୁଲିଲା ତାହା ଲେଖି ପ୍ରକାଶ କରିବା ଅସାଧ୍ୟ । ଯୌବନରେ ପଞ୍ଚଶରର ପ୍ରଥମ ପୁଷ୍ପବାଣ ଆଘାତକୁ ଯିଏ ସହ୍ୟ କରିପାରିଛି, କେବଳ ତାହାର ହିଁ ମନେ ପଡ଼ିବ, କେବଳ ସେହିହିଁ ବୁଝିପାରିବି ସେଦିନ କଣ ହୋଇଥିଲା । ସମସ୍ତେ ବୁଝିପାରିବେ ନାହିଁ କି ପ୍ରକାର ଉନ୍ମାଦ ନିଶାରେ ମାତିଲେ, ଜଳ, ସ୍ଥଳ, ଆକାଶ, ସବୁ ରଙ୍ଗୀନ ଦେଖାଯାଏ, ସମସ୍ତ ଚୈତନ୍ୟ କିପରି ଚେତନା ହରାଏ, ଖଣ୍ଡେ ପ୍ରାଣହୀନ ଚୁମ୍ବକକାଠି ପରି କେବଳ ଏଇ ଦିଗକୁ ଝୁଙ୍କି ପଡ଼ିବା ପାଇଁ କିପରି ମନ ଅନୁକ୍ଷଣ ଉନ୍‍ମୁଖ ହୋଇ ରହେ ।

 

ପରଦିନ ସକାଳେ ସତ୍ୟ ଉଠିପଡ଼ି ଦେଖିଲା, ଖରାପଡ଼ିଗଲାଣି । ଗୋଟାଏ ବ୍ୟଥାର ତରଙ୍ଗ ତାହାର କଣ୍ଠ ପର୍ଯ୍ୟନ୍ତ ଆଲୋଡିତ ହୋଇ ଫେରିଗଲା । ସେ ନିଶ୍ଚିତ ଭାବରେ ବୁଝି ପାରିଲା, ଆଜିକାର ଦିନଟି ତାର ବ୍ୟର୍ଥ ହୋଇଗଲା । ଆଗଦେଇ ଚାକରଟା ଚାଲିଯାଉଥିଲା, ତାହାକୁ ଭୟଙ୍କର ଧମକ ଦେଖାଇ କହିଲା, ହାରାମଜାଦା, ଏତେବେଳ ହେଲାଣି, ଟିକିଏ ଉଠାଇ ଦେଇ ପାରିଲୁ ନାହିଁ ଯାଆ ତୋ ଉପରେ ଆଜି ଟଙ୍କାଟାଏ ଜୋରିମାନା ହେଲା ।

 

ସେ ବିଚାରା ହତବୁଦ୍ଧିହୋଇ ଚାହିଁ ରହିଲା । ସତ୍ୟ ଦ୍ଵିତୀୟ ବସ୍ତ୍ର ସଙ୍ଗରେ ନ ନେଇ ରୁଷ୍ଟ ମନରେ ଘରୁ ବାହାରି ପଡ଼ିଲା ।

 

ବାଟରେ ଆସି ଗାଡ଼ି ଭଡ଼ା କଲା ଏବଂ ଗାଡ଼ିବାଲାକୁ ପଥୁରୀ ଘାଟ ଭିତର ଦେଇ ଗାଡ଼ି ନେବାକୁ ହୁକୁମ ଦେଇ, ରାସ୍ତାର ଦୁଇପାଖକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଚାହିଁ ବସିଲା । କିନ୍ତୁ ଗଙ୍ଗାକୁ ଆସି, ଘାଟଆଡ଼କୁ ଚାହିଁବାକ୍ଷଣି ତାହାର ସମସ୍ତ ଦୁଃଖ ଯେପରି ଉଭେଇ ଗଲା, ବରଞ୍ଚ ମନେହେଲା, ଯେପରି ପଥର ଉପରେ ଥୁଆ ହୋଇଥିବା ଗୋଟାଏ ମୂଲ୍ୟରତ୍ନ ସେ ପାଇପାରିଲା।

 

ଗାଡ଼ିରୁ ଓହ୍ଲାଇ ପଡ଼ି ଅତି ପରିଚିତ ଭଳି ସେ ହସିପକାଇ କହିଲା, ଆଜି ଏତେ ଡେରି ଯେ ! ମୁଁ–ମୁଁ ଅଧଘଣ୍ଟା ହେବ ଠିଆହୋଇ ଅପେକ୍ଷା କରିଛି । ଶୀଘ୍ର ଗାଧୋଇ ପକାନ୍ତୁ । ଆଜି ମଧ୍ୟ ମୋ ସଙ୍ଗରେ ମୋ ଚାକରାଣୀ ଆସିନାହିଁ ।

 

ମିନଟିଏ ଅପେକ୍ଷାକରନ୍ତୁ ମାତ୍ର କହି ସତ୍ୟ ପାଣି ଭିତରେ ପଶିଗଲା । ଆଜି ମଧ୍ୟ ପହଁରିବା ତାର କୁଆଡ଼େ ଗଲା ! ସେ କୌଣସି ମତେ ଦୁଇଟା ବୁଡ଼ ପକାଇ ଆସି କହିଲା–ମୋ ଗାଡ଼ି ଗଲା କୁଆଡ଼େ ?

 

ରମଣୀ କହିଲେ ତାକୁ ଭଡ଼ା ଦେଇ ବିଦାୟ କରିଦେଇଛି ।

 

ଆପଣ ଭଡ଼ା ଦେଇଦେଲେ !

 

ହଁ ଦେଲିତ ! ଚାଲନ୍ତୁ । କହି ଆଉ ଥରକ ପାଇଁ ଭୁବନମୋହିନୀ ହସଟିଏ ହସିଦେଇ ଆଗେଇ ଚାଲିଲା ।

 

ସତ୍ୟ ଲଜ୍ୟାରେ ସଢ଼ିଯାଉଥିଲା । ନ ହେଲେ ଯେତେ ନିରୀହ ଯେତେ ଅନଭିଜ୍ଞ ହଉ, ଥରକପାଇଁ ସଂଦେହ ହୁଅନ୍ତା–ଏ ସବୁ କ’ଣ ହେଉଛି ?

 

ବାଟରେ ଚାଲୁଚାଲୁ ରମଣୀ କହିଲେ, ବସା କେଉଁଠି କହିଲେ ? ଚୋର ବାଗାନରେ ନା ?

 

ସତ୍ୟ କହିଲା, ହଁ ।

 

ସେଠାରେ କ’ଣ କେବଳ ଚୋରମାନେ ହିଁ ରହନ୍ତି ?

 

ସତ୍ୟ ଆଶ୍ଚର୍ଯ୍ୟ ହୋଇ କହିଲା, କାହିଁକି ?

 

ଆପଣତ ଚୋରଙ୍କର ରାଜା, କହି ରମଣୀ ଇଷତ୍ ବେକ ଭାଙ୍ଗି କଟାକ୍ଷରେ ହସିଦେଇ ପୁଣି ନିର୍ବାକ ମରାଳ ଗମନ କରି ବାଟ ଚାଲିବାକୁ ଆରମ୍ଭ କଲା । ଆଜି କାଖର କଳସୀ ଅପେକ୍ଷାକୃତ ବଡ଼ଥିଲା । ଭିତରେ ଗଙ୍ଗା ଜଳ ଛଳାତ୍ ଛଳ, ଛଳାତଛଳ ଶବ୍ଦରେ, ଅର୍ଥାତ୍–ଆରେ ମୁଗଧ, ଆରେ ଅନ୍ଧଯୁବକ, ସାବଧାନ । ଏସବୁ ଛଳନା, ସବୁ ଫାଙ୍କି, କହି ଉଚ୍ଛୁଳିପଡ଼ି ଏକପ୍ରକାର ବ୍ୟଙ୍ଗ ଏବଂ ତିରସ୍କାର କରିବାକୁ ଲାଗିଥାଏ ।

 

ମୋଡ଼ର ନିକଟକୁ ଆସି ସତ୍ୟ ସଙ୍କୋଚର ସହିତ କହିଲା, ଗାଡ଼ି ଭଡ଼ାଟା......

 

ରମଣୀ ଫେରିପଡ଼ି ଠିଆହୋଇ କହିଲା–ସେଇଟା ତ ଆପଣ ଦେଇ ସାରିଛନ୍ତି ।

 

ସତ୍ୟ ଏହି ଇଙ୍ଗିତ ବୁଝି ନପାରି ପ୍ରଶ୍ନ କହିଲା–ମୁଁ ଦେଲି କେତେବେଳେ ?

 

ମୋର ଆଉ କ’ଣ ହୋଇ ଅଛି ? ଯାହା ଅବାଥିଲା ସେସବୁ ତ ତୁମେ ଚୋରିକରି ନେଇଛ, କହି ସେ ଚଟ କରି ମୁହଁ ଫେରାଇନେଇ ବୋଧହୁଏ ଉଚ୍ଛ୍ୱସିତ ହସର ବେଗକୁ ଜୋର କରି ବନ୍ଦ କରିବାକୁ ଚେଷ୍ଟା କରିବାକୁ ଲାଗିଲେ ।

 

ଏ ଅଭିନୟ ସତ୍ୟ ଦେଖି ପାରି ନାହିଁ । ତେଣୁ ଏହି ଚୋରୀର ପ୍ରଛନ୍ନ ଇଙ୍ଗିତ ତୀବ୍ର ବିଜୁଳୀ ଆଲୁଅ ଭଳି ତାହାର ସନ୍ଦେହର ଜାଲକୁ ଆଦ୍ୟଠାରୁ ପ୍ରାନ୍ତ ପର୍ଯ୍ୟନ୍ତ ବୀଦିର୍ଣ୍ଣ କରି ତାର ଅନ୍ତଃ ସ୍ଥଳ ପର୍ଯ୍ୟନ୍ତ ଉଦଭାସିତ କରିପକାଇଲା ।

 

ସତ୍ୟର ସେହି ମୁହୂର୍ତ୍ତରେ ଇଚ୍ଛା ହେଲା, ଏହି ପ୍ରକାଶ୍ୟ ରାଜପଥରେ ଏହି ଦୁଇ ରକ୍ତିମ ପଦତଳେ ଲୋଟି ପଡ଼ିବ କିନ୍ତୁ ଆଖି ପଲକରେ ଗଭୀର ଲଜ୍ୟାରେ ତାହାର ମୁଣ୍ଡ ଏପରି ନଇଁ ଗଲା ଯେ, ସେ ମୁହଁ ଟେକି ଥରକ ପାଇଁ ପ୍ରିୟତମା ମୁହଁକୁ ଚାହିଁ ପାରିଲା ନାହିଁ । ବରଂ ନୀରବରେ ଧୀରେ ଧୀରେ ଯିବାକୁ ଲାଗିଲା ।

 

ସେ ପାଖ ଫୁଟପାଥ୍ ଉପରେ ତାର ଆଦେଶ ଅନୁସାରେ ଦାସୀ ଅପେକ୍ଷା କରିଥିଲା, ପାଖକୁ ଆସି କହିଲା, ଆଚ୍ଛା ଅପା, ବାବୁଟିକୁ ଏପରି ନଚାଉଛ କାହିଁକି ? କ’ଣ ତାଙ୍କ ପାଖରେ କିଛି ଅଛି ନା, ନାହିଁ ? ଦୁଇ ପଇସା ଟାଣି ପାରିବତ ?

 

ରମଣୀ ହସିଦେଇ କହିଲା–ତାହା ଜାଣି ନାହିଁ । କିନ୍ତୁ ଓଲାବୋଲା ଲୋକ ଗୁଡ଼ାଙ୍କର ନାକରେ ଦଉଡ଼ି ଦେଇ ଖେଳାଇବାକୁ ମୋତେ ଭଲ ଲାଗେ ।

 

ଦାସୀଟି ମଧ୍ୟ ଭଲକରି ତମେ ହସିନେଇ କହିଲା, ଏତକ ତୁମେ କରିପାର କିନ୍ତୁ ଯାହା କହ ଅପା, ଦେଖିବାକୁ ଯେପରି ରାଜପୁତ୍ର । ଯେପରି ଆଖି, ମୁହଁ, ସେହିପରି ଦେହର ରଙ୍ଗ । ତୁମ ଦୁହିଁଙ୍କୁ ଖାସା ମାନିବ । ଠିଆହୋଇ କଥା ଦେଉଥିଲା ବେଳେ ଜଣା ପଡ଼ିବ ଯେପରି ଯୋଡ଼ିଏ ଗୋଲାପ ଫୁଲ ଗୋଟିଏ ଡାଳରେ ଫୁଟିଛି ।

 

ରମଣୀ ଚୁପି ଚୁପି ହସି କହିଲା–ଅଚ୍ଛା ଚାଲ । ପସନ୍ଦ ଯଦି ହୋଇଛି ତେବେ ସେଇଟିକୁ ତୋ ପାଇଁ ନେଇ ନେ ।

 

ଦାସୀ ମଧ୍ୟ ହଟିବାର ପାତ୍ରୀ ନୁହେଁ । ସେ ମଧ୍ୟ ଜବାବ ଦେଲା–ନା, ଅପା, ଏ ଜିନିଷ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ କାହାକୁ ଦେଇ ଦେବ ନାହିଁ, ଏ କଥା କହି ରଖୁଛି ।

 

(୪)

 

ଜ୍ଞାନୀମାନେ କହିଛନ୍ତି, ଅସମ୍ଭବ କାଣ୍ଡ ଦେଖିଲେ ମଧ୍ୟ କହିବ ନାହିଁ । କାରଣ ଅଜ୍ଞାନୀମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ । ସେ ଯାହାହେଉ, ଏକଥା ନିହାତି ସତ୍ୟ ଯେ, ସତ୍ୟ ସେ ଦିନ ବସାକୁ ଫେରି ଆସି ଟେନିସନ୍ ପଢ଼ିଥିଲା ଏବଂ ଡନ ଜୟାନର ବଙ୍ଗଳା ଅନୁବାଦ କରି ବସିଥିଲା । ଏତେବଡ଼ ପିଲା, କିନ୍ତୁ ଏତେ ଟିକିଏ ଅଣୁମାତ୍ର ସନ୍ଦେହ ତାର ମନରେ ଦେଖା ଦେଇ ନ ଥିଲା ଯେ ଦିନ ବେଳରେ ସହରର ବାଟ ଘାଟରେ ଏପରି ଅଦ୍ଭୁତ ପ୍ରେମର ବନ୍ୟା ସମ୍ଭବ କି ନାହିଁ କିମ୍ବା ସେହି ବନ୍ୟା ସ୍ରୋତରେ ଭାସିଯିବା ନିରାପଦ କି ନୁହେଁ ।

 

ଦୁଇଦିନ ପରେ ସ୍ନାନସାରି ଘରକୁ ଫେରିବା ବାଟରେ ଅପରିଚିତା ହଠାତ୍‍ କହିଲା–କାଲି ରାତିରେ ଥିଏଟର ଦେଖିଯାଇଥିଲି । ସରକାର କଷ୍ଟ ଦେଖିଲେ ଛାତି ଫାଟିଯିବ ନୁହେଁକି ?

 

ସତ୍ୟ ସାରଳା ନାଟକ ଦେଖିନାହିଁ । ସ୍ଵର୍ଣ୍ଣଲତା ବହି କେବଳ ପଢ଼ିଥିଲା ଆସ୍ତେ ଆସ୍ତେ କହିଲା, ହଁ, ବଡ଼ ଦୁଃଖ ପାଇ ମରିଗଲା ।

 

ରମଣୀ ଦୀର୍ଘନିଃଶ୍ୱାସ ପକାଇ କହିଲା–ଉଃ ! କି ଭୟାନକ ନଷ୍ଟ ! ଆଚ୍ଛା, ସରଳା ଅବା ତାର ସ୍ୱାମୀକୁ ଏତେ ଭଲ ପାଇଥିଲା କିପରି ? ଆଉ ତାର ବଡ଼ ଯାଆ ପାଇ ପାରି ନ ଥିଲା କିପରି କହିପାରିବ ?

 

ସତ୍ୟ ସଂକ୍ଷେପରେ କହିଲା–ସ୍ୱଭାବ ।

 

ରମଣୀ କହିଲା–ଠିକ୍‍ ସେଇଆ । ବିବାହତ ସମସ୍ତେ କରନ୍ତି କିନ୍ତୁ ସବୁ ସ୍ତ୍ରୀ ପୁରୁଷ କ’ଣ ପରସ୍ପରକୁ ସମାନ ଭଲ ପାଇ ପାରନ୍ତି ? ପାରନ୍ତି ନାହିଁ । କେତେ ଲୋକ ଅଛନ୍ତି, ମାରିବା ପର୍ଯ୍ୟନ୍ତ ଭଲ ପାଇବା କ’ଣ ଜାଣିପାରି ନଥାନ୍ତି । ଜାଣି ପାରିବାର କ୍ଷମତା ମଧ୍ୟ ସେମାନଙ୍କର ନଥାଏ । ଦେଖୁନ, କେତେଲୋକ ଗାନବାଜଣା ହଜାରେ ଭଲ ହେଲେ ମଧ୍ୟ ମନ ଦେଇ ଶୁଣି ପାରନ୍ତି ନାହିଁ । କେତେ ଲୋକ ଆଦୌ ରାଗିଯାନ୍ତି ନାହିଁ । ଏପରିକି ରାଗି ପାରନ୍ତି ନାହିଁ । ଲୋକମାନେ କିନ୍ତୁ ସେମାନଙ୍କର ବହୁତ ଗୁଣ ଗାନ କରନ୍ତି କିନ୍ତୁ ଆମମାନଙ୍କର ନିନ୍ଦା କରିବାକୁ ଇଚ୍ଛାହୁଏ ।

 

ସତ୍ୟ ହସିଦେଇ କହିଲା–କାହିଁକି ?

 

ରମଣୀ ଉଦ୍ଦୀପ୍ତ କଣ୍ଠରେ ଉତ୍ତର ଦେଇ କହିଲା, ସେମାନେ ଅକ୍ଷମ ବୋଲି । ଅକ୍ଷମତାର ଗୁଣ କିଛି ଥିଲେ ଥାଇପାରେ କିନ୍ତୁ ଦୋଷ ସେମାନଙ୍କର ବେଶୀ । ଏଇ ଯେପରି ସରଳାର ଦେଢ଼ଶୁର । ସ୍ତ୍ରୀର ଏତେବଡ଼ ଅତ୍ୟାଚାରରେ ମଧ୍ୟ ତାର ରାଗ ହେଲା ନାହିଁ ।

 

ସତ୍ୟ ଚୁପ ହୋଇ ରହିଲା । ସେ ପୁଣି କହିଲା, ଆଉ ତାର ସ୍ତ୍ରୀ, ଏଇ ପ୍ରମଦାଟା, କି ସୟତାନ ସ୍ତ୍ରୀ ! ମୁଁ ଯଦି–ଥାନ୍ତି ନା ରାକ୍ଷସୀଟାର ତଣ୍ଟି ଚିପି ଦେଇଥାନ୍ତି ।

 

ସତ୍ୟ କହିଲା–ରହିଥାନ୍ତ ଅବା କିପରି ? ପ୍ରମଦା ବୋଲି ପ୍ରକୃତରେ ତ କେହି ନ ଥିଲେ-। ସେ ତ କବିର କଳ୍ପନା ।

 

ରମଣୀ ବାଧାଦେଇ କହିଲା–କବି ଏପରି କଳ୍ପନା କରିଲେ କାହିଁକି ? ଆଚ୍ଛା, ସମସ୍ତେ କହନ୍ତି; ସବୁ ମନୁଷ୍ୟଙ୍କ ଭିତରେ ଭଗବାନ ଅଛନ୍ତି । ଆତ୍ମା ଅଛି । କିନ୍ତୁ ପ୍ରମଦାର ଚରିତ୍ର ଦେଖିଲେ ମନେ ହୁଏ ନାହିଁ ଯେ ତାର ଭିତରେ ଭଗବାନ ଥିଲେବୋଲି । ସତ କହୁଛି ତୁମକୁ, ବଡ଼ ବଡ଼ ଲୋକଙ୍କର ବହି ପଢ଼ି ମନୁଷ୍ୟ ଭଲ ହବ କଣ, ମଣିଷକୁ ମଣିଷ ଭଲ ପାଇବା କଣ, ବରଂ ଏପରି ବହି ଲେଖିଦେଲେ ଯେ, ପଢ଼ିଲେ ମଣିଷ ଉପରେ ମଣିଷର ଘୃଣା ଜନ୍ମିଯିବ । ବିଶ୍ୱାସ ହୁଏ ନାହିଁ ଯେ, ସବୁ ମଣିଷଙ୍କ ଅନ୍ତର ଭିତରେ ଭଗବାନଙ୍କ ମନ୍ଦିର ଅଛି ବୋଲି !

 

ସତ୍ୟ ବିସ୍ମିତ ହୋଇ ତାର ମୁହଁଙ୍କୁ ଚାହିଁ ଦେଇ କହିଲା, ତୁମେ ବୋଧହୁଏ ବହୁତ ବହିପଢ଼ ?

 

ରମଣୀ କହିଲା–ଇଁରେଜୀ ଜାଣି ନାହିଁତ ତେଣୁ ଯେତେ ବଙ୍ଗଳା ବହି ପ୍ରକାଶିତ ହୁଏ ସବୁ ପଢ଼େ । ଦିନ ଦିନ ଧରି ଏପରି କି ରାତି ଉଜାଗର ହୋଇ ପଢ଼େ । ଏଇ ଯେ ବଡ଼ ରାସ୍ତା, ଚାଲ ଆମଘରକୁ ଯେତେ ବହି ଅଛି ସବୁ ଦେଖାଇ ଦେବି ।

 

ସତ୍ୟ ଚମକି ପଡ଼ି କହିଲା–ତୁମ ଘରକୁ ?

 

–ହଁ, ଆମ ଘରକୁ । ଚାଲ, ତୁମକୁ ଆଜି ଯିବାକୁ ହେବ ।

 

ହଠାତ୍‍ ସତ୍ୟର ମୁହଁ ପାଣ୍ଡୁର ହୋଇଗଲା । ସେ ଭୟରେ ଚମକି ଉଠି କହିଲା ନା, ନା, ଛିଃ ଛିଃ ।

 

–ଛିଃ–ଛିଃ–ଫିଃ–ଫିଃ–କିଛି ଶୁଣିବି ନାହିଁ । ତୁମକୁ ଯିବାକୁ ହେବ ।

 

–ନା, ନା, ଆଜିନୁହେଁ । ଆଜି ଥାଉ, କହି ସତ୍ୟ କମ୍ପିତ ପଦରେ ଜଲଦି ଫେରିଗଲା । ଏହି ଅପରିଚିତା ପ୍ରେମାସ୍ପଦା ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ତାର ହୃଦୟ ଆଜି ନାଇଁ ପଡ଼ିଲା ।

 

(୫)

 

ସକାଳବେଳା ସ୍ନାନ ସାରି ସତ୍ୟ ଧୀରେ ଧୀରେ ବସାକୁ ଫେରୁଥିଲା । ତାହାର ଦୃଷ୍ଟି କ୍ଲାନ୍ତ, ସଜଳ । ଆଖିର ଦୁଇ ପତା ସେ ପର୍ଯ୍ୟନ୍ତ ମଧ୍ୟଆର୍ଦ୍ର । ଆଜକୁ ଚାରିଦିନ ବିତି ଯାଇଛି କିନ୍ତୁ ସେହି ଅପରିଚିତା ପ୍ରିୟତମାକୁ ସେ ଦେଖି ପାରି ନାହିଁ । ଆଉ ସେ ଗଙ୍ଗା ସ୍ନାନକୁ ଆସୁ ନାହିଁ ।

 

ଆକାଶ ପାତାଳ କେତେ କ’ଣ ଏଇ କେତେ ଦିନ ଧରି ସେ ନ ଭାବି ବସିଛି ତାର ସୀମା ନାହିଁ । ମଝିରେ ମଝିରେ ଏପରି ଦୁଃଶ୍ଚିନ୍ତା ମନରେ ଉଠିଛି ଯେ, ହୁଏତ ସେ ବଞ୍ଚିନାହିଁ, କିମ୍ବା ହୁଏତ ବଞ୍ଚିଥିଲେ ବର୍ତ୍ତମାନ ମୃତ୍ୟୁ ଶଯ୍ୟାରେ ଥିବ । କିଏ ଜାଣେ କ’ଣ ତାର ହେଲା ?

 

ସେ ଗଳିଟା ଜାଣେ ସତ କିନ୍ତୁ ଆଉ କିଛି ଚିହ୍ନେ ନାହିଁ । କାହାଘର, କେଉଁଠାରେ ଘର, ସେ ଏ ସବୁ କିଛି ଜାଣେନାହିଁ, ମନେ ପଡ଼ିଲେ, ଅନୁଶୋଚନାରେ, ଆତ୍ମଗ୍ଳାନୀରେ ହୃଦୟ ହା–ହା–କାର କରି ଉଠେ । କାହିଁକି ସେଦିନ ସେ ଗଲା ନାହିଁ ଆଉ କାହିଁକି ଅବା ତାର ସନିର୍ବନ୍ଧ ଅନୁରୋଧକୁ ଉପେକ୍ଷା କରିବସିଲା ।

 

ସେ ପ୍ରକୃତରେ ହିଁ ଭଲ ପାଇ ବସିଥିଲା । କେବଳ ଆଖିର ନିଶା ନୁହେଁ ହୃଦୟର ଗଭୀର ତୃଷ୍ଣା ଥିଲା । ସେଥିରେ ଛଳନା, ଓ କପଟତାର ଛାୟା ମାତ୍ର ନ ଥିଲା । ଯାହାଥିଲା ପ୍ରକୃତରେ ତାହା ନିଃସ୍ୱାର୍ଥ, ପବିତ୍ର ଏବଂ ଆନ୍ତରିକ ସ୍ନେହ ।

 

ବାବୁ !

 

ସତ୍ୟ ଚମକି ପଡ଼ି ଚାହିଁ ଦେଖିଲା–ତାହାର ସେହି ଦାସୀ ଯିଏ ତାର ସାଙ୍ଗରେ ଆସେ, ବାଟକଡ଼ରେ ଠିଆ ହୋଇଛି ।

 

ସତ୍ୟ ବ୍ୟସ୍ତ ହୋଇ ଦରଦ କଣ୍ଠରେ ପ୍ରଶ୍ନ କଲା–କ’ଣ ହୋଇଛି ତାଙ୍କର ? କହୁ କହୁ ତା ଆଖିରେ ଲୁହ ଆସିଗଲା । ସେ ସମ୍ଭାଳି ପାରିଲା ନାହିଁ ।

 

ଦାସୀ ମୁହଁ ତଳକୁ କରି ହସ ଲୁଚାଇବାକୁ ଚେଷ୍ଟା କରି କହିଲା–ଅପାଙ୍କର ଦେହ ଭୀଷଣ ଖରାପ, ଆପଣଙ୍କୁ ଦେଖିବାକୁ ଇଛା କରିଛନ୍ତି ।

 

–ଚାଲ, କହି ସତ୍ୟ ଆଖିରୁ ଲୁହ ପୋଛି ଦାସୀ ସଙ୍ଗରେ ଚାଲିବାକୁ ଆରମ୍ଭ କଲା । ଚାଲୁ ଚାଲୁ ସେ ବାଟରେ ପଚାରିଲା–କ’ଣ ହୋଇଛି ତାଙ୍କର । କଣ ଭୀଷଣ ଭାବରେ ଅସୁସ୍ଥ ?

 

ଦାସୀ କହିଲା– ନା, ସେପରି ହୋଇନାହିଁ । କିନ୍ତୁ ଖୁବ୍ ଜ୍ୱର ହୋଇଛି ।

 

ସତ୍ୟ ମନେ ମନେ ହାତ ଯୋଡ଼ି ମୁଣ୍ଡରେ ଛୁଆଁଇଲା । ଆଉ ପ୍ରଶ୍ନ ପଚାରି ପାରିଲା ନାହିଁ । ଘର ଆଗରେ ଆସି ପହଞ୍ଚି ଦେଖିଲା–ଖୁବ୍ ବଡ଼ ଘର, ଦ୍ୱାର ନିକଟରେ ଜଣେ ହିନ୍ଦୁସ୍ଥାନୀ ଦରୁଆନ ବସି ଘୂମାଉଛି । ଦାସୀକୁ ପଚାରିଲା–ମୁଁ ଭିତରକୁ ଗଲେ ତମ ଅପାଙ୍କର ବାବା ରାଗିବେ ନାହିଁତ । ସେ ତ ମୋତେ ଆଦୌ ଚିହ୍ନନ୍ତି ନାହିଁ ।

 

ଦାସୀ କହିଲା–ଅପାଙ୍କର ବାପା ନାହାନ୍ତି, କେବଳ ମାଆ ଅଛନ୍ତି । ଅପାଙ୍କ ଭଳି ସେ ମଧ୍ୟ ଆପଣଙ୍କୁ ଭାରି ସ୍ନେହ କରନ୍ତି ।

 

ସତ୍ୟ ଆଉ କିଛି ନକହି ଘର ଭିତରେ ପ୍ରବେଶ କଲା ।

 

ସିଡ଼ି ଉପରେ ଚଢ଼ି ତିନି ମହଲାରେ ପହଞ୍ଚି ସେ ଦେଖିଲା, ପାଖାପାଖି ତିନି ବଖରା ଘର । ବାହାରୁ ଯେତିକି ଦେଖାଯାଉଥିଲା ସେଥିରୁ ଜଣା ପଡ଼ୁଥିଲା ଘରଟି ଖୁବ୍ ଚମତ୍କାର ଭାବରେ ସଜା ହୋଇଛି । କଣ ଘରରୁ ଉଚ୍ଚହାସ୍ୟ ସହିତ ତବଲା ଓ ଘୁଙ୍ଗୁରର ଶଦ୍ଦ ଭାସି ଆସୁଥିଲା । ଦାସୀ ଆଙ୍ଗୁଠି ଦ୍ୱାରା ଇଙ୍ଗିତ କରି କହିଲା–ଏଇ ଘରକୁ ଚାଲନ୍ତୁ । ଘର ଆଗରେ ଠିଆ ହୋଇ ପରଦାକୁ ଆଡ଼େଇ ଦେଇ କହିଲା–ଅପା, ତୁମ ନାଗର ମଣିକୁ ହେଇଟି ଧରିଆଣିଛି, ନିଅ ।

 

ହସର କଳରୋଳ ଉଠିବାକୁ ଲାଗିଲା । ଭିତରେ ଯାହା ଦେଖିବାକୁ ପାଇଲା, ସେଥିରେ ସତ୍ୟର ମୁଣ୍ଡ ଯେପରି ଗୋଳମାଳ ହୋଇଗଲା । ତାର ମନେ ହେଲା, ହଠାତ୍ ସେ ବୋଧହୁଏ ମୂର୍ଛିତ ହୋଇ ପଡ଼ିଯିବ । କୌଣସି ମତେ ଦ୍ୱାରବନ୍ଧକୁ ଧରି ସେ ସେହିସ୍ଥାନରେ ବସି ପଡ଼ିଲା ।

 

ଘର ଭିତରେ ଖଟ ଉପରେ ମୋଟା ଗଦି ପରା ବିଛଣା ଉପରେ ତିନିଜଣ ଭଦ୍ରବେଶୀ ପୁରୁଷ ବସିଥିଲେ । ଜଣେ ହାରମୋନୀୟମ୍ ଜଣେ ବାୟାଁତବଲା, ନେଇ ବସି ଅଛି ଏବଂ ଆଉ ଜଣେ ଏକ ମନରେ ମଦ ପିଇ ଚାଲିଛି । ଆଉ ସେ ? ସେ ବୋଧହୁଏ ଏଇ ମାତ୍ର ନୃତ୍ୟ କରିଥିଲେ-। ଦୁଇ ପାଦରେ ଘୁଙ୍ଗୁର ବନ୍ଧା, ନା, ନା ପ୍ରକାର ଅଳଙ୍କାରରେ ସର୍ବାଙ୍ଗ ଭୂଷିତା । ସୁରା ରଞ୍ଜିତ ଆଖି ଦୁଇଟି ନିଶାରେ ଟଳ ଟଳ କରୁଥିଲା । ସତ୍ୟ ପାଖକୁ ବିଜୁଳୀ ବେଗରେ ଦୌଡ଼ି ଆସି ତାର ହାତଧରି ଖିଲି ଖିଲି ହୋଇ ହସି ଉଠି କହିଲେ–ବନ୍ଧୁ ତୁମର ମିରିଗଟି ବୋଧ ହୁଏ ବ୍ୟାଧଙ୍କ ହାବୁଡ଼ରେ ଅଛି–ନୁହେଁ ? ନାଇଁ ବାବୁ ସେ ଭୟ କରନ୍ତୁ ନାହିଁ । ଉଠନ୍ତୁ ଏମାନେ କିନ୍ତୁ ମୋତେ ଭାରି ଭୟ କରନ୍ତି ।

 

ହଠାତ୍ ବିଜୁଳୀ ସକ୍ ମାରିଲେ ମନୁଷ୍ୟ ଯେପରି ଚମକି ଉଠେ ସେହିପରି ତାହାର କରସ୍ପର୍ଶରେ ସତ୍ୟର ଆପାଦ ମସ୍ତକ କମ୍ପି ଉଠିଲା ।

 

ରମଣୀ କହିଲା–ମୋର ନାମ ହେଉଛି ଶ୍ରୀମତି ବିଜଲି । ତୁମ ନାମ କ’ଣଟି ? କଣ ହାବୁ ? ଗାବୁ ?

 

ଏହାଶୁଣି ବସିଥିବା ଲୋକମାନେ ଅଟ୍ଟହାସ୍ୟ କରି ଲୋଟି ପଡ଼ିଲେ । ଦାସୀଟି ମଧ୍ୟ ହସି ହସି ବିଛଣାରେ ଗଡି ପଡ଼ି କହିଲା–କେତେ ରଙ୍ଗ ତୁମକୁ ଜଣା ମ ଅପା ?

 

ବିଜୁଳୀ କୃତ୍ରିମ କ୍ରୋଧରେ ଗୋଟିଏ ଧମକ ଦେଇ କହିଲା–ଥାଉ, ଥାଉ ବେଶୀ ଆଗାଅ ନାହିଁ । ଆସନ୍ତୁ । ଉଠି ଆସନ୍ତୁ । କହି ସତ୍ୟକୁ ଜୋର କରି ଟାଣି ଆଣି ଗୋଟିଏ ଚୌକି ଉପରେ ଜବରଦସ୍ତି ବସାଇ ଦେଇ, ପାଦ ତଳେ ଆଣ୍ଠୁ ମାଡ଼ି ବସି ପଡ଼ି ହାତ ଯୋଡି ଗୀତ ଗାଇବାକୁ ଆରମ୍ଭ କରିଦେଲା ।

 

ଗୀତ ବୋଲି ସାରିବା କ୍ଷଣି ଲୋକଟା ମଦ ଖାଉଥିଲା, ଉଠିଆସି ପାଦତଳେ ମୁଣ୍ଡ ନୁଆଇ ନମସ୍କାର କଲା । ତାକୁ ଜୋର ନିଶା ହୋଇଥିଲା । ସେ କାନ୍ଦି ପକାଇ କହିଲା–ଠାକୁର ମହାଶୟ, ମୁଁ ବଡ଼ ପାତକୀ । ସାମାନ୍ୟ ଟିକିଏ ପଦରେଣୁ.....

 

ଅଦୃଷ୍ଟର ପରିହାସ ଭଳି ଆଜି ସତ୍ୟ ସଦ୍ୟ ସ୍ନାନ ସାରି ଖଣ୍ଡେ ମଠା ପିନ୍ଧିଥିଲା ।

 

ଯେଉଲୋକଟା ହାରମୋନିୟମ ବଜାଉଥିଲା, ସେ ସହାନୁଭୂତିର ସ୍ୱରରେ କହିଲା, କାହିଁକି ବିଚରାକୁ ମିଛଟାରେ ତୁମ ସଙ୍ଗୀ କରିବସୁଛ ?

 

ବିଜୁଳୀ ହସି ହସି କହିଲା– ବାଃ ମିଛଟାରେ କାହିଁକି ? ଏ'ତ ପ୍ରକୃତରେ ସଙ୍ଗୀ ହେବେ ବୋଲି ତ ଏପରି ଆମୋଦ ଦିନରେ ଘରକୁ ଡାକି ଆଣି ତୁମମାନଙ୍କର ତାମସା ଦେଖାଉଛି । ଆଛା ମୋ ମୁଣ୍ଡ ଖାଅ ଗାବୁ, ସତ କହତ ତୁମେ ମୋତେ କ’ଣ ଭାବିଥିଲ ।

 

ଟିକିଏ ଅଟକି ରହି ପୁଣି ବିଜୁଳୀ କହିବାକୁ ଆରମ୍ଭ କଲା–ଯେହେତୁ ପ୍ରତି ଦିନ ଗଙ୍ଗାସ୍ନାନ କରିବାକୁ ଯାଏ, ତେଣୁ ମୁସଲମାନ କିମ୍ବା ଖ୍ରୀଷ୍ଟାନ ହୋଇପାରେ । ହିନ୍ଦୁ ଘରର ଏତେ ବଡ଼ ଝିଅ, ହୁଏତ ସଧବା କିମ୍ବା ବିଧବା ହୋଇପାରେ । ତେବେ କି ମତଲବ ଧରି ତୁମେ ମୋ ସଙ୍ଗରେ ପୀରତି ଆରମ୍ଭ କରିଥିଲ କହି ପାରିବ ? କ’ଣ ବାହାହେବ ବୋଲି, ନା, ଭୁଲାଇ ଦେଇ ଶେଷରେ ଲମ୍ବା ଟିକଟ କାଟିବ ବୋଲି ?

 

ସମସ୍ତେ ହୋ, ହୋ, ହୋଇ ହସି ଉଠିଲେ । ତାପରେ ସମସ୍ତେ ମିଳିମିଶି କେତେ କଥା କହିବାକୁ ଲାଗିଲେ ।

 

ସତ୍ୟ ଥରକ ପାଇଁ ମୁହଁ ଉପରକୁ ଟେକି ପାରିଲା ନାହିଁ । କିଛି ଉତ୍ତର ମଧ୍ୟ ଦେଇ ପାରିଲା ନାହିଁ । ସେ ମନେ ମନେ କଣ ଭାବୁଥିଲା, ତାହା କିପରି ଅବା କହିବ ଏବଂ କହିଲେ ସୁଦ୍ଧା ସେଠାରେ ବୁଝିବ ଅବା କିଏ ? ସେ କଥା ସେଇଥିପାଇଁ ସେତିକିରେ ଥାଉ ।

 

ବିଜୁଳୀ ହଠାତ୍ ଚକିତ ହୋଇ ଠିଆ ହୋଇ ପଡ଼ି କହିଲା–ବାଃ–ବେଶ୍ ଲୋକତ ମୁଁ ! ଯାଆ କ୍ଷମା, ଶୀଘ୍ର ଯାଆ । ବାବୁଙ୍କ ପାଇଁ ଖାଇବାକୁ ନେଇ ଆସ । ସ୍ନାନ ସାରି ଆସିଛନ୍ତି । ବାଃ ! କେବଳ ଥଟ୍ଟା କରିବାରେ ଲାଗିଛି ଯେ ! କହୁ କହୁ ତାର ପୂର୍ବର ବ୍ୟଙ୍ଗ, ବିଦ୍ରୁପ ଏବଂ ଉତ୍ତପ୍ତ କଣ୍ଠ ସ୍ୱର ହଠାତ୍ ଅକୃତ୍ରିମ ସ୍ନେହ ଓ ଅସ୍ଥିତାରେ ଭରି ଉଠିଲା ।

 

କିଛିକ୍ଷଣ ପରେ ଦାସୀ ଥାଳିରେ ଖାଇବା ଜିନିଷ ଧରି ପହଞ୍ଚିଲା । ବିଜୁଳୀ ପୁଣି ଆଣ୍ଠୁମାଡ଼ି ବସି ପଡ଼ି ନିଜ ହାତରେ ଜଳଖିଆ ଧରି କହିଲା–ମୁହଁ ଖୋଲ । ଖାଅ ।

 

ଏତେ ସମୟଧରି ସତ୍ୟ ତାର ଦେହର ସମସ୍ତ ଶକ୍ତିକୁ ଏକାଠି କରି ନିଜକୁ ସମ୍ଭାଳି ରଖି ଆସିଥିଲା କିନ୍ତୁ ଆଉ ପାରିଲା ନାହିଁ । ଏଥର ମୁହଁ ଫିଟାଇ ନିହାତି ଶାନ୍ତ ଭାବରେ କହିଲା–ନା, ମୁଁ ଖାଇବି ନାହିଁ ।

 

–କାହିଁକି ? କ’ଣ ଜାତି ଚାଲିଯିବ ? ମୁଁ ହାଡ଼ି ନା ମୋଚି ?

 

ସତ୍ୟ ସେହି ଭଳି ଶାନ୍ତ ସ୍ୱରରେ କହିଲା–ତାହା ହୋଇଥିଲେ ଖାଇଥାନ୍ତି । ଆପଣ କିନ୍ତୁ ସେମାନଙ୍କ ଠାରୁ ଆହୁରି କିଛି ନୀଚ...

 

ବିଜୁଳୀ ଖିଲ ଖିଲ ହୋଇ ହସି କହିଉଠିଲା–ଦେଖୁଛି ହାବୁ ବାବୁତ ଛୁରୀ ଓ ଛୁରା ମଧ୍ୟ ଚଳାଇ ଜାଣନ୍ତି । କହି ପୁଣି ଆହୁରି ହସିଲା–କିନ୍ତୁ ତାହା ଶଦ୍ଦ ମାତ୍ର, ହସ ନୁହେଁ । ତେଣୁ ଅନ୍ୟମାନେ କେହି ସେ ହସ ସହିତ ଯୋଗ ଦେଇ ପାରିଲେ ନାହିଁ ।

 

ସତ୍ୟ କହିଲା–ମୋ ନାମ ସତ୍ୟ, ହାବୁ ନୁହେଁ କି ଗାବୁ ନୁହେଁ । ମୁଁ ଛୁରୀ ଛୁରା ବ୍ୟବହାର କେବେ ଶିକ୍ଷା କରିନାହିଁ । କିନ୍ତୁ ନିଜର ଭୁଲ ଯେତେବେଳେ ଜାଣିପାରେ, ସେତେବେଳେ ତାକୁ ସଂଶୋଧନ ହିଁ ଶିଖି ପାରିଛି ।

 

ବିଜୁଳୀ ହଠାତ୍ କଣ କହିବାକୁ ଯାଉଥିଲା, କିନ୍ତୁ ସେ କଥାକୁ ଚାପି ରଖି କହିଲା–ଶେଷରେ ମୋ ହାତରୁ ଖାଇବେ ନାହିଁ?

 

ନା ।

 

ବିଜୁଳୀ ଉଠି ଠିଆ ହୋଇ ପଡ଼ିଲା । ତାର ପରିହାସ ସ୍ୱରରେ ଏଥର ତୀବ୍ରତା ମିଶିଥିଲା-। ସେ ଜୋର୍ ଦେଇ କହିଲା–ଖାଇବାକୁ ହେବ । କହି–ରଖୁଛି–ଆଜି ନ ହେଲେ କାଲି, କିମ୍ବା ହୁଏତ ଆଉ ଦୁଇ ଦିନ ପରେ ତୁମକୁ ଅଲବତ୍ ଖାଇବାକୁ ପଡ଼ିବ ।

 

ସତ୍ୟ ମୁଣ୍ଡ ହଲାଇ କହିଲା–ଦେଖନ୍ତୁ, ଭୁଲ ସମସ୍ତଙ୍କର ହୁଏ, ମୋର ଭୁଲ ଯେ କେତେ ବିରାଟ, ଏହା ତୁମେମାନେ ସମସ୍ତେ ଜାଣିପାରିଛ କିନ୍ତୁ ମୁଁ କହି–ରଖୁଛି ଆପଣମାନଙ୍କର ମଧ୍ୟ ଭୁଲ ହୋଇଛି । ଆଜି ନୁହେଁ, କାଲି ନୁହେଁ, ଏ ଜନ୍ମରେ ନୁହେଁ, ଆଗାମୀ ଜନ୍ମରେ ନୁହେଁ, କୌଣସି କାଳରେ ଆପଣଙ୍କ ଛୁଆଁ ଖାଦ୍ୟ ଖାଇବି ନାହିଁ, ଅନୁମତି ଦିଅନ୍ତୁ ମୁଁ ଏଠାରୁ ବାହାରିଯାଏ । ଆପଣଙ୍କ ନିଶ୍ୱାସରେ ମୋର ରକ୍ତ ଶୁଖିଯାଉଛି ।

 

ତାର ମୁହଁ ଉପରେ ଗଭୀର ଘୃଣା ଏପରି ସୁସ୍ପଷ୍ଟହୋଇ ଫୁଟି ଉଠିଲା, ଯେ ତାହା ଏହି ମାତାଲଟାର ଆଖିରୁ ବାଦ ଯାଇ ପାରିଲା ନାହିଁ । ସେ ମୁଣ୍ଡ ହଲାଇ କହିଲା–ବିଜୁଳୀ ବିବି, ଅରସିକେଷୁ ରସସ୍ୟ ନିବେଦନମ୍ । ଯିବାକୁ ଦିଅ; ଯିବାକୁ ଦିଅ । ସକାଳ ବେଳାର ଆମୋଦଟାକୁ ଏ ବିଚାରା ଆସି ମାଟି କରିଦେଲା ।

 

ବିଜୁଳୀ ଜବାବ ଦେଲା ନାହିଁ । ସ୍ତମ୍ଭିତ ହୋଇ ସତ୍ୟ ମୁହଁକୁ ଚାହିଁ ରହିଲା । ଯଥାର୍ଥରେ ତାର ଭୟାନକ ଭୁଲ ହୋଇଥିଲା । ସେ'ତ କଳ୍ପନା ସୁଦ୍ଧା କରିପାରି ନଥିଲା ଯେ, ଏପରି ଲାଜକୁଳା ପିଲା ଏପରି ଜବାବ ଦେଇ ପାରେ ! ସେ ପୂନର୍ବାର କହିଲା–ଏଇ ପାଖଘରଟା ହେଉଛି ମୋର ପଢ଼ା ଘର । ଥରକ ପାଇଁ ଦେଖି ଯିବ ନାହିଁ ? ଥରକ ପାଇଁ ଆସନ୍ତୁନା, କ୍ଷମା ମାଗୁଛି ।

 

ସତ୍ୟ ଆସନ ଛାଡ଼ି ଠିଆ ହେଲା ।

 

ବିଜୁଳୀ ନରମ ସ୍ୱରରେ କହିଲା– ଆଉ ଟିକିଏ ବସ ।

 

ମାତଲ ଶୁଣି ପାରି ଚିତ୍କାର କରି କହି ଉଠିଲା, ଉହୁଁ–ହୁଁ–ହୁଁ–ପ୍ରଥମ ଚୋଟରେ ଟିକିଏ ଜୋର ଦେଖାଇବେ । ଯିବାକୁ ଦିଅ, ଯିବାକୁ ଦିଅ । ସୂତା ଛାଡ଼– ଯେତେଦୂର ଯାଉଛି ସେତେଦୂର ପର୍ଯ୍ୟନ୍ତ ସୂତାକୁ ଛାଡ଼ିଦିଅ ।

 

ସତ୍ୟ ଘରୁ ବାହାରକୁ ଚାଲି ଆସିଲା ।

 

ବିଜୁଳୀ ପଛେ ପଛେ ଆସି ବାଟ ଓଗାଳି ଚୁପ୍ ଚୁପ୍ କରି କହିଲା, ପାରିବ, ନଚେତ୍ ହାତଯୋଡ଼ି କରି କହନ୍ତି – ମୋର ବଡ଼ ଅପରାଧ ହୋଇଛି ।

 

ସତ୍ୟ ଅନ୍ୟ ଦିଗକୁ ମୁହଁ ବୁଲାଇ ନେଇ ଚୁପ୍ ରହିଲା ।

 

ନା, କହି ସତ୍ୟ ସିଡ଼ି ଆଡ଼କୁ ଅଗ୍ରସର ହେଲା । ବିଜୁଳୀ ପଛେ ପଛେ ଆସୁ ଆସୁ କହିଲା, କାଲି ଦେଖା ହେବ ?

 

ନା ।

 

ଆଉ କ’ଣ କେବେ ଦର୍ଶନ ମିଳିପାରିବ ନାହିଁ ?

 

ନା ।

 

କୋହରେ ବିଜୁଳୀର କଣ୍ଠ ରୁଦ୍ଧ ହୋଇ ଆସିଲା । ଢୋକ ଗିଳି, ଜୋର କରି ଗଳା ସଫା କରି କହିଲା, ଆଉ ତୁମ ସଙ୍ଗେ ଦେଖା ନହୋଇ ପାରିବ ବୋଲି ମୋର ବିଶ୍ୱାସ ହେଉ ନାହିଁ-। କିନ୍ତୁ ତାହା ଯଦି ନ ହୁଏ, ତେବେ କୁହ ମୋର ଏଇ କଥାଟାକୁ ବିଶ୍ୱାସ କରିବେ ।

 

କଣ୍ଠରେ କରୁଣ ତାର ସ୍ପର୍ଶ ଅନୁଭବ କରି ସତ୍ୟ ବିସ୍ମିତ ହୋଇ ଉଠିଲା । କିନ୍ତୁ ଏଇ ପନ୍ଦର ଦିନ ଧରି ଯେଉଁ ଅଭିନୟ ଦେଖି ଆସିଛି ତାହା ନିକଟରେ ଏହା ତ କିଛି ନୁହେଁ । ତଥାପି ସେ ମୁହଁ ଫେରାଇ ଠିଆହେଲା । ସେ ମୁହଁରେ ସୁଦୃଢ଼ ଅପ୍ରତ୍ୟୟ ଭାବ ଉପଲବ୍ ଧି କରି ବିଜୁଳୀ ହୃଦୟ ଦୁଃଖରେ ଭାଙ୍ଗିପଡ଼ିଲା । କିନ୍ତୁ ସେ କ’ଣ କହିବ ? ହାୟ ! ହାୟ ! ପ୍ରତ୍ୟୟ କରିବାର ସମସ୍ତ ଉପାୟକୁ ଯେ ସେ ଝାଡ଼ୁମାରି ନିଜ ହାତରେ ଆବର୍ଜ୍ଜନା ଭଳି ସଫାକରି ଫିଙ୍ଗି ଦେଇବସିଛି ।

 

ସତ୍ୟ ପ୍ରଶ୍ନ କଲା–କ’ଣ ବିଶ୍ୱାସ କରିବି ?

 

ବିଜୁଳୀର ଓଠ ଦୁଇଟି ଥରି ଉଠିଲା । କିନ୍ତୁ କୌଣସି କଥା ବାହାରିଲା ନାହିଁ । ଅଶ୍ରୁ ଭାରାକ୍ରାନ୍ତ ଆଖିଦୁଇଟି ମୁହୂର୍ତ୍ତକ ପାଇଁ ତୋଳି ସେ ପୁଣି ଅବନତ କଲା ।

 

ଆଖିର ଲୁହ କ’ଣ ସଦାବେଳେ ସତ ? ସେଥିରେ ପୁଣିତ ନକଲ ଅଭିନୟ ଅଛି ।

 

ବିଜୁଳୀ ଆଖି ଉପରକୁ ତୋଳି ଚାହିଁ ନଥିଲେ ସୁଦ୍ଧା ବୁଝି ପାରିଥିଲା ଯେ, ସତ୍ୟ ଶୁଣିବା ପାଇଁ ଅପେକ୍ଷାକରି ରହିଛି । କିନ୍ତୁ ସେହି କଥାଟା କୌଣସି ମତେ ବାହାରକୁ ପ୍ରକାଶ କରି ପାରୁ ନାହିଁ, ଯାହା ବାହାରକୁ ବାହାରି ଆସିବା ପାଇଁ ତାର ଛାତିର ପଞ୍ଜରା ହାଡ଼କୁ ଭାଙ୍ଗି ପକାଇବାକୁ ଚେଷ୍ଟା କରୁଛି ।

 

ସେ ଭଲ ପାଇଁ ବସିଛି । ସେ ଭଲପାଇବାକୁ ସାର୍ଥକ କରିବା ପାଇଁ ହୁଏତ ସେ ଏହି ରୂପର ଭଣ୍ଡାର ଦେହଟାକୁ ଖଣ୍ଡେ ଚିରା ଲୁଗା ଭଳି ତ୍ୟାଗ କରିବାକୁ କୁଣ୍ଠିତା ହେବ ନାହିଁ । କିନ୍ତୁ ଏକଥା ବିଶ୍ୱାସ କରିବ ଅବା କିଏ ? ସେଯେ ଦାଗୀ ଆସାମୀ ! ଅପରାଧର, ଶତକୋଟି ଚିହ୍ନ ସର୍ବାଙ୍ଗରେ ମାଖି ବିଚାରକର ସମ୍ମୁଖରେ ଠିଆ ହୋଇ, ଆଜି କିପରି ସେ କହି ପାରିବ ଯେ, ଅପରାଧ କରିବା ତାର ବୃତ୍ତି ଅଟେ କିନ୍ତୁ ସେ ନିର୍ଦ୍ଦୋଷ । ଯେତେ ବିଳମ୍ବ ହେବାକୁ ଲାଗିଲା, ସେତେ ସେ ବୁଝି ପାରିଲା ଯେ, ବିଚାରକ ତାହାକୁ ଫାସୀ ହୁକୁମ ଦେଇ ସାରିଛନ୍ତି କିନ୍ତୁ କିପରି କ’ଣ କରି ସେ ରାୟକୁ ବନ୍ଦ କରିପାରିବ ?

 

ସତ୍ୟ ଅଧୀର ହୋଇ ଉଠି କହିଲା– ଯାଉଛି ।

 

ବିଜୁଳୀ ତଥାପି ମଧ୍ୟ ମୁହଁଟେକି ଚାହିଁ ପାରିଲା ନାହିଁ । କିନ୍ତୁ ଏଥର କଥା କହିଲା । କହିଲା–ଯାଅ, ଯେଉଁ କଥାକୁ ଅପରାଧରେ ମଗ୍ନ ଥାଇ ସୁଦ୍ଧା ମୁଁ ବିଶ୍ୱାସ କରେ, ସେହି କଥାକୁ ଅବିଶ୍ୱାସ କରି ତୁମେ ଯେପରି ଅପରାଧୀ ନ ହୋଇପଡ଼ । ବିଶ୍ୱାସ କର, ସମସ୍ତଙ୍କ ଦେହରେ ଭଗବାନ ବାସ କରନ୍ତି ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଦେହଟାକୁ ଛାଡ଼ି ଚାଲି ଯାଆନ୍ତି ନାହିଁ । ଟିକିଏ ଅଟକି ଯାଇ ପୁଣି କହିଲା, ସବୁ ମନ୍ଦିରରେ ଦେବତାଙ୍କର ପୂଜା ଯଦିଓ ହୁଏ ନାହିଁ, ତଥାପି ସେ ଦେବତା । ତାଙ୍କୁ ଦେଖି ମୁଣ୍ଡ ନୁଆଇଁ ନପାର, କିନ୍ତୁ ତାଙ୍କୁ ପାଦରେ ଠେଲିଦେଇ ଯାଇ ପାରିବ ନାହିଁ; କହି ପଦଶଦ୍ଦ ଶୁଣି ମୁହଁ ଟେକି ଦେଖିଲା ସତ୍ୟ ଧୀରେ ଧୀରେ ନୀରବରେ ଚାଲିଯାଇଛି ।

 

ସ୍ୱଭାବ ବିରୁଦ୍ଧରେ ବିଦ୍ରୋହ କରାଯାଇ ପାରେ କିନ୍ତୁ ତାକୁ ତ ବିଲକୁଲ ଅସ୍ୱୀକାର କରି ହୁଏ ନାହିଁ । ନାରୀ ଦେହଉପରେ ସତ ଅତ୍ୟାଚାର କରାଯାଇ ପାରେ କିନ୍ତୁ ତାର ନାରୀତ୍ୱକୁ ଅସ୍ୱୀକାର କରିହୁଏ ନାହିଁ । ବିଜୁଳୀ ନର୍ତ୍ତକୀ, ତଥାପି ସେ କିନ୍ତୁ ନାରୀ । ଆଜୀବନ ଅପରାଧରେ ଅପରାଧୀନି, ତଥାପି ତାର ଶରୀର ହେଉଛି ଗୋଟିଏ ନାରୀର ଦେହ । ଘଣ୍ଟାକ ପରେ ସେ ଯେତେବେଳେ ଏ ଘରକୁ ଫେରି ଆସିଲା; ସେତେବେଳେ ତାର ଲାଞ୍ଚିତ ଅର୍ଦ୍ଧମୃତ ନାରୀ ପ୍ରକୃତ ଅମୃତସ୍ପର୍ଶରେ ଜାଗି ଉଠିଲା ଏହି ଅତି ଅଳ୍ପ ସମୟ ଭିତରେ ତାର ଦେହରେ ଯେ କି ଅଭୁତ ପରିବର୍ତ୍ତନ ଦେଖାଯାଇଛି । ତାହାର ଇଙ୍ଗିତ ଏହି ମାତାଲଟା ପର୍ଯ୍ୟନ୍ତ ଜାଣିପାରିଲା । ସେ ମଧ୍ୟ ମୁହଁ ଫିଟାଇ କହି ପକାଇଲା–କ’ଣ ବାଇଜୀ, ଆଖିର ପତା ତୁମର ଓଦା ଯେ ! ଟୋକାଟା ବଡ଼ ଏକ ବୁଝା । ଏହିଭଳି ଜିନିଷ ଗୁଡ଼ା ମୁହଁରେ ସୁଦ୍ଧା ଦେଲେ ନାହିଁ । ଦିଅ, ଦିଅ ଥାଳିଟା ଏଆଡ଼େ ପେଲିଦିଅ, କହି ସେ ଲଇଁ ପଡ଼ି ନିଜେ ଥାଳିଟା ଟାଣିନେଇ ଆପେ ଆପେ ଗିଳିବସିଲା ।

 

–ତାର ଗୋଟିଏ କଥା ସୁଦ୍ଧା ବିଜୁଳୀ କାନକୁ ଗଲାନାହିଁ । ହଠାତ୍ ତାର ନିଜ ପାଦରେ ଆକ୍ଷି ପଡ଼ିବାକ୍ଷଣି ବନ୍ଧା ହୋଇଥିବା ଘୁଙ୍ଗୁର ଯେପରି ବିଛା ଭଳି ତା'ର ଦୁଇ ପାଦରେ ଗୁଡ଼େଇ ହୋଇ ନାହୁଡ଼ ମାରିଲା ଭଳି ଲାଗିଲା । ସେ ସଙ୍ଗେ ସଙ୍ଗେ ସେ ଗୁଡ଼ାକୁ ଛିଣ୍ଡାଇ ଫିଙ୍ଗିଦେଲା ।

 

ଜଣେ ପ୍ରଶ୍ନ କଲା–ସେ ଗୁଡ଼ାକ ଫିଟାଇ ଦେଲ ଯେ ?

Unknown

 

ବିଜୁଳୀ ସାମାନ୍ୟ ହସିଦେଇ କହିଲା–ଆଉ ପିନ୍ଧିବି ନାହିଁ ବୋଲି ।

 

ଅର୍ଥାତ୍ ?

 

ଅର୍ଥାତ୍; ଆଦୌନୁହେଁ । ବାଇଜୀ ଆଜି ମରିଗଲା ।

 

ମାତାଲ ସନ୍ଦେଶ ଚୋବାଉଥିଲା । କହିଲା–କେଉଁ ରୋଗରେ ?

 

ବାଇଜୀ ଆଉଥରେ ହସିଲା । ଏ ହେଉଛି ସେହି ହସ । ହସ ହସ ମୁଖରେ ସେ କହିଲା ଯେଉଁ ରୋଗରେ ଆଲୋକ ଜାଳିଲେ ଅନ୍ଧାର ମରେ । ସୂର୍ଯ୍ୟ ଉଠିଲେ ରାତ୍ରି ମରେ । ଆଜି ସେହି ରୋଗରେ ତୁମର ବାଇଜୀ ଚିରଦିନ ପାଇଁ ମରିଗଲା ।

 

(୬)

 

ଚାରିବର୍ଷ ପରର କଥା କହୁଛି ।

 

କଲିକତାରେ ଗୋଟାଏ ବଡ଼ କୋଠାରେ ଜମିଦାରଙ୍କ ପୁଅର ଅନ୍ନ ଛୁଆଁ ଉତ୍ସବ । ଖାଇବା ପିଇବାର ବଡ଼ ବିରାଟ ପର୍ବ ଶେଷ ହୋଇ ଯାଇଥାଏ । ସଂଧ୍ୟା ପରେ ବାହାର ବଗିଚାରେ ପ୍ରଶସ୍ତ ପ୍ରାଙ୍ଗଣରେ ଆସର କରି ଆମୋଦ ପ୍ରମୋଦ, ନାଚ ଗାନ ପାଇଁ ଆୟୋଜନ ଆରମ୍ଭ ହୋଇଥାଏ ।

 

ଏକ ସଙ୍ଗରେ ତିନି–ଚାରି ଜଣ ନର୍ତ୍ତକୀ ଏଠାରେ ନାଚ ଗାନ କରିବେ । ଦିମହଲାର ବାରଣ୍ଡାରେ ପଡ଼ିଥିବା ପରଦା ଆଢ଼ୁଆଳରେ ରହି ରାଧାରାଣୀ ଏକାକୀ ତଳର ଜନସମାଗମକୁ ଦେଖୁଥିଲା । ନିମନ୍ତ୍ରୀତା ମହିଳାମାନେ ଏପଯ୍ୟନ୍ତ ସୁଦ୍ଧା ଶୁଭାଗମନ କରି ନାହାନ୍ତି ।

 

ଚୁପ ଚୁପ ପଛରେ ଆସି ଠିଆ ହୋଇ ସତ୍ୟେନ୍ଦ୍ର କହିଲା– ଏତେ ମନ–ଯୋଗ ଦେଇ କ’ଣ ଦେଖୁଛ କହତ ?

 

ରାଧାରାଣୀ ସ୍ୱାମୀଙ୍କ ଆଡ଼କୁ ଚାହିଁଦେଇ ହସ ହସ ମୁହଁରେ କହିଲା–ଯାହା ସମସ୍ତେ ଦେଖିବାକୁ ଆସିଛନ୍ତି । ବାଇଜୀମାନଙ୍କର ସାଜସଜ୍ଜା । କିନ୍ତୁ ତୁମେ ଯେ ହଠାତ୍ ଏଠାରେ ?

 

ସ୍ୱାମୀ ହସି କରି ଉତ୍ତର ଦେଲେ– ଏକାକୀ ବସିଛତ, ତେଣୁ ଗପ କରିବା ପାଇଁ ଚାଲି ଆସିଲି ।

 

ଇସ୍ !

 

ସତ । ଆଛା ଦେଖିଲ ଏମାନଙ୍କ ଭିତରେ ପ୍ରକୃତରେ ତୁମେ କେଉଁ ଜଣକୁ ପସନ୍ଦ କରୁଛ ?

 

ଏଇଟାକୁ, କହି ରାଧାରାଣୀ ଅଙ୍ଗୁଠି ଦେଖାଇ ଯେଉଁ ସ୍ତ୍ରୀ ଲୋକଟି ସମସ୍ତଙ୍କୁ ପଛରେ ନିହାତି ସାଦାସିଧା ପୋଷାକ ପିନ୍ଧି ବସିଥିଲା;ତାହାକୁ ଦେଖାଇ ଦେଲା ।

 

ସ୍ୱାମୀ କହିଲେ–ଏ ଯେ ନିହାତି ରୋଗା ।

 

ହେଲେ;–ମଧ୍ୟ ସେ ସମସ୍ତଙ୍କ ଠାରୁ ସୁନ୍ଦରୀ, କିନ୍ତୁ ବିଚାରି ଗରିବ ଦେହରେ ଏମାନଙ୍କ ଭଳି ଗହଣା ଗାଣ୍ଠି ମଧ୍ୟ ନାହିଁ ।

 

ସତ୍ୟେନ୍ଦ୍ର ମୁଣ୍ଡହଲାଇ କହିଲା–ହୋଇ ପାରେ, କିନ୍ତୁ ତାର ପାରିଶ୍ରମିକ କେତେ ଜାଣ ?

 

ନା ।

 

ସତ୍ୟେନ୍ଦ୍ର ହାତଦେଇ ଦେଖାଇ କହିଲେ, ଏ ଦୁଇଜଣଙ୍କର ତିରିଶି ଟଙ୍କାକରି ଏହାର ପଚାଶ ଟଙ୍କା, ଆଉ ଯେଉଁଟିକୁ ଗରିବ ବୋଲି କହୁଚ ତାର ହେଉଛି ଦୁଇଶହ ଟଙ୍କା ।

 

ରାଧାରାଣୀ ଚମକି ଉଠି କହିଲା–ଦୁଇ ଶହ ! କାହିଁକି, ଏ କ’ଣ ଭଲ ଗାଈ ପାରେ ?

 

କେବେ ଆଗରୁ ଶୁଣି ନାହିଁ । ଲୋକମାନେ କିନ୍ତୁ କୁହନ୍ତି ଚାରିପାଞ୍ଚ ବର୍ଷ ଆଗେ ଖୁବ୍ ଭଲ ବୋଲୁଥିଲା କିନ୍ତୁ ବର୍ତ୍ତମାନ ପାରିବ କି ନାହିଁ କହି ହେଉ ନାହିଁ ।

 

ତେବେ ଏତେ ଟଙ୍କା ଦେଇ ଆଣିଲ କାହିଁକି ?

 

ତାହାଠାରୁ କମରେ ସେ ତ ଆସେ ନାହିଁ । ଏତିକିରେ ମଧ୍ୟ ଆସିବାକୁ ରାଜି ନଥିଲା । ଅନେକ କୁହାବଲା କରାଇ ଅଣା ହୋଇଛି ।

 

ରାଧାରାଣୀ ଅଧିକତର ବିସ୍ମିତ ହୋଇ ପଚାରିଲେ–ଟଙ୍କା ଦେଇ ପୁଣି କୁହା ବୋଲା କରାହେଉଥିଲା କାହିଁକି ?

 

ସତ୍ୟେନ୍ଦ୍ର ପାଖରେ ଥିବା ଗୋଟିଏ ଚୌକି ଟାଣି ଆଣି ସେଥିରେ ବସିପଡ଼ି କହିଲେ– ତାର ପ୍ରଥମ କାରଣ ହେଉଛି ସେ ବ୍ୟବସାୟ ଛାଡ଼ି ଦେଇଛି । ଗୁଣ ତାର ଯାହା ହେଉ ନା କାହିଁକି କିନ୍ତୁ ଏତେ ଟଙ୍କା ଦେବା ପାଇଁ କେହି ଆଗ୍ରହୀ ହୁଅନ୍ତି ନାହିଁ ଏବଂ ସେ ମଧ୍ୟ ଆସେ ନାହିଁ । ଏଇଟା ନ ଆସିବା ପାଇଁ ତାର ଗୋଟାଏ ଫିକର । ଦ୍ଵିତୀୟ କାରଣ, ଆମର ଗରଜ ପଡ଼ିଥିଲା ।

 

କଥାଟା ରାଧାରାଣୀ କିନ୍ତୁ ବିଶ୍ୱାସ କରିପାରିଲା ନାହିଁ । ତଥାପି ଆଗ୍ରହରେ ପୁଣି ପଚାରିଲା–ତୁମର ଗରଜ ପଡ଼ିଥିଲା ତେବେ ? କିନ୍ତୁ ସେ ବ୍ୟବସାୟ ଛାଡ଼ି ଦେଲା କାହିଁକି ?

 

ଶୁଣିବ ?

 

ହଁ, କୁହ ।

 

ସତ୍ୟେନ୍ଦ୍ର ମୁହୂର୍ତ୍ତକ ପାଇଁ ନିରବ ରହି କହିଲା–ଏହାର ନାମ ବିଜୁଳୀ କିନ୍ତୁ ବର୍ତ୍ତମାନ ତ ଏଠାରେ ଅନ୍ୟ ଲୋକ ପହଞ୍ଚି ପାରନ୍ତି, ତେଣୁ ଶୁଣିବ ଯଦି ତେବେ ଘରକୁ ଚାଲ ।

 

ଚାଲ କହି, ରାଧାରାଣୀ ଉଠି ଠିଆହେଲେ ।

 

ସ୍ୱାମୀଙ୍କର ପାଦ ତଳେ ବସି ସବୁ ବୃତାନ୍ତ ଶୁଣି ପାରିବା ପରେ ରାଧାରାଣୀ ପଣତ କାନିରେ ଦୁଇ ଆଖିରୁ ଲୁହ ପୋଛିଲା । ଶେଷରେ କହିଲା–ତାହା ହେଲେ ତାଙ୍କୁ ଅପମାନ କରାଇ ତୁମେ ଆଜି ପ୍ରତିଶୋଧ ନେବ ? ତୁମକୁ ଏ ବୁଦ୍ଧି କିଏ ଶିଖାଇଲା ?

 

ଏପାଖରେ ସତ୍ୟେନ୍ଦ୍ରର ଦୁଇଆଖି ମଧ୍ୟ ଶୁଷ୍କ ନଥିଲା । ଅନେକ ଥର ଗଳାଟା ମଧ୍ୟ କମ୍ପି ଉଠିଲା । ସେ କହିଲେ, ଅପମାନ ସତ୍ୟ, କିନ୍ତୁ ସେ ଅପମାନଙ୍କୁ ଆମ ତିନିଜଣଙ୍କ ବ୍ୟତୀତ ଆଉ ଅନ୍ୟ କେହି ଜାଣିପାରିବେ ନାହିଁ ।

 

ରାଧାରାଣୀ କୌଣସି ଉତ୍ତର ଦେଲା ନାହିଁ । ଆଉଥରେ ପଣତ କାନିରେ ଆଖି ପୋଛି ଘରୁ ବାହାରି ଚାଲିଗଲା ।

 

ନିମନ୍ତ୍ରିତ ଭଦ୍ରଲୋକଙ୍କ ଦ୍ୱାରା ଆସର କ୍ରମଶଃ ପୂର୍ଣ୍ଣ ହୋଇ ଉଠୁଛି ଏବଂ ଦୋତାଲା ବାରଣ୍ଡାରୁ ବହୁ ସ୍ତ୍ରୀ ଲୋକଙ୍କର ପାଟି ଶୁଣା ଯାଉଛି । ଅନ୍ୟ ନର୍ତ୍ତକୀମାନେ ପ୍ରସ୍ତୁତ ହୋଇଗଲେଣି । କେବଳ ବିଜୁଳୀ ସେ ପର୍ଯ୍ୟନ୍ତ ମଥା ତଳକୁ ପୋତି ବସି ରହିଥାଏ । ତାର ଆଖିରୁ ଲୁହ ଟୋପା ଟୋପା ହୋଇ ଝରି ପଡ଼ୁଥାଏ । ସତେ ଯେପରି ଦୀର୍ଘ ପାଞ୍ଚବର୍ଷ ଧରି ସଂଚିତ ହୋଇଥିବା ତାର ଅର୍ଥ ପ୍ରାୟ ନିଃଶେଷ ହୋଇ ଯାଇଥିଲା ଏବଂ ବୋଧହୁଏ ସେହି ଅଭାବ ତାଡ଼ନାରେ ବାଧ୍ୟ ହୋଇ ସେହି କାର୍ଯ୍ୟକୁ ଗ୍ରହଣ କରିବାକୁ ସେ ସ୍ୱୀକୃତି ଦେଇଛି; ଯାହାକୁ କି ଦିନେ ସେ ତ୍ୟାଗ କରିଥିଲା । କିନ୍ତୁ ସେ ମୁହଁ ଟେକି ଠିଆ ହୋଇ ପାରୁନଥିଲା । ଅପରିଚିତ ପୁରୁଷର ସତୃଷ୍ଣ ଦୃଷ୍ଟି ଆଗରେ ତାର ଦେହ ଯେ ଏପରି ପାଷାଣ ଭଳି ସ୍ଥାଣୁ ହୋଇଯିବ ତାହା ସେ ଦୁଇ ଘଣ୍ଟା ପୂର୍ବରୁ କଳ୍ପନା ସୁଦ୍ଧା କରିପାରି ନଥିଲା ।

 

ଆପଣଙ୍କୁ ଡାକୁଛନ୍ତି ।

 

ବିଜୁଳୀ ମୁହଟେକି ଦେଖିଲା ବାର ତେର ବର୍ଷର ପିଲାଟିଏ ପାଖରେ ଠିଆ ହୋଇଛି । ସେ ଉପରର ବାରଣ୍ଡାକୁ ଦେଖାଇ କରି କହିଲା–ମାଆ ଆପଣଙ୍କୁ ଡାକୁଛନ୍ତି ।

 

ବିଜୁଳୀ ବିଶ୍ୱାସ କରିପାରିଲା ନାହିଁ । ପଚାରିଲା– କିଏ ଡାକୁଛନ୍ତି ? ମାଆ, ଡାକୁଛନ୍ତି ।

 

ତୁମେ କିଏ ?

 

ମୁ ଏ ଘରର ଚାକର ।

 

ବିଜୁଳୀ ମୁଣ୍ଡ ହଲାଇ କହିଲା–ମୋତେ ବୋଧହୁଏ, ନୁହେଁ ? ତୁମେ ଯାଇ ଆଉଥରେ ପଚାରି କରି ଆସ ।

 

ବାଳକ କିଛିକ୍ଷଣ ପରେ ଫେରି ଆସି କହିଲା, ଆପଣଙ୍କ ନାମ ବିଜୁଳୀ ତ ? ଆପଣଙ୍କୁ ଡାକୁଛନ୍ତି । ଆସନ୍ତୁ ମୋ ସାଙ୍ଗରେ । ମାଆ ଠିଆ ହୋଇଛନ୍ତି ।

 

ଚାଲ କହି ବିଜୁଳୀ ତରତର ହୋଇ ପାଦର ଘୁଙ୍ଗୁର ଖୋଲି ଦେଇ ତାର ଅନୁସରଣ କରି ଭିତରେ ପ୍ରବେଶ କଲା । ମନେ ମନେ ଭାବୁଥାଏ ବୋଧହୁଏ ଗୃହିଣୀଙ୍କର ବିଶେଷ କିଛି ଫରମାସ୍ ଅଛି, ସେଥିପାଇଁ ଡାକିଛନ୍ତି ।

 

ଶୋଇବା ଘରେ ରାଧାରାଣୀ କୋଳରେ ପୁଅକୁ ଧରି ଠିଆ ହୋଇଥିଲା । ତ୍ରସ୍ତ କୁଣ୍ଠିତ ପାଦରେ ବିଜୁଳୀ ଆସି ଘର ଦ୍ୱାରା ମୁହଁରେ ଠିଆ ହେବା ମାତ୍ରେ, ସେ ସଂଭ୍ରମର ସହିତ ହାତ ଧରି ବିଜୁଳୀକୁ ଘର ଭିତରକୁ ଟାଣିନେଲା । ଗୋଟାଏ ଚୌକି ଉପରେ ଜୋର କରି ବସାଇ ଦେଇ କହିଲା–ନାନୀ, ଚିହ୍ନି ପାରୁଛ ?

 

ବିଜୁଳୀ ବିସ୍ମୟରେ ଆବାକାବା ହୋଇ ବସି ରହିଲା ।

 

ରାଧାରାଣୀ କୋଳର ପୁଅକୁ ଦେଖାଇ କହିଲା–ଛୋଟ ଭଉଣୀକୁ ନଚିହ୍ନିଲେ ନାହିଁ ନାନୀ, ସେଥିପାଇଁ ଦୁଃଖ କରିନାହିଁ, କିନ୍ତୁ ଏଇଟାକୁ ଚିହ୍ନି ନ ପାରିଲେ ସତ କୁ ସତ ତୁମ ସହିତ ମୋର ଝଗଡ଼ା ହେବ, କହି ଚୁପି ଚୁପି ହସିବାକୁ ଲାଗିଲା ।

 

ଏହି ପରି ହସ ଦେଖି ମଧ୍ୟ ବିଜୁଳୀ ତଥାପି କଥାକହି ପାରିଲା ନାହିଁ । କିନ୍ତୁ ତାହାର ଅନ୍ଧରାବୃତ୍ତ ମନର ଆକାଶ କ୍ରମେ କ୍ରମେ ପରିଷ୍କାର ହୋଇ ଆସିଲା ସେହି ଅନିନ୍ଦ୍ୟସୁନ୍ଦର ମାତୃ ମୁଖରୁ ସଦ୍ୟ ବିକଶିତ ଗୋଲାପ ସଦୃଶ ଶିଶୁଟିର ମୁଖ ଉପରେ ତାହାର ଦୃଷ୍ଟି ନିବନ୍ଧ ହୋଇ ରହିଲା । ରାଧାରାଣୀ ନିସ୍ତବଧ । ବିଜୁଳୀ ନିର୍ନିମେଷ ଆଖିରେ ଚାହିଁ ରହି ଅକସ୍ମାତ୍ ଉଠି ଠିଆ ହୋଇ ହାତ ବଢ଼ାଇ ଶିଶୁଟିକୁ ନିଜ କୋଳକୁ ନେଇ ଛାତିରେ ଚାପି କଇଁ କଇଁ ହୋଇ କାନ୍ଦି ଉଠିଲା-

 

ରାଧାରାଣୀ କହିଲା–ଚିହ୍ନି ପାରିଲ ନାନୀ ?

 

ଚିହ୍ନି ପାରିଛି, ଭଉଣୀ ।

 

ରାଧାରାଣୀ କହିଲା–ନାନୀ, ସମୁଦ୍ର ମନ୍ଥନ କରି ତହିଁରୁ ଜାତ ସବୁତକ ବିଷକୁ ନିଜେ ଭକ୍ଷଣ କରି ଅମୃତତକ ମୋ ଭଳି ଛୋଟ ଭଉଣୀକୁ ଦେଇଛ । ତୁମକୁ ଭଲ ପାଉଥିଲେ ବୋଲି ମୁଁ ତାଙ୍କୁ ଫେରିପାଇଲି ।

 

ସତ୍ୟେନ୍ଦ୍ରର ଗୋଟିଏ ଛୋଟ ଫୋଟ ହାତରେ ଧରି ବିଜୁଳୀ ଏକ ଦୃଷ୍ଟିରେ ଚାହିଁ ରହିଥିଲା । ମୁହଁ ଟେକି ଅଳ୍ପ ହସିଦେଇ କହିଲା–ବିଷର ବିଷ ହିଁ ଯେ ଅମୃତ ଭଉଣୀ, ସେହି ବିଷ ହିଁ ଏହି ଘୋର ପାପୀଷ୍ଠାକୁ ଅମର କରିପାରିଛି ।

 

ରାଧାରାଣୀ ସେକଥାର କୌଣସି ଜବାବ ନ ଦେଇ କହିଲା–ଦେଖା କରିବ ଦିଦି ?

 

ବିଜୁଳୀ ମୁହୂର୍ତ୍ତକ ପାଇଁ ଆଖିବୁଜି ସ୍ଥିର ହୋଇ କହିଲା–ନା, ଭଉଣୀ, ଚାରିବରଷ ପୂର୍ବେ ଯେଉଁଦିନ ସେ ଏହି ଅସ୍ପୃଶ୍ୟାଟାକୁ ଚିହ୍ନିପାରି, ଘୃଣାରେ ମୁହଁ ଫେରାଇ ଚାଲିଗଲେ, ସେହିଦିନ ଗର୍ବକରି କହିଥିଲି, ପୁଣି ତୁମ ସହିତ ଦେଖା ହେବ ଏବଂ ପୁଣି ତୁମେ ଫେରିଆସିବ । କିନ୍ତୁ ସେ ଗର୍ବ ମୋର ରହିଲା ନାହିଁ । ଆଉ ସେ ଆସିଲେ ନାହିଁ । କିନ୍ତୁ ସେ ଗର୍ବ ମୋର ରହିଲା ନାହିଁ । ଆଉ ସେ ଆସିଲେ ନାହିଁ । କିନ୍ତୁ ଆଜି ବୁଝି ପାରୁଛି କାହିଁକି ଦର୍ପହାରୀ ମୋର ଗର୍ବକୁ ଭାଙ୍ଗିଦେଲେ-। ସେ ଭାଙ୍ଗିଦେଇ କ’ଣ ଯେ ଗଢ଼ି ଦିଅନ୍ତି, କାଢ଼ିନେଇ ପୁଣି କ’ଣ ଯେ ଫେରାଇ ଦିଅନ୍ତି, ସେକଥା ମୋ ବ୍ୟତୀତ ବୋଧହୁଏ ଆଉକେହି ଜାଣିନଥିବେ ଭଉଣୀ । କହି ସେ ପୁଣି ଆହୁରି ଥରେ ପଣତ କାନିରେ ଆଖି ପୋଛି କହିଲା–ପ୍ରାଣର ଭଗବାନଙ୍କୁ ନିଷ୍ଠୁର, ନିର୍ଦ୍ଦୟ କହି ଅନେକ ଦୋଷ ଦେଉଛି । କିନ୍ତୁ ବର୍ତ୍ତମାନ ଜାଣି ପାରୁଛି ଏଇ ପାପୀଷ୍ଠାକୁ ସେ କେତେ ଦୟା ନକରିଛନ୍ତି-! ସେ ଯଦି ତାଙ୍କୁ ଫେରାଇ ଆଣି ଦେଇଥାନ୍ତେ, ସବୁ ଦିଗରୁ ମୁଁ ମାଟି ହୋଇ ଯାଇଥାନ୍ତି– ତାଙ୍କୁ ତ ପାଇ ନଥାନ୍ତି ଏବଂ ନିଜକୁ ମଧ୍ୟ ସବୁଦିନ ପାଇଁ ହରାଇ ବସିଥାନ୍ତି ।

 

ଚାପାକାନ୍ଦରେ ରାଧାରାଣୀର ଗଳା ରୁଦ୍ଧ ହୋଇଯାଇଥିଲା । ସେ କିଛି କହି ପାରିଲା ନାହିଁ ।

 

ବିଜୁଳୀ ପୁନରାୟ କହିଲା–ଭାବିଥିଲି, ଜୀବନରେ ଯେତେବେଳେ ହେଲେ ତାଙ୍କ ସହିତ ଯଦି ସାକ୍ଷାତ୍ ମିଳିବ, ସେତେବେଳେ ତାଙ୍କ ପାଦ ଦୁଇଟି ଧରି କ୍ଷମା ମାଗିନେବି । କିନ୍ତୁ ଆଉ ତାର ଆବଶ୍ୟକତା ନାହିଁ । କେବଳ ଏହି ଫଟୋ ଖଣ୍ଡିକ ଦିଅ ଭଉଣୀ, ଏହାଠାରୁ ବେଶୀ କିଛି ଅଧିକା ମୁଁ ମାଗୁନାହିଁ । ମାଗିଲେ ଭଗବାନ ମଧ୍ୟ ତାହା ସହ୍ୟ କରି ପାରିବେ ନାହିଁ । ମୁ ଯାଉଛି, କହି ସେ ଉଠି ଠିଆ ହେଲା ।

 

ରାଧାରାଣୀ ମମତା ଭରା ସ୍ୱରରେ କହିଲେ–ଆଉ କେବେ ଦେଖା ହେବ, ନାନୀ ?

 

ଦେଖା ଆଉ ହେବ ନାହିଁ ଭଉଣୀ । ମୋର ଗୋଟିଏ ଛୋଟ ଘର ଅଛି । ସେଇଟାକୁ ବିକ୍ରି କରି ଯେତେ ଶୀଘ୍ର ପାରେ ଚାଲିଯିବି । ଭଲକଥା, କହିପାରିବ ଭଉଣୀ ଏତେଦିନ ପରେ ସେ ପୁଣି କାହିଁକି ମୋତେ ମନେ ପକାଇଲେ ? ଯେତେବେଳେ ତାଙ୍କ ଲୋକ ମତେ ଡାକିବାକୁ ଯାଇଥିଲେ, ସେତେବେଳେ ମୁଁ ସେମାନଙ୍କୁ ମୁଁ ମୋର ଗୋଟିଏ ମିଛ ନାମ କହିଥିଲି ।

 

ଲଜ୍ଜାରେ ରାଧାରାଣୀର ମୁହଁ ଆରକ୍ତ ହୋଇ ଉଠିଲା । ସେ ତଳକୁ ମୁହଁ ପୋତି ଚୁପ କରି ଠିଆ ହୋଇ ରହିଲା ।

 

ବିଜୁଳୀ ମୁହୂର୍ତ୍ତକ ପାଇଁ ଚିନ୍ତା କରି କହିଲା–ହୁଏତ ବୁଝିପାରିଛି । ମତେ ଅପମାନିତ କରିବେ ବୋଲି ତ ? ନୁହେଁ ? ତାହା ନହୋଇଥିଲେ ଏତେ ଚେଷ୍ଟାକରି ଡାକି ଅଣାଇବାରେ ଆଉ ଅନ୍ୟ କୌଣସି କାରଣ ଦେଖି ପାରୁନାହିଁ ।

 

ରାଧାରାଣୀର ମଥା ଆହୁରି ନଇଁ ଗଲା ।

 

ବିଜୁଳୀ ହସିଦେଇ କହିଲା–ତୁମର ଏଥିରେ ଲଜ୍ଜ୍ୟା କରିବାର କ’ଣ ଅଛି ଭଉଣୀ ? ତେବେ ତାଙ୍କର ବି ଭୁଲ ହୋଇଯାଇଛି । ତାଙ୍କର ପାଦରେ ମୋର ଶତକୋଟି ପ୍ରଣାମ ଜଣାଇ କହିବ ସେକଥା ସମ୍ଭବପର ନୁହେଁ । ମୋର ନିଜର ବୋଲି ଆଉ କିଛି ନାହିଁ । ଅପମାନିତ କଲେ ସମସ୍ତ ଅପମାନ ତାଙ୍କୁ ହିଁ ହବ ।

 

–ନମସ୍କାର ନାନୀ ।

 

–ନମସ୍କାର ଭଉଣୀ, ବୟସରେ ଢେର ବଡ଼ ହେଲେ ସୁଦ୍ଧା ତୁମକୁ ଆଶୀର୍ବାଦ କରିବାର ଅଧିକାର ମୋର ନାହିଁ । ମୁଁ କାୟ, ମନ, ବାକ୍ୟରେ ପାର୍ଥନା କରୁଛି ଭଉଣୀ, ତୁମର ହାତର କାଚ ବଜ୍ର ହେଉ । ହଉ, ଯାଉଛି ।

Image

 

 

 

 

 

 

 

 

 

 

 

 

 

ଦର୍ପଚୂର୍ଣ୍ଣ

 

ସନ୍ଧ୍ୟା ପରେ ଇନ୍ଦୁମତୀ ନିଜକୁ ଭଲକରି ସଜେଇ ସ୍ୱାମୀଙ୍କ ଘରେ ପ୍ରବେଶ କରି ପଚାରିଲା–କ’ଣ ହେଉଛି ?

 

ନରେନ୍ଦ୍ର ଖଣ୍ଡିଏ ବଙ୍ଗଳା ମାସିକ ପତ୍ର ପଢ଼ୁଥିଲା । ମୁହଁ ଟେକି ମୁହୂର୍ତ୍ତକ ପାଇଁ ସ୍ତ୍ରୀର ମୁହଁକୁ ଚାହିଁ ରହି ସେହିଖଣ୍ଡିକ ତାଙ୍କ ହାତକୁ ବଢ଼ାଇ ଦେଲା ।

 

ଇନ୍ଦୁ ଖୋଲାପୃଷ୍ଠା ଉପରେ ଆଖି ବୁଲାଇ ନେଇ ଦୁଇ ଆଖିର ଭୃଲତାକୁ ଇସତ୍ କୁଞ୍ଚିତ କରି ଆଶ୍ଚର୍ଯ୍ୟ ହେଲା ପରି କହିଲା–ଇସ୍ ! ଏ କ’ଣ କବିତା ତ ? ବେଶ୍ ଭଲ ହୋଇଛି, ଖାଲି ବସିନାହିଁ, କିନ୍ତୁ ବେକାର ଖାଟୁଛି । ଦେଖି, ଦେଖି, ଏଇଟା କି ପତ୍ରିକା ? 'ସରସ୍ୱତୀ' ?

 

'ସ୍ୱପ୍ରକାଶ'ବୋଧହୁଏ ଛାପିଲା ନାହିଁ ।

 

ନରେନ୍ଦ୍ରର ଦୃଷ୍ଟି ବ୍ୟଥାରେ ମ୍ଳାନ ହୋଇ ଆସିଲା ।

 

ଇନ୍ଦୁ ପ୍ରଶ୍ନ କଲା–'ସ୍ୱପ୍ରକାଶ' କ’ଣ ଫେରାଇ ଦେଲା ?

 

–ସେଠାକୁ ପଠାଇ ନଥିଲି ।

 

–ଥରକ ପାଇଁ ପଠାଇ ଦେଖିଲ ନାହିଁ ? "ସ୍ୱପ୍ରକାଶ" କିନ୍ତୁ 'ସରସ୍ୱତୀ'ନୁହେଁ । ତାର କାଣ୍ଡଜ୍ଞାନ ଅଛି । ଏଥିପାଇଁ ମୁଁ ଯେକୌଣସି ଏଣୁତେଣୁ ପତ୍ରିକା ପଢ଼େ ନାହିଁ ।

 

ଟିକିଏ ହସିଦେଇ ଇନ୍ଦୁ ପୁଣି କହିଲା– ଆଚ୍ଛା, ନିଜର ଲେଖା, ନିଜେ ହିଁ ମନଦେଇ ପଢ଼ୁଛ । ଭଲ କଥା । ଆଜି ମୁଁ ଏ ଘରର ବ୍ରାହ୍ମଣୀ ନାନୀକୁ ସଙ୍ଗରେ ଧରି ସିନେମା ଦେଖିବାକୁ ଯାଉଛି । କମଳା ଶୋଇପଡ଼ିଛି । କାବ୍ୟ ପଢ଼ିବା ଭିତରେ ଝିଅଟା ପ୍ରତି ଟିକିଏ ଲକ୍ଷ୍ୟ ରଖିବ । ଯାଉଛି.....

 

ନରେନ୍ଦ୍ର ପତ୍ରିକାଟିକୁ ବନ୍ଦ କରି ଟେବୁଲର ଗୋଟିଏ କୋଣରେ ରଖି ଦେଇ କହିଲା ଯାଅ ।

 

ଇନ୍ଦୁ ଚାଲିଯାଉଥିଲା । ହଠାତ୍ ଗୋଟିଏ ଗଭୀର ନିଃଶ୍ୱାସ କାନରେ ବାଜିବା କ୍ଷଣି ସେ ଫେରିପଡ଼ି କହିଲା–ଆଚ୍ଛା, ମୁଁ କିଛି ଗୋଟାଏ କରିବାକୁ ଇଚ୍ଛାକଲେ ତୁମେ ଏପରି ଦୀର୍ଘ ନିଃଶ୍ୱାସ ପକାଅ କାହିଁକି, କହିଲ ? ଏଥିରେ ଯଦି ତୁମକୁ କଷ୍ଟ ଲାଗେ ତେବେ ମୁହଁ ଖୋଲି କହନି କାହିଁକି-? ମୁଁ ହୁଏତ ବାପାଙ୍କ ପାଖକୁ ଚିଠି ଲେଖି ଯାହା ହେଲେ ଗୋଟାଏ ଉପାୟ କରନ୍ତି-

 

ନରେନ୍ଦ୍ର ମୁହୂର୍ତ୍ତକ ପାଇଁ ମୁହଁ ଟେକି ଇନ୍ଦୁ ଆଡ଼କୁ ଚାହିଁ ରହିଲା । ମନେ ମନେ କ’ଣ କହିବାକୁ ଇଚ୍ଛା କଲା, କିନ୍ତୁ କହିପାରିଲା ନାହିଁ, ନୀରବରେ ମୁହଁ ତଳକୁ କଲା ।

 

ନରେନ୍ଦ୍ରର ମାମୁଁ ଝିଅ ଭଉଣୀ ବିମଳା ଇନ୍ଦୁର ସଖି । ରାସ୍ତା ସେପାଖ ମୋଡ଼ରେ ତାର ଘର । ଇନ୍ଦୁ ଗାଡ଼ି ଠିଆ କରାଇ ଭିତରକୁ ପଶିଯାଇ ବିସ୍ମିତ ଓ ବିରକ୍ତ ହୋଇ କହିଲା–ଏ କ’ଣ ଏପର୍ଯ୍ୟନ୍ତ ଲୁଗା ପିନ୍ଧିନାହଁ ଯେ ! କ’ଣ ଖବର ପାଇଁ ନଥିଲକି ?

 

ବିମଳା ସଲ୍ଲଜ ହସି ହସି କହିଲା–ପାଇଛି ସତ, କିନ୍ତୁ ଟିକିଏ ଡେରି ହେବ ନୂଆଉ । ଇୟେ ଏଇ ମାତ୍ର ବୁଲିବାକୁ ବାହାରିଗଲେ । ଫେରି ନ ଆସିଲେ ତ ଯାଇ ପାରିବି ନାହିଁ ।

 

ଇନ୍ଦୁ ମନେ ମନେ ଅତ୍ୟନ୍ତ ବିରକ୍ତ ହେଲା, ଟିକିଏ ଖୁଞ୍ଚାଣିଆ କରି ପଚାରିଲା–ପ୍ରଭୁଙ୍କର ହୁକୁମ ବୋଧହୁଏ ମିଳି ନାହିଁ?

 

ବିମଳାର ସୁନ୍ଦର ମୁହଁଟି ସ୍ନିଗଧ ମଧୁର ହସରେ ଭରି ଉଠିଲା । ଏଇ ଖୁଞ୍ଚାଟିକୁ ସେ ଯେପରି ଆନନ୍ଦର ସହିତ ଉପଭୋଗ କଲା । କହିଲା–ନାହିଁ, ଏପର୍ଯ୍ୟନ୍ତ ଦାସୀର ଦରଖାସ୍ତ ପେଶ କରାହୋଇ ନାହିଁ । ହେଲେ, ନାମଞ୍ଜୁର ହେବ ନାହିଁ, ଏ ଭରସା କିନ୍ତୁ ମୋର ଅଛି ।

 

ଇନ୍ଦୁ ଆହୁରି ବିରକ୍ତ ହୋଇ ଉଠିଲା । କହିଲ–ତେବେ ପେଶ୍‍ କରା ହୋଇନାହିଁ କାହିଁକି ? ଖବରତ ମୁଁ ତୋ ପାଖକୁ ବେଳ ଥାଉ ଥାଉ ପଠାଇଥିଲି ।

 

ସେତେବେଳେ ସାହସ ହେଲା ନାହିଁ ନୂଆ'ଉ । ଅଫିସରୁ ଫେରି ଆସି କହିଲେ ମୁଣ୍ଡ ବିନ୍ଧୁଛି । ଭାବିଲି ଜଳଖିଆ ଖାଇ ଟିକିଏ ବୁଲି ଆସନ୍ତୁ, ମନଟା ପ୍ରଫୁଲ୍ଲ ହେଉ, ତେବେ ଯାଇ ଜଣାଇବି । ବର୍ତ୍ତମାନ ତ ଡେରି ଅଛି । ଟିକିଏ ବସିପଡ଼ ନା ନୂଆ'ଉ, ସେ ଫେରି ଆସିଲେ ବୋଲି ଜାଣ ।

 

କେଜାଣି, ତୁ କିପରି ଏଥିରେ ହସି ପାରୁଛୁ । ମୁଁ କିନ୍ତୁ ଏପରି ହୋଇଥିଲେ ଲାଜରେ ମରି ଯାଆନ୍ତିଣି । ଆଚ୍ଛା, ତୋର ଚାକର କିମ୍ବା ଦାସୀକୁ କହି କ’ଣ ଯାଇପାରିବୁ ନାହିଁ ।

 

ବିମଳା ସଭୟେ କହିଲା–ବାପ୍ ରେ । ତାହାହେଲେ ଘରୁ ତଡ଼ି ବାହାର କରି ଦେବେ ଯେ, ଆଉ ବଞ୍ଚିଥିବା ପର୍ଯ୍ୟନ୍ତ ମୁହଁ ଚାହିଁବେ ନାହିଁ ।

 

ଇନ୍ଦୁ ଆଶ୍ଚର୍ଯ୍ୟ ହୋଇ କ୍ରୋଧରେ ପଚାରିଲା–ତଡ଼ି ଦେବେ ? କେଉଁ ଆଇନ ବଳରେ-? କେଉଁ ଅଧିକାର ବଳରେ କହତ ?

 

ବିମଳା ନିହାତି ସହଜ ଭାବରେ ଉତ୍ତର ଦେଲା–ଏଥିରେ ଅବା ଅସୁବିଧା କ’ଣ ଅଛି ? ସେ ମାଲିକ । ମୁଁ ଦାସୀ, ସେ ତଡ଼ି ଦେଲେ କିଏ ଆଉ ରଖିପାରିବ କହିଲ ?

 

ରଖି ପାରିବ ରାଜା; ରଖିପାରିବ ଆଇନ । ସେ କଥା ଚୂଲିକି ଯାଉ, କିନ୍ତୁ ନିଜ ମୁହଁରେ ନିଜକୁ ଦାସୀ ବୋଲି କହିବାକୁ ତୁମକୁ ଲଜ୍ୟା ଆସେ ନାହିଁ ? ସ୍ୱାମୀ ହେଲେ ବୋଲି ସେ କ’ଣ ମୋଗଲ ବାଦଶାହ ? ଆଉ ସ୍ତ୍ରୀ କ’ଣ ତାଙ୍କର କ୍ରୀତ ଦାସୀ ଯେ, ଆପାଣାକୁ ଆପାଣା ଛାଏଁ ଏପରି ହୀନ, ଏପରି ତୁଚ୍ଛ କହି ଗୌରବ ବୋଧ କରୁଛ ।

 

ଇନ୍ଦୁର ଏହି କ୍ରୋଧଟିକୁ ଲକ୍ଷ୍ୟକରି ବିମଳା ଆନନ୍ଦ ଉପଲବଧ କଲା । କହିଲ–ତୁମର ନଣନ୍ଦଟି ଯେ ମୂର୍ଖ ନୂଆଉ । ସେଥିପାଇଁ ସେ ନିଜକୁ ସ୍ୱାମୀଙ୍କର ଦାସୀବୋଲି ମନେ କରି ଗୌରବ ବୋଧ କରେ । ଆଚ୍ଛା, କହିଲ ନୂଆ'ଉ, ତୁମେ ଯେ ଏତେ କଥା କହୁଛ, ତୁମେ କ’ଣ ଘରୁ ଭାଇଙ୍କର ଆଦେଶ ନପାଇ ଚାଲି ଆସି ପାରୁଛ ।

 

ଆଦେଶ ? କାହିଁକି ? କେଉଁଥିପାଇଁ ? ସେ ନିଜେ ଯେତେବେଳେ ଯୁଆଡ଼େ ଯାଆନ୍ତି, ମୋର ଆଦେଶକୁ ଅପେକ୍ଷା କରନ୍ତି କି ? ମୁଁ ଯାଉଛି, କେବଳ ଏଇ ପଦକ ତାଙ୍କୁ କହି ଦେଇ ଆସିଛି । ମୁହୂର୍ତ୍ତକ ପାଇଁ ଚୁପ୍ ରହିବା ପରେ ଅକସ୍ମାତ୍ ଉତ୍ତେଜିତ ହୋଇ କହିଲା– ଏକଥା ମୁଁ ମାନିବି ଯେ ମୋ ସ୍ୱାମୀଙ୍କ ପରି ଗୁଣବାନ ସ୍ୱାମୀ ଖୁବ୍ କମ୍ ନାରୀଙ୍କ ଭାଗ୍ୟରେ ଜୁଟିଥାଏ । ମୋର କୌଣସି ପ୍ରକାର ଇଚ୍ଛାରେ ସେ ବାଧା ଦିଅନ୍ତି ନାହିଁ, କିନ୍ତୁ ଏପରି ଯଦି ନ ହୋଇଥାନ୍ତେ ଏବଂ ସେ ଯଦି ନିହାତି ଅବିବେକୀ ହୋଇଥାନ୍ତେ, ତାହେଲେ ତୁମକୁ କହୁଛି– ମୁଁ ମୋର ଷୋଳ ଅଣା ସମ୍ମାନ ବଜାୟ ରଖିଥାନ୍ତି । କୌଣସି ମତେ ମୁଁ ତୁମ ଭଳି ଭୁଲି ଯାଇ ନଥାନ୍ତି ଯେ ମୁଁ ସଙ୍ଗିନୀ, ସହଧର୍ମଣୀ କିନ୍ତୁ ତାଙ୍କର କ୍ରୀତଦାସୀ ନୁହେଁ । ଜାଣ ବିମଳା, ଏପରି କରି ହିଁ ଆମଦେଶର ସମସ୍ତ ଝିଅ ପିଲା ପୁରୁଷଙ୍କ ପାଦତଳେ ମୁଣ୍ଡରଖି ଏତେ ତୁଚ୍ଛ ଏବଂ ଖେଳଣାର କଣ୍ଢେଇ ସାଜି ବସିଛନ୍ତି । ନିଜର ମାନ ନିଜେ ନରଖିଲେ, କେହି କ’ଣ କେବେ ଦିଏ ? କେହି ଦିଅନ୍ତି ନାହିଁ । ମୋର ତ ଏପରି ସ୍ୱାମୀ, ତଥାପି କେତେବେଳେ ମୁଁ ତାଙ୍କୁ ଏକଥା ଭାବିବାକୁ ଅବକାଶ ଦେଇ ନାହିଁ ଯେ ସେ ମୋର ପ୍ରଭୁ ଏବଂ ମୁଁ ତାଙ୍କ ପାଦ ତଳର ଦାସୀ । ଆମ ନାରୀ ଦେହରେ ମଧ୍ୟ ଭଗବାନ ବାସ କରନ୍ତି, ଏକଥା, ମୁଁ ନିଜେ ମଧ୍ୟ ଭୁଲି ନାହିଁ କିମ୍ବା ତାଙ୍କୁ ମଧ୍ୟ ଭୁଲିଯିବା ପାଇଁ ସୁଯୋଗ ଦେଇ ନାହିଁ ।

 

ବିମଳା ଚୁପ୍ କରି ଶୁଣି ଗୋଟାଏ ନିଃଶ୍ୱାସ ଛାଡ଼ିଲା । କିନ୍ତୁ ସେଥିରେ କୌଣସି ଲଜ୍ଜ୍ୟା କିମ୍ବା ଅନୁଶୋଚନା ପ୍ରକାଶ ପାଇଲା ନାହିଁ । କହିଲା–କି ଉପାୟରେ ଆତ୍ମ ସମ୍ମାନ କରିବାକୁ ହୁଏ ଜାଣିନାହିଁ, ବରଂ କିପରି ତାଙ୍କ ପାଦ ତଳେ ଆତ୍ମସମର୍ପଣ କରିବାକୁ ହୁଏ ଶିଖିଛି । ଏହି ଯେ ସେ ଆସିଲେଣି । ଟିକିଏ ବସ ନୂଆ'ଉ । ମୁଁ ଶୀଘ୍ର ଅନୁମତି ନେଇ କରି ଆସେ । କହି ଅଳ୍ପ ମୁଚୁକି ମୁଚୁକି ହସି ଜଲଦି ସେଠାରୁ ଚାଲିଗଲା ।

 

ଇନ୍ଦୁ ଏ ହସକୁ ଦେଖିପାରିଲା, ତାର ସର୍ବାଙ୍ଗ ରାଗରେ ଜଳିଉଠିଲା ।

 

ସିନେମା ଦେଖି ସାରି ଫେରିବା ବାଟରେ ଇନ୍ଦୁ ହଠାତ୍ କହି ଉଠିଲା–

 

ତୁମେ କ’ଣ ଅନୁମତି ନପାଇଲେ ଆସି ପାରି ନଥାନ୍ତ ?

 

ବିମଳା ଅନ୍ୟମନସ୍କ ଥାଇ କହି ପକାଇଲା–ନା ।

 

ମୋର କିପରି ମନେହେଉଛି, ତୁମକୁ ମୁଁ ଯେତେବେଳେ ଇଚ୍ଛା ସେତେବେଳେ ଡାକି ଆଣୁଛି ବୋଲି ତୁମର ସ୍ୱାମୀ ହୁଏତ ମୋ ଉପରେ ରାଗ କରୁଥିବେ ।

 

ବିମଳା ବୁଲିପଡ଼ି କହିଲା, ତାହେଲେ ମୁଁ ନିଜେ ଅବା ଯିବି କାହିଁକି ନୂଆବୋଉ ? ବରଂ ମୋର ଭୟ ହୁଏ, ତୁମେ ଏପରି ଆସ ବୋଲି ଭାଇ ହୁଏତ ମନେ ମନେ ମୋ ଉପରେ ବିରକ୍ତ ହେଉଥିବେ ।

 

ଇନ୍ଦୁ ଗର୍ବ କରି କହି ଉଠିଲା, ତୁମ ଭାଇଙ୍କର ସେପରି ସ୍ୱଭାବ ନୁହେଁ । ଏକରେ ସେ କେତେବେଳେ ନିଜର ଅଧିକାର ବାହାରେ ପାଦ ଦିଅନ୍ତି ନାହିଁ ତା'ଛଡ଼ା ମୋ ଉପରେ ରାଗ କରିବେ, ମୁଁ ଭଲ କରି ଜାଣେ ଏ ସ୍ପର୍ଦ୍ଧା ସେ ଭୁଲ୍ ରେ ସୁଦ୍ଧା କରିପାରିବେ ନାହିଁ ।

 

ବିମଳା ଦୁଇ ମିନଟ୍ ସ୍ଥିର ରହି, ଗମ୍ଭୀରଭାବରେ ଗୋଟାଏ ନିଃଶ୍ୱାସ ପକାଇ ନରମ କଣ୍ଠରେ କହିଲା–ନୁଆଁଉ, ଭାଇ ତୁମକୁ କି ଭଲ ନପାଆନ୍ତି ! କିନ୍ତୁ ତୁମେ ବୋଧହୁଏ....

 

ଏତେ ସମୟ ପରେ ଇନ୍ଦୁ ମୁହଁରେ ହସ ଫୁଟିଲା । କହିଲା, ସେକଥା ଅବଶ୍ୟ ଅସ୍ୱୀକାର କରିପାରୁନାହିଁ, କିନ୍ତୁ ମୋ ବିଷୟରେ ତୁମର ସନ୍ଦେହ ହେଲା କିପରି ?

 

–ତାହା ଅବଶ୍ୟ କହି ପାରିବି ନାହିଁ, କିନ୍ତୁ ମନେହୁଏ ଯେପରି....

 

–କାହିଁକି ମନେହୁଏ ଭଉଣୀ ! କ’ଣ ତୁମ ଭଳି ପାଦ ତଳେ ଲୋଟି ଭଲ ପାଇବା ମୋର ଅଭ୍ୟାସ ନାହିଁ ବୋଲି ? ଆଉ ଈଶ୍ୱର କରନ୍ତୁ, ମୋର ନାରୀତ୍ୱର ମର୍ଯ୍ୟାଦାକୁ ପାଦରେ ଦଳି କୌଣସି ଦିନ ମୋର ଭଲ ଭଲ ପାଇବା ଯେପରି ବଡ଼ ନହେଉ । ଯେଉଁ ଭଲ ପାଇବା ମୋର ସ୍ୱାଧୀନ ସତ୍ତାକୁ ଲଙ୍ଘନ କରେ, ସେ ଭଲ ପାଇବାକୁ ମୁଁ ଆନ୍ତରିକ ଘୃଣା କରେ ।

 

ବିମଳା ଗୋପନରେ ଶିହରି ଉଠିଲା ।

 

କେତେ ମିନଟ୍ ଚୁପ୍ ରହିଲା ପରେ ଇନ୍ଦୁ କହିଲା–କଥା କହୁନ ଯେ, କ’ଣ ଭାବୁଛ କି ?

 

କିଛି ନୁହେଁ । ପ୍ରାର୍ଥନା କରୁଛି, ଭାଇ, ତୁମକୁ ସବୁଦିନ ଏହିପରି ଭଲ ପାଉଥାନ୍ତୁ । ଯେତେ ଯାହା କହ ନୂଆ'ଉ, ସ୍ୱାମୀଙ୍କର ଭଲ ପାଇବା ବିଶ୍ୱ ବ୍ରହ୍ମାଣ୍ଡ ଠାରୁ ବଡ଼ । କିଛିକ୍ଷଣ ନିରବ ରହି ବିମଳା ପୁଣି କହିଲା–କେଜାଣି, କ’ଣ ତୁମର ନାରୀ ମର୍ଯ୍ୟାଦା ଆଉ କ’ଣ ଅବା ତୁମର ସ୍ୱାଧୀନ ସତ୍ତା ? ମୁଁ କିନ୍ତୁ ମୋର ସର୍ବସ୍ୱ ତାଙ୍କ ପାଦ ତଳେ ଢାଳି ଦେଇ ବଞ୍ଚିଛି । ସତ କହୁଛି ନୁଆଁଉ ମୋର ଏପରି ଅବସ୍ଥା ହୋଇଛି ଯହିଁରେ ମୋର ନିଜର ସ୍ୱତନ୍ତ୍ର ଇଚ୍ଛା ଥିଲାପରି ଜାଣିପାରୁନାହିଁ । ତାଙ୍କର ଇଚ୍ଛାହିଁ.....

 

ଛିଃ–ଛିଃ–ଚୁପ୍ କର । ବିମଳା ଚମକି ପଡ଼ିଲା ।

 

ଇନ୍ଦୁ ଘୃଣା କରି କହିବାକୁ ଲାଗିଲା–ଆମଦେଶର ଝିଅମାନେ କ’ଣ ମାଟିର କଣ୍ଢେଇ ? ପ୍ରାଣ ନାହିଁ, ଆତ୍ମା ନାହିଁ, ସତେ ଯେପରି କିଛି ସେମାନଙ୍କର ନାହିଁ, ଆଚ୍ଛା ତୁମକୁ ପଚାରୁଛି–ଏତେ ଭାବରେ ସେବା କରି ତୁମେ କ’ଣ ପାଇଛ ? ମୋଠାରୁ ବେଶୀ ଭଲ ପାଇବା, ଆଦର କରିବା, ଆଦାୟ କରି ପାରିଛ କି ? ବୁଝିଲ ଭଉଣୀ ଭଲ ପାଇବାକୁ, ମାପିବା ପାଇଁ ଯନ୍ତ୍ର ନାହିଁ–ନଚେତ୍ ମାପି ଦେଖାଇ ଦେଇ ପାରନ୍ତି । ଥାଉ ସେ କଥା, କିନ୍ତୁ କାହିଁକି ଜାଣ । ନିଜକୁ ତୁମ ଭଳି ନୀଚ କରି ପାରିନାହିଁ ବୋଲି । ତୁମଭଳି ଏଇ କାଙ୍ଗାଳ ବୃତ୍ତିକୁ ମୁଣ୍ଡ ପାତି ଗ୍ରହଣ କରି ନେଇ ନାହିଁ ବୋଲି । ମୋର ଭାରି ଦୁଃଖ ହୁଏ ଭଉଣୀ, କାହିଁକି ସେ ଏତେ ଶାନ୍ତ ଆଉ ନିରୀହ । କୌଣସି ବିଷୟରେ କିଛି କାହିଁକି କହନ୍ତି ନାହିଁ, ନହେଲେ ଦେଖାଇପାରନ୍ତି–ସେ ଯାହାକୁ ଗ୍ରହଣ କରନ୍ତି ନାହିଁ ସେ ମଧ୍ୟ ମନୁଷ୍ୟ, ସେ ମଧ୍ୟ ଅଗ୍ରାହ୍ୟ କରି ଜାଣେ, ସେ ମଧ୍ୟ ଆତ୍ମମର୍ଯ୍ୟାଦାକୁ ହରାଇ ଭଲ ପାଇବା ଚାହେଁ ନାହିଁ । ହଠାତ୍ ବିମଳା ମୁହଁକୁ ଚାହିଁ ଦେଇ ସେ ଆଶ୍ଚର୍ଯ୍ୟରେ ପଚାରି ଉଠିଲା– ଏ କ’ଣ ? ମୁହଁ ବୁଲାଇନେଇ ହସୁଛ ଯେ ?

 

ବିମଳା ଜୋରକରି ହସକୁ ଚପାଇ ରଖି କହିଲା–କାଇଁ –ନାଇତ ।

 

ନାହିଁ କ’ଣ, ବର୍ତ୍ତମାନ ସୁଦ୍ଧା ତୁମ ଓଠରେ ହସ ଲାଗି ରହିଛି ।

 

ବିମଳା ହସି ପକାଇ କହିଲା– ଲାଗିରହିଛି ତୁମରି କଥାଶୁଣି । ଆଗୋ ନୂଆ'ଉ କ’ଣ ବହୁତ ପାଇପାରିଛ ବୋଲି ତୁଣ୍ଡରୁ ଏପରି କଥା ବାହାରି ପାରୁଛି ।

 

ଇନ୍ଦୁ କୄଦ୍ଧ ସ୍ୱରରେ ପଚାରିଲା–ନପାଇଥିଲେ ?

 

ବାହାରି ପାରନ୍ତା ନାହିଁ ।

 

ଭୁଲ । ନିହାତି ଭୁଲ । ଭଉଣୀ ସମସ୍ତେ ତୁମଭଳି ନୁହନ୍ତି । ସମସ୍ତେ ଭିକ୍ଷା ମାଗି ବୁଲନ୍ତି ନାହିଁ । ଆତ୍ମଗୌରବ ବୁଝୁଥିବା ସ୍ତ୍ରୀ ମଧ୍ୟ ଏ ସଂସାରରେ ଅଛନ୍ତି ।

 

ଏଥର ବିମଳାର ହସ ଧୀରେ ଧୀରେ ମିଳାଇଗଲା । କହିଲା–ସେ କଥା ମୁଁ ଜାଣେ ।

 

ଜାଣିଥିଲେ କଦାପି ଏପରି କହନ୍ତ ନାହିଁ । ଯାହାହେଉ ବର୍ତ୍ତମାନଠାରୁ ଜାଣିରଖ ଯେ ଭିକ୍ଷା ନଚାହିଁ, ନିଜର ଜୋରରେ ଆଦାୟ କରିବା ଲୋକ ମଧ୍ୟ ଅଛନ୍ତି ।

 

ବିମଳା ବ୍ୟଥିତ ସ୍ୱରରେ କହିଲା–ଆଚ୍ଛା ! ହେଇଟି ଘର ହେଲାଣି । ଏଠାରେ ଓହ୍ଲାଇବ କି ?

 

ନା, ମୁଁ ବର୍ତ୍ତମାନ ଘରକୁ ଯିବି । ଏ ଗାଡ଼ିବାଲା, ଏଇ ଗଳିରେ.....

 

ଭାଇଙ୍କୁ ମୋର ପ୍ରଣାମ ଜଣାଇଦେବ ନୂଆ'ଉ ।

 

ଦେବୀ, ଆଗକୁ ଗାଡ଼ି ଚଲାଅ....

 

(୨)

 

–ଆଉ ନାହିଁ ଘର ଖର୍ଚ୍ଚ ପାଇଁ କିଛି ଟଙ୍କା ତୁମକୁ ଦେବାକୁ ହେବ ।

 

ସ୍ତ୍ରୀର ପ୍ରାର୍ଥନା ଶୁଣି ନରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଉଠିଲା । କହିଲା–ଏହା ମଧ୍ୟରେ ତୁମର ଦୁଇଶହ ଟଙ୍କା ସରିଗଲାଣି ?

 

ନହେଲେ କ’ଣ ମିଛ କହୁଛି, ନା ଲୁଚାଇ ରଖିଛି ?

 

ନରେନ୍ଦ୍ର ଆଖିରେ ଭୟର ଆଭାସ ଫୁଟି ଉଠିଲା । ଟଙ୍କା କାହିଁ ? କେଉଁଠାରୁ କ’ଣ କରି ସେ ସଂଗ୍ରହ କରିପାରିବ ?

 

ମୁହଁର ସ୍ନେହ ଭାବକୁ ଇନ୍ଦୁ ଦେଖି ପାରିଲା । କିନ୍ତୁ ଭୁଲ୍ କରିବସିଲା କହିଲା, ବିଶ୍ୱାସ ନହେଉଥିଲେ, ଏଣିକି ଗୋଟାଏ ଖାତା ଦେବ, ମୁଁ ହିସାବ ଲେଖି ରଖିବି । କିମ୍ବା ଆଉ ଗୋଟାଏ କାମ କରିପାର, ଏଣିକି ଟଙ୍କା ପଇସା ତୁମ ପାଖରେ ରଖ, ସେଥିରେ ତୁମର ଆଉ ଭୟ ରହିବ ନାହିଁ ଏବଂ ମୁଁ ମଧ୍ୟ ସନ୍ଦେହର ଲଜ୍ଜ୍ୟାରୁ ମୁକ୍ତି ପାଇଁ ପାରିବି । କହି ତୀବ୍ର ଦୃଷ୍ଟିରେ ଚାହିଁ ଦେଖିଲା ତାଙ୍କର ମୁହଁର ଭାବ ଗାଢ଼ରୁ ଗାଢ଼ତର ହେବାକୁ ଲାଗିଲାଣି ।

 

ନରେନ୍ଦ୍ର ଧୀରେ ଧୀରେ କହିଲା ଅବିଶ୍ୱାସ କରିନାହିଁ କିନ୍ତୁ....

 

–କିନ୍ତୁ କ’ଣ ? ବିଶ୍ୱାସ ହେଉ ନାହିଁ, ଏଇଆ ତ ? ଆଚ୍ଛା ଯାଉଛି, ଯେତେଟା ପାରେ ସେତିକିଟା ହିସାବ ଲେଖି ଆଣୁଛି । ଉହୁଃ–ଯେଉଁ ସୁଖର ଘରକରଣା ମୋର ହୋଇଛି ନା ! କହି, ରାଗରେ ଘରୁ ଇନ୍ଦୁ ବାହାରି ଚାଲିଗଲେ । କିନ୍ତୁ ତତକ୍ଷଣାତ ଫେରି ଆସି କହିଲା–କିନ୍ତୁ କାହିଁକି ? କେଉଁଥିପାଇଁ ହିସାବ ଲେଖିବାକୁ ଯିବିଯେ ? ମୁଁ କ’ଣ ମିଛ କହୁଛି ? ମୋର ମାମୁଁ ଝିଅ ଭଉଣୀର ବାହାଘରରେ ଲୁଗାପଟା ହୋଇ ପଚାଶ ଟଙ୍କା ଲାଗିଲା । କମଳାର ଜାମା ଦୁଇଟାର ଦାମ୍ ବାର ଟଙ୍କା, ସେଦିନ ସିନେମା ଦେଖାରେ ଖର୍ଚ୍ଚ ହେଲା ଦଶ ଟଙ୍କା, ମିଶେଇ ଦେଖିଲ ଦେଖି ଆଉ କେତେ ଟଙ୍କା ବାକି ରହିଲା ? ସେଥିରେ ଏଇ ଦଶ ୫ ଦିନର ଘର ଖର୍ଚ୍ଚଟା କ’ଣ ଏପରି ବେଶୀ ଯେ, ଆଶ୍ଚର୍ଯ୍ୟରେ ତୁମ ଆଖି ଦୁଇଟା ତାଳୁରେ ଖୋସି ହୋଇଗଲାଣି ? ମୋର ଭାଇଙ୍କ ଘରେ ମାସକୁ ସାତଶହ ଆଠଶହ ଟଙ୍କା କିନ୍ତୁ ନିଅଣ୍ଟ ହୁଏ । ସତ କହୁଛି ଏପରି କରିଲେ ତ ମୁଁ ଆଉ ଘରେ ରହିପାରିବି ନାହିଁ । ତାହା ଅପେକ୍ଷା ବରଂ ଖୋଲିକରି କହ ଯେ ମୋ ଭାଇ ମେଦିନୀ ପୁରକୁ ବଦଳି ହୋଇ ଆସିଛନ୍ତି, ଆଉ ମୁଁ ଝିଅଟାକୁ ସଙ୍ଗରେ ନେଇ ଚାଲି ଯାଏ । ମୁଁ ଚାଲିଯାଏ ଆଉ ତୁମେ ଶାନ୍ତିରେ ରହ ।

 

ନରେନ୍ଦ୍ର ଅନେକ ସମୟ ପରେ କହିଲା –ଏ ବେଳା ତ ହୋଇପାରିବ ନାହିଁ, ଦେଖେ ଯଦି ଉପରଓଳି କିଛି ଯୋଗାଡ କରିପାରେ–

 

–ତା ମାନେ ? ଯୋଗାଡ଼ ନ କରିପାରିଲେ, ଉପାସରେ ରହିବାକୁ ହେବ କି ? କହୁଛି, କାଲି ମୁଁ ମେଦିନୀପୁର ଚାଲିଯିବି । କିନ୍ତୁ ତୁମେ ଗୋଟିଏ କାମ କର । ଏଇ ଦଲାଲୀ ବ୍ୟବସାୟ ଛାଡ଼ିଦେଇ, ଭାଇଙ୍କୁ ଧରା ଧରି କରି ଗୋଟିଏ ଚାକିରୀ ଯୋଗାଡ଼ କରି ନିଅ । ସେଥିରେ ବରଂ ଭବିଷ୍ୟତରେ ଭଲରେ ରହିପାରିବ; କିନ୍ତୁ ଯାହା ପାରନାହିଁ, ସେଥିରେ ହାତ ଦେଇ ନିଜେ ମାଟି ହୋଇ ଯାଅ ନାହିଁ । କିମ୍ବା ମତେ ନଷ୍ଟ କରନାହିଁ ।

 

ନରେନ୍ଦ୍ର କୌଣସି ଉତ୍ତର ଦେଲା ନାହିଁ । ଇନ୍ଦୁ ଆଉ କ’ଣ କହିବାକୁ ଯାଉଥିଲା, କିନ୍ତୁ ଏଇ ସମୟରେ ବେହେରା ଆସି ଶମ୍ଭୁ ବାବୁଙ୍କର ଆସିବା ଖବର ଜଣାଇଲା ଏବଂ ପରକ୍ଷଣରେ ମଧ୍ୟ ବାହାରେ ଜୋତାର ପାଦ ଶଦ୍ଦ ଶୁଣାଗଲା । ଇନ୍ଦୁ ପାଖ ଦ୍ୱାର ବାଟେ ବାହାରିଯାଇ ପର୍ଦ୍ଦା ଆଢ଼ୁଆଳରେ ଠିଆ ହୋଇ ରହିଲା ।

 

ଶମ୍ଭୁବାବୁ ମହାଜନ । ନରେନ୍ଦ୍ରର ପିତା ବିସ୍ତର ଋଣକରି ପରଲୋକକୁ ଗମନ କରିଛନ୍ତି-। ପୁଅ ନିକଟରେ ତାଗିଦ କରିବା ପାଇଁ ଶମ୍ଭୁ ସାଧାରଣତଃ ଶୁଭାଗମନ କରିଥାନ୍ତି । ଆଜି ମଧ୍ୟ ସେହିପରି ଆସି ପହଞ୍ଚିଛନ୍ତି । ସେ ଅତ୍ୟନ୍ତ ମୄଦୁଭାସୀ, ଆସନ ଗ୍ରହଣ କରିବା ପରେ ସେ ଧୀରେ ଧୀରେ ଏପରି କେତୋଟି କଥା କହିଲେ, ଯାହା ଦ୍ଵିତୀୟ ଥର ପାଇଁ ଶୁଣିବା ଆଗରୁ ଅତିବଡ଼ ନିର୍ଲ୍ଲଜ ମଧ୍ୟ ନିଜର ମୁଣ୍ଡଟା ବିକ୍ରି କରିଦେବାକୁ ପଛାଇବ ନାହିଁ । ଶମ୍ଭୁବାବୁ ଯିବା ପରେ ପରେ ଇନ୍ଦୁ ପୁଣି ଆସି ନରେନ୍ଦ୍ରଙ୍କ ଆଗରେ ଠିଆହେଲା । ପଚାରିଲା–ଏ କିଏ କି ?

 

ଶମ୍ଭୁ ବାବୁ ।

 

ତାପରେ ?

 

କିଛି ଟଙ୍କା ତାଙ୍କର ପାଇବାର ଥିଲା, ତେଣୁ ସେଥିପାଇଁ ଆସିଥିଲେ ।

 

ସେ କଥା ମୁ ଜାଣି ପାରିଛି, କିନ୍ତୁ ଧାର କରିଥିଲ କାହିଁକି ?

 

ନରେନ୍ଦ୍ର ଏ ପ୍ରଶ୍ନର ଉତ୍ତରକୁ ଏଡ଼ାଇ ଦେଲା । କହିଲା–ବାପା ହଠାତ୍ ମରିଗଲେ, ସେଥିପାଇଁ....

 

ଇନ୍ଦୁ ଅତିଶୟ ରୁକ୍ଷସ୍ୱରରେ କହିଲା, ତୁମ ବାପା କ’ଣ ଦୁନିଆ ସାରା ଲୋକଙ୍କ ଠାରୁ କରଜ କରି ଯାଇଛନ୍ତି ? ଏହାକୁ ପରିଶୋଧ କରିବ କିଏ ? ତୁମେ ? କିପରି ଶୁଝିବ କହିଲ, ଶୁଣେ-?

 

ଏତେ ଗୁଡ଼ାଏ ପ୍ରଶ୍ନର ଉତ୍ତର ଏକା ନିଶ୍ୱାସକରେ ଦିଆଯାଇପାରେ ନାହିଁ । ଇନ୍ଦୁ ନିଜେ ମଧ୍ୟ ସେପର୍ଯ୍ୟନ୍ତ ଅପେକ୍ଷା କରି ରହି ପାରିଲା ନାହିଁ । ତତକ୍ଷଣାତ୍ କହିଲା–ବେଶ୍, ତୁମର ବାପା, ମାଆ ହଠାତ୍ ମରିଯାଇଛନ୍ତି । କିନ୍ତୁ ତୁମେ ତ ହଠାତ୍‍ ବିବାହ କରି ପକାଇ ନଥିଲ ? ମୋର ବାପାଙ୍କୁ ତୁମର ଏସବୁ ବ୍ୟାପାର ଜଣାଇବାର ଉଚିତ ଥିଲା । ମୋତେ ମଧ୍ୟ ଗୋପନ କରିବା ଠିକ୍ ହୋଇନାହିଁ । ଲୋକଙ୍କ ମୁହଁରୁ ଶୁଣିବାକୁ ପାଇଛି ତୁମେ ଭାରି ଧର୍ମଭୀରୁ ଲୋକ, ବୋଧହୁଏ ଏସବୁ ତୁମର ଧର୍ମଶାସ୍ତ୍ରରେ ଲେଖା ନାହିଁ ? କହି, ଠିକ୍ ଯେପରି ସେ ଯୁଦ୍ଧ ଘୋଷଣା କରି ସ୍ୱାମୀଙ୍କ ମୁହଁକୁ ଚାହିଁରହିଲା ।

 

କିନ୍ତୁ ହାୟ ! ଏତେ ଗୁଡ଼ାଏ ସୁତୀକ୍ଷ୍ଣ ବାଣ ଯାହା ଉପରେ ଏପରି ନିଷ୍ଠୁର ଭାବରେ ବର୍ଷିତ ହେଲା, ଭଗବାନ ତାହାକୁ କେଡ଼େ ନିରସ୍ତ୍ର, କେଡ଼େ ନିରୁପାୟ କରି ସଂସାରକୁ ପଠାଇ ନ ଥିଲେ ସତେ ! କାହାକୁ କୌଣସି କାରଣରୁ ପ୍ରତିଘାତ କରିବାର ଶକ୍ତି ଟିକେ ମଧ୍ୟ ତାର ନଥିଲା । କେବଳ ସହ୍ୟ କରିବାର ଶକ୍ତି ଥିଲା ।

 

ଆଘାତର ସମସ୍ତ ବେଦନାକୁ ନିଜ ଭିତରେ ଜୀର୍ଣ୍ଣ କରି ସେ ଅଳ୍ପ ସମୟ ଭିତରେ କେବଳ ସ୍ତବ୍‍ଧ ହୋଇ ଉଠୁଥିଲା । କିନ୍ତୁ ସେହି ସମୟ ଟିକକ ସୁଦ୍ଧା ଆଜି ତାକୁ ମିଳିଲା ନାହିଁ । ଶମ୍ଭୁବାବୁଙ୍କର କଠୋର ବାଣୀର ଜ୍ଜ୍ୱାଳା ସାମାନ୍ୟ ଟିକିଏ ମାତ୍ର ଶାନ୍ତି ହେବା ପୂର୍ବରୁ ଇନ୍ଦୁ ସେଥିରେ ଏପରି ନିଆଁ ସଂଯୋଗ କରିଦେଲା ଯେ, ତାହାରି ଅସହ୍ୟ ଦହନରେ ସେ ଆଜି କଠୋର ଭାଷା ପ୍ରୟୋଗ କରିବାକୁ ବାଧ୍ୟ ହେଲା । ତଥାପି ନିଜକୁ ସଂଯତ କରି କେବଳ କ୍ଷୀଣ ସ୍ୱରରେ କହିଲା–ବାପାଙ୍କ ସମ୍ବନ୍ଧରେ ତୁମର ଏପରି କହିବା କ’ଣ ଉଚିତ ?

 

–ନା, ଉଚିତ୍ ନୁହେଁ । କିନ୍ତୁ ମୋର ଉଚିତ, ଅନୁଚିତର କଥା ମୀମାଂସା କରିବାକୁ ତୁମକୁ କେହି କହି ନାହାନ୍ତି ତ ! କାହିଁକି ତୁମର ସମସ୍ତ ବ୍ୟାପାର ବାପାଙ୍କୁ ଖୋଲି କହିଲ ନାହିଁ ?

 

–ମୁଁ କିଛି ଗୋପନ କରି ରଖି ନାହିଁ । ତାହାଛଡ଼ା ସେ ହେଉଛନ୍ତି ମୋ ବାପାଙ୍କର ବାଲ୍ୟବନ୍ଧୁ । ନିଜେ ସବୁ କଥା ଜାଣନ୍ତି ।

 

–ତାହାହେଲେ କହୁଛ, ସବୁ ଜାଣିଶୁଣି ବାପା ମାଆ ମୋତେ ନଈକୁ ଫିଙ୍ଗି ଦେଇଛନ୍ତି ।

 

ଅସହ୍ୟ ବ୍ୟଥା ଓ ବିସ୍ମୟରେ ନରେନ୍ଦ୍ର ସ୍ତମ୍ଭିତ ହୋଇ ଚାହିଁରହି ମୁଣ୍ଡ ତଳକୁ କଲା । ସ୍ତ୍ରୀର ଏହି କ୍ରୋଧ ଯଥାର୍ଥରେ ସତ୍ୟ କିମ୍ବା କଳହ ପାଇଁ ଉଦ୍ଦିଷ୍ଟ ହଠାତ୍ ଯେପରି ସେ ବୁଝିପାରିଲା ନାହିଁ ।

 

ଏଠାରେ କଥାଟା ଆରମ୍ଭରୁ କହିବା ଟିକିଏ ଆବଶ୍ୟକ ପଡ଼ୁଛି । ଏକଦା ବହୁକାଳ ଧରି ଉଭୟ ପରିବାର ପାଖାପାଖି ବାସ କରିଥିଲେ ଏବଂ ବିବାହଟା ସେହି ସମୟରେ ଏକପ୍ରକାର ସ୍ଥିର ହୋଇ ଯାଇଥିଲା । କିନ୍ତୁ ହଠାତ୍ ଦିନେ ଇନ୍ଦୁର ପିତା ମତ ପରିବର୍ତ୍ତନ କରି ଝିଅକୁ ଅବିବାହିତ ରଖି ଅଧିକ ଲେଖା ପଢ଼ା ଶିଖାଇବା ପାଇଁ ମନସ୍ଥ କରିବା ଫଳରେ ବିବାହ ଭାଙ୍ଗିଯାଏ । କେତେବର୍ଷ ପରେ ଇନ୍ଦୁକୁ ଅଠର ବର୍ଷ ବୟସ ସମୟରେ ଯେତେବେଳେ ପୁଣି କଥା ଉଠେ, ସେତେବେଳେ କଲିକତା ଫେରି ଆସି ନରେନ୍ଦ୍ର ଶୁଣିବାକୁ ପାଏ ଯେ ପିତାଙ୍କର ମୃତ୍ୟୁ ହୋଇଯାଇଛି । ସେ ସମୟରେ ତାର ସାଂସାରିକ ଅବସ୍ଥା ଇନ୍ଦୁର ପିତାମାତା ଯଥେଷ୍ଟ ପର୍ଯ୍ୟାଲୋଚନା କରିଥିଲେ । ଏପରିକି, ସେମାନଙ୍କର ମତ ମଧ୍ୟ ନଥିଲା । କେବଳ ବୟସ୍କା କନ୍ୟାର ପ୍ରବଳ ଅନୁରୋଧକୁ ଉପେକ୍ଷା କରି ନପାରି ଅବଶେଷରେ ସେମାନେ ସମ୍ମତ ହୋଇଥିଲେ ।

 

ଏତେ କଥା ଏତେ ଶୀଘ୍ର ଇନ୍ଦୁ ପ୍ରକୃତରେ ଭୁଲିଯାଇଛି କିମ୍ବା ମିଥ୍ୟା ମୋହରେ ଅନ୍ଧ ହୋଇ ନିଜକୁ ପ୍ରତାରିତ କରିବାର ନିଦାରୁଣ ଆତ୍ମଗ୍ଲାନି ବର୍ତ୍ତମାନ ଏପରି ଭାବରେ ତାକୁ ଅହରହ ଜଳାଇବାକୁ ଲାଗିଛି, କିଛି ସ୍ଥିର କରି ନ ପାରି ନରେନ୍ଦ୍ର ସ୍ତବଧ ଭାବରେ ନୀରବ ହୋଇ ମୁହଁ ତଳକୁ କରି ରହିଲା ।

 

ସେହି ନିର୍ବାକ ସ୍ୱାମୀର ଆନତ ମୁହଁକୁ କ୍ଷଣକାଳ ଚାହିଁ ଇନ୍ଦୁ ଆଉ କୌଣସି କଥା ନ କହି ଘରୁ ବାହାରିଗଲା । ସେ ନୀରବରେ ଚାଲିଗଲା ସତ, –ଏପରି ଅନେକ ଦିନ ଆଗରୁ ଯାଇଛି, କିନ୍ତୁ ଆଜି ନରେନ୍ଦ୍ରର ମନେ ହେଲା ତାର ଛାତିରେ ବେଦନାର ସ୍ଥାନଟାକୁ ଇନ୍ଦୁ ଯେପରି ଇଛା କରି ଜୋରରେ ମାଡ଼ି ଚାଲି ଗଲା ।

 

ତଳୁ ମୁହଁଉଠାଇ ଥରକ ପାଇଁ ଇଷତ୍ ଭାବରେ ସ୍ତ୍ରୀର ନିଷ୍ଠୁର ପଦକ୍ଷେପକୁ ଚାହିଁ ଦେଖିଲା, ଯେତେବେଳେ ଆଉ ଦେଖାଗଲା ନାହିଁ ସେତେବେଳେ ଗଭୀର, ଅତି ଗଭୀର ଗୋଟାଏ ନିଃଶ୍ୱାସ ପକାଇ ନିର୍ଜୀବ ଭଳି ସେହିଠାରେ ଆଉଜି ଶୋଇ ପଡ଼ିଲା । ହଠାତ୍ ଆଜି ପ୍ରଥମ ଥର ପାଇଁ ମନେ ହେଲା ସବୁ ମିଥ୍ୟା–ସବୁ ଫାଙ୍କି । ଏହି ସଂସାର, ସ୍ତ୍ରୀ, କନ୍ୟା, ସ୍ନେହ, ପ୍ରେମ–ସବୁ ଆଜି ତାହା ନିକଟରେ ଏଇ କ୍ଷଣକ ଭିତରେ ମରୁଭୂମିର ମରୀଚିକା ପରି ବୋଧ ହେଲା ।

 

(୩)

 

–ଭାଇ !

 

–କିଏ ବିମଳା ? ଆ, ଭଉଣୀ ଆସ, କହି ନରେନ୍ଦ୍ର ବିଛଣା ଉପରେ ଉଠି ବସି ପଡ଼ିଲା-। ତାର ଦୁଇ ଓଠରେ ବ୍ୟଥାର ଯେଉଁ ଚିହ୍ନ ଦେଖା ଗଲା, ତାହା ବିମଳାର ଆଖିରୁ ବାଦ୍ ଗଲା ନାହିଁ-

 

–ଅନେକ ଦିନ ହେବ ତୋତେ ଦେଖି ନାହିଁ ଭଉଣୀ । ଭଲ ଅଛୁତ ?

 

ବିମଳାର ଦୁଇ ଆଖି ଛଳ ଛଳ ହୋଇ ଉଠିଲା । ସେ ଧୀରେ ଧୀରେ ଶେଯର ଗୋଟିଏ ପାଖକୁ ଆସି କହିଲା–ତୁମର ଦେହ ଅସୁସ୍ଥ ହେବାର ଖବର କାହିଁକି ମୋତେ ଏତେ ଦିନ ଧରି ଜଣାଇଲ ନାହିଁ, ଭାଇ ?

 

–ସେପରି କିଛି ଖରାପ ତ ହୋଇ ନ ଥିଲା, କେବଳ ଯାହା ଏହି ଛାତିର ଯନ୍ତ୍ରଣା ଟିକିଏ....

 

ବିମଳା ହାତରେ ଆଖିର ଲୁହ ପୋଛିନେଇ କହିଲା, –ଟିକିଏ କାହିଁକି, ଉଠି ବସି ପାରୁ ନାହିଁ ଯେ । ଡାକ୍ତର କ’ଣ କହିଲେ ?

 

–ଡାକ୍ତର ? ଡାକ୍ତର କ’ଣ ଦରକାର ? ଏ ବେମାରୀ ଆପେ ଆପେ ଭଲ ହୋଇଯିବ ।

–ଏଂ ! ଡାକ୍ତର ସୁଦ୍ଧା ଏ ପର୍ଯ୍ୟନ୍ତ ଡକା ହୋଇନାହିଁ ? କେତେ ଦିନ ହେବ ?

ନରେନ୍ଦ୍ର ସାମାନ୍ୟ ହସି ଦେଇ କହିଲା –କେତେଦିନ ? ଏଇ ତ ସେଇଦିନ ଯେ । ବୋଧହୁଏ ସାତ ଦିନ ଖଣ୍ଡେ ହେବ ।

–ସାତଦିନ, ତାହାହେଲେ ନୂଆଉ ସବୁ ଦେଖିକରି ଯାଇଛନ୍ତି !

–ନା, ନା, ଦେଖିକରି ବୋଧହୁଏ ଯାଇନାହିଁ । ମୋର ଦେହ ଖରାପ ଥିବାର ସେ ଜାଣିପାରି ନାହିଁ, ମୁଁ ମଧ୍ୟ ସେ ଯିବା ଦିନ ବାହାରେ ଯାଇ ବସିଥିଲି । ନା, ନା, ହଜାର ରାଗ ହେଲେ ତୁ କ’ଣ ସେପରି କରିପାରିଥାନ୍ତୁ, ଭଉଣୀ ?

–ନୂଆବୋଉ ତାହାହେଲେ ରାଗ କରି ଯାଇଛନ୍ତି ?

–ନା, ରାଗ ନୁହେଁ । ଦୁଃଖ, କଷ୍ଟ, କେତେ ଅଭାବ ତୁ ତ ଜାଣିଛୁ । ତାର ଏସବୁ ସହ୍ୟ କରିବାର ଅଭ୍ୟାସ ନାହିଁ । ତାର ଦେହଟା ମଧ୍ୟ ବଡ଼ ଖରାପ ଥିଲା, ନଚେତ୍ ଅସୁସ୍ଥତା ଦେଖିଲେ ତୁ କ’ଣ ରାଗି ରହି ପାରି ଥାନ୍ତୁ ?

ବିମଳା ଅଶ୍ରୁ ସମ୍ବରଣ କରି କଠିନ ସ୍ୱରରେ କହିଲା–ରହି ପାରିଥାନ୍ତି କ’ଣ ଭାଇ, ମୋର ଅସାଧ୍ୟ ହୋଇ କୌଣସି କାମ ନାହିଁ, ନହେଲେ ତୁମେ ବିଛଣାରେ ନ ଶୋଇବା ପର୍ଯ୍ୟନ୍ତ ମୋ ଆଖିରେ ପଲକ ପଡ଼ୁ ନ ଥିଲା । ଭୋଳା, ପାଲିଙ୍କି ଆଣିବୁ କିରେ ।

–ଆଣିବାକୁ ପଠାଇଛି ମାଆ ।

–କ’ଣ ଯିବୁ ? ବର୍ତ୍ତମାନ ତ ସନ୍ଧ୍ୟା ହୋଇ ନାହିଁ । ଆଉଟିକେ ବସୁନାହୁଁ ।

–ନା, ଭାଇ ସନ୍ଧ୍ୟା ହେଲେ ଥଣ୍ଡା ଲାଗିବ । ଭୋଳା, ପାଲିଙ୍କି ଏକଦମ୍ ଭିତରକୁ ନେଇ ଆସିବୁ ।

–ଭିତରକୁ କାହିଁକି ବିମଳା ?

ଭିତରକୁ ଆସିଲେ ଭଲ ଭାଇ, ଏପରି କଷ୍ଟରେ ତୁମେ କ’ଣ ବାହାରକୁ ଯାଇ ପାଲିଙ୍କି ଚଢ଼ି ପାରିବ ?

ମୋତେ ନେଇ ଯିବୁ ? ଏ ବାୟାଣୀକୁ ଦେଖମ । ମୋର କ’ଣ ଅବା ହୋଇଯାଇଛି ଯେ, ସେଥିପାଇଁ ଏତେ କାଣ୍ଡ କରିବସିବୁ ? ମୋରତ ଏପରି ପ୍ରାୟ ହୁଏ ଏବଂ ଅଧିକାଂଶ ସମୟ ଛାଡ଼ିଯାଏ ।

ସେ ଛାଡ଼ି ଯାଉ ଭାଇ, କିନ୍ତୁ ମୋର ତ ଆଉ 'ଭାଇ' ନାହିଁ ଯେ ତୁମକୁ ହରାଇ ବସିଲେ ଆଉ ଗୋଟିକୁ ପାଇଁ ପାରିବି । ଏଇ ଯେ ପାଲିଙ୍କି ଆସିଲାଣି । ତୁମେ ଏଇ ରାପରଟା ଦେହରେ ଭଲ କରି ଘୋଡେଇ ହୋଇ ପଡ । ଭୋଳା, ଆଉ ଟିକିଏ ପାଖକୁ ଆଣିବାକୁ କହ । ବୁଝିଲ ଭାଇ, ଏଣିକି ତୁମକୁ ଆଖିରେ ନରଖିଲେ ମୋର ତିଳେ ହେଲେ ଶାନ୍ତି ଆସିବ ନାହିଁ ।

–କିନ୍ତୁ ନେବାକୁ ଇଚ୍ଛାକରିବୁ ଜାଣିଥିଲେ ମୁ ଯେ ତୋ ପାଖକୁ ଆଦୌ ଖବର ଦେଇ ନଥାନ୍ତି ।

ବିମଳା ପୁଣି ଚାହିଁରହି କହିଲା–ତୁମର ଜାଣିବା ତୁମ ପାଖରେ ଥାଉ ଭାଇ । ଆଉ ମୋତେ ସେ ଗୁଡ଼ାକ ଶୁଣାଅ ନାହିଁ । ଆଚ୍ଛା, କିପରି ତୁଣ୍ଡରେ ଧରିପାରିଲ କହିଲ ? ଏପରି ଅବସ୍ଥାରେ ତୁମକୁ ଏକାକୀ ଛାଡ଼ି ଦେଇ କ’ଣ ଯାଇପାରେ ? ସତ କହିଲ ?

ନରେନ୍ଦ୍ର ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ି କହିଲା–ହଉ ତେବେ ଚାଲ ।

ଭାଇ !

କ’ଣ ?

ଆଜି ରାତିରେ ନୂଆଉଙ୍କ ପାଖକୁ ଗୋଟିଏ ଟେଲିଗ୍ରାମ କରି ଦେଉଛି ଯେପରି ସେ କାଲି ସକାଳେ ଆସି ପହଞ୍ଚିଯାନ୍ତି ।

ନରେନ୍ଦ୍ର ବ୍ୟସ୍ତ ହୋଇ କହି ଉଠିଲା–ନା, ନା, ଦରକାର ନାହିଁ ।

କାହିଁକି ନାହିଁ ? ମେଦିନୀପୁର ତ ବେଶୀ ଦୂରନୁହେଁ । ଥରକ ପାଇଁ ଚାଲ, ପରେ ନ ହେଲେ ଆସି ପାରିବ ।

ନା, ଲୋ ବିମଳା –ନା । ସତ୍ୟରେ ତାର ଦେହଟା ଭଲ ନାହିଁ । ଆଉ ଦୁଇଦିନ ଯାଉ ।

ସାମାନ୍ୟ ଅଟକି ଯାଇ କହିଲା–ମୁଁ ଯଦି ତୋ ପାଖରେ ଭଲ ନହୋଇ ପାରିବି, ତେବେ ଆଉ କାହା ପାଖରେ ଭଲ ହୋଇ ପାରିବି ନାହିଁ । ହଁ, ମୁଁ ଯେ ଯାଉଛି, ସେକଥା କ’ଣ ଗଗନ ବାବୁ ଜାଣିଛନ୍ତି ?

 

ସେ ତ ଏ ପର୍ଯ୍ୟନ୍ତ ଅଫିସରୁ ଫେରି ନାହାନ୍ତି ?

 

ତେବେ ?

 

ତେବେ ଆଉ କ’ଣ ! ତୁମର ଭୟ କରିବାର କିଛି ନାହିଁ, ତାଙ୍କର ବେଶ୍ ବଡ଼ ବଡ଼ ଦୁଇଟା ଆଖି ଅଛି, ଆମେ ଗଲେ ଦେଖି ପାରିବା ଯେ....

 

ନରେନ୍ଦ୍ର ବିଛଣାରେ ଶୋଇ ପଡ଼ି କହିଲା–ବିମଳା, ମୁଁ ଯାଇ ପାରିବି ନାହିଁଲୋ ।

 

ବିମଳା ଅବାକ୍ ହୋଇ ପଚାରିଲା–

 

କାହିଁକି ?

 

ଗଗନ ବାବୁଙ୍କ ବିନା ମତରେ–

 

ଏପରି ହେଲେ ମୁଣ୍ଡ ପିଟି ମରିବି ଭାଇ । ଗୋଟିଏ ଘର ଭିତରେ ବି କିଭଳି ଭିନ୍ନ ଭିନ୍ନ ମତ ଥାଇପାରେଯେ, ତୁମେ ମୋତେ ଏଭଳି ଅପମାନ କରୁଛ ?

 

ଅପମାନ କରୁଛି ? ଠିକ୍ ଜାଣୁ ବିମଳା, ଭିନ୍ନ ମତ ନାହିଁ ?

 

ବିମଳା ଆବଶ୍ୟକୀୟ ଲୁଗାପଟା ଏକତ୍ର କରି ଲାଜେଇ ଯାଇ ମୁଣ୍ଡ ହଲାଇ କହିଲା–ନା-

 

+ + +

 

–ଭାଇ, ଆଜି ବ୍ୟଥା କିପରି ଅଛି ?

 

–ଆଦୌ ନାହିଁ । ଆଠ ଦିନ ଧରି ତୋତେ କେତେ କଷ୍ଟ ଦେଲିଣି । ବର୍ତ୍ତମାନ ବିଦାୟ ଦେ, ଭଉଣୀ ।

 

–ଅଚ୍ଛା ଭାଇ, ଏହି ଷୋଳ ସତର ଦିନ ଭିତରେ ନୂଆ'ଉ ଖଣ୍ଡେ ଚିଠି ପର୍ଯ୍ୟନ୍ତ ଦେଲେ ନାହିଁ ?

 

–ବାଃ, ଦେଇଛନ୍ତି ତ, ପହଞ୍ଚିବା ସମ୍ବାଦ ଜଣାଇଥିଲେ । କାଲି ମଧ୍ୟ ଖଣ୍ଡିଏ ଚିଠି ପାଇଛି, ବରଂ ମୁଁ ଚିଠିର ଉତ୍ତର ଦେଇପାରି ନାହିଁ ।

 

ବିମଳା ମୁହଁକୁ ଗମ୍ଭୀର କରି ନୀରବରେ ଚାହିଁ ରହିଲା ।

 

ନରେନ୍ଦ୍ର ଲଜ୍ଜାରେ କୁଣ୍ଠିତ ହୋଇ କହିଲା–ସେଠାରେ ପହଞ୍ଚିବା ବେଳରୁ ତାର ଦେହ ଭଲ ନାହିଁ । ସର୍ଦ୍ଦି–କାଶ–ପଅରଦିନ ସେପରି କ’ଣ ହୋଇଥିଲା ତଥାପି ସେଥିରେ ସେ ଚିଠି ଲେଖିଛନ୍ତି ।

 

–ଆଜି ବୋଧହୁଏ ସେଥିପାଇଁ ସେଠାକୁ ଟଙ୍କା ପଠାଇଦେଲ ?

 

ନରେନ୍ଦ୍ର ଅଧିକ ଲଜ୍ଜିତ ହୋଇ ଉଠିଲା । କହିଲା–ତାର ପାଖରେ କିଛି ତ ନଥିଲା । ଘର ପାଖରେ କ’ଣ ଗୋଟାଏ ଯାତ୍ରା ହେଉଛି । ଲେଖିଛି ସେଇ ଯାତ୍ରାଟା ଶେଷ ହେବା ପରେ ଫେରି ଆସି ପାରିବ, ତୋ ପାଖକୁ ବୋଧହୁଏ ଚିଠି ପତ୍ର ଲେଖି ନାହିଁ ।

 

–ଲେଖିଛନ୍ତି । କାଲି ମୁ ମଧ୍ୟ ଚାରି ପୃଷ୍ଠାର ଖଣ୍ଡେ ଚିଠି ପାଇଛି ।

 

ପାଇଛୁ ? ପାଇଥିବୁ ନିଶ୍ଚୟ । ତାର ଉତ୍ତରଟା–

 

–ତୁମର ଭୟ କରିବାର ନାହିଁ ଭାଇ, ତୁମର ଅସୁସ୍ଥତାର ଖବର ମୁଁ ଆଦୌ ଲେଖିବି ନାହିଁ । ମୋର ନଷ୍ଟ କରିବାକୁ ଏତେ ସମୟ ନାହିଁ, କହି ବିମଳା ଘରୁ ବାହାରି ଚାଲିଗଲା ।

 

ସଂଧ୍ୟାର ପ୍ରାକ୍ କାଳରେ ଖୋଲା ଝରକା ଦେଇ ଲାଲ ଆକାଶଆଡ଼େ ଚାହିଁ ରହି ନରେନ୍ଦ୍ର ସ୍ତବଧ ଭାବରେ ବସିଥିଲା । ଏହି ସମୟରେ ବିମଳା ଘର ଭିତରେ ପ୍ରବେଶ କରି କହିଲା–ଚୁପ ଚାପ ବସି କ’ଣ ଭାବୁଛ' ଭାଇ ?

 

ନରେନ୍ଦ୍ର ମୁହଁ ବୁଲାଇ କହିଲା–କିଛି ଭାବୁ ନାହିଁ ଭଉଣୀ । ମନେ ମନେ ତୋତେ ଆଶୀର୍ବାଦ କରୁଥିଲି ଯେପରି ଏହିପରି ସୁଖରେ ତୋର ଅବଶିଷ୍ଟ ଦିନଗୁଡ଼ିକ ବିତି ଯାଏ ।

 

ବିମଳା ପାଖକୁ ଆସି ତା ପାଦ ଧୂଳି ନେଇ ଚୌକିଟାଏ ଟାଣି ନେଇ ବସି ପଡ଼ିଲା ।

 

–ଆଚ୍ଛା । ଦିପହର ବେଳେ ଏତେ ରାଗ କରି ଚାଲି ଗଲୁ କାହିଁକି କହିଲୁ ?

 

–ମୁଁ ଅନ୍ୟାୟ ସହ୍ୟ କରିପାରେ ନାହିଁ । କାହିଁକି ତୁମେ ଏତେ....

 

–ଏତେ କ’ଣ କହ ? ଇନ୍ଦୁ ଦିଗରୁ ଥରକ ପାଇଁ ଚାହିଁ ଦେଖି କହିଲୁ, ମୁଁ ତ ତାକୁ ସୁଖରେ ରଖିପାରି ନାହିଁ ?

 

–ସୁଖରେ ରହି ପାରିବା ପାଇଁ ଶକ୍ତି ଥିବା ଦରକାର ଭାଇ । ସେ ଯାହା ପାଉଛନ୍ତି ସେତକ କେତେଜଣ ପାଇଛନ୍ତି ? ସୌଭାଗ୍ୟକୁ କିନ୍ତୁ ମଥାରେ ତୋଳି ରଖିବାକୁ ହୁଏ । ନଚେତ୍...କଥାଟା ଶେଷ କରିବା ପୂର୍ବରୁ ବିମଳା ଲଜ୍ଜାରେ ମୁଣ୍ଡ ତଳକୁ କରି ପକାଇଲା ।

 

ନରେନ୍ଦ୍ର ନୀରବରେ ସ୍ନିଗ୍‍ଧସସ୍ନେହ ଦୃଷ୍ଟିରେ ଏହି ଭଗୀନିଟିର ସର୍ବାଙ୍ଗ ଅଭିଷିକ୍ତ କରି କରିଦେଇ କ୍ଷଣକାଳ ପରେ କହିଲା–ବିମଳା, ଲଜ୍ଜା କରନା ଭଉଣୀ । ସତ କହିଲୁ ତୁ କ’ଣ କେବେ ଝଗଡ଼ା କରିନାହୁଁ ?

 

–ସେ କହିଛନ୍ତି ବୋଧହୁଏ ? ସେ’ତ ସେ କଥା କହିବେ ।

 

ନରେନ୍ଦ୍ର ମୃଦୁ ହସି କହିଲା–ନା, ଗଗନ ବାବୁ କିଛି କହିନାହାନ୍ତି । ମୁ ତୋତେ ପଚାରୁଥିଲି ।

 

ବିମଳା ଆରକ୍ତ ମୁହଁକୁ ଉପରକୁ ଉଠାଇ କହିଲା–ତୁମମାନଙ୍କ ସଙ୍ଗେ ଝଗଡ଼ା କରି କେହିକେବେ କ’ଣ ଜିତି ପାରିବ ? ଶେଷରେ ହାତଗୋଡ଼ ଧରିବାକୁ ହେବ.... ସେଠାରେ କିଏ ଠିଆ ହୋଇଛି ?

 

–ମୁଁ, ମୁଁ–ଗଗନ ବାବୁ । ଅଟକିଲ କାହିଁକି ? କହି ଚାଲ...ଝଗଡ଼ା କଲେ କାହାକୁ ହାତ ଗୋଡ଼ ଧରିବାକୁ ହୁଏ.... କଥାଟା ଶେଷକରି ପକାଅ ।

 

–ଯାଅହେ–ଯେଉଁ ସାଧୁପୁରୁଷ ଲୁଚିକରି ଶୁଣନ୍ତି, ତାଙ୍କ କଥାର ଉତ୍ତର ମୁ ଦିଏ ନାହିଁ । କହି ବିମଳା କୃତ୍ରିମ କ୍ରୋଧର ଆଢ଼ୁଆଳରେ ହସକୁ ଚାପି ରଖି ଜଲଦି ସେଠାରୁ ଚାଲିଗଲା ।

 

ନରେନ୍ଦ୍ର ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ମୋଟା ତକିଆ ଉପରେ ଆଉଜି ବସିଲା ।

 

ଗଗନ ବାବୁ ପଚାରିଲେ ଏ ବେଳା କିପରି ଅଛନ୍ତି ?

 

–ଭଲ ହୋଇଗଲିଣି ଏଥର ବିଦାୟ ଦିଏ ଭାଇ ।

 

–ବିଦାୟ ଦିଏ । ବ୍ୟସ୍ତ ହୁଅ ନାହିଁ, ଦୁଇ ଦିନ ଆଉ ରହ । ଜାଣିଛ, ତୁମର ଏହି ଭଉଣୀଟିର ଆଶ୍ରୟରେ ଯେଉଁମାନେ କେତୋଟି ଦିନ ବାସ କରନ୍ତି ସେମାନଙ୍କର ସେତିକି ଦିନ ଆୟୁଷ ବୃଦ୍ଧି ପାଏ ?

 

–ଜାଣି ନାହିଁ ସତ; ତଥାପି କିନ୍ତୁ ସମ୍ପୂର୍ଣ୍ଣ ବିଶ୍ୱାସ କରେ ।

 

ଗଗନବାବୁ ଦୁଇ ଆଖି ବିଷ୍ଫାରିତ କରି କହିଲେ, ବିଶ୍ୱାସ କର କ’ଣ ହୋ–ଏ ଯେ ପ୍ରମାଣିତ ସତ୍ୟ । ବାସ୍ତବିକ୍ ନରେନ୍ ବାବୁ, ଏପରି ରତ୍ନ କ’ଣ ସଂସାରରେ ମିଳି ପାରନ୍ତି ! ଭାଗ୍ୟ ! ଭାଗ୍ୟ ! ଭାଗ୍ୟ ଫଳତି.... କ’ଣ ଟି ସେଇ ଶ୍ଳୋକଟା ? ନ ହେଲେ ମୋ ପରି ହତଭାଗା ଯେ ଏପରି ପଦାର୍ଥ ପାଇ ପାରିଥାନ୍ତା ତାହାତ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରି ନ ଥିଲି । ନାହିଁ ହେ ଆଉ ଦୁଇ ଦିନ ରହିଯାଅ । ଏପରି ସଂସାର ଛାଡ଼ି ସ୍ୱର୍ଗକୁ ଗଲେ ସୁଦ୍ଧା ଆରାମ ପାଇ ପାରିବ ନାହିଁ, ସେ କଥା କହି ଦେଉଛି ।

 

ବିମଳା ବହୁତ ଦୂର ଯାଇନଥିଲା । ଠିକ୍ ପର୍ଦ୍ଦା ଆଢ଼ୁଆଳରେ ରହି କାନ ପାତି ଶୁଣୁଥିଲା-। ଉଙ୍କି ମାରି ସେହି ପ୍ରାୟନ୍ଧକାର ମଧ୍ୟରେ ପରିଷ୍କାର ଦେଖିବାକୁ ପାଇଲା, ତାର ସ୍ୱାମୀଙ୍କର କଥା ଶୁଣି ନରେନ୍ଦ୍ରର ମୁହଁ ଏକବାର ଲଜ୍ଜାରେ ପୋଡ଼ି ଯେପରି ପାଉଁଶ ହୋଇଗଲା ।

 

(୪)

 

ପନ୍ଦର ଦିନ ପରେ ଦିନେ ଦ୍ୱିପହର ଗାଡ଼ିରେ ଇନ୍ଦୁ ଝିଅକୁ ଧରି ମେଦିନୀପୁରରୁ ଫେରି ଆସିଲା । ସ୍ତ୍ରୀ ଓ କନ୍ୟାକୁ ସୁସ୍ଥ–ସବଳ ଥିବାର ଦେଖି ନରେନ୍ଦ୍ରର ଶୀର୍ଣ୍ଣପାଣ୍ଡୁର ମୁହଁଟି ମୁହୂର୍ତ୍ତକ ଭିତରେ ଆନନ୍ଦରେ ଉଦ୍ଭାସିତ ହୋଇ ଉଠିଲା । ଆଗ୍ରହରେ ଘୁମନ୍ତ କନ୍ୟାକୁ ନେଇ ଛାତିରେ ଜାକି ଧରି ପଚାରିଲା–କିପରି ଅଛ ଇନ୍ଦୁ ?

 

–ଭଲ ଅଛି । କାହିଁକି ?

 

–ତୁମକୁ ଜର ହୋଇଥିଲା ଶୁଣି ମନରେ ବହୁତ ଦୁଃଶ୍ଚିନ୍ତା ହେଉଥିଲା । ଭଲ ହୋଇ ଯାଇଛ ତ ?

 

–ନ ହେଲେ କ’ଣ ଡାକ୍ତର ଡାକିବ କି ?

 

ନରେନ୍ଦ୍ରର ହସ ହସ ମୁହଁ ମଳିନ ପଡ଼ିଗଲା । ନା, କେବଳ ଜାଣିବା ପାଇଁ ପଚାରୁଥିଲି ।

 

–ଜାଣିକରି କ’ଣ ଲାଭ ?

 

ଏପାଖରେ ତ ପଚାଶଟିଟଙ୍କା ପଠାଇ ଦେଇ ଚିଠି ପରେ ଚିଠି ଚାଲିଲା–କିପରି ଅଛ ? କିପରି ଅଛ ? ସାବଧାନ ରୁହ, ସତର୍କ ହୋଇ ଚଳ, ମୁଁ ଛୋଟ ଝିଅ ହୋଇଛି ନା ମୋ ଭାଇ ମତେ ପଚାଶଟିଟଙ୍କା ଦେଇପାରି ନଥାନ୍ତେ ? ଏ ଟଙ୍କା ପଠାଇ ସମସ୍ତଙ୍କ ଆଗରେ ମୋର ମୁହଁ ତଳକୁ କରିଦେବାର କ’ଣ ଅବା ଆବଶ୍ୟକତା ଥିଲା ? ସେଥିପାଇଁ ସେଦିନ ଘରେ ସମସ୍ତେ ହସି ଉଠିଲେ-

 

ନରେନ୍ଦ୍ରର ମ୍ଳାନ ମୁହଁ ଆହୁରି ମଳିନ ହୋଇ ଉଠିଲା, ସେ ଅସ୍ପଷ୍ଟ ସ୍ୱରରେ କହିଲା–ଆଉ ଅଧିକ ଯୋଗାଡ଼ କରି ପାରିଲି ନାହିଁ– ।

 

–ନପଠାଇ ସେଇକଥା କାହିଁକି ଲେଖିଦେଲ ନାହିଁ ? ଓହୋ ! ପୁଣି ସବୁ ଦିନର ସେହି ନାହିଁ ନାହିଁ–ଦିଅ–ଦିଅ । ଏତେ ଦିନ ଧରି ଭଲ ଥିଲା । ବାସ୍ତବିକ ବଡ଼ ଲୋକର ଝିଅ ଗରିବ ଘରେ ବାହା ହେବା ଠାରୁ ମସ୍ତ ବଡ଼ ପାପ ବୋଧହୁଏ ସଂସାରରେ ଆଉ କିଛି ନାହିଁ–କହି ଏହି ପରମ ସତ୍ୟରେ ସ୍ୱାମୀଙ୍କର ଅନ୍ତର ଭରି ଦେଇ ଇନ୍ଦୁ ଭିତରକୁ ଚାଲିଗଲା ।

 

ମାସକ ପରେ ସ୍ୱାମୀ, ସ୍ତ୍ରୀ ଭିତରେ ଏ ହେଉଛି ପ୍ରଥମ ସାକ୍ଷାତ୍ ।

 

ବାହାରକୁ ଆସି ଇନ୍ଦୁ ଏଣେ ତେଣେ ଚାହିଁ ନିଜ ଶୋଇବା ଘରେ ପଶିଯାଇ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଦେଖିଲା, ଘରର ଅନ୍ୟାନ୍ୟ ସ୍ଥାନ ଭଳି ଏଠାକାର ସମସ୍ତ ଜିନିଷ ପତ୍ର ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ କରାହୋଇଛି । ପଚାରିଲା, ଏତେ ଝଡ଼ା ଝଡ଼ି, ପୋଛାପୋଛି ହୋଇଛି କାହିଁକି-?

 

ନୂଆ ଚାକରାଣୀ କହିଲା–ଆପଣ ଆସିବେ ବୋଲି ।

 

–ମୁଁ ଆସିବି ବୋଲି !

 

ହିଁ, ମାଆ ବାବୁ ତ ସେଇଆ କହିଲେ । ଆପଣ ମଇଳା ଦେଖିଲେ ସହି ପାରନ୍ତି ନାହିଁ, ସେଥିପାଇଁ ଆଜକୁ ତିନିଦିନ ଧରି.....

 

ଇନ୍ଦୁ ମନେ ମନେ ବଡ଼ ଗର୍ବ ଅନୁଭବ କଲା । କିନ୍ତୁ ସହଜ ଭାବରେ କହିଲା–ମଇଳା କାହାକୁ ଅବା ଭଲ ଲାଗେ ଯେ ? ଭଲ ହୋଇଛି....

 

–ହଁ, ମାଆ ଲୋକ ଲଗାଇ ତଳ, ଉପର ସବୁ ସଫା କରାହୋଇଛି ।

 

–ଶୁଣ ! ରାମ ଟହଲାକୁ ଟିକିଏ ଡାକି ଦେ ତ ? ବଜାରରୁ ଯାଇ କିଛି ଫଳ ମୂଳ କିଣି ଆଣୁ ।

 

–ଫଳ ମୂଳ ତ ସବୁ ଅଛି ମାଆ, ବାବୁ ଆଜି ସକାଳେ ବଜାର ଯାଇ ସବୁ ଜିନିଷ ଟିକି ନିଖି କରି କିଣି ଆଣିଛନ୍ତି ।

 

–ପଇଡ଼ ଅଛି ? ଅଙ୍ଗୁର ?

 

–ଅଛି । ବର୍ତ୍ତମାନ ନେଇ ଆସୁଛି କହି ଦାସୀ ଚାଲିଗଲା । ଇନ୍ଦୁ ମୁହଁରୁ ବିରକ୍ତିର ମେଘଟା ସମ୍ପୂର୍ଣ୍ଣ ଉଭେଇ ଗଲା । ବରଂ ଅଳ୍ପ ସମୟ ପୂର୍ବେ ସ୍ୱାମୀଙ୍କର ମିଳନ ମୁହଁଟା ଯେପରି ଛାତି ଭିତରେ କିପରି କେଉଁଠି ଖଟ୍ ଖଟ୍ କରିବାକୁ ଲାଗିଲା ।

 

ବିଶ୍ରାମ ନେଇସାରି ଘଣ୍ଟାଏ, ଦି’ଘଣ୍ଟା ପରେ ଇନ୍ଦୁ ପ୍ରସନ୍ନ ମୁହଁରେ ଯେତେବେଳେ ବୈଠକ ଘରେ ପହଞ୍ଚି ଦେଖିଲା, ନରେନ୍ଦ୍ର ଚଷମା ଖୋଲି ରଖି ନଇଁ ପଡ଼ି କ’ଣ ଲେଖିବାରେ ଲାଗିଛି । କହିଲା–ଏତେ ମନ ଦେଇ କ’ଣ ଲେଖା ହେଉଛି, କବିତା ?

 

ନରେନ୍ଦ୍ର ମୁହଁ ଉଠାଇ କହିଲା–ନା ।

 

–କ’ଣ ତେବେ ?

 

–ଏଗୁଡ଼ାକ କିଛି ନୁହେଁ କହି ସେ ଲେଖା କାଗଜଗୁଡ଼ାକ ଚାପି ଦେଇ ରଖିଲା ।

 

ଇନ୍ଦୁର ପ୍ରସନ୍ନ ମୁହଁଟା ମେଘାବୃତ୍ତ ହୋଇ ଉଠିଲା । କହିଲା–ତାହା–ହେଲେ 'କିଛି ନୁହେଁ' ଉପରେ ଏତେ ନଇଁ ନ ପଡ଼ି ବରଂ ଯାହାଦ୍ୱାରା ଦୁଃଖ କଷ୍ଟ ଘୁଞ୍ଚିପାରେ, ଏପରି କିଛି କାମରେ ମନ ଦିଅ । ଶୁଣିଲି, ଭାଇଙ୍କ ହାତରେ କେତେଗୁଡ଼ିଏ ଚାକିରୀ ଖାଲି ଅଛି, କହି ସ୍ୱାମୀଙ୍କ ମୁହଁକୁ ଚାହିଁ ରହିଲା । ସେ ନିଶ୍ଚୟ କରି ଜାଣେ ଏଇ ଚାକିରୀ କରିବାର କଥାଟା ତାହାଙ୍କୁ ଚିରଦିନ ଆଘାତ ଦେଇଥାଏ । ଆଜି କିନ୍ତୁ ଆଶ୍ଚର୍ଯ୍ୟ ହୋଇ ଦେଖିଲା, ଆଘାତର କୌଣସି ବେଦନା ତାଙ୍କ ମୁହଁରେ ପ୍ରକାଶ ପାଇଲା ନାହିଁ ।

 

ନରେନ୍ଦ୍ର ଶାନ୍ତ ଭାବରେ କହିଲା, ଚାକିରୀ କରିବା ପାଇଁ ଲୋକତ ସେଠାରେ ଅଛନ୍ତି ।

 

ଏହିଭଳି ସମ୍ପୂର୍ଣ୍ଣ ଅପ୍ରତ୍ୟାଶତ ଉତ୍ତରରେ ଇନ୍ଦୁ କ୍ରୋଧରେ ଜଳି ଉଠିଲା । ମୁହୂର୍ତ୍ତକ ପାଇଁ ଆଶ୍ଚର୍ଯ୍ୟ ହୋଇ କହିଲା– ସେ କଥା ଜାଣେ । ସେଠାରେ ଅଛନ୍ତି ଆଉ କ’ଣ ଏଠାରେ ନାହାନ୍ତି ? ଆଜିକାଲି ଭଲ କଥା କହିଲେ, ଦେଖୁଛି ତୁମକୁ ମନ୍ଦ ଲାଗୁଛି । ଘର କୋଣରେ ବସି ଜାକି ଜୁକି ହୋଇ କବିତା ଲେଖିବା ପାଇଁ ତୁମକୁ ଲଜ୍ଜ୍ୟା ଲାଗେନାହିଁ ? କହି, ସେ ଆଖି ମୁହଁ ନାଲି କରି ଘରୁ ଚାଲି–ଗଲା । ଏହା ହେଉଛି ଦ୍ଵିତୀୟ ସାକ୍ଷାତ୍ ।

 

–ଏଁ ଏଯେ ନୂଆ'ଉ ! କେତେବେଳେ ଆସିଲ ?

 

–ପଅରଦିନ ଦ୍ୱିପହରବେଳେ ।

 

–ପଅରଦିନ ଦ୍ୱିପହରବେଳେ ! ସେଥିପାଇଁ ଏତେ ଚଞ୍ଚଳ ସଂଧ୍ୟାବେଳେ ଦେଖା କରିବାକୁ ଆସିଲ ? ନାଇଁ ନୂଆ'ଉ, ଟାଣଟା ଟିକିଏ କମ୍ କର ।

 

ଇନ୍ଦୁ ମୁଣ୍ଡ ହଲାଇ କହିଲା–ଚିଠି ଲେଖି ଜବାବ ସୁଦ୍ଧା ପାଇନାହିଁ । ମୁଁ ଏକା ଏକା ଆଉ କେତେ ଟାଣି ପାରିବି ?

 

ବିମଳା ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲା–ଜବାବ ପାଇନାହିଁ ?

 

–ଚାରି ପୃଷ୍ଠା ଚିଠିର ଜବାବ ମାତ୍ର ଚାରିଧାଡ଼ି ।

 

ବିମଳା ଅପ୍ରତିଭ ହୋଇ କହିଲା, ସେତେବେଳେ ନୂଆଉ, ସମୟ ଏତେ ଟିକିଏ ବୋଲି ନଥିଲା । ଏ ଘରେ ଭାଇ ଯଦି ଅବା ଚାଲି ଆସିଲେ ଅନ୍ୟ ଦିଗରେ ନୂଆ ଭଡ଼ାଟିଆ ଯିବା ଯିବା ଅବସ୍ଥାରେ ।

 

ଇନ୍ଦୁ କଥାଟାର କିଛି ବିନ୍ଦୁ ବିସର୍ଗ ବୁଝି ପାରିଲା ନାହିଁ । ଆଁ କରି ଚାହିଁ ରହିଲା ।

 

ବିମଳା ସେ ଆଡ଼କୁ ଆଖି ପକାଇ କହିବାକୁ ଲାଗିଲା, ସେହି ମଙ୍ଗଳବାରଟା ମୋର ସବୁଦିନ ପାଇଁ ମନେ ରହିବ । ସାତ ଦିନ ପରେ ଖବର ପାଇ ଭାଇଙ୍କୁ ଏଠାକୁ ନେଇ ଆସିଲି, ତାପରେ ଦୁଇଦିନ ପରେ ଭାଇଙ୍କର ଛାତିର ଯନ୍ତ୍ରଣା ଯେପରି ବଢ଼ି ଚାଲିଲା, ଅମ୍ବିକା ବାବୁଙ୍କର ଅସୁସ୍ଥତା ମଧ୍ୟ ଠିକ୍ ସେଇ ପରି ବଢ଼ି ଚାଲିଲା; ତୁମକୁ କ’ଣ କହିବି ନୂଆଉ, ସେକ ଦେଇ ଦେଇ ଏବଂ ଫୋମେଣ୍ଟ କରି କରି ଘର ସାରା ଲୋକଙ୍କର ହାତରୁ ଚମଡ଼ା ଉତୁରି ଗଲା । ସାରାଦିନ, ସାରା ରାତି କାହାର ଖାଇବା, ପିଇବା, କିମ୍ବା ଗାଧୋଇବା ନଥିଲା । ହିଁ ସତୀ ସାଧ୍ଵୀ କହିବ ତ ତେବେ ସେ ଅମ୍ବିକା ବାବୁଙ୍କ ସ୍ତ୍ରୀ, ନୂଆବୋହୂ, କିନ୍ତୁ କି ଯତ୍ନ, କି ସ୍ୱାମୀ ସେବା । ତାରି ପୁଣ୍ୟ ପ୍ରଭାବରୁ ଏଥର ଏ ଘାଟୀରୁ ସେ ରକ୍ଷା ପାଇଗଲେ । ନଚେତ ଡାକ୍ତର କିମ୍ବା ବୈଦ୍ୟ କାହାର ଶକ୍ତି ନ ଥିଲା ।

 

–ଅମ୍ବିକା ବାବୁ କିଏ ?

 

କେଜାଣି ? ଘାଟାଲେ ନିକଟରେ କେଉଁଠାରେ ତାଙ୍କର ଘର । ଚିକିତ୍ସା ପାଇଁ ଏଠାକୁ ଆସି ଆମର ଏଇ ପାଖ ଘରଟା ଭଡ଼ା ନେଇଛନ୍ତି । କେହି ମଣିଷ ନାହାନ୍ତି, ପଇସା କଉଡ଼ି ମଧ୍ୟ ନାହିଁ, ସମ୍ବଳ କେବଳ ଏଇ ବୋହୂଟି....

 

ଇନ୍ଦୁ ମଝିରେ ପ୍ରଶ୍ନ କଲା–ତୁମ ଭାଇଙ୍କର ବୋଧହୁଏ ଏହା ଭିତରେ ଦେହ ଖୁବ୍ ଖରାପ ହୋଇଥିଲା ?

 

ବିମଳା ଓଠକୁ ଟିକିଏ କୁଞ୍ଚିତ କରି କହିଲା, ସେ ଦିନ ରାତିରେ ମୋର ତ ବାସ୍ତବିକ୍ ଭୟ ଆସିଯାଇଥିଲା । ଏହି ଥାକ ଉପରେ ଥିବା ଖାଲି ଔଷଧ ଶିଶିଗୁଡ଼ିକୁ ଚାହିଁ ଦେଖୁ ନାହଁ ! ତିନି ତିନି ଜଣ ଡାକ୍ତର ଆଉ.....ଆଚ୍ଛା ନୁଆଉ, ଭାଇ ବୋଧହୁଏ ଏସବୁ କଥା ତୁମ ପାଖକୁ ଚିଠିରେ ଲେଖି ନାହାନ୍ତି ?

 

ଇନ୍ଦୁ ଅନ୍ୟମନସ୍କ ଥିଲା ଭଳି କହିଲା–ନା ।

 

ବିମଳା କହିଲା–ଏଠାକୁ ଆସି ବୋଧହୁଏ ଶୁଣି ପାରିଲ ?

 

ସେହି ଭାବରେ ଉତ୍ତର ଦେଲା–ହଁ ।

 

ବିମଳା କହିବାକୁ ଲାଗିଲା, ମୁଁ ତ ତୁମ ନିକଟକୁ ପ୍ରଥମ ଦିନ ହିଁ ଟେଲିଗ୍ରାମ କରିବା ପାଇଁ ଇଛା କରିଥିଲି । ମାତ୍ର ଦୁଇ, ତିନି ଘଣ୍ଟାର ବାଟ ତୁମେ ସ୍ଵଚ୍ଛନ୍ଦରେ ଆସି ପାରିଥାନ୍ତ, କିନ୍ତୁ ଭାଇ କୌଣସି ମତେ ତାହା କରାଇ ଦେଲେ ନାହିଁ । ପୁଣି ହସି ଦେଇ କହିଲା–କ’ଣ ଯେ ତୁମେ ତାଙ୍କୁ କରିଛ ସେ କଥା ତୁମେ ଏକା ଜାଣ ନୂଆ'ଉ । କାଳେ ଅସୁସ୍ଥ ଶରୀରରେ ତୁମେ ବ୍ୟସ୍ତ ହୋଇପଡ଼ିବ ଏହି ଆଶଙ୍କାରେ କୌଣସି ମତେ ଖବର ଦେବା ପାଇଁ ସେ ରାଜି ହେଲେ ନାହିଁ । ଯାହାହେଉ, ଈଶ୍ୱରଙ୍କ କୃପାରୁ ସେ ଭଲ ହୋଇ ଯାଇଛନ୍ତି; ନଚେତ୍ .....

 

–ନଚେତ୍ ଆଉ କ’ଣ ହୋଇଥାନ୍ତା ଭଉଣୀ ? ଦେହ ଭଲ ହେବା ପାଇଁ ମୋର ଦରକାର ପଡ଼ିନଥିଲା । ହୁଏତ ଦେହ ଭଲ ନ ହୋଇଥିଲେ ମଧ୍ୟ ଆବଶ୍ୟକ ପଡ଼ିନଥାନ୍ତା, କହି ଉଠିପଡ଼ି ଥାକ ଉପରେ ଥିବା ଶୂନ୍ୟ ଏବଂ ଅର୍ଦ୍ଧଶୂନ୍ୟ ଔଷଧ ଶିଶିଗୁଡ଼ିକ ଉଠାଇ ଲେବୁଲ ପଢ଼ିବାକୁ ଲାଗିଲା ।

 

କିନ୍ତୁ ଏ କ’ଣ ହେଲା ? ଆଜି ଦୁଇ ଆଖି ଲୁହରେ ଭରି ଉଠିଲା, କାହିଁକି ? ସେ କ’ଣ କେହି ନୁହେଁ ? ଏତେବଡ଼ ଗୋଟାଏ ଘଟଣା ଘଟିଗଲା, ଅଥଚ ସେ ଜାଣିପାରିଲା ନାହିଁ । ସେ ନିଜର ଅସୁସ୍ଥତା ବିଷୟରେ ଏପରିକି ଚିଠି ଲେଖିଥିଲା ଯେ, ଯାହା ଫଳରେ ତାକୁ ସଂବାଦ ଦେବା ପାଇଁ କେହି ଉଚିତ୍ ମନେ କଲେ ନାହିଁ ।

 

ସେ ଭଲ ହେଲା ପରେ ତ କେତେଗୁଡ଼ିଏ ଚିଠିରେ କେତେ କଥା ଲେଖିଲେ, କେବଳ ନିଜର ଅସୁସ୍ଥତା ଖବର ଜଣାଇବାକୁ ଭୁଲି ଗଲେ । ଆଚ୍ଛା ଏଠାକୁ ଆସିବାର ଆଜକୁ ତିନିଦିନ ହେଲାଣି । ତଥାପି ସୁଦ୍ଧାକହିବାକୁ ମନେ ପଡ଼ିଲା ନାହିଁ ?

 

ଇନ୍ଦୁ ଭିତରେ ଜମି ଉଠିଥିବା ତୀବ୍ର ଅଭିମାନର ସ୍ୱର ବିମଳା ବୁଝି ପାରିଲା । ଫେରି ଆସି କହିଲା, ଶିଶିବୋତଲ ଏପାଖ ସେପାଖ କଲେ ନୂଆ'ଉ କ’ଣ ହେବ ?

 

ଯେତେ ଜେରା କଲେ ସୁଦ୍ଧା ସେଗୁଡ଼ାକ ମିଥ୍ୟା ସାକ୍ଷ୍ୟ ଦେବେନାହିଁ । ଆସ, ତୁମ ପାଇଁ ଚାହା ଆଣିଛି ।

 

–ଚାଲ, କହି ଇନ୍ଦୁ ବିମଳାର ଅଲକ୍ଷ୍ୟରେ ଆଖିର ଲୁହ ପୋଛି ତାର ନିକଟରେ ଆସି ଠିଆ ହେଲା ।

 

ଚାହା ପିଆ ଶେଷହେବା ପରେ ବିମଳା କେଜାଣି ଇଚ୍ଛା କରି ଆଘାତ ଦେଲା କି ନାହିଁ–କହିଲା, ନୂଆ'ଉ ସେ ଏକ ମଜାର କ'ଥା । ଗୋଟିଏ ଘରେ ଦୁଇଟି ରୋଗୀ । କିନ୍ତୁ ଦୁଇ ଜଣଙ୍କର କି ଆଶ୍ଚର୍ଯ୍ୟ ରକମର ଭିନ୍ନ ବ୍ୟବସ୍ଥା । ଭାଇ ମର ମର ହୋଇ ତୁମକୁ ଖବର ଦେଲେ ନାହିଁ, କାଳେ ତୁମେ ବ୍ୟସ୍ତ ହେବ, କାଳେ ତୁମର ଶରୀର ଖରାପ ହେବ, ଆଉ ଅମ୍ବିକା ବାବୁ ମୁହୂର୍ତ୍ତକ ପାଇଁ କିନ୍ତୁ ସ୍ତ୍ରୀକୁ ପାଖରୁ ଯିବାକୁ ଦେଲେ ନାହିଁ । ତାଙ୍କର ଭୟ; କାଳେ ଆଖି ଆଗରୁ ତାଙ୍କ ସ୍ତ୍ରୀ ଅନ୍ତର ହେଲେ ତାଙ୍କ ପ୍ରାଣବାୟୁ ଉଡ଼ିଯିବ । ଏପରିକି ତାଙ୍କ ବ୍ୟତୀତ ଅନ୍ୟ ହାତରୁ ସେ ବିଶ୍ୱାସ କରି ଔଷଧ ସୁଦ୍ଧା ଖାଇଲେ ନାହିଁ । ଏପରି କଥା କେବେ ତୁମେ ଶୁଣିଛ ନୁଆ'ଉ ? ଆମେମାନେ ସମସ୍ତେ ଏହାକୁ ଥଟ୍ଟା ମନେ କରୁଛେ; କିନ୍ତୁ ଅମ୍ବିକା ବାବୁ ସମସ୍ତଙ୍କୁ ଟପି ଯାଇଛନ୍ତି । ଖଟି ଖଟି ବିଚାରି ଝିଅଟାର ଦେହ ମଡ଼ା ଭଳି ହୋଇଗଲା ।

 

ହଁ ! କହି ଇନ୍ଦୁ ଉଠି ଠିଆହେଲା । କହିଲା, ଆଉ ଦିନେ ଆସି ତୁମର ସେହି ସାଧ୍ଵୀବୋହୁ ସଙ୍ଗେ କଥାହୋଇ ଯିବି । ଆଜି ଗାଡ଼ି ଆସିଛି, ଯାଉଛି ।

 

–ତାହାହେଲେ କାଲି ଥରକ ପାଇଁ ଆସ । ଆଳାପ, ଆଲୋଚନା କରି ପ୍ରକୃତରେ ଖୁସିହେବ ।

 

–ଦେଖାଯାଉ ଯଦି କିଛି ଶିଖିପାରେ, କହି ଇନ୍ଦୁ ମୁହଁ ଏଡ଼େ କରି ଗାଡ଼ିରେ ଯାଇ ବସିଲା । ଅମ୍ବିକା ବାବୁଙ୍କର ପାଗଳାମିଟା ଆଜି ତାର ମନଭିତରେ ସ୍ୱାମୀଙ୍କ ମଙ୍ଗଳ କାମନା ଉପରେ ଧୂଳି ଫିଙ୍ଗିଥିବା ହେତୁ ଲଜ୍ଜା ଦେବାକୁ ଲାଗିଲା ।

 

(୫)

 

ଦୁଇ ଦିନ ପରେ କଥା ହେଉ ହେଉ ଇନ୍ଦୁ ବିରକ୍ତ ହୋଇ କହି ଉଠିଲା–ଯଦି ସତ କହିଲେ ନ ରାଗିବ, ତାହାହେଲେ କହିବି ତୁମ ଭାଇଙ୍କର ବିବାହ କରିବା ଉଚିତ୍ ହୋଇନାହିଁ ଏବଂ ଏହି ଅମ୍ବିକା ବାବୁଙ୍କର ମଧ୍ୟ ହୋଇ ନାହିଁ ।

 

ବିମଳା ପଚାରିଲା–କାହିଁକି ?

 

–କାରଣ ପ୍ରତିପାଳନ କରିପାରିବାର କ୍ଷମତା ନ ଥିଲେ, ଏଇଟା ହେଉଛି ମହାପାପ ।

 

ଉତ୍ତର ଶୁଣି ବିମଳା ମର୍ମ୍ମାହତ ହୋଇ ଉଠିଲା । ଇନ୍ଦୁକୁ ସେ ଭଲ ପାଏ । କେତେ ସମୟ ପରେ କହିଲା, ଅମ୍ବିକା ବାବୁଙ୍କର ଅନ୍ୟାୟ ହୋଇପାରେ କିନ୍ତୁ ଏହା ବୋଲି ତାର ସ୍ତ୍ରୀ ନିଜର କର୍ତ୍ତବ୍ୟ କରିବ ନାହିଁ ? ତାକୁ ତ ମରଣ ପର୍ଯ୍ୟନ୍ତ ସ୍ୱାମୀ–ସେବା କରିବାକୁ ହେବ ।

 

–କାହିଁକି କରିବାକୁ ହେବ ? ସେ ଅନ୍ୟାୟ କରିବେ; ଯେଉଁଥିରେ ତାଙ୍କର ଅଧିକାର ନାହିଁ ତାହା କରିବେ ଆଉ ତାର ଫଳ ଭୋଗ କରିବୁ ଆମେମାନେ ? ତୁମେ ଇଁରାଜୀ ପଢ଼ିନାହଁ ଏବଂ ଆଉ ପାଞ୍ଚଟି ସଭ୍ୟ ସମାଜର ଖବର ରଖି ନାହିଁ ନ ହେଲେ ବୁଝାଇ ଦେଇ ପାରିଥାନ୍ତି ଯେ କର୍ତ୍ତବ୍ୟ କେବଳ ଗୋଟିଏ ପକ୍ଷରେ ନ ଥାଏ । ହୁଏତ ଦୁଇ ପକ୍ଷରେ ରହିବ ନଚେତ୍ ଆଦୌ ରହିବ ନାହିଁ । ପୁରୁଷମାନେ ଆମମାନଙ୍କୁ ଏକଥା ବୁଝିବାକୁ ଦିଅନ୍ତି ନାହିଁ । ଦିଅନ୍ତି ନାହିଁ ବୋଲି ଆମେମାନେ ଅମ୍ବିକା ବାବୁଙ୍କର ସ୍ତ୍ରୀ ଭଳି ମୃତ୍ୟୁପଣ କରି ସେବା କରୁ ।

 

ବିମଳା ମୁହୂର୍ତ୍ତକ ପାଇଁ ଚାହିଁ ରହି କହିଲା–ନ ହେଲେ କରନ୍ତି ନାହିଁ, ଏୟାନା ? ସେବା କରିବାଟା କ’ଣ ସ୍ତ୍ରୀ ପାଇଁ ଗୋଟିଏ କଷ୍ଟ କାର୍ଯ୍ୟ ବୋଲି ମନେ କର ନୂଆବୋଉ ? ଅମ୍ବିକା ବାବୁଙ୍କର ବାହାରର କଷ୍ଟଟା ତୁମେ ଦେଖି ପାରୁଛ କିନ୍ତୁ ତାର ଭିତରର ଆନନ୍ଦଟା ଜାଣି ପାର କି ?

 

–ମୁଁ ଜାଣିବାକୁ ଚାହେ ନାହିଁ ।

 

–ସ୍ୱାମୀଙ୍କର ଭଲ ପାଇବାଟାକୁ ବୋଧହୁଏ ଜାଣିବାକୁ ଚାହେଁ ନାହିଁ ?

 

–ନା, ଅରୁଚି ହୋଇ ଯାଇଛି, ବରଂ କମ୍ କରି ନିଜର କର୍ତ୍ତବ୍ୟ କରି ପାରିଲେ ଶାନ୍ତିରେ ନିଃଶ୍ୱାସ ମାରି ବଞ୍ଚି ପାରିବି ।

 

ବିମଳା ଠିଆ ହୋଇଥିଲା । ଦୀର୍ଘନିଶ୍ୱାସ ଛାଡ଼ି ଧୀରେ ଧୀରେ ବସିପଡ଼ି କହିଲା–ଠିକ୍ ଏଇ କଥାଟା ଆଗରୁ ମଧ୍ୟ ଥରେ କହି ସାରିଚ । କିନ୍ତୁ ସେତେବେଳେ ବୁଝି ପାରିନଥିଲି । ବର୍ତ୍ତମାନ ମଧ୍ୟ ବୁଝି ପାରିଲି ନାହିଁ । ମୋ ଭାଇ ତାଙ୍କର କର୍ତ୍ତବ୍ୟ କରନ୍ତି କି ନାହିଁ ସେ କଥା ତୁମେ ଜାଣ । ଅନେକ ବହି ପଢ଼ିଛ, ଅନେକ ଦେଶର ଖବର ଜାଣିଛ, ତେଣୁ ତୁମ ସହିତ ଯୁକ୍ତି କରିବାଟା ଶୋଭା ପାଏ ନାହିଁ । କିନ୍ତୁ ମୋର ଦୃଢ଼ ବିଶ୍ୱାସ ସ୍ୱାମୀ ନ୍ୟାୟ–ଅନ୍ୟାୟ ଯାହା କରନ୍ତୁ ତାଙ୍କର ଭଲପାଇବାକୁ ଆଗ୍ରହ କରିବାର ସ୍ପର୍ଦ୍ଧା କୌଣସି ଦେଶର ସ୍ତ୍ରୀମାନଙ୍କର ନାହିଁ । ମୋର ତ ମନେ ହୁଏ ଏଭଳି ଅମୁଲ୍ୟ ଜିନିଷକୁ ଆଗ୍ରହ କରିବା ଅପେକ୍ଷା ମରଣ ହିଁ ଶ୍ରେୟସ୍କର । ଏହାପରେ ବଞ୍ଚି ରହିବାଟା କେବଳ ବିଡ଼ମ୍ବନା ମାତ୍ର ।

 

–ମୁଁ ତାହା ସ୍ୱୀକାର କରେ ନାହିଁ ।

 

–ସ୍ୱୀକାର କର ନିଶ୍ଚୟ, କହି ବିମଳା ହସିପକାଇଲା । ତାର କିପରି ମନେ ହେଲା, ଏ ସବୁ କେବଳ ପରିହାସ । ସତ୍ୟରେ ପରିହାସ ବ୍ୟତୀତ ନାରୀର ମୁହଁରେ ଏହା ଆଉ କିଛି ହୋଇ ନପାରେ ! କହିଲା–କିନ୍ତୁ ଏ କଥା ମଧ୍ୟ କହି ରଖିଛି ନୂଆ'ଉ ମୋ ଆଗରେ ମୁହଁରେ ଯାହା ଆସୁଛି କହିଯାଉଛ କିନ୍ତୁ ଭାଇଙ୍କ ଆଗରେ ଏ ସବୁ ଘେନି ବେଶୀ ଚାଲାକି ଦେଖାଇବ ନାହିଁ । କାହିଁକି ନା, ପୁରୁଷ ଲୋକ ଯେତେ ବୁଦ୍ଧିମାନ ହୁଅନ୍ତୁ ନା, ଅନେକ ସମୟରେ.....

 

–କ’ଣ ଅନେକ ସମୟରେ ?

 

–ଥଟ୍ଟା କରୁଛ କି ନାହିଁ ଜାଣିପାରନ୍ତି ନାହିଁ....

 

ସେଇଟା ତାଙ୍କର କାମ । ମୁ କିନ୍ତୁ ସେଥିପାଇଁ ଖାତିର କରୁ ନାହିଁ ।

 

ମୁଁ କିନ୍ତୁ ଯେ ନ ଭାବି ରହି ପାରୁନାହିଁ, ନୁଆଁଉ ।

 

ଇନ୍ଦୁ ବଡ଼ ପାଟିରେ ହସି ଉଠି କହିଲା–କାହିଁକି ?

 

ବିମଳା କିଛି ସମୟ ଚିନ୍ତା କରି କହିଲା–ରାଗ କରନା ନୂଆଉ, ଦେହ ଖରାପ ଥିଲା ବେଳେ ମୋର ମନେ ହେଉଥିଲା, ଭାଇ ଯେପରି ତୁମକୁ ପାଇବା ପାଇଁ ଏକ ପ୍ରକାର ପାଗଳ ହୋଇ ଉଠିଥିଲେ, ଲୋକେ ଯେ କହନ୍ତି–‘ପାଦରେ କଣ୍ଟା ଫୁଟିଲେ ଛାତି ପତାଇ ଦେବି’, କିନ୍ତୁ କଥାର ସେ ଅର୍ଥ ଆଉ ବୁଝି ପାରି ନଥିଲି ।

 

ହଠାତ୍ ଇନ୍ଦୁ ମୁହଁରେ ଯେପରି କିଏ କାଳି ବୋଳିଦେଲା । ତାହା ମୁହଁରେ ଜୋର କରି ଗୋଟିଏ ଶୁଖିଲା ହସ ଟାଣି ଆଣି କହିଲା, ତୁମକୁ ସହସ୍ର ବାର ଧନ୍ୟବାଦ ଭଉଣୀ, ତୁମ ଭାଇଙ୍କୁ କହ, ମୁଁ କିନ୍ତୁ ତିଳେ ମାତ୍ର ଭୂକ୍ଷେପ କରେ ନାହିଁ । ଆଉ ତୁମେ ମଧ୍ୟ ଭଲ କରି ଜାଣିରଖ, ମୁଁ ମୋର ନିଜର ଭଲମନ୍ଦ ଦାୟିତ୍ୱ ବେଶ ନେଇ ପାରିବି । ସେଥି ପାଇଁ ଅନ୍ୟ ଲୋକର ଚିନ୍ତା କରିବାଟା ଆବଶ୍ୟକ ମନେ କରେ ନାହିଁ ।

 

ଫେରିଆସି ଘରେ ପହଞ୍ଚି ସ୍ୱାମୀଙ୍କୁ ପ୍ରଶ୍ନ କଲା– ମୁଁ ମେଦିନୀପୁର ଗଲାବେଳେ ତୁମ ଦେହ ଭୀଷଣ ଖରାପ ହୋଇଥିଲା କି ?

 

ନରେନ୍ଦ୍ର ଖାତା ଉପରୁ ମୁହଁ ଉଠାଇ, ଧୀରେ ଧୀରେ କହିଲା, ନା ଖରାପ ନଥିଲା–କେବଳ ଛାତିର ସେହି ଯନ୍ତ୍ରଣା.....

 

–ଖର୍ଚ୍ଚ କମାଇବା ପାଇଁ ବିମଳା ଘରକୁ ଯାଇଥିଲ କି ?

 

ସ୍ତ୍ରୀର ଏହି କଟୁ ଇଙ୍ଗିତ ଫଳରେ ନରେନ୍ଦ୍ର ଖାତାଟା ଉପରେ ପୁଣି ଝୁଙ୍କି ପଡ଼ି, କେତେକ ସମୟ ନିରବ ରହି ନରମ କଣ୍ଠରେ କହିଲା, ବିମଳା ଆସି ନେଇ ଯାଇଥିଲା ।

 

କିନ୍ତୁ ମୁଁ ଶୁଣିଥିଲେ କହିଥାନ୍ତି, ଅକ୍ଷମ ଲୋକମାନଙ୍କ ପାଇଁ ଡାକ୍ତରଖାନା ସୃଷ୍ଟି ହୋଇଛି-। ପର ଦୁଆରକୁ ନ ଯାଇ ସେମାନଙ୍କର ସେହିଠାକୁ ଯିବା ଉଚିତ୍ ।

 

ନରେନ୍ଦ୍ର ଆଉ ମୁହଁ ଉଠେଇଲା ନାହିଁ । ପଦଟିଏ କଥା ମଧ୍ୟ କହିଲା ନାହିଁ ।

 

ଇନ୍ଦୁ ଧଡ଼ କରି ପର୍ଦ୍ଦା ଆଡ଼େଇ ଦେଇ ବାହାରି ଚାଲିଗଲା । ଧକ୍‍କା ଖାଇବା ଫଳରେ ଗୋଟାଏ ଟି–ପୟ ଫୁଲଦାନୀ ସହ ଓଲଟି ପଡ଼ିଗଲା, ତଥାପି ସେ ଫେରି ଚାହିଁଲା ନାହିଁ ।

 

ପାଞ୍ଚ ମିନିଟ୍ ପରେ ପୁଣି ସେଇ ପରି ପର୍ଦ୍ଦା ଆଡ଼େଇ ଫେରି ଆସି କହିଲା–ବିମଳା ଖବର ଦେବାକୁ ଚାହୁଁଥିଲେ କିନ୍ତୁ ତୁମେ ମନା କଲ କାହିଁକି ? ଭାବିଥିଲା ବୋଧହୁଏ ମୁଁ ଆସି ଔଷଧ ସାଙ୍ଗରେ ବିଷ ମିଶାଇ ଦେଇଥାନ୍ତି ?

 

ନରେନ୍ଦ୍ର ମୁହଁଟି ନଉଠାଇ, ସେହିପରି ଉତ୍ତର ଦେଲା– ନା, ସେକଥା ଭାବିନଥିଲି, ତୁମ ଦେହ ଭଲ ନଥିଲା ତ....

 

–ଭଲ ଥିଲା, ଯଦିଓ ଖବର ପାଇଥିଲେ ସୁଦ୍ଧା ମୁ ଆସିନଥାନ୍ତି ଏଇଟା ସତ କଥା । କିନ୍ତୁ ମୁ ଯେ ସେଠାରେ ରୋଗରେ ପଡ଼ି ମରିଯାଉଥିଲି, କାହିଁ ଏକଥା ତ ତମ ପାଖକୁ ଚିଠିରେ ଲେଖିନଥିଲି । ଅନର୍ଥକ କେତେ ଗୁଡ଼ାଏ ମିଛ କଥା କହି ତାଙ୍କୁ ବାରଣ କରିବାର କିଛି କାରଣ ତ ନଥିଲା । କହି ସେ ଯେପରି ଆସିଥିଲା, ସେହିପରି ଭାବରେ ଚାଲିଗଲା ।

 

ନରେନ୍ଦ୍ର ପୂର୍ବ ଭଳି ଖାତାଟା ଉପରକୁ ଝୁଙ୍କି ପଡ଼ି ରହିଲା । କିନ୍ତୁ ସମସ୍ତ ଲେଖା ଯେପରି ତା ଆଖିରେ ଏକାଠି ହୋଇ ମିଶିଗଲା ।

 

X X X

 

ଇନ୍ଦୁ ପର୍ଦ୍ଦା ଅନ୍ତରାଳରୁ ବାହାରି ଆସି ଡାକ୍ତରଙ୍କୁ କହିଲା– ଆପଣ ଗଗନ ବାବୁଙ୍କ ଘରେ ସ୍ୱାମୀଙ୍କର ଚିକିତ୍ସା କରିଥିଲେ କି ?

 

ବୁଢ଼ା ଡାକ୍ତର ଆଖି ତୋଳି ଇନ୍ଦୁର ଉଦବେଗ, ମଳୀନ ମୁହଁକୁ ଚାହିଁ ମୁଣ୍ଡ ଟୁଙ୍ଗାରି ଉତ୍ତର ଜଣାଇଲା ।

 

ଇନ୍ଦୁ କହିଲା–ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି ବୋଲି ମୋର ମନେ ହୁଏ ନାହିଁ । ଏଇ ନିଅନ୍ତୁ ଆପଣଙ୍କର ଫିର ଟଙ୍କା । ଆଜି ଉପର ଓଳି ଯଦି ଆସି ତାଙ୍କ ବନ୍ଧୁ ଭାବରେ ଥରକ ପାଇଁ ଦେଖି ଯାଆନ୍ତେ, ତେବେ ବଡ଼ ଉପକାର ହୁଅନ୍ତା ।

 

ଡାକ୍ତର ସାମାନ୍ୟ ବିସ୍ମିତ ହୋଇ ଉଠିଲେ ।

 

ଇନ୍ଦୁ ବୁଝାଇ କହିଲା–ଚିକିତ୍ସା ନ ହେବାଟା ତାଙ୍କର ସ୍ୱଭାବ । ଔଷଧର ପ୍ରେସକିପସନଟା ମୋତେ ଲୁଚାଇ କରି ଦେବେ ତାଙ୍କୁ ଟିକିଏ ବୁଝାଇ କରି କହିବେ ।

 

ଡାକ୍ତର ସମ୍ମତି ଜଣାଇ ବିଦାୟ ନେଲେ ।

 

ରାମ ଟହଲ ଆସି ସଂବାଦ ଦେଲା–ମାଆ, ବଲ୍ଲଭ ବଣିଆ ଆସିଛି ।

 

ଆସିଛି ? ଏ ପାଖକୁ ତାକୁ ଡାକିଆଣ ।

 

–ବଲ୍ଲଭ, ତୁମକୁ ଗୋଟାଏ କାମ ପାଇଁ ଡକାଇ ଥିଲି । ତୁମେ ମୋର ବିଶ୍ୱାସୀ ଲୋକ । ଏଇ ଚୁଡ଼ି କେତେ ପଟ ବିକ୍ରି କରିବାକୁ ହେବ । ବଡ଼ ପୁରୁଣା କାଳର ଚୁଡ଼ି । ଆଉ ପିନ୍ଧିବାକୁ ଭଲ ଲାଗୁନାହିଁ । ଏଇ ଦାମରେ ନୂଆ ଦୁଇପଟ ଚୁଡ଼ି କିଣିବି ବୋଲି ଭାବିଛି ।

 

–ହଁ, ମାଆ ବିକ୍ରି କରାଇ ଦେବି ।

 

–ନିକିତି ଆଣିଛ ତ ? ଓଜନ କରି ଦେଖିଲ କେତେ ଅଛି ? ଦାମଟା କିନ୍ତୁ ମୋତେ କାଲି ଦେବାକୁ ପଡ଼ିବ, ବିଳମ୍ବ କଲେ ମୋର କାମରେ ଆସିବ ନାହିଁ ?

 

–ହଁ, ଦେବି ।

 

ବଲ୍ଲଭ ହାତରେ ଚୁଡ଼ିଧରି କହିଲା, ଏଯେ ଏକବାର ନୂଆ ଜିନିଷ ମାଆ । ବିକ୍ରି କଲେ କିଛି ଲୋକସାନ ହେବ ମାଆ ।

 

–ହେଉ, ବଲ୍ଲଭ ଏ ଗଢ଼ଣଟା ମୋର ପସନ୍ଦ ହେଉ ନାହିଁ । ଆଉ ଶୁଣ, ଏ ବିଷୟରେ ବାବୁଙ୍କୁ କିଛି କହିବ ନାହିଁ ।

 

ବାବୁମାନଙ୍କୁ ଲୁଚାଇ ଅଳଙ୍କାର କିଣା ବିକା କରିବାର କଥା ବଲ୍ଲଭକୁ ଅମାଲୁମ ନଥିଲା-। ସାମାନ୍ୟ ହସି ଦେଇ ଚୁଡ଼ି ନେଇ ଚାଲିଗଲା ।

Image

 

(୬)

 

ଡାକ୍ତର ବାବୁ ! ସେ ପାଞ୍ଚ ସାତ, ଶିଶି ଔଷଧ ଖାଇଲେଣି । କିନ୍ତୁ ଛାତିର ଯନ୍ତ୍ରଣାଟା ତ କମିଲା ନାହିଁ ।

 

କମିଲା ନାହିଁ ? କାହିଁ ସେତ କିଛି କହିଲେ ନାହିଁ ।

 

ଜାଣନ୍ତିତ, ଏହା ତାଙ୍କର ସ୍ୱଭାବ । ମୁଁ କିନ୍ତୁ ଜାଣେ ଆଉ ଟିକିଏ ଯନ୍ତ୍ରଣା ଅଛି । ତା ଛଡ଼ା ସ୍ୱାସ୍ଥ୍ୟରତ ସେତେ ଉନ୍ନତି ଦେଖାଯାଉ ନାହିଁ ।

 

ଡାକ୍ତର ଚିନ୍ତା କରି କହିଲେ–ଦେଖନ୍ତୁ ମୋର ସନ୍ଦେହ ହୁଏ, କେବଳ ଔଷଧ ଦ୍ୱାରା କିଛି ହେବ ନାହିଁ । ଥରକ ପାଇଁ ଜଳବାୟୁ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ ।

 

ସେ କଥା କାହିଁକି ତାଙ୍କୁ କହୁ ନାହାନ୍ତି ?

 

–ଦିନେ କହିଥିଲି, ସେ କିନ୍ତୁ ଆବଶ୍ୟକ ମନେ କଲେ ନାହିଁ ।

 

ଇନ୍ଦୁ ରାଗି କରି କହି ଉଠିଲା, ସେ ମନେ ନ କଲେ କ’ଣ ଚଳିବ ? ଆପଣ ତ ଡାକ୍ତର, ଆପଣ ଯାହା କହିବେ ତାହା ତ ହେବା ଉଚିତ୍ ।

 

ବୃଦ୍ଧ ଚିକିତ୍ସକ ସାମାନ୍ୟ ହସି ଦେଲେ ।

 

ଇନ୍ଦୁ ନିଜର ବ୍ୟାକୁଳତା ପାଇଁ ଲଜ୍ଜିତା ହୋଇ କହିଲା–ଦେଖନ୍ତୁ, ମୁ ବଡ଼ ବ୍ୟାକୁଳ ହୋଇପଡ଼ିଛି । ଆପଣ ତାଙ୍କୁ ଟିକିଏ ଭୟ ଦେଖାଇ ଦିଅନ୍ତୁ ।

 

ଡାକ୍ତର ମୁଣ୍ଡ ହଲାଇ ଧୀରେ ଧୀରେ କହିଲେ–ଏ ସମସ୍ତ ରୋଗର ଭୟତ ରହିଛି ।

 

ଇନ୍ଦୁର ମୁହଁ ଝାଉଁଳି ଗଲା–କହିଲା, ସତରେ ଭୟ ଅଛି ?

 

ତାହାର ମୁହଁକୁ ଚାହିଁ ରହି ଡାକ୍ତର ହଠାତ୍ ଉତ୍ତର ଦେଇ ପାରିଲେ ନାହିଁ ।

 

ଇନ୍ଦୁ ଆଖିରେ ଲୁହ ଜମିଗଲା । କହିଲା, ମୁଁ ଆପଣଙ୍କ ଝିଅ ଭଳି ଡାକ୍ତର ବାବୁ, ମୋତେ ଲୁଚାନ୍ତୁ ନାହିଁ । କ’ଣ ହୋଇଛି, ଖୋଲି କରି କହନ୍ତୁ ।

 

ଠିକ୍ କ’ଣ ଯେ ହୋଇଛି ଡାକ୍ତର ମଧ୍ୟ ଜାଣି ନାହାଁନ୍ତି । ସେ ନା, ନା ପ୍ରକାରର ଯାହା କହିଲେ ସୁଦ୍ଧା ଇନ୍ଦୁର ଭୟ ଘୁଞ୍ଚିଲା ନାହିଁ । ସେ ଘରକୁ ଫେରି ଆସି କାନ୍ଦିବାକୁ ଲାଗିଲା ।

 

ଓପର ଓଳି ନରେନ୍ଦ୍ର କଲମଟା ରଖିଦେଇ ଖୋଲା ଝରକା ବାଟେ ବାହାରକୁ ଚାହିଁ ରହିଥିଲା । ଇନ୍ଦୁ ଘର ଭିତରକୁ ପଶି ଆସି ଅଳ୍ପଦୂରରେ ଗୋଟିଏ ଚୌକି ଟାଣି ଆଣି ବସିଲା ।

 

ନରେନ୍ଦ୍ର ଅଳ୍ପ ମୁହଁଫେରାଇ ଚାହିଁ ଦେଇ ପୁଣି ସେହି ଦିଗକୁ ଚାହିଁ ରହିଲା ।

 

କେତେଦିନ ହେବ ଇନ୍ଦୁ ଆଉ ଟଙ୍କା ମାଗୁ ନାହିଁ । ଆଜି ସେ କେଉଁଥିପାଇଁ ଆସି ବସିଲା ତାହା ଅନୁମାନ କରି ତାର ଛାତି ଭିତରଟା ଦୂରୁ ଦୂରୁ ହୋଇ କମ୍ପିବାକୁ ଲାଗିଲା ।

 

ଇନ୍ଦୁ ଟଙ୍କା ମାଗିଲା ନାହିଁ, କହିଲା–ଡାକ୍ତର ବାବୁ କହୁଛନ୍ତି ଯନ୍ତ୍ରଣା ଯେତେବେଳେ ଔଷଧ ଖାଇବା ପରେ ସୁଦ୍ଧା କମୁନାହିଁ ସେତେବେଳେ ଜଳ ବାୟୁ ବଦଳାଇବା ଆବଶ୍ୟକ ପଡ଼ୁଛି । ଥରକ ପାଇଁ କାହିଁ ବୁଲି ବାହାରୁ ନାହଁ ?

 

ନରେନ୍ଦ୍ର ପ୍ରକୃତରେ ଚମକି ପଡ଼ିଲା । ବହୁଦିନର ବଡ଼ ଅଜ୍ଞାତ ସ୍ନେହର ଧନ ଯେପରି କେଉଁଠାରେ ଲୁଚି ରହି ତାକୁ ଡାକ ପକାଇଲା । ଇନ୍ଦୁର ଏହି କଣ୍ଠସ୍ୱର ସେ ପ୍ରାୟ ଭୁଲି ଯାଇଥିଲା । ସେଥିପାଇଁ ମୁହଁ ଫେରାଇ ଆବାକାବା ହୋଇ କିଛି ସମୟ ପାଇଁ ମନେ ମନେ କ’ଣ ଖୋଜିବାକୁ ଲାଗିଲା ।

 

ଇନ୍ଦୁ କହିଲା, କ’ଣ କହୁଛ ? ତାହାହେଲେ କାଲି ବିଞ୍ଛଣା ପତ୍ର ବାନ୍ଧି ବାହାରି ପଡ଼ । ବେଶୀଦୂର ଯିବା ଦରକାର ନାହିଁ । ଏଇ ବଦ୍ରିନାଥ ନିକଟକୁ । ଆମେ ଦୁଇଜଣ, କମଳା ଆଉ ଦାସୀ । ରାମଟହଲ ପୁରୁଣା ବିଶ୍ୱାସୀ ଲୋକ, ତେଣୁ ଘରେ ଥାଉ । ସେଠାରେ ଗୋଟିଏ ଛୋଟ ଘର ଭଡ଼ା ନେଲେ ଚଳିବ । ତାହା ହେଲେ ଆଜି ଠାରୁ ଜିନିଷ ପତ୍ର ବନ୍ଧାବନ୍ଧି ଆରମ୍ଭ କରିବି ନା କ’ଣ ?

 

କୌଣସି ପ୍ରକାର ଖର୍ଚ୍ଚର କଥା ଉଠିଲେ ନରେନ୍ଦ୍ର ଭୟ ପାଏ । ଏପରି ଗୋଟାଏ ବଡ଼ ଧରଣ ଖର୍ଚ୍ଚର ଇଙ୍ଗିତ ପାଇବା କ୍ଷଣି ତାର ମୁଣ୍ଡ ଏକାବାରେ ବିଗିଡ଼ି ଗଲା । ପଚାରିଲା–ଏଇ ଡାକ୍ତରଟିକୁ ଆସିବାକୁ କିଏ କହିଲା ?

 

ଇନ୍ଦୁ ଉତ୍ତର ଦେବା ପୂର୍ବରୁ ସେ ପୁନରାୟ କହିଲା–ବିମଳାକୁ କହ, ମୋ ପଛରେ ଡାକ୍ତର ଲଗାଇ ବିରକ୍ତ କରିବାର ଆବଶ୍ୟକତା ନାହିଁ, ମୁ ବେଶ୍ ଭଲ ଅଛି ।

 

ବିମଳା ଲୁଚି ରହି ଡାକ୍ତର ପଠାଉଛି–ଏବଂ ବିମଳା ହିଁ ସବୁ, ଏକଥା ଭାବି ଇନ୍ଦୁ ମନରେ ଆଘାତ ପାଇଲା । ତଥାପି ସେ କଷ୍ଟକୁ ପ୍ରକାଶ ନକରି କହିଲା–କିନ୍ତୁ ତୁମେ ଯେ ପ୍ରକୃତରେ ସୁସ୍ଥ ନାହଁ । ଯନ୍ତ୍ରଣାଟା ଯେ ସମ୍ପୂର୍ଣ ଭଲ ହୋଇନାହିଁ ।

 

–ଭଲ ହୋଇଯାଇଛି ।

 

–ତାହେଲେ ଦେହ ଭଲ ନାହିଁ, ଏକଥା ବେଶ୍‍ ଦେଖିପାରୁଛି । ଥରକ ପାଇଁ ବୁଲି ଆସିଲେ ଆଉ ଯାହା ହେଉ, ମନ୍ଦତ କିଛି ହେବ ନାହିଁ ।

 

ନରେନ୍ଦ୍ର ଭିତରେ–ବାହାରେ ଏପରି ଅବସ୍ଥାରେ ଉପସ୍ଥିତ ହୋଇ ଯାଇଥିଲା ଯେ ସହ୍ୟ କରିବାର କ୍ଷମତା ଶେଷ ହୋଇ ଯାଇଥିଲା । ତଥାପି ଧକ୍‍କା ସଂଭାଳି ନେଇ କହିଲା–ବୁଲି ଯିବା ପାଇଁ ମୋର ସାମର୍ଥ୍ୟ ନାହିଁ ।

 

ଇନ୍ଦୁ ଜିଦ୍ ଧରି କହିଲା–ସେକଥା ହେବ ନାହିଁ । ପ୍ରାଣାଟାକୁ ତ ବଞ୍ଚାଇବାକୁ ହେବ ।

 

ଇନ୍ଦୁ ପକ୍ଷରେ ଏହି ଜିଦଟା ଏତେ ନୂଆ ଯେ ନରେନ୍ଦ୍ର ଭୁଲ ଭାବି ବସିଲା । ତାର ନିଶ୍ଚିତ ଭାବରେ ମନେହେଲା ତାକୁ କଷ୍ଟ ଦେବା ପାଇଁ ଏହା ଇନ୍ଦୁର ଗୋଟିଏ ଅଭିନବ କୌଶଳ ମାତ୍ର । ଏତେ ଦିନର ଧୈର୍ଯ୍ୟର ବନ୍ଧନ ଯେପରି ତାର କ୍ଷଣକ ଭିତରେ ଛିଣ୍ଡି ଗଲା । ସେ ଚିତ୍କାର କରି କହିଁ ଉଠିଲା–କିଏ କହିଲା ପ୍ରାଣ ବଞ୍ଚାଇବାକୁ ଚାହେଁ ? ନା, ମୁଁ ଚାହେଁନା ! ତୁମ ପାଦତଳେ ପଡ଼ୁଛି ଇନ୍ଦୁ ମୋତେ ମୁକ୍ତି ଦିଅ । ମୁଁ ଟିକିଏ ଶାନ୍ତିରେ ନିଶ୍ୱାସ ମାରି ବଞ୍ଚେ ।

 

ସ୍ଵାମୀଙ୍କଠାରୁ ବହୁ କଟୁ କଥା ଶୁଣିବା ଇନ୍ଦୁ କଳ୍ପନା ସୁଦ୍ଧା କରିନଥିଲା । ସେ କିପରି ଜଡ଼ ସଡ଼ ହୋଇ ବୁଦ୍ଧି ହରାଇ ବସିଲା । କିନ୍ତୁ ନରେନ୍ଦ୍ର ତାହା ଜାଣି ପାରିଲା ନାହିଁ, କହିବାକୁ ଲାଗିଲା–ତୁମେ ଜାଣ ମୁଁ କି ସଙ୍କଟ ଭିତରେ ଦିନ କାଟୁଛି । ସମସ୍ତ ଜାଣି ଶୁଣି ମୋତେ କଷ୍ଟ ଦେବା ପାଇଁ ତୁମେ ଅହର୍ନିଶି ଖୁଞ୍ଚା ମାରି ଚାଲିଛ । କାହିଁକି ? କ’ଣ ଅପରାଧ କରିଛି ତୁମର ? କ’ଣ ତୁମେ ଚାହଁ ?

 

ଇନ୍ଦୁ ଭୟରେ ବିବର୍ଣ୍ଣ ହୋଇଗଲା । ପଦେ କଥା ମଧ୍ୟ ତାର ତୁଣ୍ଡରୁ ବାହାରିଲା ନାହିଁ ।

 

ବିରକ୍ତ ଏବଂ ଉତ୍ତେଜନା ଯେ ନରେନ୍ଦ୍ର ପକ୍ଷରେ କିଭଳି ଅସ୍ୱାଭାବିକ, ତାହା ଏହିଥର ସେ ନିଜେ ଜାଣି ପାରିଲା ।

 

କଣ୍ଠ ସ୍ୱରକୁ ନରମ କରି ସେ କହିଲା–ବେଶ ମାନୁଛି, ମୋର ଜଳବାୟୁ ପରିବର୍ତ୍ତନ ହେବା ଆବଶ୍ୟକ, କିନ୍ତୁ କିପରି ଯିବି । ଟଙ୍କା କେଉଁଠାରୁ ପାଇବି ? ସଂସାରର ଖର୍ଚ୍ଚ ଯୋଗାଇବାକୁ ଯାଇ ଯେ ମୋର ପ୍ରାଣ ବାହାରି ଯାଉଛି ।

 

ଇନ୍ଦୁ ନିଜେ କୌଣସି ଦିନ ଧୈର୍ଯ୍ୟ କ’ଣ ଶିଖି ନ ଥିଲା । ମୁଣ୍ଡ ନତ କରିବାକୁ ସେ ତାର ମୁଣ୍ଡ କାଟିବା ସଙ୍ଗେ ବିଚାର କରୁଥିଲା । ଆଜି କିନ୍ତୁ ସେ ଭୟ ପାଇଲା । କୋମଳ କଣ୍ଠରେ କହିଲା–ଟଙ୍କା ନାହିଁ ସତ, କିନ୍ତୁ ଅନେକ ଟଙ୍କାର ଗହଣା ଆମ ପାଖରେ ଅଛି ।

 

–ଅଛି ସତ, କିନ୍ତୁ ଆମ ପାଖରେ ନାହିଁ । ଅଛି ତୁମ ପାଖରେ । ତୁମ ବାପ ଦେଇଛନ୍ତି ତୁମକୁ । ମୋର ସେଥିରେ ଏତେ ଟିକିଏ ସୁଦ୍ଧା ଅଧିକାର ନାହିଁ, ଏକଥା ମୋ ଅପେକ୍ଷା ତୁମେ ଢେର ବେଶୀ ଜାଣ ।

 

–ବେଶ୍, ତାହା ପଛେ ତୁମେ ନ ନିଅ । କିନ୍ତୁ ମୁଁ ନଗଦ ଟଙ୍କା ଦେଉଛି ।

 

–କେଉଁଠୁ ପାଇଲ ? କ’ଣ ଘର ଖର୍ଚ୍ଚରୁ ବଳକା କରିଛ !

 

–ଏ ହେଉଛି ଚୁଡ଼ି ବିକ୍ରିର ଟଙ୍କା । ଇନ୍ଦୁ ସହଜରେ ମିଛ କହି ପାରେ ନାହିଁ । ଏଥିପାଇଁ ତାକୁ ବଡ଼ ଅପମାନ ବୋଧ ହୁଏ । ଆଜି କିନ୍ତୁ ସେ ମିଛ କହିଲା । ନରେନ୍ଦ୍ର ମୁହଁର ଭାବ ବଡ଼ କଠିନ ହୋଇଗଲା । ଧୀରେ ଧୀରେ କହିଲା–ରଖିଦିଅ ଗହଣା ଗଢ଼େଇ ନେବ । ମୋ ଛାତିର ରକ୍ତ ପାଣିକରି ଯେଉଁ ଅର୍ଥ ଜମା କରିଛ, ତାହା ଏପରି ଭାବରେ ନଷ୍ଟ ହୋଇ ପାରିବ ନାହିଁ । ଇନ୍ଦୁ, ତୁମକୁ କେତେବେଳେ କଟୁକଥା କହି ନାହିଁ; ବରଂ ସଦାବେଳେ ତୁମଠୁ ଶୁଣି ଆସିଛି । ତୁମେ ନା ସେଦିନ ଗର୍ବ କରି କହିଥିଲ ଯେ ତୁମେ କଦାପି ମିଛ କହ ନାହିଁ, ଛି !!

 

କମଳା ପର୍ଦ୍ଦା ଫାଙ୍କରେ ମୁହଁ ଗଳାଇ କହିଲା –ମାଆ, ପିଉସୀ ମାଆ ଆସିଛନ୍ତି ।

 

–କ’ଣ କରୁଛ ନୂଆ'ଉ, କହି ବିମଳା ଆସି ଘର ଭିତରେ ପହଞ୍ଚି ଗଲା ।

 

ଇନ୍ଦୁ ଝିଅକୁ ଆଣି ତାର ଗଳାରେ ଥିବା ହାରଟାକୁ ଦୁଇ ହାତରେ ଜୋର କରି ଛିଣ୍ଡାଇ ଦେଇ ସ୍ୱାମୀଙ୍କ ଆଗରେ ଫିଙ୍ଗି ଦେଇ କହିଲା–ମିଛ ମୁଁ କେବେ କହେ ନାହିଁ । କିନ୍ତୁ ତୁମ ଠାରୁ କହିବା ଶିଖିଛି । ବର୍ତ୍ତମାନ ସୁଦ୍ଧା ପିତଳକୁ ସୁନା ବୋଲି କହି ଶିଖି ନାହିଁ । ଯିଏ ସ୍ତ୍ରୀକୁ ଠକେ, ନିଜ ଝିଅକୁ ଠକି ପାରେ, ତାହାର ଆଉ ବାକି କ’ଣ ରହିଲା ? ସେ ଅପରକୁ ମିଥ୍ୟାବାଦୀ କହେ କେଉଁ ସାହସରେ ?

 

ନରେନ୍ଦ୍ର ଛିଣ୍ଡା ହାରଟା ଗୋଟେଇ ନେଇ ପ୍ରଶ୍ନ କଲା– ପିତଳ ବୋଲି କିପରି ଜାଣିଲ ? କେବେ ପରୀକ୍ଷା କରିଥିଲ ?

 

–ତୁମ ଭଉଣୀଙ୍କୁ ପରୀକ୍ଷା କରିବାକୁ ଦିଅ । କହି ସେ ଆଖି ନାଲ ନାଲ କରି ବିମଳା ଆଡ଼କୁ ଚାହିଁଲା ।

 

ବିମଳା ଦୁଇ ପାଦ ପଛେଇ ଯାଇ କହିଲା, ଏ କାମ ମୋର ନୁହେଁ, ନୂଆ–ବୋଉ । ମୁଁ ଏତେ ଇତର ନୁହେଁ ଯେ ଭାଇ ଦେଇଥିବା ଗହଣାକୁ ବଣିଆ ପାଖକୁ ନେଇ ପରୀକ୍ଷା କରାଇବି ।

 

ନରେନ୍ଦ୍ର କହିଲା–ଇନ୍ଦୁ ! ତୁମକୁ ଖଣ୍ଡିଏ, ଦୁଇ ଖଣ୍ଡ ଗହଣା ଦେଇଛି । ସେଗୁଡ଼ାକ ପରୀକ୍ଷା କରି ଦେଖିଛ ?

 

–ଦେଖି ନାହିଁ, କିନ୍ତୁ ଏଥର ଦେଖିବାକୁ ହେବ ।

 

–ଦେଖ, ସେଗୁଡ଼ାକ ପିତଳ ନୁହେଁ ।

 

ଭଉଣୀ ମୁହଁକୁ ଚାହିଁ ହାରଟା ଦେଖାଇ କହିଲା–ଏଇଟା ସୁନା ନୁହେଁ ଭଉଣୀ, ପିତଳ । ଯେଉଁ ଦୁଃଖରେ ବାପ ହୋଇ ନିଜ ଝିଅକୁ ଠକି ପାରିଛି; ସେକଥା କେବଳ ତୁ ବୁଝି ପାରିବୁ । ଯଦିଓ ନିଜ ଝିଅକୁ ଠକାଇ ପାରୁଛି, କିନ୍ତୁ ନିଜ ସ୍ତ୍ରୀକୁ ଠକିବାକୁ ସାହସ କରିପାରିନାହିଁ ।

 

(୭)

 

–କଥା ମାନ ନୂଆ'ଉ, ଥରକ, ପାଇଁ ପାଦ ଛୁଇଁ ତାଙ୍କଠାରୁ କ୍ଷମା ମାଗିନିଅ ।

 

–କାହିଁକି ? କେଉଁ ଦୁଃଖ ପାଇଁ ? ମୋର ମୁଣ୍ଡକାଟି ପକାଇଲେ ସୁଦ୍ଧା ମୁଁ ତାହା କରିପାରିବି ନାହିଁ ।

 

–କାହିଁକି ପାରିବ ନାହିଁ ? ସ୍ୱାମୀଙ୍କର ପାଦ ଧରିବାକୁ ଲଜ୍ଜ୍ୟା କାହିଁକି ? ବେଶ୍ ତୁମେ ଦୋଷୀ ନ ହେଲେ ନାହିଁ, କିନ୍ତୁ ତାଙ୍କୁ ଖୁସି ରଖିବାଟା ଯେ ସବୁ କାମଠାରୁ ବଡ଼ ।

 

–ନା, ମୋର ସେ ନୀତି ନୁହେଁ । ଭଗବାନଙ୍କ ନିକଟରେ ନିର୍ଦ୍ଦୋଷୀ ହୋଇ ରହିବାଟା ହିଁ ମୋ ନିକଟରେ ବଡ଼ କର୍ତ୍ତବ୍ୟ । ଯେ ପର୍ଯ୍ୟନ୍ତ ସେଭଳି ଅପରାଧ ନ କରିଛି, ସେତେବେଳ ପର୍ଯ୍ୟନ୍ତ ଆଉ କିଛି ଭୟ ନାହିଁ ।

 

ବିମଳା ରାଗି କରି କହି ଉଠିଲା–ନୂଆ'ଉ, ଏସବୁ ପାଗଳାମି କଥା ମୁଁ ମଧ୍ୟ ଜାଣେ । କିନ୍ତୁ ସେଗୁଡ଼ାକ କେତେବେଳେ ହେଲେ କାମରେ ଆସିବ ନାହିଁ । କହି ରଖୁଛି, ଆଖି ବୁଜି ବିପଦକୁ କେହି ଆଡ଼େଇ ଦେଇ ପାରନ୍ତି ନାହିଁ । ଭାଇ ପ୍ରକୃତରେ ତୁମ ଉପରେ ରାଗିଛନ୍ତି ।

 

ଇନ୍ଦୁ ଉଦାସ ଭାବରେ କହିଲା, ତାହା ତାଙ୍କର ଇଚ୍ଛା ।

 

ବିମଳା ମନେ ମନେ ଭୀଷଣ ରାଗି ଉଠି କହିଲା–ସେହି ଇଚ୍ଛାର ସନ୍ଧାନ ପାଇବ ଯେଉଁଦିନ ତୁମର ସର୍ବନାଶ ହେବ । ଭାଇ ଯେପରି ନିରୀହ, ସେହିପରି କଠିନ । ତାଙ୍କର ଗୋଟିଏ ଦିଗ ଦେଖି ପାରିଛ, କିନ୍ତୁ ଅନ୍ୟ ଦିଗଟିକୁ ଦେଖିବାକୁ ଏପର୍ଯ୍ୟନ୍ତ ସୁଦ୍ଧା ବାକୀ ଅଚ୍ଛି ।

–ଆଚ୍ଛା ଦେଖିପାରିଲେ ତୁମକୁ ଖବର ଦେବି ।

ବିମଳା ଆଉ କିଛି କହିଲା ନାହିଁ । କିଛିକ୍ଷଣ ନିରବ ରହି ଗୋଟାଏ ନିଃଶ୍ୱାସ ଛାଡ଼ି ଧୀରେ ଧୀରେ କହିଲା–ହଁ, ତାହା ପ୍ରକୃତରେ ସତ କଥା । ସ୍ୱାମୀଙ୍କ ସ୍ନେହରୁ ବଞ୍ଚିତ ହେବ, ଏ କଥା ପ୍ରକୃତରେ ବିଶ୍ୱାସ ହେଉ ନାହିଁ । କାରଣ ଭାଇ ସେପରି ଧରଣର ଲୋକ ନୁହଁନ୍ତି । ତାଙ୍କ ଦେହ ଖରାପ ଥିଲା ବେଳେ ମୁଁ ତାଙ୍କୁ ଭଲ କରି ଚିହ୍ନିଛି । ହୃଦୟର କବାଟ ତାଙ୍କର ଥରେ ବନ୍ଦ ହୋଇଗଲେ ଆଉ ଆଦୌ ଖୋଲେ ନାହିଁ ।

ଏଥର ଇନ୍ଦୁ ମୁହଁକୁ ଗମ୍ଭୀର କରି କହିଲା–ଖୋଲାନଗଲେ, ବାହାରେ ରହିବି । କିନ୍ତୁ ଖୋଲିବା ପାଇଁ ତାଙ୍କ ପାଦ କଦାପି ଧରିବି ନାହିଁ । ତୁମକୁ ମଧ୍ୟ ସୁପାରିଶ କରି କହିବା ପାଇଁ ଡାକିବି ନାହିଁ । ଏ କ’ଣ ରାଗି କରି ଚାଲି ଯାଉଛ କି ?

ବିମଳା ଠିଆହୋଇ ପଡ଼ି କହିଲା–ରାଗ ନୁହେଁ, ଦୁଃଖ କରି ଯାଉଛି । ବୁଝିଲ ନୂଆ'ଉ, ନିଜ ଭଉଣୀ ଠାରୁ ତୁମକୁ ଅଧିକ ସ୍ନେହ କରେ ବୋଲି ପ୍ରାଣଟା ଏପରି କାନ୍ଦି ଉଠୁଛି । ଭାଇ ଯେ ଏପରି କହିପାରନ୍ତି, ତାହା ଆଜି ଆଖିରେ ଦେଖି ନଥିଲେ, ମୁ କଦାପି ବିଶ୍ୱାସ କରି ନ ଥାନ୍ତି ।

ଇନ୍ଦୁ ହଠାତ୍ ହସି ଦେଇ କହିଲା– ଏତେ ବକ୍ତୃତା ଆଉ କଦାପି ତାଙ୍କ ମୁହଁରୁ ଶୁଣିବାକୁ ପାଇବ ନାହିଁ ।

–ତୁମେ ତ କିଛି କମ୍ ବକ୍ତୃତା ଦେଇ ନାହଁ ? କିନ୍ତୁ ମୋର କିପରି ମନେ ହେଉଛି ସେ ଆଉ ଏପରି ବକ୍ତୃତା ଦେବେ ନାହିଁ । କାରଣ ଗୋଟାଏ କଥାକୁ ଶହେ ଥର କହିବା ଲୋକ ସେ ନୁହନ୍ତି ।

ଇନ୍ଦୁ ଆହୁରି ହସି କହିଲା–ସେ କଥା ତ ସତ । ତେବେ ଆଉ ଗୋଟିଏ ଗୁରୁତର ଘଟଣା ଘଟି ଯାଇଛି, ଯାହାଫଳରେ ଜୀବନରେ କୌଣସି ଦିନ ଆଉ ଆଖି ନାଲ ନାଲ କରି ପାରିବେ ନାହିଁ । ମୁଁ ମୋ ବାପାଙ୍କର ଚିଠି ପାଇଲି । ସେ ମୋ ନାମରେ ଦଶ ହଜାର ଟଙ୍କା ଉଇଲ କରି ଦେଇଛନ୍ତି । କ’ଣ କହୁଛ ବିମଳା, ଆଉ ପାଦ ଧରିବାର ଦରକାର ପଡ଼ିବ ବୋଲି ମନେକରି ପାରୁଛ ?

ବିମଳା ମୁହଁ ଯେପରି ଆହୁରି ଦୁଃଖରେ ବିବର୍ଣ୍ଣ ହୋଇଉଠିଲା । କହିଲା–ନୂଆ'ଉ, ଏହା ପୂର୍ବରୁ ସେ କଦାପି କେବେ ତୁମ୍ଭଙ୍କୁ ଆଖି ନାଲ କରି ଚାହିଁ ନାହାନ୍ତି । ଯେଉଁପରି ଅବସ୍ଥାରେ ତୁମେ ତାଙ୍କୁ ଛାଡ଼ି ଦେଇ ମେଦିନୀପୁର ଚାଲିଯାଇଥିଲ, ସେ କଥା ତ ମୁଁ ଜାଣେ । କିନ୍ତୁ ତଥାପି କୌଣସି ଦିନକ ପାଇଁ ସେ ତୁମର ନିନ୍ଦା କରିନାହାନ୍ତି । ହସ ହସ ମୁହଁରେ ତୁମର ସବୁ ଦୋଷ ମୋଠାରୁ ଲୁଚାଇ ରଖିଛନ୍ତି । ସେ କ’ଣ କେବଳ ତୁମ ଟଙ୍କା ଲୋଭରେ ? ବୁଝିଲ ନୂଆ'ଉ, ଶ୍ରଦ୍ଧା ବ୍ୟତୀତ ଭଲ ପାଇବା ରହି ପାରେ ନାହିଁ । ଯେଉଁ ଜିନିଷକୁ ତୁମେ ଗେଲ ମଣି ହରାଇବାକୁ ବସିଛ, ସେହିଦିନ ତାର ପ୍ରକୃତ ମହତ୍ୱ ବୁଝିପାରିବ ଯେଉଁଦିନ ଯଥାର୍ଥରେ ତୁମେ ତାକୁ ହରାଇ ବସିବ । କିନ୍ତୁ ଏଇ ଗୋଟିଏ କଥା ମୋର ମନେ ରଖିବ ନୂଆ'ଉ, ମୋର ଭାଇ ଏତେ ନୀଚ ନୁହନ୍ତି । ଆଉ ରହି ପାରିବି ନାହିଁ । ସନ୍ଧ୍ୟା ହେଲାଣି–ଯାଉଛି । କାଲି କିମ୍ବା ପଅରଦିନ ସମୟ ପାଇଲେ ଟିକିଏ ମୋ ଘର ଆଡ଼େ ଆସ ।

 

ହଉ, କହି ଇନ୍ଦୁ ପଛେ ପଛେ ଆସି ସଦର ଦରଜା ନିକଟରେ ପହଞ୍ଚିଲା । ତାହାର ମୃଦୁ ପଦସ୍ପର୍ଶ ଯେ ବିମଳା ଜାଣି ସୁଦ୍ଧା ଜାଣିପାରିଲା ନାହିଁ, ତାହା ମଧ୍ୟ ସେ ବୁଝିପାରିଲା । ଗାଡ଼ିରେ ଚଢ଼ିବା ପରେ ମୁହଁ ବଢ଼ାଇ ଚିରଦିନ ଏହି ନଣନ୍ଦ, ଭାଉଜ ପରସ୍ପରକୁ ନିମନ୍ତ୍ରଣ କରି ହସି ହସି କବାଟ ବନ୍ଦ କରିଥାନ୍ତି । ଆଜି କିନ୍ତୁ ଗାଡ଼ିରେ ବସିବାକ୍ଷଣି ବିମଳା ଚଟ୍ କରି କବାଟ ବନ୍ଦକରିଦେଲା-

 

ଘରକୁ ଫେରିଆସି ଇନ୍ଦୁ କମଳାକୁ ଛାତି ଉପରକୁ ତୋଳି ନେଇ ଶୋଇ ପଡ଼ିଲା ।

 

ବିମଳା ସିନା ଚାଲିଗଲା; କିନ୍ତୁ ତାର ଖର ଉତ୍ତପ୍ତ କଥାଗୁଡ଼ାକୁ ରଖି ଦେଇଗଲା । ଏହାର ଉତ୍ତାପ ଯେ କେତେ, ଏଥର ଇନ୍ଦୁ ଜାଣିପାରିଲା । ଏହି ଉତ୍ତାପ ଫଳରେ ତାହାର ଅହଂକାରର ଅଭ୍ରଭେଦୀ ତୁଷାର ସ୍ତୁପ ଯେତେ ତରଳି ବହି ଯିବାକୁ ଲାଗିଲା, ସେତିକି ନୂଆ ନୂଆ ଜିନିଷ ତାର ଆଖିଆଗରେ ଦେଖାଦେଲା । ଏତେ କାଦୁଅ, ଆବର୍ଜ୍ଜନା, ଏତେ କର୍କଶ, କଠିନ ପଥର ଯେ ଏହି ଘନୀଭୂତ ଜଳ ତଳେ ଆବୃତ୍ତ ହୋଇ ରହିଥିଲା, ତାହା ସେ ତ ସ୍ୱପ୍ନରେ ସୁଦ୍ଧା ଭାବିପାରି ନଥିଲା ।

 

ହଠାତ୍ ତାର ମନ ଭିତରୁ ଯେପରି କିଏ ପଚାରି ଉଠିଲା–ଏ କିପରି ହେବ ଇନ୍ଦୁ, ଯଦି ମନେ ମନେ ତୋତେ ତ୍ୟାଗ କରି ବସନ୍ତି ? ତୁପାଖରେ ଯାଇ ବସିଲେ ମଧ୍ୟ ସେ ଯଦି ଘୃଣାରେ ଦୂରେଇ ଯାଆନ୍ତି ?

 

ତାହାର ସାରା ଦେହରେ କିଏ ଯେପରି କଣ୍ଟା ଫୋଡ଼ି ଦେଇଗଲା । ସେ ଚମକି ଉଠିଲା-

 

କମଳା କହିଲା–କ’ଣ ହେଲା ମାଆ ?

 

ଇନ୍ଦୁ ତାହାକୁ ଜୋରରେ ଛାତି ଉପରେ ଚାପିଧରି ତାର ମୁହଁରେ ଚୁମା ଦେଇ କହିଲା, ତୋର ପିଉସୀ ମାଆ ଏତେ ଭୟ ଦେଖାଇ ପାରନ୍ତି ?

 

–କି ଭୟ ମାଆ ?

 

ଇନ୍ଦୁ ଆଉ ଗୋଟିଏ ଚୁମାଦେଇ କହିଲା–ସେ କିଛି ନୁହେଁ ମାଆ, ସବୁ ମିଛ, ସବୁ ମିଛ । ଯାଇ ଦେଖିଆ ତ ମାଆ, ତୋର ବାପା କଣ କରୁଛନ୍ତି ? ଝିଅ ଦୌଡ଼ି ଚାଲିଗଲା । ଆଜିକୁ ଦୁଇଦିନ ହେବ ସ୍ୱାମୀ–ସ୍ତ୍ରୀ ଭିତରେ ପଦେ ହେଲେ କଥାବାର୍ତ୍ତା ହୋଇ ନାହିଁ । କମଳା ଫେରି ଆସି ଚୁପ କରି କହିଲା–ବାବା ଶୋଇ ପଡ଼ିଛନ୍ତି ।

 

–ଚୁପ ହୁଅ । ଆଚ୍ଛା, ତୁ ଶୋଇ ଥାଆ କି ମାଆ, ମୁଁ ଯାଇ ଦେଖି ଆସେ । କହି ଇନ୍ଦୁ ନିଜେ ଚାଲି ଗଲା । ପର୍ଦ୍ଦା ଫାଙ୍କରେ ଦେଖିଲା ପ୍ରକୃତରେ ସେ ଉପରକୁ ଚାହିଁ ସୋଫା ଉପରେ ଶୋଇଛନ୍ତି । ପାଞ୍ଚ ମିନଟ୍ ଖଣ୍ଡେ ଠିଆ ହୋଇ ଦେଖି କରି ଇନ୍ଦୁ ଫେରି ଆସିଲା । ଆଜି ସ୍ୱାମୀଙ୍କ ଘରେ ପ୍ରବେଶ କରିବା ପାଇଁ ତାର ସାହସ ନ ହେଉଥିବାର ଜାଣି ସେ ବିସ୍ମିତ ହୋଇ ଉଠିଲା ।

 

X X X

 

କମଳା !

 

କ’ଣ ମାଆ ?

 

–ତୋ ବାବାଙ୍କର ବୋଧହୁଏ ଖୁବ୍‍ ମୁଣ୍ଡ ବିନ୍ଧୁଛି ? ଯାଆ ମାଆ ବସି ବସି ଟିକିଏ ବାବାଙ୍କ ମୁଣ୍ଡ ଚିପି ଦେବୁତ ।

 

ଝିଅକୁ ପଠାଇ ଦେଇ ଇନ୍ଦୁ ଆଢ଼ୁଆଳରେ ଠିଆ ହୋଇ, ଉଦଗ୍ରୀବ ଭାବରେ ଦୁଇଜଣଙ୍କର କଥାବାର୍ତ୍ତା ଶୁଣିବାକୁ ଲାଗିଲା ।

 

କନ୍ୟା ପ୍ରଶ୍ନ କଲା–କାହିଁକି ଏତେ ମୁଣ୍ଡ ବିନ୍ଧୁଛି ବାବା ?

 

ପିତା ଉତ୍ତର ଦେଲେ– କାଇଁ ମୋ ମୁଣ୍ଡ ବିନ୍ଧୁ ନାହିଁତ ମାଆ ।

 

କନ୍ୟା ପୁଣି ପଚାରିଲା–ମାଆ, କହିଲେ ଯେ ଭାରି ବିନ୍ଧୁଛି ।

 

ପିତା କିଛିକ୍ଷଣ ଚୁପ୍ ରହି କନ୍ୟାର ମୁହଁକୁ ଚାହିଁ ରହିଲେ । ଟିକିଏ ପରେ କହିଲେ–ତୋର ମାଆ କ’ଣ ଜାଣନ୍ତି ନାହିଁ ?

 

ପର୍ଦ୍ଦା ଟେକି ଇନ୍ଦୁ ସହଜ ଭାବରେ ଘରେ ପ୍ରବେଶ କଲା । ଟେବୁଲ ଅଲୁଅଟାକୁ କମାଇ ଦେଇ କହିଲା, ରୋଗା ଦେହରେ ଏତେ ପରିଶ୍ରମ କ’ଣ ସହ୍ୟ ହୁଏ ? ଯାଆ ତ ମାଆ କମଳା, ଉପର ଘରୁ ଏଡ଼ିକୋଲନ୍ ଶିଶିଟା ନେଇ ଆସିବୁ । ଆଉ ରାମଟହଲକୁ କିଛି ବରଫ କିଣି ଆଣିବା ପାଇଁ କହିବୁ ।

 

ଝିଅକୁ ସୋଫା ଉପରୁ ଓହ୍ଲାଇ ଦେଇ ଇନ୍ଦୁ ମୁଣ୍ଡ ପାଖରେ ଆସି ବସିଲା । କେଶ ଭିତରେ ହାତ ବୁଲାଇ କହିଲା–ମୁଣ୍ଡରୁ ନିଆଁ ବାହାରୁଛି ଯେ ।

 

ନରେନ୍ଦ୍ର ଆଖି ବୁଜି ରହିଲା । କିଛି କହିଲା ନାହିଁ ।

 

ଇନ୍ଦୁ ନୀରବରେ ସେହିପରି ହାତ ବୁଲାଉ ବୁଲାଉ ମୁହଁକୁ ଅଳ୍ପ ଅଳ୍ପ ତଳକୁ କରି କାନ ପାଖରେ କହିଲା–ଆଜି ଛାତିର ଯନ୍ତ୍ରଣା କିପରି ଅଛି ?

 

–ସେହିପରି ।

 

–ତେବେ ଏଇଯେ ରାଗ କରି ଦୁଇଦିନ ଔଷଧ ଖାଇଲ ନାହିଁ, ରୋଗ ବଢ଼ିଗଲେ କ’ଣ ହେବ କହତ ?

 

ନରେନ୍ଦ୍ର ଆଖି ଖୋଲି ଶାନ୍ତ କଣ୍ଠରେ କହିଲା–ମୋର ଦେହଟା ଭଲ ନାହିଁ; ଟିକିଏ ଚୁପ୍ ହୋଇ ରହିବାକୁ ଦିଅ, ଇନ୍ଦୁ ।

 

ଏହି କଥାର କ’ଣ ଏହି ଉତ୍ତର !!

 

ଇନ୍ଦୁ ବିଜୁଳୀ ବେଗରେ ଉଠି ଠିଆ ହୋଇପଡ଼ି କହିଲା, ହଉ ଚୁପ ହୋଇ ରହ । ମୁଁ ତୁମ ଶୋଇବା ଘରେ ଆସି ପ୍ରବେଶ କରିବାଟା ମୋର ଭୁଲ୍ ହୋଇଛି ।

 

ଦ୍ୱାରବନ୍ଧ ନିକଟରେ ଠିଆ ହୋଇ ପୁଣି କହିଲା, ନିଜର ଜୀବନଟାକୁ ନଷ୍ଟ କରି କିନ୍ତୁ ମୋତେ ଶାସ୍ତି ଦେଇ ପାରିବ ନାହିଁ । ଏଇ ଚିଠି ଖଣ୍ଡକ ନେଇ ପଢ଼ । ବାବା ମୋ ନାମରେ ଦଶହଜାର ଟଙ୍କା ଉଇଲ କରି ଦେଇଛନ୍ତି । କହି, ବାମ ହାତରେ ଧରିଥିବା ଚିଠିଟାକୁ ସୋଫା ଉପରକୁ ଫିଙ୍ଗି ଦେଇ ବାହାରେ ଆସି ଠିଆହେଲା । ତା ପରେ ମୁହଁରେ ନିଜର ପଣତ କାନିକୁ ଗୁଞ୍ଜି କାନ୍ଦକୁ ଚାପି ରଖି ରଖି ନିଜ ଘର ଭିତରେ ପଶିଯାଇ ଭିତରୁ କବାଟ ଦେଇ ଶୋଇ ପଡ଼ିଲା ।

 

କଥା କହି ହାର ମାନିବା ସେ ଶିଖି ନାହିଁ । ଅନେକ ନାରୀ ମଧ୍ୟ ତାହା ପରି ଶିଖି ନାହାନ୍ତି । ଫଳରେ ଆଜି ସମସ୍ତ ସାଧୁ ଉଦ୍ଦେଶ୍ୟ ସେମାନଙ୍କର ବ୍ୟର୍ଥ ହୋଇଯାଉଛି ।

 

ଇନ୍ଦୁ କିନ୍ତୁ ଆଜି କ’ଣ କରିବାକୁ ଯାଇ କ’ଣ କରି ଫେରି ଆସିଲା ?

 

(୮)

 

ଏ କ’ଣ ବିମଳା, ତୁମେ କାନ୍ଦୁଥିଲ ନା କ’ଣ ? ଆଖି ଦୁଇଟି ତୁମର ଯେ ନାଲି ମନ୍ଦାର ଫୁଲ ପରି ଦିଶୁଛି ।

 

ଅମ୍ବିକାବାବୁଙ୍କର ସ୍ତ୍ରୀ ଶୁଣୁଥିଲେ ଏବଂ ବିମଳା ଶୋଇ ରହି ବହି ପଢ଼ୁଥିଲା । ଧଡ଼ପଡ଼ ହୋଇ ଉଠି ପଡ଼ି ଆଖି ପୋଛି କହିଲା, ଉଃ ! ଦୁର୍ଗା ମଣିର ଦୁଃଖରେ ଛାତି ଫାଟି ଯାଉଛି ନୂଆ'ଉ ।

 

ଇନ୍ଦୁ ପଚାରିଲା–ଦୁର୍ଗାମଣି କିଏ ?

 

–ନ ଜାଣିଲା ଭଳି ହୁଅନି ନୁଆଉ । ଜାଣି ନାହଁ କିଏ ଦୁର୍ଗାମଣି ? ଚାରିଆଡ଼େ ଯେଉଁ ଏତେ ପ୍ରଶଂସା ହୋଇ ଚାଲିଛି ତାହା ଠିକ୍ ସତ ।

 

ଇନ୍ଦୁ ଏଥିରୁ କିଛି ବୁଝି ପାରିଲା ନାହିଁ । କେବଳ ଏତିକି ଜାଣିଲା ଯେ ଖଣ୍ଡିଏ ବହି କଥା ସେ କହୁଛନ୍ତି । ହାତ ବଢ଼ାଇ କହିଲା–ଦେଖି, ସେ ବହିଟା ।

 

ବହିଟା ହାତରେ ଧରି ଦେଖିଲା–ଉପରେ ଲେଖକ ଭାବରେ ତାର ସ୍ୱାମୀଙ୍କ ନାମ ଲେଖା ହୋଇଛି । ପୃଷ୍ଠା ଓଲଟାଇ ଓଲଟାଇ ଦେଖିଲା ବହିଟି ବିମଳାକୁ ଉତ୍ସର୍ଗ ହୋଇଛି । ଇନ୍ଦୁ ବହିଟିକୁ ଏପଟ ସେପଟ ଓଲଟ ପାଲଟ କରିସାରି ବିମଳା ହାତକୁ ଫେରାଇ ଦେଲା । ଲେଖା ହୋଇଛି, ଛାପା ହୋଇଛି, ଦିଆ ସରିଛି ମଧ୍ୟ ଅଥଚ ସେ ଏହାର ବିନ୍ଦୁ ବିସର୍ଗ ଜାଣେ ନାହିଁ । ତାହାର ମୁହଁର ଭାବଭଙ୍ଗୀ ଦେଖି ବିମଳା କୌଣସି ପ୍ରଶ୍ନ ପଚାରିବାକୁ ଯେତେବେଳେ ସାହସ କରି ପାରିଲା ନାହିଁ, ସେତେବେଳେ ଇନ୍ଦୁ ନିଜେ କହିଲା–ମୁଁ ନାଟକ, ଉପନ୍ୟାସ ପଢ଼ିବାକୁ ଇଚ୍ଛା କରେ ନାହିଁ ଏବଂ ମୋତେ ଭଲ ଲାଗେନାହିଁ । ଯାହାହେଉ, ଭଲ ହୋଇଛି, ଶୁଣି ଖୁସି ହେଲି ।

 

ଅମ୍ବିକା ବାବୁଙ୍କର ଚାକର ଆସି ତାଙ୍କର ସ୍ତ୍ରୀଙ୍କୁ ଲକ୍ଷ୍ୟ କରି କହିଲା, ବାବୁ ପଚାରୁଛନ୍ତି ଆଜି ଯେଉଁ ଯାଦୁଘର ଦେଖିଯିବାର ଥିଲା, ଯିବେ କି ?

 

ଏହି ବୋହୂଟି ସମସ୍ତଙ୍କ ତୁଳନାରେ ନିହାତି ଛୋଟ । ସେ ଲାଜେଇ ଯାଇ ମୁହଁ ତଳକୁ କରି ମୄଦୁସ୍ୱରରେ କହିଲା–ନାହିଁ, ତାଙ୍କର ଦେହ ଏବେସୁଦ୍ଧା ଭଲ ହୋଇ ନାହିଁ । ଆଜି ଯାଇ ପାରିବେ ନାହିଁ !

 

ଚାକର ଚାଲିଗଲା । ଇନ୍ଦୁ ଆଁ କରି ଚାହିଁ ରହିଲା । ତାର ମନେ ହେଲା, ଏପରି ଆଶ୍ଚର୍ଯ୍ୟ କଥା ସେ ବୋଧହୁଏ ଜୀବନରେ ଶୁଣିନାହିଁ ।

 

ଭୋଳା ଆସି ବିମଳାକୁ ପଚାରିଲା–ବାବୁ ଜାଣିବା ପାଇଁ ଅଫିସରୁ ଲୋକ ପଠାଇଛନ୍ତି ଯେ, ଗୋଟାଏ ବଡ଼ ଆଲମାରୀ ନିଲାମ ହେଉଛି ବଡ଼ଘର ପାଇଁ କିଣିବେ କି ?

 

ବିମଳା କହିଲା–ନାହିଁ, କିଣିବାକୁ ମନା କରିଦେ । ଗୋଟାଏ ଛୋଟ ବୁକ୍ କେସ୍ ହେଲେ ଚଳିବ ।

 

ଭୋଳା ଚାଲିଗଲା । ଇନ୍ଦୁ ବିସ୍ମୟରେ ଅବାକ୍ ହୋଇ ବସି ରହିଲା । ଏହି ସ୍ଵାମୀମାନଙ୍କର ପ୍ରଶ୍ନଗୁଡ଼ିକରେ ତ ସେ ବିଶେଷ ପ୍ରଭୁତ୍ୱ ଦେଖି ପାରିଲା ନାହିଁ । ଏହି ସ୍ତ୍ରୀ ଦୁଇଟିଙ୍କର ଆଦେଶଗୁଡ଼ିକ ତ ତାଙ୍କ ନିକଟରେ ଦାସୀ ଭଳି ଶୁଣାଗଲା ନାହିଁ । ଅଥଚ ତାର ନିଜ ମନ ଭିତରେ କିପରି ଗୋଟାଏ ଯନ୍ତ୍ରଣା ସେ ଅନୁଭବ କରିପାରିଲା । ସେ ମନେ କଲା ଯେପରି ସେ ଦୁହିଁଙ୍କ ନିକଟରେ ନିଜେ ଅତି ଛୋଟ ହୋଇଯାଇଛି ।

 

ଯିବା ସମୟରେ ବିମଳା ଚୁପ୍ କରି ପଚାରିଲା, ନୂଆ'ଉ ପ୍ରକୃତରେ ତୁମେ କ’ଣ ଭାଇଙ୍କର ଏହି ବହିଟା କଥା ଆଦୌ ଜାଣ ନାହିଁ ?

 

ଇନ୍ଦୁ ତାତ୍ସଲ୍ୟ କରି କହିଲା–ନା । ସାରାଦିନ ତ ବସି ଲେଖୁଛନ୍ତି । କିଏ କେତେ ଏବେ ଖବର ରଖୁଛି । ହଁ, ଭଲ କଥା କହିବାକୁ ଭୁଲିଯାଇଛି । କାଲି ମୁଁ ବାପ ଘରକୁ ଯାଉଛି ।

 

ବିମଳା ଉଦବିଗ୍ନ ହୋଇ କହିଲା–ନୂଆ'ଉ, ଯାଅ ନାହିଁ ।

 

କାହିଁକି ?

 

କାହିଁକିର କାରଣ କ’ଣ ବୁଝାଇବାକୁ ହେବ ନୂଆ'ଉ ? ଭାଇ ତୁମକୁ ତାଙ୍କର ସୁଖ କିମ୍ବା ଦୁଃଖର କୌଣସି ଭାର ଦିଅନ୍ତି ନାହିଁ । ଏହା ବୋଲି କ’ଣ ଭଲ ପାଆନ୍ତି ନାହିଁ ? ସ୍ୱାମୀଙ୍କର ଭଲ ପାଇବାକୁ ହରାଇବାକୁ ଯାଉଛ, ଏକଥା କ’ଣ ଜାଣି ପାରୁନାହଁ?

 

ଇନ୍ଦୁ ହଠାତ୍‍ ରାଗିଉଠି କହିଲା–ଅନେକ ଥର ତୁମକୁ କହିଛି–ମୁଁ ଚାହେଁ ନାହିଁ–ତାଙ୍କ ଭଲ ପାଇବା ମୁଁ ଚାହେଁ ନାହିଁ । ମୁଁ ଯାଇ ବାପଘରେ ଭଲରେ ରହିପାରିବି । ଇୟେ ଯେପରି ମୋତେ ଆଣିବା ପାଇଁ ଆଉ ନଯାଆନ୍ତୁ । ଆଉ ଯେପରି ମୋତେ ଜାଳି ପୋଡ଼ି ନ ମାରନ୍ତି ।

 

ଏଥର ବିମଳା ରାଗି ଉଠିଲା । କହିଲା–ପୁରୁଷ ପୁଅଙ୍କ ପାଖରେ ଏପରି ବଡାଈ କର ନୂଆ'ଉ ! ମୁ ତ ସହଜରେ ଜଣେ ଝିଅପିଲା–ତଥାପି ମୋ ଆଗରେ କର ନାହିଁ । ତୁମ ବାପ ବଡ଼ଲୋକ, –ତୁମ ପାଇଁ ସେ ସଂସ୍ଥାନ କରି ଦେଇ ପାରିଛନ୍ତି, ଏଥିପାଇଁ ତ ତୁମର ଗର୍ବ ? ଅଚ୍ଛା, ବର୍ତ୍ତମାନ ଯାଉଛ ଯଦି ଯାଆ । କିନ୍ତୁ ଦିନେ ନା ଦିନେ ବୁଝିପାରିବ ଯାହା ହରାଇଲ ତାହା ତୁଳନାରେ ସମଗ୍ର ପୃଥିବୀଟା ମଧ୍ୟ ଛୋଟ । ନୂଆବୋଉ, ତୁମେ ଯାହା ପାଇଥିଲ, ତାହା କମ୍ ଝିଅପିଲା ପାଇପାରନ୍ତି, ତାହା ମୁଁ ଜାଣେ । କିନ୍ତୁ ଯେଉଁ ଅପବ୍ୟୟ ତୁମେ କରିଲ, ତାହାଦ୍ୱାରା ଅକ୍ଷୟ ମଧ୍ୟ କ୍ଷୟ ହୋଇଯାଏ । ମନେକରୁଛି, ତୁମେ ଚାଲିଗଲେ ସେଇଆହିଁ ଘଟିବ ।

 

ସେହି ବହି ଖଣ୍ଡିକ ବିମଳା ହାତରେ ହିଁ ଥିଲା । ତାହା ପ୍ରତି ଦୃଷ୍ଟି ପଡ଼ିବା ମାତ୍ରେ ଇନ୍ଦୁର ଛାତି ଭିତରଟା ଆଉ ଥରେ ହୁ, ହୁ, କରି ଜଳି ଉଠିଲା । କହିଲା–ଅହଂକାର ବା ଗର୍ବ କରିବାର ଥିଲେ ଲୋକେ କରିଥାନ୍ତି । କିନ୍ତୁ ମୋର ସର୍ବନାଶ ହେବ, ହେଉ, ସେଥିପାଇଁ ବିମଳା, ତୁମେ ମୁଣ୍ଡ ଖେଳାଇଛ ଅବା କାହିଁକି ? ମୁଁ ମଧ୍ୟ ଠିଆ ହୋଇ ହୋଇ ଶୁଣୁଥିବି କାହିଁକି ? ମୋର ରହିବାକୁ ଆଉ ଇଚ୍ଛା ନାହିଁ, ଯାହା ହେବାର ଥିବ ତାହାହିଁ ହେବ । ଏଥିପାଇଁ କାହାର ପରାମର୍ଶ ନେବା ପାଇଁ ମୁଁ ଚାହେ ନାହିଁ, କାହା ସହିତ ଝଗଡ଼ା କରିବାକୁ ଇଚ୍ଛା କରେ ନାହିଁ ।

 

ବିମଳା ମୌନ ରହିଲା । ତାର ବ୍ୟଥା କେବଳ ଅନ୍ତର୍ଯ୍ୟାମୀ ହିଁ ଜାଣି ପାରିଲେ; କିନ୍ତୁ ଏ ଅପମାନ ପରେ ସେ ଯୁକ୍ତି କରିବାକୁ ଆଦୌ ଭଲ ମନେ କଲା ନାହିଁ ।

 

ଇନ୍ଦୁ ଚାଲିଯିବା ପାଇଁ ଉପକ୍ରମ କରିବା କ୍ଷଣି ବିମଳା କହିଲା ଠିଆ ହୁଅତ ନୂଆ'ଉ । ତୁମେ ସମ୍ପର୍କରେ ମୋ ଠାରୁ ବଡ଼ । ତେଣୁ ପ୍ରଣାମ କରିନିଏ ।

 

(୯)

 

ସେଦିନ ସନ୍ଧ୍ୟା ବେଳରୁ ଆକାଶଟା ମେଘୁଆ ହୋଇ ଉଠି ବର୍ଷା ହେବାକୁ ଲାଗିଲା । ଇନ୍ଦୁ ଝିଅକୁ ଧରି ବିଛଣା ଉପରେ ଆସି ଶୋଇ ପଡ଼ିଲା । ଆଜି ତାର ସାନ ଭଉଣୀଜ୍ଜ୍ୱାଇଁ ଆସିଥିଲେ । ପାଖଘର ତାଙ୍କୁ ଚର୍ଚ୍ଚା କରିବା ବେଳେ ଗପ ସପ ହେଉ ହେଉ ଅସ୍ପଷ୍ଟ କଳରବ ଯେତେ ଭାସି ଆସୁଥିଲା, ସେତିକିରେ କେଉଁ ଅବ୍ୟକ୍ତ ଲଜ୍ଜ୍ୟାରେ ତାହାର ଅନ୍ତର ଭରି ଉଠିବାକୁ ଲାଗିଲା ।

 

ତିନି ମାସ ହେବ ସେ ମେଦିନୀପୁର ଆସିଛି । ଛୋଟ ଭଉଣୀ ମଧ୍ୟ ଆସିଛି । ତାର ସ୍ୱାମୀ ଏଇ ଦୁଇ ମାସ ଭିତରେ ଶାନ୍ତିପୁରରୁ ଅନ୍ତତଃ ପାଞ୍ଚ, ଛଅ ଥର ଯିବା ଆସିବା କଲେଣି; କିନ୍ତୁ ନରେନ୍ଦ୍ର ଥରକ ପାଇଁ ତ ଆସିବା ଦୂରର କଥା, ଖଣ୍ଡିଏ ଚିଠି ଲେଖି ସୁଦ୍ଧା ଖୋଜ ଖବର ନେଲେ ନାହିଁ ।

 

କିଛି ଦିନ ହେବ ଘଟଣାଟି ଉପରେ ସମସ୍ତଙ୍କର ଦୃଷ୍ଟି ପଡ଼ିଛି ଏବଂ ପ୍ରାୟହିଁ ଆଲୋଚନା ଚାଲିଛି । ସାନ ଭଉଣୀର ସ୍ୱାମୀଙ୍କ ଆଗରେ କାଳେ ଏଇ କଥାଟା କିଏ କହି ଦେଇପାରେ, ଏହି ଭୟରେ ଅସମୟରେ ଇନ୍ଦୁ ପଳାଇ ଆସି ଏ ଘରେ ବସିଥିଲା । ସ୍ୱାମୀ ଆସିଲେ ନାହିଁ । ତାଙ୍କର ଅବହେଳାର ବେଦନା କେତେ ! ସେ ଯାହାହେଉ, ତାହା ଇନ୍ଦୁର ନିଜ କଥା । କିନ୍ତୁ ଏହା ଏତେ ଯେ ଭୟାନକ ଲଜ୍ଜା, ତାହା ସେ'ତ ଦିନେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ପାରି ନଥିଲା । ଭୃଣ ହତ୍ୟା ଏବଂ ନରହତ୍ୟା କଲାଭଳି ଏହାକୁ ଯେ ଲୁଚାଇବାକୁ ପଡ଼ୁଛି । ମରିଗଲେ ସୁଦ୍ଧା କାହା ନିକଟରେ ସ୍ୱୀକାର କରିବାର ନୁହେଁ ଯେ–ମୋ ସ୍ୱାମୀ ମୋତେ ଭଲ ନ ପାଆନ୍ତି ବୋଲି !

 

ଏତେଦିନ ଧରି ସ୍ୱାମୀଙ୍କ ପାଖରେ ରହି ତାହାଙ୍କୁ ବିରକ୍ତ କରି, ଗାଳି ଦେଇ, ନିଜର ମାନସଂଭ୍ରମ ରଖି ଆସିଥିଲା । କିନ୍ତୁ ବର୍ତ୍ତମାନ ପର ଘରେ (ହେଉପଛେ ବାପଘର), ତଥାପି ସବୁ ଭାଙ୍ଗି ଚୁରୁମାର ହେବା ଉପରେ । କ’ଣ କଲେ ପୁଣି ସେ ନିଜର ସମ୍ମାନ ଫେରି ପାଇପାରିବ ?

 

ଆଜି ଭଉଣୀଜ୍ଵାଇଁ ଆସିବା ପରେ ଯେଉଁମାନେ ତା ମୁହଁକୁ ଚାହିଁଛନ୍ତି, ସେତେବେଳେ ତାକୁ ଯେପରି ଜଣାପଡ଼ୁଥାଏ, ତାକୁ ସମସ୍ତେ କରୁଣା କରୁଛନ୍ତି । କମଳାକୁ କେହି ତାର ବାପାଙ୍କ କଥା ପଚାରିଲେ ଇନ୍ଦୁ ସରମରେ ସରମରେ ମରିଯାଏ । କେବେ ଶାଶୂଘରକୁ ଫେରିଯାଉଛ ପଚାରିଲେ ସେ ଲଜ୍ଜାରେ ମାଟିରେ ମିଶିଯାଏ । ଅଥଚ ସେ ଆସିଲାବେଳେ ସ୍ୱାମୀଙ୍କୁ ବଡ଼ ମର୍ମ୍ମାନ୍ତିକ ଭାଷାରେ କହି ଆସିଥିଲା, ଯେ ପୋଷିବାର କ୍ଷମତା ଫେରି ପାଇଲେ ଯେପରି ତାକୁ ନେଇ ଆସନ୍ତି ।

 

ହଠାତ୍ ଇନ୍ଦୁର ମୋହ କଟିଗଲା । ସେ ପଚାରିଲା–କମଳା, କାନ୍ଦୁଛୁ କାହିଁକି ମାଆ ?

 

କମଳା କାନ୍ଦୁ କାନ୍ଦୁ କହିଲା–ବାପାଙ୍କ ପାଇଁ ମନଟା କେମିତି କେମିତି ହେଉଛି ।

 

ଇନ୍ଦୁ ଛାତି ଉପରେ ସତେ ଯେପରି ହାତୁଡ଼ିଟିଏ ଧରି କିଏ ଜୋରରେ ଆଘାତ ଦେଲା । ସେ ଝିଅକୁ ଛାତିରେ ଜାକି ଧରି ଫୁଲି ଫୁଲି କାନ୍ଦିବାକୁ ଲାଗିଲା ।

 

ବାହାରେ ପ୍ରବଳ ବର୍ଷା ତାର ଲଜ୍ଜା ରକ୍ଷାକଲା । ନିଜଝିଅ ବ୍ୟତୀତ ଅନ୍ୟ କେହି ଏ କାନ୍ଦ ଶୁଣି ପାରିଲେ ନାହିଁ ।

 

ତାର ଜନନୀ ଶିଖାଇଦେଲେ କି ନାହିଁ କେଜାଣି, ପରଦିନ ସକାଳ ହେବାକ୍ଷଣି କମଳା ତାର ବାପା ପାଖକୁ ଯିବା ପାଇଁ ଜିଦ୍ ଧରି କାନ୍ଦି ଉଠିଲା । ପ୍ରଥମେ ଇନ୍ଦୁ ବହୁତ ତର୍ଜ୍ଜନ–ଗର୍ଜ୍ଜନ କରି ଶେଷରେ ଭାଇକୁ ଆସି କହିଲା କମଳା କେଉଁଥିରେ କିଛି ବୁଝୁନାହିଁ । କଲିକତା ଯିବାକୁ ଚାହୁଁଛି ।

 

ଭାଇ କହିଲା, ତାକୁ ଧମକ ଦେବାର ଦରକାର କିଛି ନାହିଁ । କାଲି ସକାଳେ ତାକୁ ନେଇଯାଆ । କିପରି ଅଛି ନରେନ୍ଦ୍ର ? ସେ ତ ମୋ ପାଖକୁ ଚିଠି ପତ୍ର ଦିଏ ନାହିଁ । ତୋ ପାଖକୁ ଲେଖେ ତ ?

 

ଇନ୍ଦୁ ମୁଣ୍ଡଟା ଟୁଙ୍ଗାରି କହିଲା–ହଁ ।

 

–ଭଲ ଅଛିତ ?

 

ଇନ୍ଦୁ ସେହିପରି ଭାବରେ ଜଣାଇଲା–ଅଛନ୍ତି ।

 

ବିମଳା ଆଶ୍ଚର୍ଯ୍ୟ ହୋଇ ପଚାରିଲା–କେତେବେଳେ ଆସିଲ ନୂଆ ବୋଉ ?

 

–ଏଇ ବର୍ତ୍ତମାନ ଆସୁଛି ।

 

ଚାକର ଗାଡ଼ି ଭିତରୁ ତାର ଟ୍ରଙ୍କ ଆଣି ଘରେ ରଖିଲା । ବିମଳା ଭୀଷଣ କ୍ରୋଧକୁ କୌଣସିମତେ ଚାପି ରଖି କହିଲା, ଘରକୁ ଯାଇ ନାହଁ ?

 

–ନା, କେବଳ କମଳାକୁ ଘର ଆଗରେ ଓହ୍ଲାଇଦେଇ ଆସିଛି । କେବଳ ତାରି ପାଇଁ ତ ଆସିଲି, ନଚେତ ଆସିବାର କୌଣସି ଦରକାର ନଥିଲା ।

 

ବିମଳା ଦୀର୍ଘ ନିଃଶ୍ୱାସ ମାରି କହିଲା–ନଆସିଥିଲେ ଭଲ ହୋଇଥାନ୍ତା ନୂଆ'ଉ । ସେଠାକୁ ଆଉ ତୁମର ଯିବା ଦରକାର ପଡ଼ୁ ନାହିଁ ।

 

ଇନ୍ଦୁ ଛାତି ଭିତରଟା ଯେପରି ଧଡ଼ କରି ଚମକି ଉଠିଲା–ସେ ପଚାରିଲା –କାହିଁକି ?

 

ବିମଳା ସହଜ ଏବଂ ସରଳ ଭାବରେ କହିଲା–ପରେ ଶୁଣିବ । ଲୁଗା ବଦଳାଅ । ମୁହଁ ହାତ ଧୁଅ, ଯାହା ହେବାର ତ ହୋଇ ଯାଇଛି, ବର୍ତ୍ତମାନ ଆଜି ଶୁଣିଲେ ଯାହା, ଦୁଇଦିନ ପରେ ଶୁଣିଲେ ମଧ୍ୟ ସେଇଆ ।

 

ଇନ୍ଦୁ ବସି ପଡ଼ିଲା । ତାହାର ମୁହଁଟା ନେଳି ପଡ଼ିଗଲା । କହିଲା–ସେ କଥା ହେବ ନାହିଁ ବିମଳା, ନ ଶୁଣିବା ପର୍ଯ୍ୟନ୍ତ ମୁ ଟୋପାଏ ପାଣି ସୁଦ୍ଧା ମୁହଁରେ ଦେବି ନାହିଁ । ତାଙ୍କୁ ଦେଖି ଆସିଛି, ସେ ବସିଛନ୍ତି–ତଥାପି ସେଠାକୁ ଯିବା ମୋର ଆବଶ୍ୟକ ନାହିଁ, କାହିଁକି ?

 

ବିମଳା କିଛିକ୍ଷଣ ନୀରବ ରହି ପୁଣି କହିଲା–ପ୍ରକୃତରେ ସେ ଘରେ ତୁମ ରହିବା ପାଇଁ ସ୍ଥାନ ନାହିଁ । ବର୍ତ୍ତମାନ ତୁମ ପକ୍ଷରେ ଏଠାରେ ରହିବା ଯାହା, ବାପଘରେ ରହିବ ସେୟା । ସେ ଘରେ ଆଉ ତୁମେ ରହି ପାରିବ ନାହିଁ ।

 

ଇନ୍ଦୁ କାନ୍ଦକୁ ଚାପି ରଖି କହି ଉଠିଲା–ମୁଁ ଆଉ ସମ୍ଭାଳି ହୋଇ ରହି ପାରୁନାହିଁ ବିମଳା, କ’ଣ ହୋଇଛି ଖୋଲିକରି କହ । କ’ଣ ଆଉ ଥରେ ସେ ବିବାହ କରିଛନ୍ତି ?

 

–ତୁମର ବିଶ୍ୱାସ ହେଉଛି ?

 

–ନା, କଦାପି ବିଶ୍ୱାସ ହେଉନାହିଁ । ମୋର ଅପରାଧ ଯେତେବଡ଼ ହେଉନା କାହିଁକି, ସେ କିନ୍ତୁ କୌଣସିମତେ ଅନ୍ୟାୟ କରିପାରିବେ ନାହିଁ । ତଥାପି କାହିଁକି ଯେ ମୋର ତାଙ୍କ ପାଖରେ ସ୍ଥାନ ନାହିଁ କହିପାରିବ ବିମଳା ? କହୁ କହୁ ତାର ଦୁଇ ଆଖିରୁ ଝର ଝର ଲୁହ ବହି ଚାଲିଲା ।

 

ବିମଳାର ନିଜ ଆଖି ମଧ୍ୟ ଓଦା ହୋଇ ଆସିଲା, କିନ୍ତୁ ଲୁହ ଝରିଲା ନାହିଁ । କହିଲା–ନୂଆ'ଉ ମୁଁ ଭାବି ପାରୁ ନାହିଁ କିପରି ଭାବରେ ତୁମକୁ ବୁଝାଇବି ଯେ ସେଠାରେ ଆଉ ତୁମ ପାଇଁ ସ୍ଥାନ ନାହିଁ ବୋଲି । ଶମ୍ଭୁ ବାବୁ ଭାଇଙ୍କୁ ଜେଲ–ଦେଇଥିଲେ ।

 

ଇନ୍ଦୁର ସର୍ବାଙ୍ଗ ଯେପରି କିଏ କଣ୍ଟାରେ ଫୋଡ଼ି ପକାଇଲା । ସେ କହିଲା–ତା ପରେ ?

 

ବିମଳା କହିଲା, ମୁଁ ସେତେବେଳେ କାଶୀରେ । ଶମ୍ଭୁ ବାବୁ ଟଙ୍କା ବନ୍ଦୋବସ୍ତ କରିବା ପାଇଁ ଦୁଇଦିନ ସମୟ ଦେଲେ । କିନ୍ତୁ ଚାରି ହଜାର ଟଙ୍କା ଯୋଗାଡ଼ କରି ନପାରି ଭାଇ ଭୋଳାକୁ ମୋ ପାଖକୁ ପଠାଇଲେ, ମାତ୍ର ସେତେବେଳକୁ ଆମେ ଆଲାହାବାଦ ଚାଲି ଗଲୁଣି । ସେ ଫେରି ଆସେ, ପୁଣି ଯାଏ । ଏହିପରି ଭାବରେ ଦଶଦିନ ବିତିଗଲା । ତାପରେ ମୁଁ ଫେରି ଆସିଲି । ମୋ ପାଖରେ ମଧ୍ୟ ନଗଦ ଟଙ୍କା ନ ଥିଲା । ମୋର ଗହଣା ଗୁଡ଼ାକ ବନ୍ଧା ଦେଇ ଏଗାର ଦିନ ଦିନ ଭାଇଙ୍କୁ ଦେଲାରୁ ଭାଇଙ୍କୁ ମୁକୁଳାଇ ଆଣିଲି । ତୁମର ତ ଚାରି ପାଞ୍ଚ ହଜାର ଟଙ୍କାର ଗହଣା ଅଛି ନୂଆ'ଉ, ମେଦିନୀପୁର ମଧ୍ୟ ଦୂର ନୁହେଁ । ତୁମକୁ ଖବର ଦେଇ ପାରିଥିଲେ ଏ ସବୁ କିଛି ଘଟି ନଥାନ୍ତା । ଭାଇ କିନ୍ତୁ ଦଶଦିନ ଜେଲ ଭୋଗକଲେ ସିନା, କିନ୍ତୁ ତୁମ ନିକଟରେ ହାତ ପତାଇଲେ ନାହିଁ । ତେଣୁ ଆଉ ତୁମେ ତାଙ୍କ ନିକଟକୁ ଗଲେ କ’ଣ ହେବ ? ଅନେକ ସୁଖ ତ ତାଙ୍କୁ ଦେଲ । ଏଣିକି ତାଙ୍କୁ ମୁକ୍ତି ଦିଅ । ସେ ବଞ୍ଚନ୍ତୁ ଆଉ ତୁମେ ବଞ୍ଚ ।

 

ଇନ୍ଦୁ ମୁହୂର୍ତ୍ତକ ପାଇଁ ମୁହଁ ତଳକୁ ପୋତି ବସି ରହିଲା । ତାପରେ ଗୋଟି ଗୋଟି କରି ଦେହର ସବୁ ଅଳଙ୍କାର ଖୋଲି ବିମଳା ପାଦ ତଳେ ରଖି କହିଲା–ଏଇ ନିଅ ବିମଳା, ଏସବୁ ଦେଇ ତୁମ ଜିନିଷ ମୁକୁଳାଇ ଆଣ । ମୁଁ ତାଙ୍କ ନିକଟକୁ ଚାଲିଲି । ତୁମେ କହୁଛ, ସ୍ଥାନ ମିଳିବ ନାହିଁ; କିନ୍ତୁ ମୁଁ କହୁଛି ଏଇଥର ହିଁ ମୋତେ ତାଙ୍କ ନିକଟରେ ଯଥାର୍ଥ ସ୍ଥାନ ମିଳିବ । ଯାହା ଏତେଦିନ ମୋତେ ତାଙ୍କ ଠାରୁ ଅଲଗା କରି ରଖିଥିଲା, ବର୍ତ୍ତମାନ ତାକୁ ତୁମ ପାଖରେ ଫିଙ୍ଗି ଦେଇ ମୁଁ ମୋର ସ୍ଥାନକୁ ଚାଲିଲି । କାଲି ଥରକ ପାଇଁ ଆସ ଭଉଣୀ ଆସି–ତୁମ ଭାଇ ଆଉ ନୂଆଉଙ୍କୁ ଦେଖି ଆସିବ, କହି ଇନ୍ଦୁ ଗାଡ଼ି ପାଇଁ ଅପେକ୍ଷା ନକରି ବାହାରି ଚାଲିଗଲା ।

 

–ଆରେ ଭୋଳା, ସାଙ୍ଗରେ ଯାଆ ତ, କହି ବିମଳା ଆଖିରୁ ଲୁହ ପୋଛି ପୋଛି ପଛେ ପଛେ ଆସି ଦାଣ୍ଡ ଦୁଆର ପାଖରେ ପହଞ୍ଚିଲା ।

Image